25 June 2017
2:23:05 AM
Sambad News
ସମ୍ପାଦକୀୟ

ରାଜନଙ୍କ ରୋଗ

By Sambad | Date: Aug 24 2016 5:21AM
ରାଜନଙ୍କ ରୋଗ

  କୌଣସି ଏକ ଜଟିଳ ରୋଗ ଚିହ୍ନଟ କରିବା ପାଇଁ ଡାକ୍ତରମାନେ ଅନେକ ସମୟରେ ଲକ୍ଷଣମାନଙ୍କୁ ଆଧାର କରି ବିଭିନ୍ନ ସମ୍ଭାବନାକୁ କାଟି କାଟି ଶେଷରେ ଅସଲ ରୋଗ ପାଖରେ ପହଞ୍ଚିଥାନ୍ତି। ରଘୁରାମ ରାଜନଙ୍କର ରିଜର୍ଭବ୍ୟାଙ୍କ୍‌ ଗଭର୍ଣ୍ଣର ଦାୟିତ୍ୱରୁ ବସ୍ତୁତଃ ବିତାଡ଼ନକୁ ଯଦି ଏକ ରୋଗ ରୂପେ ବିଚାର କରାଯାଏ ତେବେ ନିଃସନ୍ଦେହରେ କୁହାଯାଇପାରେ ଯେ ଏପର୍ଯ୍ୟନ୍ତ ଏହାର ସଫଳ ଚିହ୍ନଟ ହୋଇପାରି ନାହିଁ। ଅର୍ଥାତ୍‌ କେଉଁ କାରଣରୁ  ରାଜନ ନରେନ୍ଦ୍ର ମୋଦୀ ସରକାର ପାଇଁ ଗ୍ରହଣୀୟ ହେଲେ ନାହିଁ, ତାହା ଏଯାଏଁ କୁହେଳିକାଚ୍ଛନ୍ନ ହୋଇ ରହିଛି, ଯଦିବା ଏ ବାବଦରେ ଅସୁମାରି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମନେହେଉଛି ରାଜନଙ୍କ ଉତ୍ତରାଧିକାରୀ ରୂପେ ଉର୍ଜିତ ପଟେଲଙ୍କର ନିଯୁକ୍ତି ଉପରୋକ୍ତ ସମ୍ଭାବନା କାଟ ପ୍ରକ୍ରିୟା ପ୍ରୟୋଗ କରି ଶେଷରେ ରାଜନଙ୍କ ରୋଗର ନିର୍ଭୁଲ ଚିହ୍ନଟ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି।

ପ୍ରଥମେ ସୁବ୍ରମଣ୍ୟନ୍‌ ସ୍ୱାମୀଙ୍କର ମାପକାଠି ପ୍ରୟୋଗ କରାଯାଉ। ରାଜନ ତାଙ୍କର ପ୍ରସ୍ଥାନ ନିଷ୍ପତ୍ତି ଘୋଷଣା କରିବାର କିଛିଦିନ ପୂର୍ବରୁ ସ୍ୱାମୀ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଯେ ମାନସିକ ସ୍ତରରେ ରାଜନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ନୁହନ୍ତି। ଏମ୍‌ଆଇଟି, ଆଇଏମ୍‌ଏଫ୍‌, ଚିକାଗୋ ବିଶ୍ୱବିଦ୍ୟାଳୟରେ ରାଜନଙ୍କର ଅଧ୍ୟୟନ, ଗବେଷଣା, ନିଯୁକ୍ତି ଆଦିକୁ ଲକ୍ଷ୍ୟ କରି ସ୍ୱାମୀ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ। ଯଦି ଏହି କାରଣରୁ ରାଜନ ମୋଦୀଙ୍କର ଗ୍ରହଣୀୟ ହେଲେ ନାହିଁ ତେବେ ଆଉ ଜଣେ ସେଭଳି ପୃଷ୍ଠଭୂମିଧାରୀ ବ୍ୟକ୍ତିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଆନ୍ତା ନାହିଁ। ସ୍ୱାମୀଙ୍କର ଏହି ମାପକାଠି ପ୍ରୟୋଗ କରାଗଲେ ଦେଖାଯିବ ଯେ ଉର୍ଜିତ ପଟେଲ ମାନସିକ ସ୍ତରରେ ଆଦୌ ଭାରତୀୟ ରୂପେ ବିବେଚିତ ହେବେ ନାହିଁ। ରାଜନ ତ ତାଙ୍କର ସ୍ନାତକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ଭାରତରେ ହିଁ ସମ୍ପୂର୍ଣ୍ଣ କରିଥିଲେ ଓ ଭାରତରେ ମଧ୍ୟ ଜନ୍ମିତ। ଉର୍ଜିତ ପଟେଲଙ୍କର ଜନ୍ମ କେନିଆରେ ଓ ସେ ଆଦୌ ଭାରତରେ ଶିକ୍ଷାଲାଭ କରିନାହାନ୍ତି। ସେ ଲଣ୍ଡନ ସ୍କୁଲ ଅଫ୍‌ ଇକନୋମିକ୍ସରୁ ସ୍ନାତକ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍‌ ଓ ଆମେରିକାର ପ୍ରଖ୍ୟାତ ୟେଲ୍‌ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚ୍‌ଡି ଡିଗ୍ରି ଲାଭ କରିଛନ୍ତି। ରାଜନଙ୍କ ପରି ସେ ମଧ୍ୟ ଅତୀତରେ ଆଇଏମ୍‌ଏଫ୍‌ରେ କାର୍ଯ୍ୟ କରିଛନ୍ତି ଏବଂ ଓ୍ଵାଶିଂଟନ୍‌ସ୍ଥିତ ପ୍ରସିଦ୍ଧ ଥିଙ୍କ୍‌ଟ୍ୟାଙ୍କ୍‌ ବ୍ରୁକିଙ୍ଗସ୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ଫେଲୋ ରହିଛନ୍ତି। ଏଥିରୁ ଯାହା ସାବ୍ୟସ୍ଥ ହେଉଛି ତାହା ହେଲା ରାଜନଙ୍କର ତଥାକଥିତ ପାଶ୍ଚାତ୍ୟ ପୃଷ୍ଠଭୂମି ତାଙ୍କର ବିତାଡ଼ନର କାରଣ ନୁହେଁ।
ରାଜନଙ୍କ ଅପସାରଣର ଆଉ ଏକ କାରଣ ରୂପେ ଦର୍ଶା ହୋଇ ଆସୁଥିଲା ଯେ ସେ ମୋଦୀଙ୍କର ପୂର୍ବବର୍ତ୍ତୀ ମନମୋହନ ସିଂହ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବାରୁ ମୋଦୀ ସରକାର ତାଙ୍କର କାର୍ଯ୍ୟ କାଳ ସମାପ୍ତ ହେବା ପରେ ତାଙ୍କୁ ଆଉ ରଖିବାର କୌଣସି ସମ୍ଭାବନା ନଥିଲା। ‘ନିଜ ଲୋକ’ଙ୍କୁ ନିଯୁକ୍ତ କରିବା ହେଉଛି ପ୍ରତ୍ୟେକ ସରକାରର ଅଧିକାର। ଅଡୁଆ କଥା ହେଲା ଉର୍ଜିତ ପଟେଲ ମଧ୍ୟ ରାଜନଙ୍କ ପରି ମନମୋହନ ସିଂହଙ୍କର ଉପା-୨ ସରକାରଙ୍କ ଦ୍ୱାରା ୨୦୧୩ରେ ରିଜର୍ଭବ୍ୟାଙ୍କ୍‌ର ଡେପୁଟି ଗଭର୍ଣ୍ଣର୍‌ ରୂପେ ନିଯୁକ୍ତି ପାଇଥିଲେ। ତାଙ୍କର ତିନି ବର୍ଷିଆ କାର୍ଯ୍ୟକାଳ ପୂରିବା ପରେ ମୋଦୀ ସରକାର ହିଁ ତାଙ୍କୁ ଦ୍ୱିତୀୟ ପାଳି ପାଇଁ ସେଇ ପଦରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ମୋଦୀ ତାଙ୍କୁ ରିଜର୍ଭବ୍ୟାଙ୍କ୍‌ର ୨୪ତମ ଗଭର୍ଣ୍ଣର୍‌ ରୂପେ ନିଯୁକ୍ତି ଦେଇ ସ୍ପଷ୍ଟ କରି ଦେଇଛନ୍ତି ଯେ ମନମୋହନ ଛାପା ରାଜନଙ୍କ ବିଦାୟର କାରଣ ନୁହେଁ। ଏ ନେଇ ଚିଦମ୍ବରମ୍‌ଙ୍କର ଅହଙ୍କାରୀ ଏବଂ ରାହୁଲ ଗାନ୍ଧୀଙ୍କର ଶିଶୁ ସୁଲଭ ମନ୍ତବ୍ୟ ବର୍ତ୍ତମାନ ଫମ୍ପା ସାବ୍ୟସ୍ତ ହୋଇଛି। ଚିଦମ୍ବରମ୍‌ କହିଥିଲେ ଯେ ମେଧାକୁ ସମ୍ମାନ ଦେବା କ୍ଷମତା ମୋଦୀଙ୍କର ନାହିଁ ଏବଂ ତାଙ୍କର ବିଚକ୍ଷଣ ବୟସ୍କ- ବାଳନ ନେତା କହିଥିଲେ ଯେ ମୋଦୀ ଭାବନ୍ତି ସେ ସବୁ ଜାଣନ୍ତି, ତାଙ୍କର କାହାରି ଉପଦେଶ ଲୋଡ଼ା ନାହିଁ।
ଉଲ୍ଲେଖନୀୟ ଯେ ଉର୍ଜିତ ପଟେଲ ମଧ୍ୟ ରାଜନଙ୍କ ଭଳି ଉଚ୍ଚକୋଟୀର ମେଧାବୀ, କେବଳ ତାହା ନୁହେଁ, ଏହି ଦୁଇ ସମବୟସ୍କ ଅର୍ଥନୀତିଜ୍ଞ (ରାଜନଙ୍କ ବୟସ ୫୩, ପଟେଲ ୫୨)ଙ୍କର ଅର୍ଥନୈତିକ ଚିନ୍ତାଧାରାରେ ମଧ୍ୟ ଗଭୀର ସାମଞ୍ଜସ୍ୟ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ରାଜନ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ଜଣାଶୁଣା। ଏଥିପାଇଁ ସେ ସୁଧ ହାରରେ ବିଶେଷ ହ୍ରାସ ଘଟାଇବାକୁ ସର୍ବଦା କୁଣ୍ଠିତ ଥିଲେ, ଯେଉଁଥିପାଇଁ ମୋଦୀ ସରକାର ତାଙ୍କ ଉପରେ କ୍ଷୁବ୍‌ଧ ଥିବା ବିଶ୍ୱାସ କରାଯାଉଥିଲା। ତେବେ ମନେ ରଖିବା କଥା ବର୍ତ୍ତମାନ ସୁଧହାର ନିର୍ଣ୍ଣୟକୁ ପ୍ରଭାବିତ କରିବାକୁ ଯାଉଥିବା ମୁଦ୍ରାନୀତି ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ରାଜନ ତାଙ୍କର ଘନିଷ୍ଠତମ ସହଯୋଗୀ ଉର୍ଜିତ ପଟେଲଙ୍କୁ ହିଁ ବାଛିଥିଲେ। ୨୦୧୩ର ପଟେଲ କମିଟି ସୁପାରିସ ଅନୁଯାୟୀ ଖୁବ୍‌ ଶୀଘ୍ର ଏକ ମୁଦ୍ରାନୀତି କମିଟି (ମନିଟାରୀ ପଲିସି କମିଟି) ଗଠିତ ହେବାକୁ ଯାଉଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ନୂତନ ଢାଞ୍ଚାକୁ ଅନୁସରଣ କରି କେନ୍ଦ୍ର ସରକାର ବିଧିବଦ୍ଧ ଭାବରେ ଏକ ମୁଦ୍ରାସ୍ଫୀତି ଲକ୍ଷ୍ୟ ନିରୂପଣ କରିଛନ୍ତି: ବର୍ତ୍ତମାନଠାରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାରକୁ ୪% ରଖାଯିବାକୁ ଏବଂ ଏଥିରେ ହ୍ରାସ ବୃଦ୍ଧିକୁ ୨% (-,+) ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇ ସାରିଲେଣି। ଏହି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି କମିଟି ସୁଧହାର ନିର୍ଣ୍ଣୟ କରିବ। ଏଥିରୁ ପ୍ରମାଣିତ ହେଉଛି ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଜାବୁଡ଼ି ଧରିବା କାରଣରୁ ରାଜନ ଗାଦିଚ୍ୟୁତ  ହୋଇନାହାନ୍ତି। ଯଦି ତାହା ହୋଇଥାନ୍ତା ରାଜନପନ୍ଥୀ ପଟେଲଙ୍କୁ ମୋଦୀ ରାଜନଙ୍କ ସ୍ଥାନରେ ସ୍ଥାପନ କରିନଥାନ୍ତେ।
କେବଳ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନୁହେଁ, ଭାରତୀୟ ମୁଦ୍ରା ‘ଟଙ୍କା’ର ବିନିମୟ ମୂଲ୍ୟରେ ସ୍ଥିରତା ଆଣିବା ଓ ବଜାୟ ରଖିବା, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସଂସ୍କାର ଆଣିବା ଆଦି ଉଦ୍ୟମରେ ଉର୍ଜିତ ପଟେଲ ସମ୍ପୂର୍ଣ୍ଣ ରୂପେ ରଘୁରାମ ରାଜନଙ୍କର ପଦାଙ୍କ ଅନୁସରଣ କରିବେ ବୋଲି ଜାଣିବା ଶୁଣିବା ମହଲରେ ବିଶ୍ୱାସ କରାଯାଉଛି। ମୋଦୀ ଓ ତାଙ୍କ ସରକାର ଯେ ଏ ସମ୍ବନ୍ଧରେ ଅବଗତ ନଥିବେ ତାହା ବିଶ୍ୱାସଯୋଗ୍ୟ ନୁହେଁ। ଏଥିରୁ ଜଣାପଡୁଛି ରାଜନଙ୍କ ଦ୍ୱାରା ଅନୁସୃତ ବିତ୍ତୀୟ ନୀତି ପ୍ରତି ମୋଦୀଙ୍କର  କୌଣସି ବିରୋଧ ନଥିଲା। ଉପରବର୍ଣ୍ଣିତ ଅନୁଶୀଳନରୁ ରାଜନ ଓ ପଟେଲଙ୍କ ମଧ୍ୟରେ ଥିବା ସମ୍ପୂର୍ଣ୍ଣ ମେଳକ ଦେଖି ମନେହୁଏ ଉର୍ଜିତ ପଟେଲଙ୍କ ରୂପରେ ମୋଦୀ ରଘୁରାମ ରାଜନଙ୍କର ଏକ ଅବିକଳ ନକଲଙ୍କୁ ରିଜର୍ଭବ୍ୟାଙ୍କ୍‌ରେ ସ୍ଥାପନ କରିଛନ୍ତି। ତା ହେଲେ  ରୋଗର କାରଣ ବୋଧହୁଏ ହେଉଛି ରାଜନ ଓ ପଟେଲଙ୍କ ମଧ୍ୟରେ ଥିବା ଏକମାତ୍ର ଅମେଳ। ରାଜନ ଜଣେ ପ୍ରଗଳ୍‌ଭ ବୁଦ୍ଧିଜୀବୀ ହୋଇଥିବା ବେଳେ ପଟେଲ ହେଉଛନ୍ତି ଜଣେ ସ୍ୱଳ୍ପଭାଷୀ ବୌଦ୍ଧିକ କର୍ମୀ। ବିଭିନ୍ନ ମଞ୍ଚରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରରୁ ଆରମ୍ଭ କରି ଅସହିଷ୍ଣୁତା ଆଦି ପର୍ଯ୍ୟନ୍ତ ପ୍ରସଙ୍ଗରେ ରାଜନ ପ୍ରଦାନ କରିଥିବା ଭିନ୍ନମତ ଜଣେ ରିଜର୍ଭବ୍ୟାଙ୍କ୍‌ ଗଭର୍ଣ୍ଣରଙ୍କ ପରିସୀମା ବାହାରେ ଥିଲା। ସରକାର ଏହାଦ୍ୱାରା କ୍ଷୁବ୍ଧ ହେବା ସ୍ୱାଭାବିକ। ମୋଦୀ ତେଣୁ ବୋଧହୁଏ  ରାଜନଙ୍କ ବଦଳରେ ଏପରି ଜଣେ ଅବିକଳ ନକଲଙ୍କୁ ବାଛିଛନ୍ତି ଯାହାଙ୍କଠାରେ ରାଜନଙ୍କର ସମସ୍ତ ଗୁଣର ସମାହାର ଘଟିଥିବ- କେବଳ ପ୍ରଗଳ୍‌ଭତାକୁ ଛାଡ଼ି।