29 March 2017
10:43:59 AM
Sambad News
ସମ୍ପାଦକୀୟ

ଡାକ୍ତରଙ୍କ ସୁରକ୍ଷା

By Sambad | Date: Aug 22 2016 3:24AM
ଡାକ୍ତରଙ୍କ ସୁରକ୍ଷା

ଅଗଷ୍ଟ ସତର ତାରିଖ ଦିନ ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ତାଙ୍କ ସମ୍ପର୍କୀୟମାନେ ଭଙ୍ଗାରୁଜା କଲେ, କର୍ତ୍ତବ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କଲେ। ଏହାର ଦୁଇଦିନ ପରେ ବାଲେଶ୍ୱର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଜଣେ ଡାକ୍ତର ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଲେ। କେବଳ ଏହି ଦୁଇଟି ଘଟଣା ନୁହେଁ, ବିଗତ ଦୁଇବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସା କେନ୍ଦ୍ର ଓ ଡାକ୍ତରଖାନାରେ ଏଭଳି ଶହେରୁ ଅଧିକ ଘଟଣାରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି କିମ୍ବା ସରକାରୀ ସମ୍ପତ୍ତି ଭଙ୍ଗାରୁଜା ହୋଇଛି। ଏପରିକି, ଦୁଇଟି ଘଟଣାରେ (ଡାକ୍ତରଖାନା ପରିସର ବାହାରେ) ଚିକିତ୍ସା ଅବହେଳା ଅଭିଯୋଗରେ ଦୁଇଜଣ ଡାକ୍ତରଙ୍କୁ ହତ୍ୟା କରାଯାଇଛି।
ଏହି ଦୁର୍ଭାଗ୍ୟଜନକ ହିଂସାତ୍ମକ ଘଟଣାକ୍ରମର ପୃଷ୍ଠଭୂମିରେ ଡାକ୍ତର ଓ ଡାକ୍ତରଖାନା ସମ୍ପତ୍ତିର ସୁରକ୍ଷା ଲାଗି ପ୍ରତ୍ୟେକ ଜିଲ୍ଲା ଓ ସବ୍‌ଡିଭିଜନ ସ୍ତରୀୟ ଡାକ୍ତରଖାନାରେ ପୁଲିସ୍‌ ଫାଣ୍ଡି ପ୍ରତିଷ୍ଠା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଘରୋଇ ବିଭାଗ ସଚିବଙ୍କୁ ଦିଆଯାଇଥିବା ଏହି ପ୍ରସ୍ତାବରେ ତିନିଟି ଯାକ ମେଡିକାଲ କଲେଜ ଓ ଡାକ୍ତରଖାନାରେ ମଧ୍ୟ ସୁରକ୍ଷା ଫାଣ୍ଡି ପ୍ରତିଷ୍ଠା ଲାଗି ଅନୁରୋଧ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏ ପ୍ରସ୍ତାବକୁ ଗ୍ରହଣ କଲେ ସରକାରଙ୍କୁ ମୋଟ ୫୨ଟି ନୂଆ ଫାଣ୍ଡି ଖୋଲିବାକୁ ପଡ଼ିବ। ଡାକ୍ତରଙ୍କ ସୁରକ୍ଷା ଏବଂ ଡାକ୍ତରଖାନା ସମ୍ପତ୍ତିର ସୁରକ୍ଷା ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ଓ ଉଦ୍‌ବେଗ ନିଶ୍ଚିତ ଭାବେ ଯଥାର୍ଥ ଏବଂ ସ୍ୱାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି ଡାକ୍ତରଖାନାରେ ଫାଣ୍ଡି ଖୋଲି ଦେଲେ ତାହା ଡାକ୍ତରଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି କ’ଣ ଯଥେଷ୍ଟ ହେବ? ଏଭଳିି ପ୍ରଶ୍ନ ଉଠିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ- ବର୍ତ୍ତମାନ ବି ତ ରାଜ୍ୟର ଅନେକ ସ୍ଥାନରେ ଡାକ୍ତରଖାନାର ଅତି ନିକଟରେ ପୁଲିସ୍‌ ଥାନା ରହିଛି, ତଥାପି କିନ୍ତୁ ଡାକ୍ତର ଆକ୍ରମଣର ଶିକାର ହେଉଛନ୍ତି ଓ ଡାକ୍ତରଖାନାରେ ଭଙ୍ଗାରୁଜା ହେଉଛି। ପୁରୀ କଥା ନିଆଯାଉ। ପୁରୀ ଡାକ୍ତରଖାନାର ମାତ୍ର ୫୦୦ ମିଟର ଦୂରରେ ରହିଛି ପୁଲିସ୍‌ ଥାନା। ଏହା ସତ୍ତ୍ୱେ ଗତ ତିନି ମାସ ଭିତରେ ଅନ୍ତତଃ ଦୁଇଥର ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଉତ୍ତ୍ୟକ୍ତ ଲୋକ ଗଣ୍ଡଗୋଳ କରିଛନ୍ତି। ବାଲେଶ୍ୱରରେ  ଡାକ୍ତରଖାନା ପରିସରରେ ଫାଣ୍ଡି ରହିଛି। ଏହା ସତ୍ତ୍ୱେ ଡାକ୍ତରଙ୍କ ଉପରେ ଆକ୍ରମଣ ହେଲା କାହିଁକି? ଏହା ଛଡ଼ା, ଫାଣ୍ଡିରେ କେତେ ସଂଖ୍ୟାରେ ପୁଲିସ୍‌ ରହିବେ ଯେ ରୋଗୀଙ୍କ ଉତ୍ତ୍ୟକ୍ତ ସମ୍ପର୍କୀୟ ଓ ଜନତାଙ୍କୁ ଗଣ୍ଡଗୋଳ କରିବାରୁ ରୋକିପାରିବେ! ଉତ୍ତ୍ୟକ୍ତ ଜନତାଙ୍କ ମୁକାବିଲା ଲାଗି ଫାଣ୍ଡି ସହ ବାରାକ୍‌ ସ୍ଥାପନ କଥା ଯଦି ସ୍ୱାସ୍ଥ୍ୟ ବିଭାଗ ମନରେ ଥାଏ, ତେବେ ତାହା ଭିନ୍ନ କଥା। ପୁଣି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ (୫୨) ଫାଣ୍ଡି ଖୋଲିବା ପାଇଁ ସମ୍ବଳ ଓ ଲୋକବଳ ଅଛି ତ? ପୁଣି ଯଦି ଜିଲ୍ଲା ଓ ସବ୍‌-ଡିଭିଜନ ସ୍ତରୀୟ ଡାକ୍ତରଖାନାର ସୁରକ୍ଷା ଲାଗି ଫାଣ୍ଡି ଖୋଲାଯିବ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସୁରକ୍ଷା ଲାଗି କ’ଣ ବ୍ୟବସ୍ଥା କରାଯିବ? ଡାକ୍ତର ଓ ଡାକ୍ତରଖାନାର ସୁରକ୍ଷା ନିଶ୍ଚିତ କରିବା ଲାଗି ଫାଣ୍ଡି ପ୍ରଭାବଶାଳୀ ହୋଇ ପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେବାର ଦ୍ୱିତୀୟ କାରଣ ହେଲା- ଡାକ୍ତରଙ୍କ ସୁରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଭାବେ ପ୍ରଣୀତ ଆଇନର ପ୍ରୟୋଗରେ ପୁଲିସ୍‌ର ଶିଥିଳତା। ରାଜ୍ୟର ଡାକ୍ତର ଓ ଡାକ୍ତରଖାନାର ସୁରକ୍ଷା ପାଇଁ ‘ଓଡ଼ିଶା ମେଡିକେଆର୍‌ ପର୍ସନ୍‌ସ ଆଣ୍ଡ ମେଡିକେଆର୍‌ ଇନ୍‌ଷ୍ଟିଚ୍ୟୁସନ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ଭାଓଲେନ୍‌ସ ଆଣ୍ଡ ଡେମେଜ୍‌ ଟୁ ପ୍ରପର୍ଟି) ଆଇନ ୨୦୦୯ ରହିଛି। ଏହି ଆଇନରେ ଦୋଷୀକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଡାକ୍ତରଙ୍କୁ ଆକ୍ରମଣ ଓ ଡାକ୍ତରଖାନାରେ ଭଙ୍ଗାରୁଜା ଘଟଣାରେ କ୍ୱଚିତ ଏହି ଆଇନ ଅଭିଯୁକ୍ତଙ୍କ ବିରୋଧରେ ପ୍ରୟୋଗ କରାଯାଇଥାଏ। ଉଦାହରଣ, ଅଗଷ୍ଟ ୧୭ ତାରିଖ ପୁରୀ ଡାକ୍ତରଖାନା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫା ସମେତ ଉକ୍ତ ୨୦୦୯ ଆଇନର ଧାରା ମଧ୍ୟ ଲଗାଯାଇଛି। କିନ୍ତୁ ଏହା ପୂର୍ବରୁ ଜୁନ୍‌ ମାସରେ ଘଟିଥିବା ଆକ୍ରମଣ ଘଟଣାରେ ଏହି ଆଇନରେ ମାମଲା କରାଯାଇ ନଥିଲା। ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ୍‌ର କୋହଳ ମନୋଭାବ ପ୍ରତି ଏହା ଅଙ୍ଗୁଳି ନିର୍ଦେଶ କରୁଛି। ପୁଲିସ୍‌ର ଏହି ମନୋଭାବରେ ପରିବର୍ତ୍ତନ ନ ହେଲେ, ଫାଣ୍ଡି ଖୋଲିଲେ ବି କ’ଣ ଲାଭ ମିଳିବ? ଆଇନର କଡ଼ାକଡ଼ି ଅନୁପାଳନ ହେଲେ ଯାଇ ଅପରାଧୀ ମନରେ ଭୟ ଜାତ ହୁଏ ଏବଂ ସେ ଅପରାଧରୁ କ୍ଷାନ୍ତ ରହେ। ସେ ଦୃଷ୍ଟିରୁ, ଡାକ୍ତରଙ୍କ ସୁରକ୍ଷା ପାଇଁ ୨୦୦୯ ଆଇନ ଅନୁଯାୟୀ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱାସ୍ଥ୍ୟ ସଚିବ ଗୁରୁତ୍ୱ ଦେବା ସମ୍ପୂର୍ଣ୍ଣ ଯଥାର୍ଥ।  
ଡାକ୍ତର ଏବଂ ଡାକ୍ତରଖାନା ସମ୍ପତ୍ତିର ସୁରକ୍ଷା ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ନିଶ୍ଚିତ ଭାବେ ଏକ ସକାରାତ୍ମକ ସଂକେତ। ତେବେ ପ୍ରତି ଡାକ୍ତରଖାନାରେ ଫାଣ୍ଡି ପ୍ରତିଷ୍ଠା ଏବଂ ଆଇନର କଡ଼ାକଡ଼ି ପ୍ରୟୋଗ ଦ୍ୱାରା ଡାକ୍ତର ଓ ଡାକ୍ତରଖାନାର ସୁରକ୍ଷା ନିଶ୍ଚିତ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଯଦି ମନେ କରୁଥାନ୍ତି, ତେବେ ତାହା ଏକ ଭ୍ରମ। ଅସଲ ସମସ୍ୟା ହେଲା, ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ଗୋଟିଏ ରୋଗ ନୁହେଁ, ବରଂ ରୋଗର ଲକ୍ଷଣ। ଅସଲ ରୋଗ ହେଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଲୋକଙ୍କ ଆଶାନୁଯାୟୀ ତ ଦୂରର କଥା, ଅନେକ ସମୟରେ ମୌଳିକ ସ୍ୱାସ୍ଥ୍ୟ ସେବା ସୁଦ୍ଧା ଯୋଗାଇ ଦେବାକୁ ବି ସରକାର ଅସମର୍ଥ। ସ୍ୱାସ୍ଥ୍ୟ ସେବା ନ ମିଳିବା ଜନିତ ଅସନ୍ତୋଷ ଓ କ୍ରୋଧର ଉଗ୍ର ପ୍ରତିଫଳନ ହେଲା ଆକ୍ରମଣ ଓ ଭଙ୍ଗାରୁଜା। ସ୍ୱାସ୍ଥ୍ୟବିଭାଗ କର୍ତ୍ତୃପକ୍ଷ ଏ ବାସ୍ତବତାକୁ ଅସ୍ୱୀକାର କରି ପାରିବେ ନାହିଁ ଯେ, ଡାକ୍ତର ଅଭାବ ଓ ଭିତ୍ତିଭୂମିର ନିଅଣ୍ଟିଆ ଅବସ୍ଥା ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ନାହିଁ ନାହିଁରେ ଚାଲିଛି। ରାଜ୍ୟର ସରକାରୀ ଚିକିତ୍ସାନୁଷ୍ଠାନଗୁଡ଼ିକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ୬,୩୧୫ ଡାକ୍ତର ଆବଶ୍ୟକ ଥିବା ବେଳେ ସରକାରୀ ମଞ୍ଜୁରି ପ୍ରାପ୍ତ ଡାକ୍ତର ପଦ ସଂଖ୍ୟା ୪,୮୪୨। ସେଥିରୁ ଅଧାରୁ ଅଧିକ ପଦ ଖାଲି ପଡ଼ିଛି। ଏହାର ପରିଣତି ଅଧିକାଂଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୂନ୍ୟ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ଡାକ୍ତରଖାନାଗୁଡ଼ିକର ବହୁ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଉଦାହରଣ ସ୍ୱରୂପ, ବାଲେଶ୍ୱର ଜିଲ୍ଲାରେ ୨୦ଟି ପଦ ଖାଲି। ସେଥିରୁ ଅନ୍ତତଃ ୧୦ଟି ବିଶେଷଜ୍ଞ ଡାକ୍ତର ପଦ। ମାଲକାନଗିରି, ନବରଙ୍ଗପୁର ଆଦି ଆଦିବାସୀ ବହୁଳ ପଛୁଆ ଜିଲ୍ଲାଗୁଡ଼ିକରେ ଡାକ୍ତର ଅଭାବ ଜନିତ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। କେବଳ ସେତିକି ନୁହେଁ, ପାରା ମେଡିକାଲ କର୍ମଚାରୀଙ୍କ ଉତ୍କଟ ଅଭାବ, ପରୀକ୍ଷାଗାର, ଏକ୍ସ-ରେ ମେସିନ୍‌ ଓ ଅନ୍ୟ ଯନ୍ତ୍ରପାତି ଅନେକ ଡାକ୍ତରଖାନାରେ ଅଚଳ ରହୁଛି। ଲୋକେ ବି ଆଶା କରନ୍ତି ଘରୋଇ ଡାକ୍ତରଖାନାଗୁଡ଼ିକରେ ଯେମିତି ସେବା ମିଳୁଛି ସରକାରୀ ଚିକିତ୍ସାନୁଷ୍ଠାନଗୁଡ଼ିକରେ ସେମିତି ଚିକିତ୍ସା ସେବା ମିଳୁ। ଏହି ଆଶା ପୂରଣ କରିବା ସମ୍ଭବ ନଥିବାରୁ ଅନେକ ଜିଲ୍ଲା ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ନ କରି ‘ରେଫର୍‌’ କରି ଅନ୍ୟତ୍ର ପଠାଇ ଦେବା ଏକ ଅଭ୍ୟାସ ହୋଇଛି। ଏହି କାରଣରୁ ପରିସ୍ଥିତି ଅନେକ ସମୟରେ ଜଟିଳ ହେଉଛି ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଫାଣ୍ଡି ସ୍ଥାପନ ଲାଗି ଗୃହ ବିଭାଗକୁ ପ୍ରସ୍ତାବ ପଠାଇ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଲାଗି ସ୍ୱାସ୍ଥ୍ୟ ବିଭାଗ ନିଜ ଦାୟିତ୍ୱକୁ ଖସାଇ ପାରିବେ ନାହିଁ।
ଯେତେ ଫାଣ୍ଡି ଖୋଲାଯାଉ, ଯାହା ସୁରକ୍ଷା ବନ୍ଦୋବସ୍ତ କରାଯାଉ, ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ନହେଲେ ଡାକ୍ତର ଓ ଡାକ୍ତରଖାନାର ସୁରକ୍ଷା ନେଇ ଅବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଗୃହ ବିଭାଗର କୋର୍ଟକୁ ବଲ୍‌ ଫିଙ୍ଗି ଦେଇ ନିଶ୍ଚିନ୍ତ ବସନ୍ତୁ ନାହିଁ। ଡାକ୍ତର ଓ କର୍ମଚାରୀ ଅଭାବ ଓ ଭିତ୍ତିଭୂମିର ନିଅଣ୍ଟିଆ ପୂରଣ କରି ମୁମୂର୍ଷୁ ସ୍ୱାସ୍ଥ୍ୟ ସେବାର ଉପଚାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ।