23 August 2017
11:15:58 PM
image
Sambad News
ସମ୍ପାଦକୀୟ

ଜନତାଙ୍କ ଉପରେ ଜୁଲମ

By Sambad | Date: Dec 23 2016 5:31AM
ଜନତାଙ୍କ ଉପରେ ଜୁଲମ

ଗଣତନ୍ତ୍ରରେ ବିରୋଧ କରିବାର, ପ୍ରତିବାଦ ଜଣାଇବାର ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ସବୁ ଅଧିକାର ଭଳି ପ୍ରତିବାଦ ଜଣାଇବାର ଅଧିକାର ପାଇଁ  ମଧ୍ୟ ଏକ ଲକ୍ଷ୍ମଣରେଖା ଟଣାଯାଇଛି। ଯେମିତି କୁହାଯାଏ ଜଣେ ବ୍ୟକ୍ତିର ନିଜ ହାତ ହଲାଇବାର ପୂରା ଅଧିକାର ରହିଛି, ଯେପର୍ଯ୍ୟନ୍ତ ଅନ୍ୟ ଜଣେ ବ୍ୟକ୍ତିର ନାକ ଆରମ୍ଭ ହୋଇ ନାହିଁ। ହାତ ହଲାଇ ପାର, କିନ୍ତୁ ତାହା ଅନ୍ୟର ନାକରେ ବାଜିବ ନାହିଁ। ଠିକ୍‌ ସେହିପରି ଗଣତନ୍ତ୍ରରେ  ପ୍ରତିବାଦ ତଥା ବିରୋଧର ସ୍ଥାନ ଥିଲେ ସୁଦ୍ଧା, ପ୍ରତିବାଦ ଆଳରେ ଉଗ୍ର ଉଚ୍ଛଙ୍ଖଳତା, ହିଂସାର କୌଣସି ସ୍ଥାନ ନାହିଁ। ତେବେ ଦୁର୍ଭାଗ୍ୟର ବିଷୟ ହେଲା, ବୁଧବାର ଦିନ ରାଜଧାନୀର ରାସ୍ତା ଉପରେ ପ୍ରତିବାଦ ଓ ବିରୋଧ ଆଳରେ ଯେଉଁ ତାଣ୍ଡବ ଦେଖିବାକୁ ମିଳିଲା ତାହା ହିଂସ୍ର ଗୁଣ୍ଡାଗିରି ବ୍ୟତୀତ ଆଉ କିଛି ନଥିଲା। ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ବଳ କଷାକଷିରେ ନିରୀହ ନାଗରିକ ଜୁଲମର ଶିକାର ହେଲେ।
 
ଆହୁରି ଦୁର୍ଭାଗ୍ୟର ବିଷୟ ହେଲା, ଯେଉଁ ଦୁଇ ଦଳ ଗଣତାନ୍ତ୍ରିକ ଆଦର୍ଶ, ମୂଲ୍ୟବୋଧ, ଦେଶର ଆଇନ ଓ ଏକାଧିକ ଅଦାଲତୀ ରାୟକୁ ରାସ୍ତା ଉପରେ ଜୁଇରେ ବସାଇଲେ, ଉଭୟ କ୍ଷମତା ସହ ଯୋଡ଼ି ହୋଇଛନ୍ତି। ଗୋଟିଏ ଦଳ ରାଜ୍ୟରେ ଶାସନ କରୁଥିବା ବେଳେ, ଅନ୍ୟ ଦଳ କେନ୍ଦ୍ରରେ କ୍ଷମତାସୀନ। ଗୋଟିଏ ପକ୍ଷରେ ଯୌନ କେଳେଙ୍କାରୀ ଭିଡ଼ିଓ ଏବଂ ଋଷି ହତ୍ୟା ମାମଲାର ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବନ୍ଦ (ଅଦାଲତୀ ନିର୍ଦେଶକୁ ଏଡ଼ାଇବା ପାଇଁ କାଗଜପତ୍ରରେ ଏହା ଥିଲା ‘ହରତାଳ’) ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ବିଜେପିର ବନ୍ଦକୁ ବିରୋଧ କରି ବିଜେଡି ପକ୍ଷରୁ ପାଲଟା ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା। ପରିଣତି ରାସ୍ତା ଉପରେ ଦୁଇ ପକ୍ଷ ମୁହାଁମୁହିଁ ହେଲେ ଏବଂ ଦୀର୍ଘ ଚାରିଘଣ୍ଟା ଧରି ଚାଲିଲା ଗୁଣ୍ଡାରାଜ, ଯାହାର ଶିକାର ହେଲେ ନିରୀହ ଜନତା। 
 
ଏହାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ। ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ପାଇଁ ଅନୁମତି ବିନା  ପ୍ରତିପକ୍ଷଙ୍କ ବିରୋଧରେ ବିଜେଡ଼ିର ମଟର ସାଇକେଲ୍‌ ରାଲି ଯେତିକି ଦୁଃଖଦାୟକ ଓ ନିନ୍ଦନୀୟ, ଜବରଦସ୍ତ ବନ୍ଦ ପାଇଁ  ବିଜେପି କର୍ମୀଙ୍କ ଦ୍ୱାରା ଭଙ୍ଗାରୁଜା, ପୋଡ଼ାଜଳା ସେତିକି ଦୁଃଖଦାୟକ ଓ ନିନ୍ଦନୀୟ। ବୁଧବାର ଦିନର ଘଟଣାକ୍ରମ ରାଜ୍ୟବାସୀଙ୍କ ସାମୂହିକ ଗଣତାନ୍ତ୍ରିକ ଭାବନା ଏବଂ ଆଇନ ଶୃଙ୍ଖଳା ପ୍ରତି ବିଶ୍ୱାସକୁ ଶକ୍ତ ଧକ୍କା ଦେଇଛି। ସଂପୃକ୍ତ ଦୁଇ ପକ୍ଷ ମଧ୍ୟରୁ କୌଣସି ଦଳର ନେତୃତ୍ୱ ବର୍ତ୍ତମାନ ସୁଦ୍ଧା ଏ ଅପ୍ରୀତିକର ଘଟଣା ପାଇଁ ଦୁଃଖ ପ୍ରକାଶ କରି ନ ଥିବା ଆଶ୍ଚର୍ଯ୍ୟର ବିଷୟ। କୌଣସି ପ୍ରସଙ୍ଗ କିମ୍ବା ଦାବି ଉପରେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଦଳମାନେ ଅଧିକାର ପ୍ରାପ୍ତ। କିନ୍ତୁ ଏହି ଅଧିକାରର ପ୍ରୟୋଗର ପରିଣତି ସାଧାରଣ ନାଗରିକଙ୍କ ଅଧିକାରର ହନନ ନୁହେଁ। ରାଜନୈତିକ ଦଳ କିମ୍ବା ଅନ୍ୟ କୌଣସି ସଂଗଠନ ଦ୍ୱାରା ‘ବନ୍ଦ’ ନାଗରିକଙ୍କ ମୌଳିକ ଅଧିକାରର ବିରୋଧାଚରଣ। ଷୋହଳ ବର୍ଷ ପୂର୍ବେ କେରଳ ହାଇକୋର୍ଟ ଦେଇଥିବା ଏହି ମତକୁ ସୁପ୍ରିମ୍‌ କୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ଏହା ସତ୍ତ୍ୱେ ରାଜଧାନୀ ଭଳି ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ବନ୍ଦ ପାଳନ ହେଉଛି ଏବଂ ନାଗରିକଙ୍କ ଉପରେ ଜୁଲମ ଚାଲିଛି।
 
ଦୁର୍ଭାଗ୍ୟଜନକ ବିଡ଼ମ୍ବନାର ବିଷୟ ହେଲା, ବାରମ୍ବାର ପ୍ରତିବାଦାତ୍ମକ ‘ବନ୍ଦ’ ବେଳେ ଆଇନର ଉଲ୍ଲଂଘନ ଓ ସାଧାରଣ ଜନତା ଜୁଲମର ଶିକାର ହେଉଥିଲେ ମଧ୍ୟ ଆଇନଶୃଙ୍ଖଳା କର୍ତ୍ତୃପକ୍ଷ   ନିଷ୍କ୍ରିୟ ରହି ଏଥିରେ ଏକ ପ୍ରକାର ସହେଯୋଗ କରୁଛନ୍ତି। ବୁଧବାର ଦିନ ମଧ୍ୟ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌କୁ ଏହି ଭୂମିକାରେ ଦେଖିବାକୁ ମିଳିଥିଲା। ମାତ୍ର ଦଶଦିନ ତଳେ ଗୋଟିଏ ଚାଷୀ ସମାବେଶକୁ ଭଣ୍ଡୁର କରିବା ଲାଗି ପୁଲିସ୍‌ ନିଜ କ୍ଷମତାର ପୂରା ଅପପ୍ରୟୋଗ କରିଥିଲେ। ସଫେଇ ଦିଆଯାଇଥିଲା ଚାଷୀ ସମାବେଶ ଯୋଗୁ ଶାନ୍ତି ଭଙ୍ଗର ଆଶଙ୍କା ରହିଛି। କିନ୍ତୁ ବୁଧବାର ଦିନ ଦୁଇଟି ଦଳର କର୍ମୀମାନେ ଖୋଲାଖୋଲି   ଆଇନର ଉଲ୍ଲଂଘନ କରି ଶାନ୍ତି ଭଙ୍ଗ କ’ଣ, ଆତଙ୍କ ଖେଳାଇଲେ, ଅଥଚ ପୁଲିସ୍‌ ଏକ ପ୍ରକାର ନିରବଦ୍ରଷ୍ଟା ସାଜିଲା। ବିଜେପିର ହରତାଳ ପାଳନ ନେଇ ପୁଲିସ୍‌ ପାଖରେ ଆଗୁଆ ସୂଚନା ଥିଲା। ଅଥଚ ସେହି ସମୟରେ ବିଜେଡି କର୍ମୀଙ୍କ ମଟର ସାଇକେଲ୍‌ ରାଲି ବାହାରିଲା। ପ୍ରଶ୍ନ ଉଠୁଛି ବିଜେଡିର ରାଲିକୁ ରୋକାଗଲା ନାହିଁ କାହିଁକି?ପୁଣି ରାଲି ପାଇଁ ଅନୁମତି ନିଆଯାଇ ନଥିଲା। ଏହା ସ୍ୱତଃ ପୁଲିସ୍‌ର ଭୂମିକାକୁ ସନ୍ଦିଗ୍‌ଧ କରି ଦେଉଛି। ଯଦି ମଟର ସାଇକେଲ୍‌ ରାଲିକୁ ରୋକାଯାଇଥାନ୍ତା, ତେବେ ଉଭୟପକ୍ଷ  ପରସ୍ପରର ମୁହାଁମୁହିଁ ହେବା ପରିସ୍ଥିତିକୁ ଏଡ଼ାଯାଇ ପାରିଥାନ୍ତା। 
 
ଆହୁରି ମଧ୍ୟ ବିଜେପିର ‘ବନ୍ଦ’ ଡାକରା ସତ୍ତ୍ୱେ ଅନେକ ସଂଗଠନ ଦୋକାନ ବଜାର ଖୋଲା ରଖିବାକୁ ଏବଂ ଯାନ  ବାହନ ଚଳାଚଳ ଅବ୍ୟାହତ ରଖିବା ଲାଗି ଘୋଷଣା କରିଥିଲେ। ଏହାସତ୍ତ୍ୱେ ପୁଲିସ୍‌ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଗଲା ନାହିଁ କାହିଁକି? ଦେଖିବାକୁ ମିଳିଲା ପୁଲିସ୍‌ର ଲାଠିଠାରୁ ବିଜେଡି ଓ ବିଜେପି କର୍ମୀଙ୍କ ହାତରେ ଥିବା ଲାଠି ଗୁଡ଼ିକର ଉଚ୍ଚତା ଅଧିକ ଥିଲା। ଏହାହିଁ ସୂଚାଉଛି ଯେ, ନିରୀହ ଚାଷୀଙ୍କ ଉପରେ ସିଂହ ସାଜୁଥିବା ପୁଲିସ୍‌ ରାଜନୈତିକ ଦଳଙ୍କ ବେଳକୁ ମୂଷିକ ଅବତାର ନେଉଛି। କ୍ଷମତା ସହ ଯୋଡ଼ି ହୋଇଥିବା ଆଇନ ଖିଲାପିଙ୍କ ପ୍ରତି ପୁଲିସ୍‌ର ଏ ପକ୍ଷପାତପୂର୍ଣ୍ଣ କୋହଳ ମନୋଭାବ ଯୋଗୁ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଆଇନର ଶାସନ କେବଳ ଧର୍ମକୁ ଆଖିଠାର। ପୁଲିସ୍‌ କର୍ତ୍ତୃପକ୍ଷ ଏ ବିଷୟରେ ଆଦୌ ଅଜଣା ନଥିବେ ଯେ, ୨୦୦୯ରେ ସୁପ୍ରିମ୍‌ କୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ କୌଣସି ପ୍ରକାର ପ୍ରତିବାଦ ଶୋଭାଯାତ୍ରା ବେଳେ ଲାଠି ସମେତ ସବୁ ପ୍ରକାର ଅସ୍ତ୍ର ଧାରଣକୁ ନିଷେଧ କରିଛନ୍ତି। ଏହାସତ୍ତ୍ୱେ ଉଭୟ ବିଜେଡି ଓ ବିଜେପିର ଉନ୍ମତ୍ତ କର୍ମୀମାନେ ଖୋଲାଖୋଲି ପରସ୍ପରକୁ ଲାଠିରେ ଆକ୍ରମଣ କରିବା, ଲାଠିରେ ବାଡ଼େଇ ଦୋକାନ, ଗାଡ଼ି ଆଦି ଭଙ୍ଗାରୁଜା କରିବା- କୋର୍ଟ ଓ ଆଇନର ଚରମ ଅବମାନନା। 
 
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବୁଧବାର ଦିନ ଯେମିତି ଦୁଇଟି ଦଳ ରାଜନୈତିକ ନିଶ ଲଢ଼େଇରେ ଗଣତାନ୍ତ୍ରିକ ଆଦର୍ଶ, ନାଗରିକଙ୍କ ପ୍ରତି ସେମାନଙ୍କ ଗଣତାନ୍ତ୍ରିକ ଦାୟିତ୍ୱବୋଧକୁ ଭୁଲିଗଲେ, ସେମିତି ଖାକି ବାହିନୀ ମଧ୍ୟ କ୍ଷମତାର ନାଲି ଆଖି ଭୟରେ ଆଇନ ପ୍ରତି ନିଜର ଆନୁଗତ୍ୟ ଓ କର୍ତ୍ତବ୍ୟବୋଧକୁ ଭୁଲିଗଲେ। ଗଣତନ୍ତ୍ର ଓ ଆଇନର ଶାସନ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ।