21 January 2017
3:32:01 AM
image
Sambad News
ଢେଙ୍କାନାଳ

ମଦ ଦୋକାନ ଉଚ୍ଛେଦ ଦାବିରେ ଘେରାଉ

By Sambad | Date: Dec 20 2016 6:52AM
ମଦ ଦୋକାନ ଉଚ୍ଛେଦ ଦାବିରେ ଘେରାଉ

ଢେଙ୍କାନାଳ: ଢେଙ୍କାନାଳ ପୌରାଞ୍ଚଳ ୧୮ନମ୍ବର ଓ୍ଵାର୍ଡ଼ ରାମେଶ୍ୱରପୁର ଛକ ଠାରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଏବଂ ପ୍ରସ୍ତାବିତ ବିୟର ପାର୍ଲର ଖୋଲାନଯିବା ଦାବିରେ ଆଜି ଅଞ୍ଚଳର ମହିଳାମାନେ ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଦାବି କରିବା ସହ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ସୂଚନା ଅନୁଯାୟୀ, ୧୮ ନମ୍ବର ଓ୍ଵାର୍ଡ଼ର ରାମେଶ୍ୱରପୁର ତଳସାହି, ରାମେଶ୍ୱରପୁର, ମୋଚି ସାହି ଆଦିରେ ପ୍ରାୟ ୩୫୦୦ ଲୋକ ବସବାସ କରୁଛନ୍ତି। ରାମେଶ୍ୱରପୁର ଓଭରବ୍ରିଜ୍‌ ହେବା ପର ଠାରୁ ବ୍ରିଜ୍‌ ଉପରେ ଆଲୋକିକରଣ ବ୍ୟବସ୍ଥା ନଥିବାରୁ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଛି।

ଫଳରେ ସେହି ରାସ୍ତା ଦେଇ ଝିଅବୋହୂ ଯାତାୟତ କରିବାକୁ ନିରାପଦ ମଣୁନାହାନ୍ତି। ଏପରି ସ୍ଥଳେ ଯଦି ରାମେଶ୍ୱରପୁର ଲେଭଲ୍‌ କ୍ରସିଂକୁ ବନ୍ଦ କରିଦିଆଯାଏ ତେବେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ। ଏହା ବ୍ୟତୀତ ରାମେଶ୍ୱରପୁର ଛକରେ ଏକ ବିଦେଶୀ ମଦ ଦୋକାନ ଥିବାରୁ ସେଠାରେ ମଦ୍ୟପଙ୍କ ଆଡ୍ଡା ଜମିବା ସହ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅଞ୍ଚଳବାସୀ ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ମଦ ଦୋକାନ ଉଚ୍ଛେଦ କରିବାକୁ ଦାବି କରିଥିଲେ।

ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଅଞ୍ଚଳର ମହିଳା ପୁନର୍ବାର ଜିଲ୍ଲା ପ୍ରଶାସନକୁ ଭେଟିବା ସହ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅତିରିକ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ ରଞ୍ଜନ ପଟ୍ଟନାୟକ ମହିଳାଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ଘେରାଉରୁ ନିବୃତ୍ତ ରହିଥିଲେ। ଏ ଦିଗରେ ପଦକ୍ଷେପ ନିଆନଗଲେ ମହିଳାମାନେ ଆଇନ୍‌କୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି।