30 March 2017
10:12:59 PM
Sambad News
ଢେଙ୍କାନାଳ

ଫେବ୍ରୁଆରି ୯ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

By Sambad | Date: Jan 6 2017 6:48AM
ଫେବ୍ରୁଆରି ୯ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ମେଳା ୯ ତାରିଖରୁ ଆରମ୍ଭ ହେଉଥିବାରୁ ସଂପୃକ୍ତ ଅଂଚଳକୁ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଲୋକଙ୍କ ପାଇଁ ପାନୀୟ ଜଳ, ପରିମଳ, ଆଶୁ ଚିକିତ୍ସା ଓ ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌, ଅଗ୍ନି ନିର୍ବାପକ ନିୟନ୍ତ୍ରଣ କକ୍ଷ ଖୋଲିବା, ମେଳାରେ ଖାଦ୍ୟ ପଦାର୍ଥର ଯାଞ୍ଚ ବ୍ୟବସ୍ଥା ଏବଂ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ୍‌ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ଆବଶ୍ୟକ ପୁଲିସ୍‌ ମୁତୟନ ଏବଂ ଚୋରା ମଦ କାରବାର ବନ୍ଦ କରିବା ଲାଗି ପୁଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ ଉପରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ। 
 
ଉପଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୋରନ୍ଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ବବର୍ଷ ମେଳାର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିବା ସହ ଚଳିତବର୍ଷ ମେଳାର ସମ୍ଭାବ୍ୟ ଆୟ ଅଟକଳ ୧୫ ଲକ୍ଷ ୨୭ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଥିଲେ। ଏଥିସହ ବିଦେଶୀ ପର୍ଯ୍ୟଟକ ସୁବିଧାରେ ଆସିବା ଲାଗି ସେମାନଙ୍କ ପାଇଁ ଟ୍ରେନ୍‌ରେ ବଗି ସଂରକ୍ଷଣ ବ୍ୟବସ୍ଥା ଏବଂ ସେମାନେ କିପରି ସୁବିଧାରେ ଯାତ୍ରା ଦେଖିପାରିବେ ତାର ବ୍ୟବସ୍ଥା କରିିବାକୁ ବୈଠକରେ ପ୍ରସ୍ତାବ ଦେଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ପାତ୍ର, ଡିଆଇବି ଡିଏସ୍‌ପି ଅଶୋକ ପଣ୍ଡିତ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ ଡ. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଆସିଷ୍ଟାଣ୍ଟ ଫାୟାର ଅଫିସର ସୁବାଷ ଚନ୍ଦ୍ର ପଢିଆରୀ, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାହୁ, ସେସୁ ଯନ୍ତ୍ରୀ ସ୍ୱପ୍ନ ସରିତ୍‌ ମିଶ୍ର, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଦାମୋଦର ସାହୁ, ଏସିଏଫ୍‌ ଜେଏନ୍‌ ଦାସ, ଗଁଦିଆ ଥାନା ଅଧିକାରୀ ହାଡିବନ୍ଧୁ ସ୍ୱାଇଁ, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା, ମହିମାଗାଦିର ବାବା ରଘୁନାଥ, ବାବା ଅବିନାଶଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଗଁଦିଆ ବିଡିଓ ରବିନ୍ଦ୍ର କୁମାର ସାବତ୍‌ ଧନ୍ୟବାଦ ଦେଇଥିଲେ।