26 February 2017
11:40:42 AM
Sambad News
ସମ୍ପାଦକୀୟ

ଇନ୍ଦିରା ମୋଦୀ

By Sambad | Date: Dec 21 2016 4:50AM
ଇନ୍ଦିରା ମୋଦୀ

ବର୍ତ୍ତମାନ ଦେଶବ୍ୟାପୀ ବିତର୍କ ଓ ଆଲୋଚନାମାନଙ୍କରେ ଅଧିକରୁ ଅଧିକ ଟିପ୍ପଣିକାରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରିବାକୁ ଆରମ୍ଭ କରିଥିବା ସମୟରେ ମୋଦୀ ସରକାର ପୁଣି ଏଭଳି ଏକ ପଦକ୍ଷେପ ନେଇଛି ଯାହା ସେହି ଧାରଣାକୁ ଆହୁରି ବଳିଷ୍ଠ କରୁଛି ବୋଲି ହାଲୁକା ଭାବରେ କୁହାଯାଇପାରେ। ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଏ ଏସ୍‌ ବୈଦ୍ୟଙ୍କୁ ସେନାବାହିନୀର ମୁଖ୍ୟ ରୂପେ ନିଯୁକ୍ତ କରିଥିଲେ ଯଦିବା ଲେଫ୍‌ଟନାଣ୍ଟ ଜେନେରାଲ୍‌ ଏସ୍‌ କେ ସିହ୍ନାଙ୍କଠାରୁ ସେ କନିଷ୍ଠ ଥିଲେ। ପ୍ରତିବାଦ ସ୍ୱରୂପ ଲେଫ୍‌ଟନାଣ୍ଟ ଜେନେରାଲ୍‌ ସିହ୍ନା ଇସ୍ତଫା ଦେଇ ଦେବାକୁ ପସନ୍ଦ କରିଥିଲେ। ଏହା ପୂର୍ବରୁ ମଧ୍ୟ ୧୯୭୨ରେ ଇନ୍ଦିରା ସରକାର ଏକ କପଟାଚରଣ ମାଧ୍ୟମରେ ଅନୁରୂପ ଲକ୍ଷ୍ୟ ହାସଲ କରିଥିଲା। ତତ୍କାଳୀନ କିଂବଦନ୍ତି ସେନାଧ୍ୟକ୍ଷ ଥିବା ଜେନେରାଲ୍‌ ସାମ୍‌ ମାନେକ୍‌ସା (ପରେ ଫିଲ୍‌ଡ ମାର୍ଶାଲ୍‌)ଙ୍କ ଅବସର ପରେ ଅତ୍ୟନ୍ତ ଲୋକପ୍ରିୟ ଏବଂ ବିରଳ ଭିକ୍ଟୋରିଆ କ୍ରସ୍‌ ବିଭୂଷିତ ଲେଫ୍‌ଟନାଣ୍ଟ ଜେନେରାଲ ପିଏସ୍‌ ଭଗତ ପରବର୍ତ୍ତୀ ବରିଷ୍ଠତମ ଅଫିସର୍‌ ରୂପେ ସେନାମୁଖ୍ୟ ପଦ ଲାଭ କରିବା କଥା। ଇନ୍ଦିରା କିନ୍ତୁ ତାହା ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଅବସର ନେବାକୁ ଥିବା ଜେନେରାଲ୍‌ ଜିଜି ବେଉର୍‌ଙ୍କ କାର୍ଯ୍ୟକାଳରେ ଏକ ବର୍ଗ ବୃଦ୍ଧି ଘଟାଇ ଦେଲେ ଯାହା ଫଳରେ ବେଉରଙ୍କ ପୂର୍ବରୁ ଭଗତ୍‌ଙ୍କ ଅବସର ସମୟ ଉପସ୍ଥିତ ହୋଇଗଲା। ଅତଏବ ବେଉର୍‌ ହେଲେ ମାନେକ୍‌ସା ପରବର୍ତ୍ତୀ ସେନାଧ୍ୟକ୍ଷ।
 
ନରେନ୍ଦ୍ର ମୋଦୀ ସରକାର ବର୍ତ୍ତମାନ ଲେଫ୍‌ଟନାଣ୍ଟ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ଙ୍କୁ ପରବର୍ତ୍ତୀ ସେନାଧ୍ୟକ୍ଷ ରୂପେ ନିଯୁକ୍ତି ଦେବାକୁ ଯାଉଥିବା ନିଷ୍ପତ୍ତି ଘୋଷଣା କାହାରିକୁ ଯଦି ଉପରବର୍ଣ୍ଣିତ ଇନ୍ଦିରାସୁଲଭ ଆଚରଣ ଭଳି ମନେ ହେଉଥାଏ, ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ, ରାଓ୍ଵତ୍‌ ବରିଷ୍ଠତା ଭିତ୍ତିରେ ତାଙ୍କ ଉପରେ ଥିବା ଦୁଇଜଣ ଅଫିସର୍‌- ଲେଫ୍‌ଟନାଣ୍ଟ ଜେନେରାଲ୍‌ ପ୍ରବୀନ୍‌ ବକ୍ସି ଏବଂ ଲେଫ୍‌ଟନାଣ୍ଟ ଜେନେରାଲ୍‌ ପିଏମ୍‌ ହରିଜ୍‌ଙ୍କୁ ଅତିକ୍ରମ କରି ଚଳିତ ମାସ ଶେଷରେ ସେନାମୁଖ୍ୟ ରୂପେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କିନ୍ତୁ ଏଥିପାଇଁ ବିରୋଧୀ କଂଗ୍ରେସ ଦଳ ମୋଦୀଙ୍କୁ ଯେଉଁଭଳି ସମାଲୋଚନା କରୁଛି ତାହା ଅତୀତରେ କଂଗ୍ରେସ ସରକାରର ଉପରୋକ୍ତ ଆଚରଣ ପୃଷ୍ଠଭୂମିରେ ହାସ୍ୟାସ୍ପଦ ମନେହୁଏ।
 
କେବଳ ସେତିକି ନୁହେଁ, ନିକଟ ଅତୀତରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଗୁରୁତ୍ୱପୂର୍ଣ୍ଣ ବେସାମରିକ ନିଯୁକ୍ତିମାନଙ୍କରେ ଯେପରି ବରିଷ୍ଠତାକୁ ଜଳାଞ୍ଜଳି ଦେବା ଦେଖା ଯାଇଥିଲା ସେ ପରିପ୍ରେକ୍ଷୀରେ ଦେଖିଲେ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କର ବର୍ତ୍ତମାନର ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଶଠତାପୂର୍ଣ୍ଣ ମନେ ହୋଇଥାଏ। କେତେଟି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ। ୨୦୦୬ରେ ମନମୋହନ ସିଂହ ସରକାର ଶିବ ଶଙ୍କର ମେନନ୍‌ଙ୍କୁ ବିଦେଶ ସଚିବ ପଦରେ ନିଯୁକ୍ତି ପ୍ରଦାନ କରିଥିଲା। ମେନନ୍‌ ଉଭୟ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ  ବ୍ୟାପାର ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କର ଅତ୍ୟନ୍ତ ପ୍ରିୟଭାଜନ ଥିଲେ। ଏଥିରେ କୌଣସି ଅସ୍ୱାଭାବିକତା ନାହିଁ। କିନ୍ତୁ ଯାହା ଅସ୍ୱାଭାବିକ ଥିଲା ତାହା ହେଲା ମେନନ୍‌ ବରିଷ୍ଠତା ତାଲିକାରେ ତାଙ୍କ ଉପରେ ଥିବା ୧୨ ଜଣଙ୍କୁ ପଛରେ ପକାଇ ଏହି ନିଯୁକ୍ତି ଲାଭ କରିଥିଲେ। ସରକାରଙ୍କର ଏହି ନିଷ୍ପତ୍ତି ବୈଦେଶିକ ମନ୍ତ୍ରଣାଳୟରେ ଘୋର ଆଲୋଡ଼ନ ସୃଷ୍ଟି କରିଥିଲା। ନିଷ୍ପତ୍ତିର ପ୍ରତିବାଦରେ ଦୁଇଜଣ ରାଷ୍ଟ୍ରଦୂତ (ଫ୍ରାନ୍‌ସ ଓ ବାଂଲାଦେଶରେ ଅବସ୍ଥାପିତ ଥିବା) ଓ ଜଣେ ସଚିବ ସ୍ତରୀୟ ଅଫିସର ଇସ୍ତଫା ପ୍ରଦାନ କରିଥିଲେ। ୨୦୦୭ରେ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ କିରଣ ବେଦୀଙ୍କୁ ତାଙ୍କର ବରିଷ୍ଠତା ସତ୍ତ୍ୱେ ଦିଲ୍ଲୀର ପୁଲିସ୍‌ କମିସନର୍‌ ରୂପେ ନିଯୁକ୍ତ କରା ନଯାଇ ତାଙ୍କର ଦୁଇ ବ୍ୟାଚ୍‌ ତଳେ ଥିବା ଓ୍ଵାଇ ଏସ୍‌ ଦାଦ୍‌ଓ୍ଵାଲ୍‌ଙ୍କୁ ସେହି ପଦରେ ନିଯୁକ୍ତ କରାଯାଇଥିଲା। ଏହା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିପରି ୨୦୧୩ରେ ୟୁପିଏ ସରକାର ଆଇପିଏସ୍‌ ଅଫିସର୍‌ ଯଶୋବର୍ଦ୍ଧନ ଆଜାଦ୍‌ଙ୍କ ପ୍ରାର୍ଥୀତ୍ୱକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଦଳ ବ୍ୟାଚ୍‌ର ମଧ୍ୟପ୍ରଦେଶ କ୍ୟାଡର୍‌ ଅଫିସର୍‌ ସୈଦ୍‌ ଆସିଫ୍‌ ଇବ୍ରାହିମଙ୍କୁ ଇଣ୍ଟେଲିଜେନ୍‌ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ରୂପେ ନିଯୁକ୍ତ କରିଥିଲା।
 
ସେ ଦୃଷ୍ଟିରୁ ଦେଖିଲେ ମୋଦୀ ସରକାର ବାୟୁସେନା ଏବଂ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ବାହ୍ୟ ନିରାପତ୍ତା ଦାୟିତ୍ୱ ବହନ କରୁଥିବା ସଂଗଠନମାନଙ୍କର ମୁଖ୍ୟମାନଙ୍କ ନିଯୁକ୍ତିରେ ଅନୁସରଣ କରିଥିବା ବରିଷ୍ଠତା ନିୟମ ଉଲ୍ଲେଖଯୋଗ୍ୟ। ବାୟୁସେନାର ପରବର୍ତ୍ତୀ ମୁଖ୍ୟ ରୂପେ ଏଆର୍‌ ମାର୍ଶାଲ୍‌ ବିଏସ୍‌ ଧାନୋଓ୍ଵା, ଇଣ୍ଟେଲିଜେନ୍‌ସ ବ୍ୟୁରୋର ମୁଖ୍ୟ ରୂପେ ରାଜୀବ ଜୈନ ଏବଂ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ଵିଙ୍ଗ୍‌ (ର)ର ସଚିବ ରୂପେ ଅନୀଲ ଧାସ୍‌ମାନାଙ୍କର ନିଯୁକ୍ତି ସମ୍ପୂର୍ଣ୍ଣ ରୂପେ ବରିଷ୍ଠତା ଭିତ୍ତିରେ ହିଁ କରାଯାଇଛି।
 
ବରିଷ୍ଠତା ପ୍ରତି ସମ୍ମାନ ଏକ ଉତ୍ତମ ମାନବୀୟ ଆଚରଣ ରୂପେ ବିବେଚିତ ହୋଇଥାଏ ସତ କିନ୍ତୁ ଜାତୀୟ ନିରାପତ୍ତାର ଦାୟିତ୍ୱ କେବଳ ବରିଷ୍ଠତା ଭିତ୍ତିରେ କାହା ଉପରେ ନ୍ୟସ୍ତ କରାଯିବା ସର୍ବଦା ଏକ ସର୍ବୋତ୍ତମ କୌଶଳ ନହୋଇପାରେ। ଆମେରିକା, ଫ୍ରାନ୍‌ସ, ଜର୍ମାନୀ, ଚୀନ୍‌ ଓ ଏପରିକି ପାକିସ୍ତାନ ଭଳି ଦେଶମାନଙ୍କରେ ତେଣୁ ସେନା ମୁଖ୍ୟ ନିଯୁକ୍ତିରେ ବରିଷ୍ଠତାକୁ ଏକମାତ୍ର ଯୋଗ୍ୟତା ରୂପେ ଗ୍ରହଣ କରାଯାଏ ନାହିଁ। ଭାରତରେ ସାମରିକ ବାହିନୀ ମୁଖ୍ୟମାନଙ୍କୁ ଚୟନ କରିବାର ଦାୟିତ୍ୱ ବହନ କରୁଥିବା ସର୍ବୋଚ୍ଚ ରାଜନୈତିକ ଅନୁଷ୍ଠାନ ହେଉଛି କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ୍‌)। ତିନି ବାହିନୀର ମୁଖ୍ୟମାନେ ନିୟମିତ ଭାବରେ ତଥା ଘନିଷ୍ଠ ଭାବରେ ‘ସିସିଏସ୍‌’ସହିତ ଭାବର ଆଦାନ ପ୍ରଦାନ କରିଥାନ୍ତି। ‘ସିସିଏସ୍‌’ ଓ ବାହିନୀ ମୁଖ୍ୟମାନଙ୍କ ମଧ୍ୟରେ ଏକ ସହଜ ସମ୍ପର୍କ ସ୍ଥାପିତ ହେବା ଏବଂ ଦେଶର ନିରାପତ୍ତା ପାଇଁ ଯୋଜନା ପ୍ରସ୍ତୁତିରେ ସେମାନଙ୍କ ମଧ୍ୟରେ ତାଳମେଳ ରହବା ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
 
ମନେରଖିବା କଥା ଭାରତରେ ତିନିଜଣ ବରିଷ୍ଠତମ ଲେଫେ୍‌ଟନାଣ୍ଟ  ଜେନେରାଲ୍‌ଙ୍କୁ ନେଇ ଗଠିତ କଲେଜିଅମ୍‌ରୁ ଜଣଙ୍କୁ ସେନା ମୁଖ୍ୟ ରୂପେ ଚୟନ କରାଯାଇଥାଏ। ରାଓ୍ଵତ୍‌ ଏହି ତିନିଜଣଙ୍କ ମଧ୍ୟରେ ସର୍ବକନିଷ୍ଠ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ଯୁକ୍ତିଯୁକ୍ତ ଭାବରେ ତିନିଜଣ ସୁଯୋଗ୍ୟ ଅଫିସର୍‌ କଲେଜିଅମ୍‌ ସ୍ତରରେ ପହଞ୍ଚି ଯିବା ପରେ ସେମାନଙ୍କ ମଧ୍ୟରୁ ଦେଶର ନିରାପତ୍ତା ରକ୍ଷା ପାଇଁ ଉପଯୁକ୍ତ ବୋଲି ଯିଏ ‘ସିସିଏସ୍‌’ର ବିଶ୍ୱାସଭାଜନ ହେବେ ତାଙ୍କୁ ହିଁ ସେନାମୁଖ୍ୟ କରାଯିବା ଉଚିତ। ଏହା ଏକ ଗଣତନ୍ତ୍ରରେ ସେନାବାହିନୀକୁ ବେସାମରିକ ନିୟନ୍ତ୍ରଣ ମଧ୍ୟରେ ରଖିବାର ଏକ ଫଳପ୍ରଦ ଉପାୟ। ବିରୋଧୀମାନେ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ତଥା ବିପଜ୍ଜନକ ମଧ୍ୟ।