28 June 2017
9:27:36 PM
image
Sambad News
ସମ୍ପାଦକୀୟ

ତିମି ଓ ମୀନ

By Sambad | Date: Dec 20 2016 5:22AM
ତିମି ଓ ମୀନ

ଡିସେମ୍ବର୍‌ ୧୯ରେ ଏସିଆ ମହାଦେଶର ଛାମୁହାଁ ଆନ୍ତର୍ଜାତିକ ଉନ୍ନୟନ ବ୍ୟାଙ୍କ୍‌ ‘ଏସିଆନ୍‌ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ୍‌’ (‘ଏଡିବି’)କୁ ୫୦ ବର୍ଷ ପୂରିଲା। ଏହି ଅର୍ଧଶତାବ୍ଦୀ ଧରି ଏସିଆ ମହାଦେଶର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଜର୍ଜିଆରୁ ପୂର୍ବ ସୀମାନ୍ତରେ ଅବସ୍ଥିତ ପ୍ରଶାନ୍ତ ମହାସାଗରୀୟ କୁକ୍‌ ଆଇଲାଣ୍ଡ୍‌ ପର୍ଯ୍ୟନ୍ତ ବିଛାଡ଼ି ହୋଇ ରହିଥିବା ଦେଶମାନଙ୍କର ଅର୍ଥନୈତିକ ଉନ୍ନୟନ ଉଦ୍ୟମରେ ଏହି ଜାପାନୀ ନେତୃତ୍ୱାଧୀନ ବ୍ୟାଙ୍କ୍‌ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ତାହା ଜାପାନର ଚରମ ବିରୋଧୀ ଚୀନାମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ। ଯଦି କୌଣସି ଗୋଟିଏ ପରିସଂଖ୍ୟାନ ଏଡିବିର ବିରଳ ସଫଳତାକୁ ସଗର୍ବରେ ପ୍ରଦର୍ଶିତ କରିଥାଏ ବୋଲି କୁହାଯିବ, ତାହା ହେଲା- ଏହି ଅର୍ଧଶତାବ୍ଦୀ ମଧ୍ୟରେ ଏଡିବି ପ୍ରଦାନ କରିଥିବା ମୋଟ ଋଣର ପରିମାଣ ହେଉଛି ୨୫୦ ବିଲିଅନ୍‌ ଡଲାର୍‌ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଏତେ ସଂଖ୍ୟକ ଦେଶକୁ ଏହି ଋଣ ପ୍ରଦାନ କରାଯାଇଥିଲେ ମଧ୍ୟ ‘ଏଡିବି’ର ଇତିହାସରେ କେବେ ହେଲେ ଥରଟିଏ ବି କୌଣସି ଋଣ ଖିଲାପି ଘଟିନାହିଁ।
 
ଚୀନ ଓ ଜାପାନ ମଧ୍ୟରେ ଐତିହାସିକ ଶତ୍ରୁତାର ଅବସାନ ଏକବିଂଶ ଶତାବ୍ଦୀରେ ମଧ୍ୟ ଘଟିନାହିଁ। ଅତୀତରେ ସାମରିକ କ୍ଷେତ୍ରରେ ଏହି ଶତ୍ରୁତା ଅଧିକ ପରିସ୍ଫୁଟ ହୋଇ ଆସିଥିଲା ବେଳେ ବର୍ତ୍ତମାନ ଅର୍ଥନୈତିକ କ୍ଷେତ୍ରରେ ତାହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ପାରମ୍ପରିକ ଭାବରେ ୧୯୬୬ରେ ଏଡିବି ପ୍ରତିଷ୍ଠା ହେବା ପର ଠାରୁ ଜଣେ ଜାପାନୀ ହିଁ ଏହାର ମୁଖ୍ୟ ରହି ଆସିଛନ୍ତି- ଯଦିବା ଏଥି ପାଇଁ କୌଣସି ବିଧିବଦ୍ଧ ନିୟମ ନାହିଁ (ଯେଉଁ ପରି ଜଣେ ଆମେରିକୀୟ ହିଁ ବିଶ୍ୱବ୍ୟାଙ୍କ୍‌ର ଏବଂ ଜଣେ ଇଉରୋପୀୟ ହିଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମୁଖ୍ୟ ରହି ଆସିଛନ୍ତି- ଯଦିବା ଏଥି ପାଇଁ କୌଣସି ଧରାବନ୍ଧା ନିୟମ ନାହିଁ)। ଯେହେତୁ ଜାପାନ ଏଡିବିକୁ ସର୍ବାଧିକ ପାଣ୍ଠି ପ୍ରଦାନ କରିଥାଏ, ଚିରାଚରିତ ଭାବେ ଏହି ଅନୁଷ୍ଠାନ ଜାପାନୀ ନେତୃତ୍ୱରେ କାର୍ଯ୍ୟ କରି ଆସିଛି। କିନ୍ତୁ ଇତି ମଧ୍ୟରେ ଜାପାନର ଯୁଦ୍ଧ ପରବର୍ତ୍ତୀ ଅର୍ଥନୈତିକ ସଫଳତା ସହିତ ତାଳ ଦେଇ ଚୀନ ଅନୁରୂପ ଅର୍ଥନୈତିକ ଚମତ୍କାରିତା ହାସଲ କରିଛି। ଏହାର ପରିଣାମ ସ୍ୱରୂପ ଜାପାନକୁ ପୃଥିବୀର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ସ୍ଥାନରୁ ହଟାଇବାରେ ସଫଳ ହୋଇ ଚୀନ ସେହି ମର୍ଯ୍ୟାଦା ହାସଲ କରି ନେଇଛି।
 
ତେଣୁ ଏସୀୟ ଅଞ୍ଚଳରେ ଜାପାନ ଉପଭୋଗ କରି ଆସୁଥିବା ବିତ୍ତୀୟ ନେତୃତ୍ୱ ଚୀନ ପାଇଁ ଆଉ ଗ୍ରହଣୀୟ ହୋଇ ରହିନାହିଁ। ଚୀନ ତେଣୁ ଏଡିବିକୁ ପ୍ରତିଯୋଗିତା ଦେବା ଭଳି ଅନ୍ୟ ଏକ ଆଞ୍ଚଳିକ ଋଣ ପ୍ରଦାନକାରୀ ଅନୁଷ୍ଠାନ ପ୍ରତିଷ୍ଠା କରି ତା’ର ନେତୃତ୍ୱ ନେବା ପାଇଁ ଯୋଜନା କରି ଏକ ସମାନ୍ତରାଳ ଅନୁଷ୍ଠାନ ପ୍ରତିଷ୍ଠା କରି ସାରିଲାଣି। ବର୍ଷକ ତଳେ ଚୀନ ଦ୍ୱାରା ପ୍ରତିଷ୍ଠିତ ଏହି ଅନୁଷ୍ଠାନର ନାମ ହେଉଛି ‘ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଇନ୍‌ଭେଷ୍ଟମେଣ୍ଟ୍‌ ବ୍ୟାଙ୍କ୍‌’ (‘ଏଆଇଆଇବି’)। ଏହି ଅନୁଷ୍ଠାନ ମାଧ୍ୟମରେ ଚୀନ ତାହାର ଆନ୍ତର୍ଜାତିକ ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି ବୋଲି ଆଶଙ୍କା କରି ଆମେରିକା ଆରମ୍ଭରୁ ଏହାର ଘୋର ବିରୋଧ କରି ଆସୁଛି। ଆମେରିକା ତା’ର ମିତ୍ର ରାଷ୍ଟ୍ରମାନଙ୍କୁ ଚୀନର ଏହି ଉଦ୍ୟମ ଠାରୁ ଦୂରେଇ ରଖିବା ପାଇଁ ଅନୁରୋଧ କରିବା ସହିତ ଏଥି ପାଇଁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଥିଲା। କିନ୍ତୁ ବର୍ତ୍ତମାନର ପୃଥିବୀରେ ଚୀନ ଅର୍ଥନୈତିକ ଗୁରୁତ୍ୱକୁ ସ୍ୱୀକାର କରି ଗୋଟିକ ପରେ ଗୋଟିଏ ବ୍ରିଟେନ୍‌ରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଆମେରିକାର ମିତ୍ର ରାଷ୍ଟ ମାନେ ଚୀନର ଏହି ନୂତନ ଉଦ୍ୟମରେ ସାମିଲ ହୋଇ ପ୍ରତିଷ୍ଠାତା ସଦସ୍ୟର ମର୍ଯ୍ୟାଦା ହାସଲ କରିବାକୁ ଆଗେଇ ଆସିଛନ୍ତି।
 
କିନ୍ତୁ ‘ଏଆଇଆଇବି’କୁ କେନ୍ଦ୍ର କରି ଏତେ ହୋହଲ୍ଲା ହୋଇଥିବା ସତ୍ତ୍ୱେ ‘ଚୀନର ବିଶ୍ୱବ୍ୟାଙ୍କ୍‌’ ରୂପେ ଅଭିହିତ ଏହି ନୂତନ ଆନ୍ତର୍ଜାତିକ ବିତ୍ତୀୟ ଅନୁଷ୍ଠାନକୁ ଯଦି ବର୍ତ୍ତମାନ ‘ଏଡିବି’ ସହିତ ତୁଳନା କରାଯାଏ ତେବେ ତାହା ଜାପାନୀ ‘ତିମି’ ତୁଳନାରେ ଏକ କ୍ଷୁଦ୍ର ଚୀନା ‘ମୀନ’ ଭଳି ପ୍ରତୀୟମାନ ହୋଇଥାଏ। ଯେମିତି, ମାନିଲାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ‘ଏଡିବି’ର ସ୍ଥାୟୀ କର୍ମଚାରୀ ସଂଖ୍ୟା ୩,୧୦୦ ହୋଇଥିବା ବେଳେ, ‘ଏଆଇଆଇବି’ର କର୍ମଚାରୀ ସଂଖ୍ୟା ହେଉଛି ମାତ୍ର ପ୍ରାୟ ୮୦। ଏଡିବିର ୨୮ଟି ଦେଶରେ ଶାଖା କାର୍ଯ୍ୟାଳୟମାନ କାର୍ଯ୍ୟ କରୁଥିବା ବେଳେ ‘ଏଆଇଆଇବି’ ଏ ପର୍ଯ୍ୟନ୍ତ କେବଳ ‘ବେଜିଂ’ରେ ଉପସ୍ଥିତ ରହିଛି। ଆଉ ଏହି ଅନୁଷ୍ଠାନମାନଙ୍କର ଯେଉଁ ଅସଲ କାର୍ଯ୍ୟ- ଋଣ ପ୍ରଦାନ, ସେଥିରେ ‘ଏଡିବି’ ‘ଏଆଇଆଇବି’ ଠାରୁ ବହୁ ଆଗରେ ରହିଛି। ଏଡିବି ବାର୍ଷିକ ପ୍ରାୟ ହାରାହାରି ୧୬ ବିଲିଅନ୍‌ ଡଲାର୍‌ ଋଣ ପ୍ରଦାନ କରିଥାଏ। ସେ ତୁଳନାରେ ‘ଏଆଇଆଇବି’ ଆସନ୍ତା ବର୍ଷ ପାଇଁ ଯେଉଁ ଋଣ ପ୍ରଦାନ ଲକ୍ଷ୍ୟ ରଖିଛି, ତାହା ହେଉଛି- ୨ ବିଲିୟନ୍‌ ଡଲାର୍‌। 
 
ଏହି ସଫଳ ଅର୍ଧ ଶତାବ୍ଦୀ ପୂର୍ତ୍ତି ଅବସରରେ ଏଡିବି କିନ୍ତୁ ଆତ୍ମସନ୍ତୋଷ ଜନିତ ସ୍ଥାଣୁତ୍ୱ ଅବଲମ୍ବନ କରିବାକୁ ଯେ ଯାଉ ନାହିଁ ତାହା ଏହାର ଭବିଷ୍ୟଦୃଷ୍ଟିରୁ ସ୍ପଷ୍ଟ ହୋଇଥାଏ। ଉଦାହରଣ ସ୍ୱରୂପ ୨୦୨୦ ସୁଦ୍ଧା ଏଡିବି ତା’ର ବାର୍ଷିକ ଋଣ ପ୍ରଦାନ ପରିମାଣରେ ୫୦%ରୁ ଅଧିକ ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ଏହାର ମୁଖ୍ୟ ପ୍ରକାଶ କରିଛନ୍ତି। ଦ୍ୱିତୀୟରେ ଏଡିବି ଅଧିକ କିସମର ପ୍ରକଳ୍ପମାନଙ୍କ ପାଇଁ ଋଣ ପ୍ରଦାନ କରିବ ବୋଲି ମଧ୍ୟ ସ୍ଥିର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଡିବି ଯେଉଁ ସବୁ ପ୍ରକଳ୍ପମାନଙ୍କୁ ଋଣ ପ୍ରଦାନ କରିଥାଏ ସେଥି ମଧ୍ୟରେ ମୁଖ୍ୟ ହେଉଛି ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ମାନ। ବାସ୍ତବରେ ଏଡିବି ଏ ପର୍ଯ୍ୟନ୍ତ ପ୍ରଦାନ କରିଥିବା ମୋଟ ଋଣର ପ୍ରାୟ ୭୦% ଯାଇଛି ଭିତ୍ତିଭୂମି କ୍ଷେତ୍ରକୁ। ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପ୍ରକଳ୍ପମାନଙ୍କୁ ଦିଆଯାଉଥିବା ଋଣ ପରିମାଣରେ ବୃଦ୍ଧି ଘଟାଯିବ ବୋଲି ଏଡିବି ପ୍ରକାଶ କରିଛି। ଶେଷରେ କାର୍ଯ୍ୟ ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଏଡିବି ତା’ର ଆଞ୍ଚଳିକ କାର୍ଯ୍ୟାଳୟମାନଙ୍କୁ କ୍ଷମତା ବିକେନ୍ଦ୍ରୀକରଣ କରି ଅଧିକ କ୍ଷମତା ପ୍ରଦାନ କରିବାକୁ ସ୍ଥିର କରିଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶରେ କେତେକ ପ୍ରକଳ୍ପରେ ଉଭୟ ‘ଏଡିବି’ ଓ ‘ଏଆଇଆଇବି’ ସହଭାଗୀ ହେବା ଦେଖାଯାଇଛି। ପ୍ରତିଯୋଗିତା ବଦଳରେ ଏ ଦୁଇ ଅନୁଷ୍ଠାନ ମଧ୍ୟରେ ସହଯୋଗ ଏସିଆର ଦେଶମାନ ପାଇଁ ସୁସମ୍ବାଦ ହେବ।