23 September 2017
8:06:03 PM
Sambad News
ସମ୍ପାଦକୀୟ

ପୁଣି ‘ଓଢ଼ଣି ଖୋଲା’!

By Sambad | Date: Dec 24 2016 4:46AM
ପୁଣି ‘ଓଢ଼ଣି ଖୋଲା’!

‘‘ଗତ ୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଝିଅମାନଙ୍କ ମୁହଁରୁ ସୁରକ୍ଷା କର୍ମୀମାନେ କଳା ଓଢ଼ଣି ହଟାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ମୋତେ ମର୍ମାହତ କରିଛି। ... ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ କଡ଼ା ଚେତାବନୀ ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷା, ସଶକ୍ତୀକରଣ ଏବଂ ସ୍ୱାଭିମାନ ରକ୍ଷା କରିବା ଦିଗରେ ମୋ ସରକାର ଅତ୍ୟନ୍ତ ସମ୍ବେଦନଶୀଳ।’’ ଏହା ଥିଲା ଡିସେମ୍ବର ସାତ ତାରିଖ ଦିନ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ସୁନ୍ଦରଗଡ଼ ଜିଲ୍ଲା ମଂଗସପୁରଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଓଢ଼ଣି ଖୋଲାଯିବା ଘଟଣା ନେଇ  ବିଧାନସଭା ଦୁଇଦିନ ଅଚଳ ହେବା ପରେ ଶାସନ ମୁଖ୍ୟ ତାଙ୍କ ଏହି ବୟାନରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ଘଟଣାର ତଦନ୍ତ ପାଇଁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସୁରକ୍ଷା କର୍ମୀମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିଧାନସଭାର ପବିତ୍ର କକ୍ଷରେ ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କୁ ଏହି ଆଶ୍ୱାସନା ବାଣୀ ଶୁଣାଇବାର ଦୁଇ ସପ୍ତାହ ନପୂରୁଣୁ ପୁଣି ଦୁର୍ଭାଗ୍ୟଜନକ ମହିଳାଙ୍କ ଓଢ଼ଣି ଖୋଲା ଘଟଣାର ପୁନରାବୃତ୍ତି ଘଟିଛି। ଏଥର ଏ ଦୁର୍ଭାଗ୍ୟପୂର୍ଣ୍ଣ, ଲଜ୍ଜାଜନକ, ଅଶାଳୀନ ‘ଓଢ଼ଣି ଖୋଲା’ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଏକ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଜୟପୁରଠାରେ। ଗୁରୁବାର ଦିନ ଜୟପୁରଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେବାକୁ ଆସିଥିବା ମହିଳାମାନଙ୍କୁ ସୁରକ୍ଷା ଆଳରେ ଓଢ଼ଣି, ସାଲ୍‌, ଏପରିକି ଗାମୁଛା ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା। ପୁଲିସ୍‌ର ଏ ବ୍ୟଭିଚାରପୂର୍ଣ୍ଣ ଜୁଲମ ବିରୋଧରେ କେତେକ ମହିଳା ପ୍ରତିବାଦର ସ୍ୱର ଉଠାଇଥିଲେ ସୁଦ୍ଧା ଖାକି ବାବୁମାନଙ୍କ ଦୁଃଶାସନସଦୃଶ ଆଭିମୁଖ୍ୟ ଓ ଆଚରଣରେ କୌଣସି ପରିବର୍ତ୍ତନ ଆସି ନଥିଲା।
 
ଚାରି ତାରିଖ ଓଢ଼ଣି ଖୋଲା ଘଟଣା ନେଇ ସାରା ରାଜ୍ୟ ତଥା ବିଧାନସଭାରେ ତୁମୁଳ ଆଲୋଡ଼ନ ସତ୍ତ୍ୱେ ସ୍ୱଳ୍ପ ସମୟର ବ୍ୟବଧାନରେ ଜୟପୁରଠାରେ ଏହାର ପୁନରାବୃତ୍ତି ଆମ ଶାସନ ବ୍ୟବସ୍ଥାର ଚରିତ୍ରରେ କେତେକ ଚିନ୍ତାଜନକ ବିଲକ୍ଷଣ ପ୍ରତି ଇଙ୍ଗିତ କରୁଥିବା ତିନିଟି ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ ପ୍ରଶ୍ନ ଉତ୍‌ଥାପନ କରୁଛି। ପ୍ରଥମ, ବିଧାନସଭାର ପବିତ୍ର କକ୍ଷରେ ରାଜ୍ୟବାସୀଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତିର କ’ଣ କିଛି ମୂଲ୍ୟ ନାହିଁ? ପ୍ରତିଶ୍ରୁତି କେବଳ କ’ଣ ପାଣିର ଗାର? ଖୋଦ୍‌ ଶାସନ ମୁଖ୍ୟ ଦେଉଥିବା ଆଶ୍ୱାସନାର ବିଶ୍ୱସନୀୟତା ବି କ’ଣ ସନ୍ଦିଗ୍‌ଧ? ଦ୍ୱିତୀୟ ପ୍ରଶ୍ନ- ଅଧସ୍ଥନ ପୁଲିସ୍‌ କ’ଣ ରାଜନୈତିକ କାର୍ଯ୍ୟ ନିର୍ବାହୀଙ୍କ ନିୟନ୍ତ୍ରଣରେ ନାହିଁ? ତୃତୀୟ ପ୍ରଶ୍ନ- ପୁଲିସ୍‌ ସମାଜର ଏକ ଅଙ୍ଗ ଭାବେ ଲୋକଙ୍କ ଧନ ଜୀବନର ସୁରକ୍ଷା ଦାୟିତ୍ୱରେ ଥିଲେ ସୁଦ୍ଧା ଖାକି ବାହିନୀ କ’ଣ ସାମାଜିକ ସମ୍ବେଦନଶୀଳତା ସମାଜ ପ୍ରତି ଉତ୍ତରଦାୟିତ୍ୱବୋଧ ହରାଇ ସାରିଛି? ସମାଜର ମିତ୍ର ଭାବେ ନୁହେଁ ବରଂ ଶତ୍ରୁ ଭାବେ ଆଚରଣ କରୁଛି?
 
ପ୍ରଥମେ ଏକ ନମ୍ବର ପ୍ରଶ୍ନ ଉପରେ ଆଲୋଚନା କରାଯାଉ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯେ ଓଢ଼ଣି ଖୋଲା ଘଟଣାର ପୁନରାବୃତ୍ତି ହେବ ନାହିଁ। ତଥାପି ଘଟଣାର ପୁନରାବୃତ୍ତି ହେବାର ଅର୍ଥ ବିଧାନସଭାରେ ଦିଆଯାଉଥିବା ପ୍ରତିଶ୍ରୁତିର କୌଣସି ପବିତ୍ରତା କିମ୍ବା ବିଶେଷ ଗୁରୁତ୍ୱ ନାହିଁ। ବିଧାନସଭା ବାହାରେ ସଭା ସମିତିରେ ଦିଆଯାଉଥିବା ବକ୍ତବ୍ୟ ଏବଂ ଗୃହ ଭିତରେ ଦିଆଯାଉଥିବା ବକ୍ତବ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ପ୍ରତିଶ୍ରୁତି ଦିଆଯାଇପାରେ, କିନ୍ତୁ ତାକୁ ରକ୍ଷା କରିବା ବାଧ୍ୟତାମୂଳକ ନୁହେଁ। ଅନ୍ୟଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜୟପୁରରେ ଓଢ଼ଣି ଖୋଲା ଘଟଣାର ଦୁର୍ଭାଗ୍ୟଜନକ ପୁନରାବୃତ୍ତି ହୋଇ ନଥାନ୍ତା। ଗୃହରେ ଦିଆଯାଉଥିବା ପ୍ରତିଶ୍ରୁତିର ପାଳନ ନ ହେବା ବିଧାନସଭାର ସମ୍ମାନ, ଗରିମା ଓ ମର୍ଯ୍ୟାଦା ପ୍ରତି ଅବମାନନା। ଏ ପରିପ୍ରେକ୍ଷୀରେ ଶାସକ ଦଳର ଜଣେ ମୁଖପାତ୍ର ବିଧାନସଭାରେ ଦିଆଯାଉଥିବା ସବୁ ସୂଚନା ସତ୍ୟ ନୁହେଁ ବୋଲି କହିବା ଆଦୌ ଅପ୍ରାସଙ୍ଗିକ କି ଅବାନ୍ତର ମନେ ହେଉ ନାହିଁ। ଆମର ସଂସଦୀୟ ବ୍ୟବସ୍ଥା ଯେ ଅବକ୍ଷୟର ଶିକାର ହୋଇଛି, ଏହା ତା’ର ଆଉ ଏକ ଦୁଃଖଦ ଇଙ୍ଗିତ। ଜୟପୁରର ‘ଓଢ଼ଣି ଖୋଲା’ ଘଟଣା ବିଧାନସଭାର ପବିତ୍ରତାକୁ ସନ୍ଦେହର କାଠଗଡ଼ାରେ ଠିଆ କରିବା ସହ ଶାସନ ମୁଖ୍ୟଙ୍କ ବକ୍ତବ୍ୟର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖୋଦ୍‌ ନିଜେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଲେ, ଅଥଚ କ୍ଷେତ୍ର ସ୍ତରରେ ତାହା କାର୍ଯ୍ୟକାରୀ ହେଲା ନାହିଁ। ମୁଖ୍ୟମନ୍ତ୍ରୀ କହିଲେ ସୁନ୍ଦରଗଡ଼ ଘଟଣା ନେଇ ତାଗିଦ କରାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହାସତ୍ତ୍ୱେ ପୁଣି ସମାନ ଘଟଣା ଘଟିବାର ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରତି ଭୟ ନାହିଁ। ଶାସନରେ ବିଭ୍ରାଟ ଓ ବିଶୃଙ୍ଖଳା ପ୍ରତି  ଏଡା ଇଙ୍ଗିତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଯଦି ଅନୁପାଳନ ନ ହୁଏ, ତେବେ ଲୋକେ ଶାସନ ଉପରେ ଆସ୍ଥା ରଖିବେ କେମିତି? ସତର ବର୍ଷ ହେଲା କ୍ଷମତାର ସର୍ବୋଚ୍ଚ ଗାଦିରେ ବସିଥିବା ଶାସନମୁଖ୍ୟ ଏ ନେଇ ଆତ୍ମ ସମୀକ୍ଷା କରିବା ଉଚିତ।
 
ଦ୍ୱିତୀୟ ପ୍ରଶ୍ନ, କ’ଣ ରାଜନୈତିକ କାର୍ଯ୍ୟ ନିର୍ବାହୀଙ୍କ ଅଧସ୍ତନ ପୁଲିସ୍‌ ଉପରେ ନିୟନ୍ତ୍ରଣ ନାହିଁ? ଓଢ଼ଣି ଖୋଲା ଘଟଣାର ପୁନରାବୃତ୍ତି ପରିପ୍ରେକ୍ଷୀରେ ଏ ପ୍ରଶ୍ନର ଉତ୍ତର ‘ହଁ’ରେ ମିଳୁଛି। ସରକାରର ମଙ୍ଗ ଧରିଥିବା ସର୍ବୋଚ୍ଚ ରାଜନୈତିକ କାର୍ଯ୍ୟନିର୍ବାହୀ ଗୋଟିଏ ନିର୍ଦ୍ଦେଶ ଦେଲେ, ଅଥଚ ପୁଲିସ୍‌ ତା’କୁ ଖାତିର କଲାନି। ସମ୍ଭବତଃ କ୍ଷମତାସୀନ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ପୁଲିସ୍‌ ବଳର ମାତ୍ରାତିରିକ୍ତ ଅପବ୍ୟବହାର ଖାକି ବାହିନୀର ଏ ପ୍ରକାର ବେଖାତିର ମନୋଭାବକୁ ପ୍ରୋତ୍ସାହିତ କରୁଛି। ନିର୍ବାଚିତ କାର୍ଯ୍ୟ ନିର୍ବାହୀଙ୍କ ଦୁର୍ବଳତା ପୁଲିସ୍‌ ଔଦ୍ଧତ୍ୟ ଲାଗି ଅବକାଶ ସୃଷ୍ଟି କରୁଛି। ସରକାର ଚଳାଉଥିବା ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ମୁଣ୍ଡ  ଉପରେ ପୁଲିସ୍‌ ଭାରି ହେବା ନିଶ୍ଚିତ ଭାବେ ଏକ ଗୁରୁତର ବିଲକ୍ଷଣ ଏବଂ ଏହାର ପରିଣତି ଭୟଙ୍କର ହେବା  ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ। କ୍ଷମତାରେ ସୁରକ୍ଷିତ ରହିବା ପାଇଁ ପୁଲିସ୍‌ ବାହିନୀ ପ୍ରତି ମାତ୍ରାଧିକ କୋହଳ ମନୋଭାବ ଓ ପୃଷ୍ଠପୋଷକତା ଦ୍ୱାରା ସରକାର ଏକ ‘ଫ୍ରାଙ୍କେଷ୍ଟାଇନ୍‌’ ତିଆରି କରିଛନ୍ତି, ଯାହା ଆତ୍ମଘାତୀମୂଳକ। ସରକାର ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ପୁଲିସ୍‌କୁ ହାତବାରିସି କରି ଆଇନ ଶୃଙ୍ଖଳା ସହ ଖେଳୁଛନ୍ତି। ଏଥିରୁ କ୍ଷାନ୍ତ ନହେଲେ ‘ପୁଲିସ୍‌ ରାଜ୍‌’ର ଭୟ ରହୁଛି।
 
ତୃତୀୟ ପ୍ରଶ୍ନ, ସମାଜର ଏକ ଅଙ୍ଗ ଭାବେ ଲୋକଙ୍କ ଧନ ଜୀବନର ସୁରକ୍ଷା ପ୍ରତି ସମର୍ପିତ ପୁଲିସ୍‌ ତାର ସାମାଜିକ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ଭୁଲିଯାଇଛି କେମିତି? ସ୍ୱଳ୍ପ ସମୟର ବ୍ୟବଧାନରେ  ସୁରକ୍ଷା ଆଳରେ ଓଢ଼ଣି ଖୋଲା ଘଟଣା ଏହାର ପ୍ରମାଣ ଯେ ପୁଲିସ୍‌ ସମ୍ବେଦନଶୂନ୍ୟ ଓ ଉତ୍ତର ଦାୟିତ୍ୱ ପ୍ରତି ଉଦାସୀନ। ମାତୃ ଜାତି ପ୍ରତି ଅସମ୍ମାନ ପ୍ରସଙ୍ଗରେ କେବଳ ବିଧାନସଭାରେ ଆଲୋଡ଼ନ ନୁହେଁ, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ମଧ୍ୟ ରାସ୍ତାକୁ ଓହ୍ଲାଇଲେ। ଓଢ଼ଣି ଖୋଲା ବିରୋଧରେ ରାଜ୍ୟବ୍ୟାପୀ ଜନମତ ମଧ୍ୟ ପ୍ରକାଶ ପାଇଲା। ଏହାସତ୍ତ୍ୱେ ପୁଲିସ୍‌ ନିର୍ଲିପ୍ତ ରହି ସେହି ଲଜ୍ଜାଜନକ କାର୍ଯ୍ୟକୁ ଦୋହରାଇବା ବାସ୍ତବିକ ଚିନ୍ତାର ବିଷୟ। ଏହା ସୂଚନା ଦେଉଛି ଯେ କ୍ଷମତାର ବଚସ୍କର ସାଜିବାର ବ୍ୟାକୁଳତା ମଧ୍ୟରେ ପୁଲିସ୍‌ର ଔଦ୍ଧତ୍ୟ ବଢ଼ିଯାଇଛି। ରାଜନୈତିକ ମୁନିବଙ୍କ ସ୍ୱାର୍ଥ ରକ୍ଷା ଅପେକ୍ଷା ମାନବିକ ଅଧିକାର, ବିଶେଷ କରି ମହିଳାଙ୍କ ସମ୍ମାନର ସୁରକ୍ଷା ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ଏ କଥା ପୁଲିସ୍‌ର ବିସ୍ମର ହୋଇଛି।  ଏହା ନା ସମାଜ ନା ଆଇନର ଶାସନ ପାଇଁ ଅନୁକୂଳ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ପୁଲିସ୍‌ର ଏହି ଆଭିମୁଖ୍ୟ ଯୋଗୁ ଆଜି ସମାଜ ଅଧିକରୁ ଅଧିକ ଅପରାଧପ୍ରବଣ, ମହିଳାଙ୍କ ବିରୋଧରେ ହିଂସା ବଢ଼ୁଛି। କ୍ରମବର୍ଦ୍ଧିଷ୍ଣୁ ଅପରାଧ ସଂକ୍ରାନ୍ତ ପରିସଂଖ୍ୟାନ ଏହାର ପ୍ରମାଣ।
 
‘ଓଢ଼ଣି ଖୋଲା’ ଘଟଣାର ପୁନରାବୃତ୍ତି ଶାସନ ବ୍ୟବସ୍ଥା ତଥା ଏହାର ବିଭିନ୍ନ ଅଂଶ ଓ ଅନୁଷ୍ଠାନକୁ ଆକ୍ରାନ୍ତ କରିଥିବା ଯେଉଁ ସବୁ ବିଲକ୍ଷଣକୁ ସାମ୍ନାକୁ ଆଣିଛି, ସେଗୁଡ଼ିକର ଆଶୁ ଉପଚାର ନିହାତି ଆବଶ୍ୟକ। ଅନ୍ୟଥା, ଶାସନ ବିଶ୍ୱସନୀୟତା ହରାଇବା ସହ ଅରାଜକତାର ବାତାବରଣ ସୃଷ୍ଟି ହେବ। 

image