21 January 2017
3:35:49 AM
image
Sambad News
ସମ୍ପାଦକୀୟ

ଅସତ୍ୟ ସୌଦାଗର

By Sambad | Date: Dec 22 2016 4:37AM
ଅସତ୍ୟ ସୌଦାଗର

ମରଦପଣିଆ ସମ୍ବନ୍ଧରେ ଏକ ବହୁ ପ୍ରଚଳିତ ଢ଼ଗ ହେଉଛି: ‘‘ମରଦ୍‌ କା ବାତ୍‌, ହାଥୀ କା ଦାନ୍ତ୍‌’’। ଜଣେ ପ୍ରକୃତ ମରଦପୁଅର କଥା ହାତୀର ଦାନ୍ତ ପରି ମଜଭୁତ; ସେ ଦେଇଥିବା କଥାରୁ କେବେହେଲେ ଓହରି ଯିବାକୁ ଚେଷ୍ଟା କରେ ନାହିଁ କି ତାହା ବଦଳାଇବାକୁ ଉଦ୍ୟମ କରେ ନାହିଁ। ଶାରୀରିକ ଦୃଷ୍ଟିରୁ ମରଦପଣିଆର ଏକ ମାପକାଠି ରୂପେ ପୁରୁଷର ଛାତିର ଚଉଡ଼ାକୁ ପ୍ରଦର୍ଶିତ କରାଯାଇଥାଏ। ଯାହାର ଛାତିର ଚଉଡ଼ା ଯେତେ ଅଧିକ ସେ ନିଜକୁ ସେତେ ଅଧିକ ମରଦପଣିଆର ଅଧିକାରୀ ବୋଲି ଦାବି କରିଥାଏ। କିନ୍ତୁ ଜଣେ ଚଉଡ଼ା ଛାତି ବହନ କରୁଥିବା ପୁରୁଷ ଯଦି ନିଜେ ଦେଇଥିବା କଥା ରଖେ ନାହିଁ ଏବଂ ଏହା ତା’ର ନିୟମିତ ଅଭ୍ୟାସ ରୂପେ ଆବିର୍ଭୂତ  ହୁଏ, ତେବେ ସେ ଚଉଡ଼ା ଛାତି ସତ୍ତ୍ୱେ ତା’ଠାରେ ମରଦପଣିଆ ଅଛି ବୋଲି କେହି ସ୍ୱୀକାର କରିବେ ନାହିଁ, ସେ ଯେତେ ଛାତି ଫୁଲାଇ, ବାଡ଼େଇ ତାହା ଘୋଷଣା କଲେ ମଧ୍ୟ।
 
ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୫୬ ଇଞ୍ଚ ଚଉଡ଼ା ଛାତିକୁ ତାଙ୍କର ମରଦପଣିଆର ପ୍ରମାଣ ରୂପେ ସର୍ବଦା ସଗର୍ବରେ ଘୋଷଣା କରି ଆସିଛନ୍ତି। କିନ୍ତୁ ଶରୀରର ଆକୃତି ନୁହେଁ, ବଚନର ଟାଣପଣ ଯେ ପ୍ରକୃତ ମରଦର ଲକ୍ଷଣ ତାହା ବୋଧହୁଏ ତାଙ୍କୁ ମାଲୁମ ନାହିଁ କିମ୍ବା ସେ ଭୁଲି ଯାଇଛନ୍ତି। ତାଙ୍କ ରଚିତ୍ରର ଏହି ବିଶେଷ ଦୁର୍ବଳତାକୁ ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ପଦାରେ ପକାଇ ଦେଇଛି ତାହା ହେଉଛି ବିମୁଦ୍ରୀକରଣ ସମ୍ପର୍କିତ ତାଙ୍କର ପରିବର୍ତ୍ତନଶୀଳ ପ୍ରତିଶ୍ରୁତିମାନ। ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା କରିବା ପରଠାରୁ ସେ ଯେଉଁଭଳି ନିୟମିତ ଭାବରେ କଥା ବଦଳାଇ ଚାଲିଛନ୍ତି ତାହା ଦେଶର ପ୍ରଶାସନିକ ଇତିହାସରେ ଅଭୂତପୂର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅବଶ୍ୟ ଏ ସବୁ କଥା ବିଭିନ୍ନ ବ୍ୟକ୍ତିଙ୍କ ମୁହଁରୁ ବାହାରିଛି- ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କିମ୍ବା ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ କିମ୍ବା ହସମୁଖ ଆଢ଼ିଆ, କିମ୍ବା ବିରଳ ଭାବରେ ରିଜର୍ଭବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଉର୍ଜିତ ପଟେଲ୍‌ ଇତ୍ୟାଦି। କିନ୍ତୁ ଏହା କାହାରିକୁ ଅଛପା ନୁହେଁ ଯେ ଏମାନେ ସମସ୍ତେ ହେଉଛନ୍ତି ନିମିତ୍ତ ମାତ୍ର। ମୋଦୀ ହିଁ ହେଉଛନ୍ତି ସରକାର। ଚତୁର୍ମୁଖ ବ୍ରହ୍ମାଙ୍କର ଏକାଧିକ ମୁହଁ ଭଳି ଏମାନେ ମୋଦୀଙ୍କର ବିଭିନ୍ନ ମୁହଁମାନ।
 
ନଭେମ୍ବର ୮ ତାରିଖ ପରଠାରୁ ବିତ୍ତ ମନ୍ତ୍ରଣାଳୟ ଓ ରିଜର୍ଭବ୍ୟାଙ୍କ୍‌ ମିଶି ଯେଉଁ ସବୁ ନୂଆ ନୂଆ ଓ ପରସ୍ପର ବିରୋଧୀ ଘୋଷଣା, ନିୟମ ଓ ବିଜ୍ଞପ୍ତିମାନ ଜାରି କରି ଚାଲିଛନ୍ତି ଏବଂ ଛ’ ସପ୍ତାହ ମଧ୍ୟରେ ତା’ର ସଂଖ୍ୟା ପ୍ରାୟ ୬୦ ଛୁଇଁଲାଣି। ଅର୍ଥାତ୍‌ ସପ୍ତାହକୁ ହାରାହାରି ଦଶଥର ନୋଟ୍‌ ବଦଳ, ନୋଟ୍‌ ଉଠାଣ ଓ ନୋଟ୍‌ ଜମା ସମ୍ପର୍କିତ ସର୍ତ୍ତ ଓ ନିୟମାବଳୀରେ ପରିବର୍ତ୍ତନ କରାଯାଇଛି କିମ୍ବା ନୂଆ କଥା କୁହାଯାଇଛି। ଏଥିରୁ କେତୋଟି ଉଦାହରଣ ପାଠକମାନଙ୍କର ଧ୍ୟାନ ଆକର୍ଷଣ ପାଇଁ ଏଠାରେ ପୁଣି ଥରେ ଉଲ୍ଲେଖ କରାଯାଇପାରେ। ୮ ନଭେମ୍ବର: ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରି ଦିଆଗଲା ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ୧୦ ନଭେମ୍ବର: ଉଠାଣ ସୀମା ଦିନକୁ ୧୦,୦୦୦ ଟଙ୍କା ଓ ସପ୍ତାହକୁ ୨୦,୦୦୦ ଟଙ୍କାରେ ଧାର୍ଯ୍ୟ। ୧୧ ନଭେମ୍ବର: ଲୋକମାନେ ଅଧୈର୍ଯ୍ୟ ନ ହୋଇ ନିଜ ସୁବିଧା ଅନୁସାରେ ଡିସେମ୍ବର ୩୦ ମଧ୍ୟରେ ନିଜ ପାଖରେ ଥିବା ପୁରୁଣା ନୋଟ ବଦଳାନ୍ତୁ ବୋଲି ରିଜର୍ଭ ବ୍ୟାଙ୍କ୍‌ର ଆହ୍ଵାନ। ଠିକ୍‌ ପରଦିନ, ୧୨ ନଭେମ୍ବର: ଲୋକମାନେ ଛାନିଆ ନ ହେବା ପାଇଁ ରିଜର୍ଭବ୍ୟାଙ୍କ୍‌ର ନିବେଦନ। ୧୩ ନଭେମ୍ବର: ନୋଟ୍‌ ବଦଳ ସୀମା ଦୈନିକ ୪,୫୦୦ ଟଙ୍କାକୁ ବୃଦ୍ଧି; ଏଟିଏମ୍‌ରୁ ଉଠାଣ ସୀମା ୨,୦୦୦ ଟଙ୍କାରୁ ୨,୫୦୦ ଟଙ୍କାକୁ ବୃଦ୍ଧି, ସାପ୍ତାହିକ ଉଠାଣ ସୀମା ୨୪,୦୦୦ ଟଙ୍କାକୁ ବୃଦ୍ଧି, ଦୈନିକ ଉଠାଣ ସୀମା ଉଚ୍ଛେଦ। ୧୪ ନଭେମ୍ବର: ସମବାୟ ବ୍ୟାଙ୍କ୍‌ରେ ପୁରୁଣା ନୋଟ୍‌ ବଦଳ ଓ ଜମା ନିଷିଦ୍ଧ। ୧୫ ନଭେମ୍ବର: ନୋଟ୍‌ ବଦଳକାରୀଙ୍କ ଆଙ୍ଗୁଳିରେ ଅଲିଭା କାଳି ଦାଗ ଲଗାଇବା ଆରମ୍ଭ। ୧୭ ନଭେମ୍ବର: ତୃତୀୟ ଥର ପାଇଁ ନୋଟ୍‌ ବଦଳ ସୀମାରେ ପରିବର୍ତ୍ତନ କରାଯାଇ ଦୈନିକ ୨୦୦୦ ଟଙ୍କାରେ ସୀମିତ ହେଲା। ନଭେମ୍ବର ୨୧: ବିବାହ ଖର୍ଚ୍ଚ ପାଇଁ କଠୋର ପ୍ରମାଣ ଦାଖଲ କଲେ ୨,୫୦,୦୦୦ ଟଙ୍କା ଉଠାଣ ପାଇଁ ଅନୁମତି। ନଭେମ୍ବର ୨୩: ସ୍ୱଳ୍ପ ସଂଚୟ ଏକାଉଣ୍ଟରେ ପୁରୁଣା ନୋଟ୍‌ ଜମା ନିଷିଦ୍ଧ।
 
ଶେଷରେ (ଏହା ଲେଖା ହେବା ପର୍ଯ୍ୟନ୍ତ) ଡିସେମ୍ବର ୧୯: ବର୍ତ୍ତମାନ ପୁରୁଣା ନୋଟ୍‌ ବ୍ୟାଙ୍କ୍‌ରେ ଜମା କରିବାକୁ ଚାହୁଁଥିବା ନାଗରିକକୁ କର୍ତ୍ତୃପକ୍ଷଙ୍କ ସନ୍ତୋଷ ବିଧାନ କଲା ଭଳି ବିଳମ୍ବରେ ଜମା କରୁଥିବାର କାରଣ ବୁଝାଇବାକୁ ପଡ଼ିବ। ଆରମ୍ଭରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସର୍ବଶେଷ ସମୟସୀମା ପୂରିବାର ୧୧ ଦିନ ପୂର୍ବରୁ କରାଯାଇଥିବା ଏହି ଘୋଷଣା ଅନୁସାରେ ଏଣିକି ୫୦୦୦ ଟଙ୍କାରୁ ଅଧିକ ପୁରୁଣା ନୋଟ୍‌ ଜମାକାରୀଙ୍କୁ ଦୁଇଜଣ ବ୍ୟାଙ୍କ୍‌ ଅଫିସରଙ୍କ ନିକଟରେ ହାଜିର ହୋଇ ବିଳମ୍ବର କାରଣ ଦର୍ଶାଇବାକୁ ପଡ଼ିବ ଏବଂ ସେ ଥରେ ମାତ୍ର ଏଭଳି ଜମା କରି ପାରିବେ। ଏଠାରେ ତତ୍‌କ୍ଷଣାତ୍‌ ଯେଉଁ ପ୍ରଶ୍ନ ମନକୁ ଆସୁଛି ତାହା ହେଲା ବ୍ୟାଙ୍କ୍‌ର ଅଧିକାର। ବ୍ୟାଙ୍କ୍‌ ହେଉଛି ଏକ ବାଣିଜ୍ୟିକ ଅନୁଷ୍ଠାନ ଯାହାର କାର୍ଯ୍ୟ ହେଉଛି ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରି ନିବେଶକ ବା ଋଣ କର୍ତ୍ତାମାନଙ୍କୁ ଋଣ ପ୍ରଦାନ କରିବା। ଜମାକାରୀଙ୍କ ଆୟର ବୈଧତା କିମ୍ବା ଜମା କରିବାରେ ବିଳମ୍ବର କାରଣ ଅନୁସନ୍ଧାନ କରିବା ପାଇଁ ବ୍ୟାଙ୍କ୍‌ର ଆଇନଗତ ଅଧିକାର ନାହିଁ (ଯେମିତି ଅଙ୍ଗୁଳିରେ ଦାଗ ଲଗାଇବାର ଅଧିକାର ମଧ୍ୟ ନାହିଁ)। ଏହା ଲୁଚି ରହି ନାହିଁ ଯେ ଦେଶରେ ପୁରୁଣା ନୋଟ୍‌ ବଦଳ ପାଇଁ ଅନେକ ଅସାଧୁ ର‍୍ୟାକେଟ୍‌ କାର୍ଯ୍ୟ କରୁଛି। ବ୍ୟାଙ୍କ୍‌ର ଏପରି ଅନଧିକାର ଚର୍ଚ୍ଚା ଯୋଗୁଁ ଯଦି କେତେକ ଜମାକାରୀ ବ୍ୟାଙ୍କ୍‌ରୁ ମୁହଁ ଫେରାଇ ଏସବୁ କଳାଧନ ସୃଷ୍ଟି କେନ୍ଦ୍ରମାନଙ୍କ ଦିଗରେ ମୁହାଁନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ କଳାଧନ ଲୋପ ଉଦ୍ଦେଶ୍ୟରେ ବିମୁଦ୍ରୀକରଣ ପଦକ୍ଷେପ ନିଆ ଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଆରମ୍ଭରେ ଘୋଷଣା କରିଥିଲେ (ଯଦିବା ବର୍ତ୍ତମାନ ସେ କଥା ଆଉ ବେଶି ଶୁଣିବାକୁ ମିଳୁନାହିଁ)।
 
ହାସ୍ୟାସ୍ପଦ ଭାବରେ ଅର୍ଥମନ୍ତ୍ରୀ ଜେଟ୍‌ଲୀ କହିଛନ୍ତି ଯେ ବ୍ୟାଙ୍କ୍‌ ମାନଙ୍କରେ ଗହଳି କମାଇବା ପାଇଁ ଏହି ନୂତନ ନିୟନ୍ତ୍ରଣ ଲାଗୁ କରାଯାଇଛି। ଜନତାର ସ୍ମୃତି ଶକ୍ତି କ୍ଷୀଣ ବୋଲି କୁହାଯାଇଥିଲେ ହେଁ ଏକଥା କେହି ଭୁଲି ନଥିବେ ଯେ ସେଇ ଜେଟ୍‌ଲୀ ନଭେମ୍ବର ୧୨ ତାରିଖରେ ଘୋଷଣା କରିଥିଲେ ଯେ କେହି ପୁରୁଣା ନୋଟ୍‌ ଜମା କରିବା ପାଇଁ ତରବର ହୋଇ ଯାଇ ବ୍ୟାଙ୍କ୍‌ରେ ଗହଳି କରିବା ଉଚିତ ନୁହେଁ, କାରଣ ଡିସେମ୍ବର ୩୦ ପର୍ଯ୍ୟନ୍ତ ସମୟ ଅଛି। ତାଙ୍କ ଆହ୍ଵାନର ଅର୍ଥ ଥିଲା ଜମାକାରୀମାନେ ବରଂ ବିଳମ୍ବରେ ବ୍ୟାଙ୍କ୍‌କୁ ଯିବା ଉଚିତ ହେବ। ଯେଉଁମାନେ ତାଙ୍କୁ ବିଶ୍ୱାସ କରି ଓ ତାଙ୍କ ଅନୁରୋଧ ରକ୍ଷା କରି ବିଳମ୍ବ କରିଥିଲେ ସେମାନେ ବର୍ତ୍ତମାନ ନିଜର କିଛି ସଂଚିତ ସମ୍ପଦ ହରାଇବା ନିଶ୍ଚିତ। କଥାରେ ଅଛି ‘‘ତୋ ବାକ୍ୟ ତୁହି ରକ୍ଷାକର, ଅସତ୍ୟ ନୁହଁ ସୌଦାଗର’’। ମୋଦୀ କିନ୍ତୁ ସେଭଳି ସୌଦାଗର ନୁହନ୍ତି।