29 March 2017
8:37:17 PM
Sambad News
ଢେଙ୍କାନାଳ

ରାଜପ୍ରାସାଦରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି

By Sambad | Date: Dec 14 2016 5:09AM
ରାଜପ୍ରାସାଦରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି


ହିନ୍ଦୋଳ:ହିନ୍ଦୋଳ ରାଜପ୍ରାସାଦରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ୧୨ଟି ମୂର୍ତ୍ତି ଚୋରି ହୋଇଛି। ଚୋରମାନେ ଲକ୍ଷ୍ମୀ, ଦୁର୍ଗା, ରାଧାକୃଷ୍ଣ, ନୃସିଂହ, ରାମ, ଲକ୍ଷ୍ମଣ, ସୀତା, ନରସିଂହ ଏବଂ ବିଭିନ୍ନ ସଖୀ ମୂର୍ତ୍ତି ଆଦି ଚୋରି କରିନେଇ ଥିବା ହିନ୍ଦୋଳ ରାଜା ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ସବୁଦିନ ପରି ପୂଜା କରିବା ପାଇଁ ଆଜି ସକାଳୁ ପୁରୋହିତ ପୂଜା ଗୃହକୁ ଯିବା ବେଳେ ଗୃହରେ ଥିବା ୧୨ ଟି ମୂର୍ତ୍ତି ଚୋରି ହୋଇଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ପୁରୋହିତ ରାଜାଙ୍କୁ ଜଣାଇବା ପରେ ରାଜା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ହିନ୍ଦୋଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ, ଏସ୍‌ଡ଼ିପିଓ ପ୍ରଶାନ୍ତ କୁମାର ବିଶୋଇ, ଏଏସ୍‌ଆଇ ପ୍ରଭାକର ପଣ୍ଡା ପ୍ରମୁଖ ପହଞ୍ଚି ସନ୍ଧାନୀ କୁକୁରର ସହାୟତା ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଉଲ୍ଲେଖ ଯେ, ୧୯୭୯ ମସିହାରେ ଏକ ସ୍ୱର୍ଣ୍ଣ ଦୁର୍ଗାମୂର୍ତ୍ତି ଏବଂ ୧୯୮୭ ମସିହାରେ କୋଟିଏରୁ ଉର୍ଧ୍ୱ ଟଙ୍କାର ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ସ୍ୱର୍ଣ୍ଣ ଠାକୁର ମୂର୍ତ୍ତି ରାଜପ୍ରାସାଦରୁ ଚୋରି ହୋଇଥିଲା।

ସେତେବେଳେ ମଧ୍ୟ ଚୋରି ସାମଗ୍ରୀର କୌଣସି ସନ୍ଧାନ ମିଳି ପାରିନଥିଲା। ରାଜପ୍ରାସାଦରୁ ବାରମ୍ବାର ଚୋରି ହେଉଥିବାରୁ ସେଠାରେ ପୁଲିସ ସୁରକ୍ଷା ଯୋଗାଇ ଦେବା ଲାଗି ହିନ୍ଦୋଳ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ହୋଇଛି।