21 January 2017
3:35:22 AM
image
Sambad News
ଦେବଗଡ଼

ଦେବଗଡ଼ରେ କୃଷକ ଅଧିକାର ଯାତ୍ରା : ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ ଦାବି

By Sambad | Date: Jan 12 2017 12:55AM
ଦେବଗଡ଼ରେ କୃଷକ ଅଧିକାର ଯାତ୍ରା : ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ ଦାବି

ଦେବଗଡ଼ : ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ମୌଳିକ ସୁବିଧା ସୁଯୋଗ ଅଭାବରୁ କୃଷକର ସ୍ଥିତି ଦୁର୍ବିସହ ହୋଇପଡ଼ିଛି। ଗୋଟିଏ ପଟେ ଉତ୍ପାଦିତ ସାମଗ୍ରୀର ଉଚିତ ଦର ଚାଷୀ ପାଉନାହିଁ। ସମ୍ମାନ ଓ ଆର୍ଥିକ ସହାୟତା ଯଥା ପେନ୍‌ସନ୍‌ ଆଦିରୁ ବଂଚିତ ହେଉଛନ୍ତି। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା କହୁଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତଳ ଭଣ୍ଡାର, ଗୋଦାମ ଗୃହ ଓ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯାଇ ପାରିନାହିଁ ବୋଲି ଏଠାରେ ଅନୁଷ୍ଠିତ ନବ ନିର୍ମାଣ କୃଷକ ସଂଗଠନର ସମାବେଶରେ ଉଦବେଗ ପ୍ରକାଶ ପାଇଛି। 
 
ଚାଷୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ତଥା ପୁଲିସ୍‌ର ଦମନଲୀଳା ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ ଜାନୁଆରି ୩ରୁ ସାରା ରାଜ୍ୟରେ ଆରମ୍ଭ କରିଛି କୃଷକ ଅଧିକାର ଯାତ୍ରା। ଏହି ଯାତ୍ରା ବୁଧବାର ରିଆମାଳରେ ପହଞ୍ଚିଥିବା ବେଳେ ସେଠାରେ ଏକ ସାଂଗଠନିକ ସଭା ଆୟୋଜିତ ହୋଇଥିଲା। କୃଷି ପାଇଁ ଯୋଜନା କରିବା ବେଳେ ତଳସ୍ତରରେ ରହିଥିବା କୃଷକଙ୍କଠାରୁ କୌଣସି ମତାମତ ନିଆଯାଉ ନଥିବା, କୃଷି କ୍ଷେତ୍ରଗୁଡ଼ିକ କିଭଳି ସହଜରେ କର୍ପୋରେଟର୍‌ଙ୍କ କବ୍‌ଜାକୁ ଯିବ ସେ ନେଇ ସରକାର ସବ୍‌ସିଡି ହଟାଇବା ସହ କୃତି ଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି ନିଷ୍ପତ୍ତିକୁ କେନ୍ଦ୍ର ସରକାର ମନା କରି ଦେଇଥିବା ବକ୍ତାମାନେ ଅଭିଯୋଗ କରିଥିଲେ। 
 
ସ୍ଥାନୀୟ ନେତାମାନେ ଇନପୁଟ୍‌ ସବସିଡି ଠାରୁ ଆରମ୍ଭ କରି ବୀମା ଜନିତ ସମସ୍ୟା, ଏ ଯାଏ ୧୦୦୦ ଏଲ୍‌ଆଇ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନଥିବା, ପନିପରିବା ଓ କମଳାର ଅଭାବୀ ବିକ୍ରି ଆଦି ବିଷୟ ଉପସ୍ଥାପନ କରିଥିଲେ। ପରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଦେବଗଡ଼ ସ୍ଥିତ ହୋଟେଲ ମମତା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦକି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସହ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କମିଟି ସଭ୍ୟ ଉମାକନ୍ତ  ଭାରତ, ଦୁର୍ଗା ପ୍ରସାଦ  ଦାଶ, ପପି ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯାତ୍ରା ଆସନ୍ତା ୩୦ ତାରିଖରେ ଉଦଯାପିତ ହେବ ବୋଲି କର୍ମକର୍ତ୍ତାମାନେ କହିଥିଲେ।