23 August 2017
3:36:41 PM
image
Sambad News
ସମ୍ପାଦକୀୟ

ବ୍ୟବସ୍ଥା ସଜାଡ଼

By Sambad | Date: Dec 16 2016 4:39AM
ବ୍ୟବସ୍ଥା ସଜାଡ଼

ବିମୁଦ୍ରାୟନ ଯୋଗୁ ଅର୍ଥନୀତିର ଯେଉଁ ସବୁ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ସେଗୁଡ଼ିକ ମଧ୍ୟରେ କୃଷି ଅନ୍ୟତମ। ସମାଜର ସବୁ ବର୍ଗଙ୍କ ଭିତରେ ଚାଷୀ କୁଳକୁ ବିମୁଦ୍ରାୟନର ମାଡ଼ ସବୁଠୁ ଅଧିକ ସହିବାକୁ ପଡୁଛି। ନଭେମ୍ବର ଆଠ ବିମୁଦ୍ରାୟନ ନିଷ୍ପତ୍ତିକୁ ଇତିମଧ୍ୟରେ ପାଞ୍ଚ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ପରିସ୍ଥିତିରେ ଅଦୂର ଭବିଷ୍ୟତରେ ପରିବର୍ତ୍ତନର କୌଣସି ସକାରାତ୍ମକ ଲକ୍ଷଣ ଦେଖାଯାଉ ନାହିଁ। ଖରିଫ ଅମଳ ଓ ରବି ଚାଷ ଆରମ୍ଭ ବେଳେ ବିମୁଦ୍ରାୟନ ଆଉ ଏକ ଦୁର୍ବିପାକ ଭଳି ଓଡ଼ିଶାର ଚାଷୀ ସମାଜକୁ ହନ୍ତସନ୍ତ କରୁଛି। ଗୋଟିଏ ପଟେ ଖରିଫ ଧାନ ସଂଗ୍ରହ ପ୍ରଭାବିତ ହୋଇଛି, ଅନ୍ୟପକ୍ଷରେ ରବି ଚାଷ ଆରମ୍ଭରେ ସମସ୍ୟା ଉପୁଜିଛି। ବ୍ୟାଙ୍କ୍‌ଗୁଡ଼ିକରେ ନଗଦର ଘୋର ଅଭାବ ଏବଂ ସମବାୟ ସଂସ୍ଥା ପ୍ରତି ବାଛ ବିଚାରର ପରିଣତି ସ୍ୱରୂପ ଚାଷୀ ଧାନ ବିକ୍ରି ବାବଦ ପ୍ରାପ୍ୟ ଠିକ୍‌ ଭାବେ ପାଇ ପାରୁ ନାହାନ୍ତି କି ରବି ପାଇଁ କୃଷି ଋଣ ଉଠାଇ ପାରୁ ନାହାନ୍ତି।
 
ଚାଷ ଓ ଚାଷୀ ସମ୍ମୁଖୀନ ହେଉଥିବା ଏ ସମସ୍ୟା ନେଇ ରାଜ୍ୟ ସରକାର ଗଭୀର ଭାବେ ଚିନ୍ତିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ଜଣାଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ପ୍ରତିକାରମୂଳକ ହସ୍ତକ୍ଷେପ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ବିମୁଦ୍ରାୟନ ନେଇ ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ଲାଗି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲା ବେଳେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଏ କ୍ଷେତ୍ରରେ ନିଜ ଦାୟିତ୍ୱ ଭୁଲିଯିବା ଉଚିତ ନୁହେଁ। ବିଶେଷ କରି, ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ପୂର୍ବବର୍ଷ ଭଳି ଦେଖା ଦେଇଥିବା ଅବ୍ୟବସ୍ଥା ପରିପ୍ରେକ୍ଷୀରେ ଏହା କୁହାଯାଇପାରେ। ସରକାର ସ୍ୱୀକାର କରନ୍ତୁ ବା ନକରନ୍ତୁ ବାସ୍ତବତା ହେଲା, ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ବିମୁଦ୍ରାୟନ ଏକ ମାତ୍ର ସମସ୍ୟା ନୁହେଁ। ବିମୁଦ୍ରାୟନ ଯୋଗୁ ଚାଷୀ ଧାନ ବିକ୍ରି ବାବଦ ପ୍ରାପ୍ୟ ନ ପାଇବା ବ୍ୟତୀତ ଆହୁରି ଅନେକ ସମସ୍ୟା ଧାନ ସଂଗ୍ରହକୁ ଆକ୍ରାନ୍ତ କରିଛି। ବିମୁଦ୍ରାୟନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଡ଼କୁ ଅଙ୍ଗୁଳି ଦେଖାଇ ପାରନ୍ତି, କିନ୍ତୁ ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନ ସମ୍ପୂର୍ଣ୍ଣ ଭାବେ ତାଙ୍କ ସରକାରର ଦାୟିତ୍ୱ। ଦିଲ୍ଲୀ ଆଡ଼କୁ ଅଙ୍ଗୁଳି ଦେଖାଇ ରାଜ୍ୟ ସରକାର ନିଜର ଦାୟିତ୍ୱ ଖସାଇ ପାରିବେ ନାହିଁ। ଅବଶ୍ୟ, ଏହା ଚଳିତ ସରକାରଙ୍କ ଏକ ପୁରୁଣା ବଦଭ୍ୟାସ- ଅନ୍ୟକୁ ଦୋଷ ଦେଇ ନିଜ ଦୋଷ ତ୍ରୁଟି ଉପରେ ଘଣ୍ଟ ଘୋଡ଼ାଇବା।
 
ନଭେମ୍ବର ୧୫ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇ ମାସେ ବିତିଲାଣି। ଡିସେମ୍ବର ୧୩ ତାରିଖ ଯୋଗାଣମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୫୩ ହଜାର ଚାଷୀଙ୍କଠାରୁ ୩ ଲକ୍ଷ ୫୮ ହଜାର ଟନ୍‌ ଧାନ ସଂଗ୍ରହ କରାଯାଇଛି। ଏହି ସମୟ ମଧ୍ୟରେ କିନ୍ତୁ ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କଠାରୁ ଆହୁରି ଅଧିକ ପରିମାଣର ଧାନ ସଂଗ୍ରହ କରାଯାଇ ପାରିଥାନ୍ତା, ଯଦି ନିର୍ଧାରିତ ତାରିଖରେ ମଣ୍ଡି ସବୁ ଖୋଲା ଯାଇଥାନ୍ତା ଏବଂ ନିୟମିତ ପ୍ରତିଦିନ ଧାନ ଖର୍ଦି ହୋଇଥାନ୍ତା। ଗତ ବିଧାନସଭାରେ ୨୦୧୦-୨୦୧୫ ମଧ୍ୟରେ ଧାନ ସଂଗ୍ରହ ସଂକ୍ରାନ୍ତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା- ‘‘ଧାନ ସଂଗ୍ରହ କେନ୍ଦ୍ର ଗୁଡ଼ିକ ଠିକ୍‌ ଭାବରେ କାର୍ଯ୍ୟ କରୁନଥିଲା। କାରଣ କେନ୍ଦ୍ର ଖୋଲା ନଯିବା/ ବିଳମ୍ବରେ ଖୋଲିବା, ଗୋଦାମ ସୁବିଧା ନଥିବା, ଓଜନ ଯନ୍ତ୍ରକୁ ସମତୁଲ କରାନଯିବା ଏବଂ ପ୍ରକୃତ ସଂଗ୍ରହ ତାରିଖ ଚାଷୀକୁ ସୂଚିତ କରାନଯିବା ଲକ୍ଷ୍ୟ କରାଯାଇଥିଲା’। ଏଥର ମଧ୍ୟ ଏହାର ପୁନରାବୃତ୍ତି ଘଟିଛି। କେଉଁଠି ଧାନ କ୍ରୟ କେନ୍ଦ୍ର ଆଦୌ ଖୋଲି ନଥିବା ବେଳେ ଅନ୍ୟ କେତେକ ସ୍ଥାନରେ କେନ୍ଦ୍ର ବିଳମ୍ବରେ ଖୋଲିଛି।
 
କଳାହାଣ୍ଡି ଜିଲ୍ଲାର ୧୩୯ ପ୍ରସ୍ତାବିତ ଧାନ କ୍ରୟ କେନ୍ଦ୍ରରୁ ପ୍ରାୟ ୧୦୦ ଖୋଲିଥିବା ବେଳେ ଅବଶିଷ୍ଟ କ୍ରୟ କେନ୍ଦ୍ର ଖୋଲି ନାହିଁ। କେତେକ ଜିଲ୍ଲାରେ ସରକାରୀ ଭାବେ କାଗଜପତ୍ରରେ ମଣ୍ଡି ଖୋଲି ଦିଆଯାଇଛି, ଅଥଚ ଧାନ କିଣା ହେଉ ନାହିଁ। ଆଉ କେତେକ ସ୍ଥାନରେ ସପ୍ତାହର ସବୁ ଦିନ କ୍ରୟ କେନ୍ଦ୍ର ଖୋଲା ରହୁନାହିଁ। କର୍ମଚାରୀ ଅଭାବ ଆଳରେ ସପ୍ତାହକୁ ଦୁଇ କିମ୍ବା ତିନି ଦିନ ଖୋଲୁଛି। ଏହାର ପରିଣତି ଅନେକ ସ୍ଥାନରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତିି। ନିର୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୨୦୦ରୁ ୩୦୦ ଟଙ୍କା କମ୍‌ ଦରରେ ମିଲର୍ସଙ୍କ ଦଲାଲ୍‌ କିମ୍ବା ବେପାରୀଙ୍କୁ ବିକ୍ରି କରୁଛନ୍ତି। ପୁଣି ପାଉଣା ବକେୟା ରହୁଛି। ଗୋଦାମ ଓ ଅନ୍ୟ ସୁବିଧା ନଥିବାରୁ ବିଭିନ୍ନ ମଣ୍ଡିରେ ଖୋଲାରେ ପଡ଼ି ରହିଥିବା ହଜାର ହଜାର ବସ୍ତା ଧାନକୁ ଚାଷୀ ଦିନ ରାତି ଜଗି ରହୁଛନ୍ତି। ଧାନ ସଂଗ୍ରହ କ୍ଷେତ୍ରରେ ଆଉ ଏକ ଗୁରୁତର ସମସ୍ୟା- ଏଥର ମଧ୍ୟ ଚାଷୀ ‘କଟ୍‌ନି ଛଟ୍‌ନି’ର ଶିକାର ହେଉଛନ୍ତି, ଯାହାକୁ ସ୍ପଷ୍ଟ ଦିବା ଲୋକରେ ଲୁଟ୍‌ କୁହାଯାଇପାରେ। ବିକ୍ରି ପାଇଁ ଆସୁଥିବା ଧାନର ଏଫ୍‌ଏକ୍ୟୁ ମାନ ନଥିବା ଆଳରେ କ୍ୱିଣ୍ଟାଲ ପିଛା ୨ରୁ ୫ କିଲୋଗ୍ରାମ ଅଧିକ ନିଆଯାଉଛି। ଏଫ୍‌ଏକ୍ୟୁ ଓ ଆର୍ଦ୍ରତା ନିର୍ଦ୍ଧାରଣ ପାଇଁ ସବୁ କ୍ରୟ କେନ୍ଦ୍ରରେ ଯନ୍ତ୍ର ନାହିଁ। ଯନ୍ତ୍ର ଥିଲେ ବି ମନମୁଖି ଭାବେ ‘କଟ୍‌ନିଛଟ୍‌ନି’ ଚାଲିଛି। ସିଏଜି ରିପୋର୍ଟ ଅନୁଯାୟୀ ୨୦୧୦ରୁ ୨୦୧୫ ମଧ୍ୟରେ ଏହି ଅସାଧୁ ‘କଟ୍‌ନିଛଟ୍‌ନି’ କାରବାର ମାଧ୍ୟମରେ ଚାଷୀଙ୍କଠାରୁ ୩୦୨ କୋଟି ଟଙ୍କା ମୂଲ୍ୟର ୨.୫୧ ଲକ୍ଷ ଟନ୍‌ ଅଧିକ ଧାନ ନିଆଯାଇଥିଲା। ସିଏଜି ଏ ଲୁଟ୍‌ ପ୍ରତି ଦୃଷ୍ଟି ଆକର୍ଷଣ କଲା ପରେ ବି ତାହା ଏଥର ମଧ୍ୟ ଜାରି ରହିବା, ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ବ୍ୟବସ୍ଥା ସଜାଡ଼ିବା ଲାଗି କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବର ଏହା ଏକ ଦୁଃଖଦ ଉଦାହରଣ। 
 
ଦୁର୍ଭାଗ୍ୟଜନକ ବିଡ଼ମ୍ବନାର ବିଷୟ ହେଲା- କେବଳ ‘କଟ୍‌ନିଛଟ୍‌ନି’ କି ମଣ୍ଡି ଖୋଲିବାରେ ଅଦିୟମିତତା ନୁହେଁ, ଧାନ ସଂଗ୍ରହକୁ ଆକ୍ରାନ୍ତ କରିଥିବା ଆହୁରି ଅନେକ ସମସ୍ୟା, ପ୍ରତ୍ୟେକ ବର୍ଷ ସରକାରଙ୍କ ଦୃଷ୍ଟିକୁ ଅଣାଯାଉଥିଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ। ଅବସ୍ଥା ଯଥା ପୂର୍ବଂ ତଥା ପରଂ। ପ୍ରତିବର୍ଷ ଧାନ ସଂଗ୍ରହ ଋତୁ ଆରମ୍ଭରୁ ପ୍ରତିଶ୍ରୁତି ଦିଆଯାଏ, ଏଥର ସବୁ କିଛି ବ୍ୟବସ୍ଥିତ ଓ ଶୃଙ୍ଖଳିତ ହେବ। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା ପ୍ରତିଫଳିତ ହୁଏ ନାହିଁ। ଏହା ବ୍ୟବସ୍ଥାକୁ ସଜାଡ଼ିବା ଲାଗି କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଓ ଶାସନର ‘ମତେ ଯେତେ ମାଠିବୁ ମାଠ୍‌, ମୁଁ ସେହି ଦରପୋଡ଼ା କାଠ’ ଚରିତ୍ରର ଦୁଃଖଦ ଦୃଷ୍ଟାନ୍ତ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ସରକାରଙ୍କ ତଥାକଥିତ ଅଙ୍ଗୀକାର କେତେ ନକଲି ଏହା ତା’ର ଆଉ ଏକ ଦୁର୍ଭାଗ୍ୟଜନକ ଇଙ୍ଗିତ।
 
ତେଣୁ ବିମୁଦ୍ରାୟନର ଆଢୁଆଳରେ ରାଜ୍ୟ ସରକାର ନିଜର ଦାୟିତ୍ୱ ଏଡ଼ାଇବାକୁ ଚେଷ୍ଟା ନକରି ବରଂ ବର୍ଷ ବର୍ଷ ଧରି ଧାନ ସଂଗ୍ରହକୁ ଆକ୍ରାନ୍ତ କରି ଆସିଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ପଦକ୍ଷେପ ନେଇ ନିଜ ନିଷ୍ଠା ଓ ଆନ୍ତରିକତା ପ୍ରମାଣ ଦିଅନ୍ତୁ। ଅନ୍ୟଥା, ବିମୁଦ୍ରାୟନ ଜନିତ ପରିସ୍ଥିତିରେ ପରିବର୍ତ୍ତନ ହେଲେ ବି ଚାଷୀଙ୍କ ଦୁଃଖ ଯିବ ନାହିଁ।