22 August 2017
5:23:16 AM
image
Sambad News
ସମ୍ପାଦକୀୟ

ଦିବ୍ୟାଙ୍ଗଙ୍କ ମୁହଁରେ ହସ

By Sambad | Date: Dec 19 2016 4:53AM
ଦିବ୍ୟାଙ୍ଗଙ୍କ ମୁହଁରେ ହସ

ବିମୁଦ୍ରାୟନ ପ୍ରସଙ୍ଗରେ ସଂସଦର ଶୀତ ଅଧିବେଶନ ଏକ ପ୍ରକାର ଧୋଇଯାଇଥିଲେ ସୁଦ୍ଧା ଶାସକ ଓ ବିରୋଧୀ ଦଳ ମଧ୍ୟରେ ଏକ ସମ୍ବେଦନଶୀଳ ବିଷୟରେ ବିରଳ ସହମତି ଦେଖିବାକୁ ମିଳିଛି। ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳଙ୍କ ମଧ୍ୟରେ ଏ ସହମତି ଅତ୍ୟନ୍ତ ସୁଖଦ ଏଥି ପାଇଁ ଯେ ଏହା ସମାଜରେ ସବୁଠାରୁ ଦୁର୍ବଳ, ଅସହାୟ ବିଚାର କରାଯାଉଥିବା ସାତ କୋଟିରୁ ଅଧିକ ଦିବ୍ୟାଙ୍ଗ ଜନଙ୍କ ମନରେ ବିଶ୍ୱାସ ଭରି ମୁହଁରେ ହସ ଫୁଟାଇଛି। ଦଳ ନିର୍ବିଶେଷରେ ସାଂସଦମାନେ ବାଦ-ବିବାଦ, ଆକ୍ଷେପ ପ୍ରତି-ଆକ୍ଷେପକୁ ସାମୟିକ ଭାବେ ସ୍ଥଗିତ ରଖି ଉଭୟ ସଦନରେ ଭିନ୍ନକ୍ଷମ ଅଧିକାର ବିଧେୟକକୁ ପାସ୍‌ କରିଛନ୍ତି। ଭାରତୀୟ ସମାଜରେ ସବୁଠାରୁ ଦୁର୍ବଳ, ଅସହାୟ ଏବଂ ଅନେକ ସମୟରେ ପାତର-ଅନ୍ତରର ଶିକାର ହେଉଥିବା ଭିନ୍ନକ୍ଷମଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ଓ ଅଧିକାର ପ୍ରଦାନ ଲାଗି ଚାଲିଥିବା ଆନ୍ଦୋଳନ ପାଇଁ ଏହା ଏକ ବୃହତ୍‌ ତଥା ନିର୍ଣ୍ଣାୟକ ସଫଳତା। ଗତ ସପ୍ତାହରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ବିଧେୟକ-୨୦୧୪ (ରାଇଟ୍‌ସ ଅଫ୍‌ ପରସନ୍‌ ଓ୍ଵିଥ୍‌ ଡିସାବିଲାଟିଜ୍‌) ବିଲ୍‌ ବୁଧବାର ଦିନ ପ୍ରଥମେ ରାଜ୍ୟ ସଭାର ଅନୁମୋଦନ ଲାଭ କଲା ପରେ ଅଧିବେଶନର ଅନ୍ତିମ ଦିବସ ଶନିବାର ଲୋକ ସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି।
 
ସଂସଦର ଏରୁଣ୍ଡି ଡେଇଁ ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା କରିଥିବା ଭିନ୍ନକ୍ଷମଙ୍କ ଅଧିକାର ବିଲ୍‌ ବହୁ ଅର୍ଥରେ ଏକ ପ୍ରଗତିଶୀଳ ଏବଂ ସଂସ୍କାରବାଦୀ ପଦକ୍ଷେପ। ଅକ୍ଷମତା ଅତିକ୍ରମ କରିବା ଲାଗି ଦୟା ନୁହେଁ ବରଂ ଦିବ୍ୟାଙ୍ଗ ଜନଙ୍କ ପାଇଁ ସହାୟକ ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ ଏହା ଏକ ବଳିଷ୍ଠ ପ୍ରୟାସ। ଜାତିସଂଘ ଦ୍ୱାରା ୨୦୦୭ରେ ଗ୍ରହଣ କରାଯାଇଥିବା ସନନ୍ଦକୁ ଭାରତ ଅନୁମୋଦନ ଦେବା ପରେ ୧୯୯୫ର ଭିନ୍ନକ୍ଷମ  ଆଇନରେ ସଂଶୋଧନ ସକାଶେ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ସଂସଦରେ ସଦ୍ୟ ଗୃହୀତ ବିଲ୍‌ ତା’ର ସୁଫଳ। ନୂଆ ଆଇନ ପ୍ରଣୟନରେ ଗୋଟିଏ ଦଶକ ବିଳମ୍ବ ହୋଇଥିଲେ ସୁଦ୍ଧା ଶେଷରେ ସକାରାତ୍ମକ ଫଳ ମିଳିବା ଖୁସିର କଥା। ଅକ୍ଷମତା ଓ ପାତର-ଅନ୍ତରର ମୁକାବିଲା ଏବଂ ସଶକ୍ତୀକରଣ ଦ୍ୱାରା ଭିନ୍ନକ୍ଷମଙ୍କୁ ଅନ୍ୟମାନଙ୍କ ସହ ସମାନ ହେବା ଲାଗି ବିଲ୍‌ରେ ଆବଶ୍ୟକୀୟ ସୁଯୋଗ, ଅଧିକାରର ବ୍ୟବସ୍ଥା କରାଯାଇଛି। ବିଲ୍‌ରେ କେବଳ ‘ଭିନ୍ନକ୍ଷମ’ର ଆଇନଗତ ପରିଭାଷାକୁ ବ୍ୟାପକ କରାଯାଇନାହିଁ, ପାତର-ଅନ୍ତର ବିରୋଧରେ ଏହି ଦୁର୍ବଳ ଦିବ୍ୟାଙ୍ଗ ଜନଙ୍କୁ ସୁରକ୍ଷା ପ୍ରଦାନ ସ୍ୱରୂପ ଆଇନରେ କଠୋର ଦଣ୍ଡ  ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବରୁ କେବଳ ସାତ ପ୍ରକାର ଅକ୍ଷମତା ଥିଲେ ଆଇନତଃ ‘ଭିନ୍ନକ୍ଷମ’ର ମାନ୍ୟତା ମିଳୁଥିଲା। ଏବେ ନୂଆ ବ୍ୟବସ୍ଥାରେ ୨୧ ପ୍ରକାର ଶାରୀରିକ ଓ ମାନସିକ ଅକ୍ଷମତା ଥିବା ବ୍ୟକ୍ତିମାନେ ଭିନ୍ନକ୍ଷମର ମାନ୍ୟତା ପାଇପାରିବେ। 
 
ପୂର୍ବରୁ ମୁଖ୍ୟତଃ ଦୃଷ୍ଟିହୀନ, ମୂକ-ବଧିର କିଂବା ହାତଗୋଡ଼ ବା ଅସ୍ଥିଗତ ଶାରୀରିକ ଅକ୍ଷମତା ଥିଲେ ଭିନ୍ନକ୍ଷମର ମାନ୍ୟତା ମିଳୁଥିଲା। ଏବେ ଥାଲାସେମିିଆ, ହେମୋଫିଲିଆ, ପଢ଼ାରେ ଅକ୍ଷମତା, ପାର୍‌କିନ୍‌ସନ୍‌ ଓ ଆହୁରି ଅନେକ ପ୍ରକାର ଅକ୍ଷମତାକୁ ‘ଭିନ୍ନକ୍ଷମ’ର ମାନ୍ୟତା ମିଳିବ। ଏପରିକି ଏସିଡ୍‌ ଆକ୍ରମଣର ଶିକାର ବ୍ୟକ୍ତିମାନଙ୍କୁ ମଧ୍ୟ ‘ଭିନ୍ନକ୍ଷମ’ ବର୍ଗରେ ସାମିଲ କରାଯାଇପାରିବ। ତେବେ ଗୁରୁତ୍ୱପୂର୍ଣ୍ଣ ହେଲା, ଯେଉଁ ୨୧ ପ୍ରକାର ଅକ୍ଷମତାକୁ ଭିନ୍ନକ୍ଷମର ମାନ୍ୟତା ଦିଆଯାଇଛି ତାହା ଚୂଡ଼ାନ୍ତ ନୁହେଁ। ଭବିଷ୍ୟତରେ ଅନ୍ୟ ପ୍ରକାର ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ତାଲିକାରେ ସାମିଲ କରିବା ଲାଗି ଯଥେଷ୍ଟ ଅବକାଶ ରଖାଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଯେଉଁ ୨୧ ପ୍ରକାର ଶାରୀରିକ ଓ ମାନସିକ ଅକ୍ଷମତା ଆଧାରରେ ‘ଭିନ୍ନକ୍ଷମ’ ମାନ୍ୟତା ଦିଆଯାଇଛି, ସେହି ସଂଖ୍ୟା ବଢ଼ିପାରେ। ନୂଆ ପ୍ରକାର ଅକ୍ଷମତାର ଆଶଙ୍କାକୁ ବିଚାରକୁ ନେଇ କରାଯାଇଥିବା ଏ ବ୍ୟବସ୍ଥା ନିଶ୍ଚିତ ଭାବେ ଏକ ସକାରାତ୍ମକ ସଂକେତ। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ଦିବ୍ୟାଙ୍ଗ ଜନଙ୍କ ସଂଖ୍ୟା ଥିଲା ୨ କୋଟି ୬୮ ଲକ୍ଷ। ଏବେ ନୂଆ ଆଇନ ଅନୁଯାୟୀ ଅନ୍ୟ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ବ୍ୟକ୍ତି ଭାବେ ମାନ୍ୟତା ମିଳିଲେ ଦିବ୍ୟାଙ୍ଗ ଲୋକସଂଖ୍ୟା ୭ କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଭିନ୍ନକ୍ଷମ ଲୋକସଂଖ୍ୟା ବୃଦ୍ଧି ସମ୍ଭାବନାକୁ ଆଖି ଆଗରେ ରଖି ବିଲ୍‌ରେ ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ଆରକ୍ଷଣ ସୁବିଧାକୁ ୩ ପ୍ରତିଶତରୁ ୪ ପ୍ରତିଶତକୁ ବଢ଼ାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତିରେ ଆରକ୍ଷଣ ପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବ।
 
ନୂତନ ବିଲ୍‌ରେ ୧୯୯୫ ଆଇନରେ ଥିବା ଆଉ କେତେକ ଦୁର୍ବଳତାକୁ ମଧ୍ୟ ଦୂର କରାଯାଇଛି। ପ୍ରାଥମିକ ଓ ଉଚ୍ଚ ଶିକ୍ଷାରେ ନାମଲେଖା ପାଇଁ ଭିନ୍ନକ୍ଷମଙ୍କ ସକାଶେ ବୟସ ସୀମା କୋହଳ କରାଯାଇଛି। ୧୯୯୫ ଆଇନରେ ଏ ବ୍ୟବସ୍ଥା ନ ଥିଲା। ସାଧାରଣତଃ ଅନ୍ୟ ପିଲାଙ୍କ ତୁଳନାରେ ଭିନ୍ନକ୍ଷମ ପିଲାଙ୍କ ପଢ଼ା ବିଳମ୍ବରେ ଆରମ୍ଭ ହୋଇଥାଏ। ବୟସ ସୀମା କୋହଳ ହେବା ଫଳରେ ଅନେକ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶିକ୍ଷା ଆଉ ଅପହଞ୍ଚ ହୋଇରହିବନାହିଁ। ଅଧିକ ସଂଖ୍ୟାରେ ଭିନ୍ନକ୍ଷମ ପିଲା ଶିକ୍ଷା ବ୍ୟବସ୍ଥା ପରିସରକୁ ଆସିପାରିବେ। ସଶକ୍ତୀକରଣରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା- କାର୍ଯ୍ୟ ସ୍ଥଳୀରେ ହେଉ କି ଅନ୍ୟ କ୍ଷେତ୍ରରେ ହେଉ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୌଣସି ପ୍ରକାର ପାତର-ଅନ୍ତରରୁ ସୁରକ୍ଷା ଦେବା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପ୍ରତି ପାତର-ଅନ୍ତର କଲେ, ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୧୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ବାଛ-ବିଚାର ଓ ଅନ୍ୟ ପ୍ରକାର ଆକ୍ରୋଶର ଶିକାର ଭିନ୍ନକ୍ଷମଙ୍କ ଅଭିଯୋଗର ବିଚାର କରି ନ୍ୟାୟ ପ୍ରଦାନ ଲାଗି ସ୍ୱତନ୍ତ୍ର ଅଦାଲତର ମଧ୍ୟ ବ୍ୟବସ୍ଥା ରହିଛି। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ବଡ଼ ପ୍ରୟାସ।
 
ନିଃସନ୍ଦେହ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ବିଲ୍‌, ଦିବ୍ୟାଙ୍ଗ ଜନଙ୍କ ପ୍ରତି ସରକାରୀ ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନର ସୂଚନା ଦେବା ସହ ଏହି ଦୁର୍ବଳ ବର୍ଗଙ୍କ ପ୍ରତି ସମାଜର ମନୋଭାବ ବଦଳାଇବା ଲାଗି ମଧ୍ୟ ଏକ ରଚନାତ୍ମକ ପ୍ରୟାସ। ତେବେ ନୂଆ ଆଇନ ଦିବ୍ୟାଙ୍ଗ ଜନଙ୍କ ସଶକ୍ତୀକରଣ ଏବଂ ସେମାନଙ୍କୁ  ସମାଜରେ ସମ୍ମାନର ସହ ବଞ୍ଚିବା ଲାଗି କେତେ ଦୂର ସୁଯୋଗ ଦେବ, ତାହା ନିର୍ଭର କରୁଛି ନୂଆ ଆଇନର କାର୍ଯ୍ୟକାରିତା ଉପରେ। ଭାରତରେ ଦୁର୍ବଳ ବର୍ଗଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ ଆଇନର ଅଭାବ ନାହିଁ। କିନ୍ତୁ ସେଗୁଡ଼ିକର କାର୍ଯ୍ୟକାରିତାରେ ଉଦାସୀନତା ଯୋଗୁଁ ଆଇନର ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। କେବଳ ପୋଥିର ଆଇନ ହୋଇ ରହିଯାଇଛି। ଏହାର ମୁଖ୍ୟ କାରଣ ହେଲା, ଆଇନର କାର୍ଯ୍ୟକାରିତା ଦାୟିତ୍ୱରେ ଥିବା ପ୍ରଶାସନିକ କଳର ସମ୍ବେଦନଶୂନ୍ୟତା ଓ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଇଚ୍ଛା-ଶକ୍ତିର ଅଭାବ। ଆଶା, ଦିବ୍ୟାଙ୍ଗଜନଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ଆଇନର କାର୍ଯ୍ୟକାରିତା ଏ ପ୍ରକାର ଅଭାବର ଶିକାର ହେବନାହିଁ। ଅବଶ୍ୟ, କୌଣସି ପରିବର୍ତ୍ତନ ପାଇଁ ଆଇନର ପ୍ରଣୟନ ଓ ଏହାର କାର୍ଯ୍ୟକାରିତା ଯେତିକି ଗୁରୁତ୍ୱପୂର୍ଣ୍ଣ, ସାମାଜିକ ସଚେତନତା ଏବଂ ସମାଜର ସାମୂହିକ ଦାୟିତ୍ୱବୋଧ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।