26 May 2017
2:51:38 PM
image
Sambad News
ସମ୍ପାଦକୀୟ

ପ୍ରସଙ୍ଗ ନାହିଁ?

By Sambad | Date: Dec 17 2016 5:17AM
ପ୍ରସଙ୍ଗ ନାହିଁ?

ପୁଣି ବିଧାନସଭାର ଆଉ ଏକ ଅଧିବେଶନକୁ ଆଗୁଆ ବନ୍ଦ କରି ଦିଆଯାଇଛି। ପଞ୍ଚଦଶ ବିଧାନସଭାର ଅଷ୍ଟମ ତଥା ବର୍ଷ ୨୦୧୬ର ଶୀତ ଅଧିବେଶନ ନିର୍ଦ୍ଧାରିତ ଅବଧିର ଷୋହଳ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷିତ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ଗୁରୁବାର ଦିନ ହଠାତ୍‌ ସମାପ୍ତ ଘୋଷିତ ହୋଇଛି। ଏ ସଂକ୍ରାନ୍ତରେ ଶାସକ ଦଳ ପକ୍ଷରୁ ଆଗତ ଏକ ପ୍ରସ୍ତାବ ଗୃହୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପ-ବାଚସ୍ପତି ମୁଲତବୀ ଘୋଷଣାର ଔପଚାରିକତା ସମ୍ପନ୍ନ କରିଥିଲେ। ଫଳରେ ଶୀତ ଅଧିବେଶନ ପାଇଁ ଧାର୍ଯ୍ୟ ଚବିଶଟି କାର୍ଯ୍ୟ ଦିବସ ମଧ୍ୟରୁ ମାତ୍ର ନଅ ଦିନ କାର୍ଯ୍ୟ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟ ଦିବସ ବେକାର ହୋଇ ଯାଇଛି।
 
ବିଧାନସଭା ଅଧିବେଶନ ଆଗୁଆ ବନ୍ଦ ହେବା ସଂସଦୀୟ ବିଧି ବ୍ୟବସ୍ଥା ଓ ପରମ୍ପରା ଦୃଷ୍ଟିରୁ ଯେତିକି ଅସୁସ୍ଥ ଓ ଅସ୍ୱସ୍ତିକର, ଏହା ପଛର ନକାରାତ୍ମକ ମାନସିକତା ତା’ଠାରୁ ଅଧିକ ଅସୁସ୍ଥ, ଅସ୍ୱସ୍ତିକର ତଥା ମାରାତ୍ମକ। ଏହାର ଗନ୍ଧ  ସ୍ପଷ୍ଟ ବାରି ହେଉଛି ଅଧିବେଶନ ବନ୍ଦ ପାଇଁ ଦର୍ଶାଯାଇଥିବା କାରଣରୁ। ଅଧିବେଶନକୁ ଆଗୁଆ ବନ୍ଦ ପାଇଁ ପ୍ରସ୍ତାବ ଆଣିଥିବା କ୍ଷମତାସୀନ ଦଳ ବିଜେଡିର ଯୁକ୍ତି ହେଲା- ଆଉ କୌଣସି ସରକାରୀ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥିବାରୁ ଅଧିବେଶନକୁ ଅଧିକ ଲମ୍ବାଇବା ଅନାବଶ୍ୟକ। ଏ ପ୍ରକାର ଯୁକ୍ତି ସମସ୍ୟା ଜର୍ଜରିତ ଓଡ଼ିଶା ଭଳି ଏକ ଦାରିଦ୍ର୍ୟ ପ୍ରବଣ, ଅନଗ୍ରସର ରାଜ୍ୟ ପାଇଁ ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା। କୌଣସି ପ୍ରସଙ୍ଗ ନାହିଁ କହିବା ଅର୍ଥ ରାଜ୍ୟବାସୀ ଯୁଝୁଥିବା ବିଭିନ୍ନ ସମସ୍ୟାକୁ ଅଣଦେଖା କରିବା। ସରକାରଙ୍କ ପାଇଁ ହୁଏତ ବିଧାନସଭାରେ କୌଣସି କାର୍ଯ୍ୟ ନଥାଇପାରେ, କିନ୍ତୁ କମ୍ବଳ ଯାକ ବାଳ ଭଳି ସମସ୍ୟା ଓ ପ୍ରସଙ୍ଗ ଭରି ରହିଛି, ଯାହା ରାଜ୍ୟ ସ୍ତରରେ ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚରେ ଆଲୋଚନାର ଅପେକ୍ଷା ରଖୁଛି। 
 
ସରକାରଙ୍କ ଆଖିକୁ ପ୍ରସଙ୍ଗ ଓ ସମସ୍ୟା ଦେଖା ଯାଉ ନଥାଇପାରେ କିନ୍ତୁ ଲୋକଙ୍କ ଆଖିରେ ଜଳ ଜଳ। ଅଧିବେଶନର ନଅ ଦିନ କାର୍ଯ୍ୟ ଦିବସ ମଧ୍ୟରେ ଦୁଇଟି ପ୍ରସ୍ତାବ ଓ ମାତ୍ର ଗୋଟିଏ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେଲା। ଜାପାନୀ ଜ୍ୱର ଓ କେବିକେକୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ପ୍ରସଙ୍ଗରେ ଯଥାକ୍ରମେ ବିରୋଧୀ ଦଳ ଓ ଶାସକ ଦଳ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ବିତର୍କ ହେଲା। ମୁଲତବୀ ପ୍ରସ୍ତାବ ଆକାରରେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ହେଲା। କ’ଣ ଏତିକିରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସମସ୍ୟା ସରିଗଲା? ଆଉ କୌଣସି ସମସ୍ୟା ନାହିଁ ଯାହା ବିଧାନସଭାରେ ବିଶଦ ଆଲୋଚନାର ଅପେକ୍ଷା ରଖୁଛି? ଜାପାନୀ ଜ୍ୱର ପ୍ରସଙ୍ଗରେ ଆଲୋଚନା ହେଲା; କିନ୍ତୁ ଏହା ସହିତ ଯୋଡ଼ି ହୋଇଥିବା ଅପପୁଷ୍ଟି, ସଚେତନତାର ଅଭାବ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଦାରିଦ୍ର୍ୟ ଆଦି ଅନେକ ପ୍ରସଙ୍ଗ ଆଲୋଚନାର ଅପେକ୍ଷା ରଖୁଥିଲା। ଚାଷୀଙ୍କ ସମସ୍ୟା ଉପରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେଲା, କିନ୍ତୁ କ’ଣ ତାହା ଯଥେଷ୍ଟ?
 
ଏ ରାଜ୍ୟର ୭୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ଚାଷ ସହ ଯୋଡ଼ି ହୋଇଛି। କେହି ବି ଅସ୍ୱୀକାର କରିବେ ନାହିଁ ଯେ କୃଷି ଏବେ ସଙ୍କଟଗ୍ରସ୍ତ ଓ ଚାଷୀ ଦୁର୍ଦଶାରେ। ଏ ବିଷୟରେ ଆହୁରି ଅଧିକ ଆଲୋଚନାର ଆବଶ୍ୟକତା ଥିଲା। ଅତିରିକ୍ତ ବଜେଟ୍‌ରେ ଅଳ୍ପକିଛି ବିଭାଗର ବ୍ୟୟ ଦାବି ଉପରେ ଆଲୋଚନା ହୋଇଛି। ସମୟ ଥିବାରୁ ଅଧିକ ସଂଖ୍ୟକ ବିଭାଗର ବ୍ୟୟ ଦାବି ଉପରେ ଆଲୋଚନାର ଅବକାଶ ଥିଲା। ଶୂନ୍ୟକାଳ ଓ ପ୍ରଶ୍ନ-ଉତ୍ତର ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନିଶ୍ଚିତ ଭାବେ ଉତ୍‌ଥାପିତ ହୋଇଛି। କିନ୍ତୁ ଉଠିଥିବା ଅନେକ ପ୍ରସଙ୍ଗ ଉପରେ ଅଧିକ ଆଲୋଚନାର ଆବଶ୍ୟକତା ଥିଲା। ଅନ୍ତତଃ ବିଧାନସଭା ବାହାରେ ଶୀତ କାକରରେ ନିଜ ନିଜ ଦାବି ନେଇ ପଡ଼ିଥିବା ୫୦ରୁ ଅଧିକ ସଂଗଠନଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ଅବଶିଷ୍ଟ କାର୍ଯ୍ୟ ଦିବସର ଦୁଇ ତିନିଦିନ ଉପଯୋଗ କରାଯାଇ ପାରିଥାନ୍ତା। ବେସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ ପାଞ୍ଚଟି ଦିବସରୁ ଦୁଇଦିନ କାର୍ଯ୍ୟ ହୋଇଥିଲା। ଅବଶିଷ୍ଟ ତିନିଦିନ ବେସରକାରୀ କାର୍ଯ୍ୟ ପାଇଁ ସୁଯୋଗ ମଧ୍ୟ ଥିଲା। ଗୃହରେ କୌଣସି ପ୍ରସଙ୍ଗର ବିଶଦ ଆଲୋଚନା ହେଲେ ସମସ୍ୟାର ଟିକିନିଖି ବ୍ୟବଚ୍ଛେଦ ଫଳରେ ସମାଧାନର ବାଟ ଫିଟିବାର ସମ୍ଭାବନା ରହିଥାଏ। ଆଲୋଚନା ହୋଇଥିଲେପ୍ରସଙ୍ଗ ସହ ଯୋଡ଼ି ହୋଇଥିବା ପୀଡ଼ିତ ବର୍ଗ ଅନ୍ତତଃ ତାଙ୍କ ସମସ୍ୟାର ଶୁଣାଣି ହେଲା, ବିଧାନସଭାରେ ସେମାନଙ୍କ ସ୍ୱର ପ୍ରତିଧ୍ୱନିତ ହେଲା ବୋଲି ଆଶ୍ୱସ୍ତ ଅନୁଭବ କରିଥାନ୍ତେ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଧାନସଭା ପ୍ରତି ଆସ୍ଥା ଓ ବିଶ୍ୱାସ ଦୃଢ଼ ହୋଇଥାନ୍ତା।  
 
ଜନପ୍ରତିନିଧିଙ୍କ  ବିଶ୍ୱସନୀୟତା  ଓ ସମ୍ମାନ ବଢ଼ିଥାନ୍ତା। ଗୃହର ଗରିମା ଆହୁରି ଉଜ୍ଜ୍ୱଳ ହୋଇଥାଆନ୍ତା। ଏହାଛଡ଼ା କାର୍ଯ୍ୟ ନିର୍ବାହୀକୁ କର୍ମ, ଅକର୍ମ ଓ ଅପକର୍ମ ପାଇଁ ଉତ୍ତରଦାୟୀ କରାଯାଇ ପାରିଥାନ୍ତା। ସଂସଦୀୟ ଗଣତନ୍ତ୍ରରେ ଲୋକଙ୍କ ସ୍ୱର ଉଠାଇବା ଓ କାର୍ଯ୍ୟନିର୍ବାହୀକୁ ଉତ୍ତରଦାୟୀ କରିବା ହେଉଛି ବ୍ୟବସ୍ଥାପକ ସଭାର ମୂଳ ଦାୟିତ୍ୱ। କିନ୍ତୁ ହାତରେ ସମୟ ଥାଇ ସୁଦ୍ଧା ଏହି ଦାୟିତ୍ୱକୁ ଏଡ଼ାଇଯିବା ନିଶ୍ଚିତ ଭାବେ ସଂସଦୀୟ ବ୍ୟବସ୍ଥା ଓ ପରମ୍ପରାର ଅନୁକୂଳ ନୁହେଁ। ବିଧାନସଭାରେ ଅଧିକ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା ପାଇଁ ଯୁକ୍ତି କଲା ବେଳେ, ଏ ବିଷୟରେ ମଧ୍ୟ ସଚେତନ ହେବାକୁ ପଡୁଛି ଯେ ଅନେକ ଆଲୋଚନା ବେଳେ ବିଧାୟକଙ୍କ ଉପସ୍ଥିତି ଅତ୍ୟନ୍ତ ପତଳା। ଭାରତୀୟ ସଂସଦୀୟ ବ୍ୟବସ୍ଥାର ଅବକ୍ଷୟର ଏହା ଆଉ ଏକ ବିଲକ୍ଷଣ। ଏହାର ପ୍ରତିକାର ହେବା ଉଚିତ।
 
ଚଳିତ ସରକାର ଅମଳରେ ଏକା ସଦ୍ୟ ଅଧାରୁ ବନ୍ଦ ହୋଇଥିବା ଶୀତ ଅଧିବେଶନ ନୁହେଁ, ପୂର୍ବରୁ ଆହୁରି ଅନେକ ଅଧିବେଶନ ସମାନ କିମ୍ବା ଅନ୍ୟ କିଛି କାରଣ ଦର୍ଶାଇ- ଅଧାରୁ ବନ୍ଦ କରାଯାଇଛି। ଏହା ଏକ ଅସୁସ୍ଥ  ଓ ଅଗଣତାନ୍ତ୍ରିକ ଧାରା କହିଲେ ଅତିରଞ୍ଜନ ହେବ ନାହିଁ।  ବିଗତ ଛଅଟି ଅଧିବେଶନ ମଧ୍ୟରୁ ମାତ୍ର ଦୁଇଟି ଅଧିବେଶନ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଚାଲି ଥିବା ବେଳେ ଅବଶିଷ୍ଟ ୪ଟି ଅଧିବେଶନ ଆଗୁଆ ବନ୍ଦ ହୋଇଛି। ୨୦୦୫ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁଯାୟୀ ବର୍ଷକୁ ବିଧାନସଭା ଅତି କମ୍‌ରେ ଷାଠିଏ ଦିନ ବସିବା ବାଧ୍ୟତାମୂଳକ। କିନ୍ତୁ ୨୦୧୪ ଡିସେମ୍ବରରେ ଏଥିରେ ସଂଶୋଧନ କରାଯାଇଥିଲା। ଗୃହରେ ପ୍ରସ୍ତାବ ଆଣି ବାର୍ଷିକ କାର୍ଯ୍ୟ ଦିବସ ହ୍ରାସ କରାଯାଇ ପାରିବ ବୋଲି ନୂଆ ବ୍ୟବସ୍ଥା କରାଗଲା। ସଂଶୋଧନ ଉଦ୍ଦେଶ୍ୟ ମନ୍ଦ, ଏବଂ ଏହାର ଅପବ୍ୟବହାର ହୋଇପାରେ ବୋଲି ସେତେବେଳେ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ପରବର୍ତ୍ତୀ ସମୟରେ ତାହା ଅମୂଳକ ନଥିଲା ବୋଲି ପ୍ରମାଣିତ ହୋଇଛି।
 
ଉତ୍ତର ଦାୟିତ୍ୱକୁ ଏଡ଼ାଇବା ପାଇଁ ସରକାରୀ ଦଳ ଅଧିକାଂଶ ଅଧିବେଶନ ଆଗୁଆ ବନ୍ଦ କରିଦେବାକୁ ଏକ କୌଶଳ ଭାବେ ଅବଲମ୍ବନ କରୁଛନ୍ତି। ଫଳରେ ଗତବର୍ଷ ବିଧାନସଭା ୬୦ ଦିନ ବଦଳରେ ୫୨ ଦିନ ବସିଥିଲା। ଏ ବର୍ଷ ଏହା ଆହୁରି ହ୍ରାସ ପାଇ ଗୃହ କାର୍ଯ୍ୟ  ୪୫ ଦିନରେ ସୀମିତ ରହିଛି।  ବିଧାନସଭାର କାର୍ଯ୍ୟ ପରିସର ତଥା କ୍ଷମତାକୁ ସଙ୍କୁଚିତ କରିବା ଲାଗି ଏ ଅଭିସନ୍ଧି ଦୁର୍ଭାଗ୍ୟଜନକ। ଏଥିରେ ସରକାରୀ ଦଳ ମୁଖ୍ୟ ପ୍ରାୟୋଜକ ହୋଇଥିଲେ ମଧ୍ୟ ବିରୋଧୀ ଦଳ ନିଜ ଦାୟିତ୍ୱକୁ ଏଡାଇ ପାରିବେ ନାହିଁ। ଏହା ସତ ଯେ ବିଧାନସଭା କାର୍ଯ୍ୟ ସଂକୋଚନରେ ବିରୋଧୀ ଦଳର ସହମତି ନାହିଁ। କିନ୍ତୁ ଅସହମତି ଓ ପ୍ରତିବାଦ ପଛରେ ଯେପରି ଦୃଢ଼ତା  ରହିବା କଥା,  ତାହା ମଧ୍ୟ ରହୁନାହିଁ। ଜନପ୍ରତିନିଧି ମାନଙ୍କ ଏ ପ୍ରକାର ଆଭିମୁଖ୍ୟ ଓ ଆଚରଣ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣତନ୍ତ୍ର ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରଭାବିତ କରୁଛି। ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳଙ୍କ ଆଭିମୁଖ୍ୟ ଓ ଆଚରଣ ବଦଳିବା ଆବଶ୍ୟକ। ଅନ୍ୟଥା ରାଜ୍ୟସ୍ତରରେ ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବେ ବିଧାନସଭାର ପ୍ରତିଷ୍ଠା ଓ ଗରିମାର ଅବକ୍ଷୟମୁଖୀ ଧାରା ତ୍ୱରାନ୍ଵିତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ।

image