22 February 2017
9:22:06 AM
Sambad News
ସମ୍ପାଦକୀୟ

ଅଶାନ୍ତ ରାଜନୀତି

By Sambad | Date: Dec 26 2016 5:05AM
ଅଶାନ୍ତ ରାଜନୀତି

ଅନ୍ୟଥା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ପରିଚୟ ରଖିଥିବା ଓଡ଼ିଶାର ସାଂପ୍ରତିକ ରାଜନୈତିକ ବାତାବରଣ ଅଧିକରୁ ଅଧିକ ଅଶାନ୍ତ ଓ ଉତ୍ତେଜନାପୂର୍ଣ୍ଣ ହୋଇ ଉଠୁଛି। ରାଜନୈତିକ ଲଢ଼େଇରେ  ହିଂସାକୁ ଆୟୁଧ ଭାବେ ବ୍ୟବହାର କରାଯିବା ଆଉ ବିରଳ ନୁହେଁ। ରାଜନୀତିକୁ ଆକ୍ରାନ୍ତ କରିଥିବା ଏହି ଅସୁସ୍ଥ, ଅସ୍ୱସ୍ତିକର ଧାରା ସାମାଜିକ ପରିବେଶକୁ ମଧ୍ୟ ପ୍ରଭାବିତ କରିଛି। ରାଜନୀତି ସହ ସାମାଜିକ ଜୀବନ ମଧ୍ୟ ଅଶାନ୍ତି ଓ ଉତ୍ତେଜନାର ଶିକାର ହୋଇଛି। ରାଜ୍ୟ ରାଜନୀତିର ଚରିତ୍ରରେ ଏ ନକାରାତ୍ମକ ପରିବର୍ତ୍ତନ ପାଇଁ ମୁଖ୍ୟତଃ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳଙ୍କ ପରସ୍ପର ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଓ ଉଗ୍ର ଅସହିଷ୍ଣୁତା ଦାୟୀ। ଗଣତାନ୍ତ୍ରିକ ନୀତି, ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ତିଳ ପ୍ରମାଣ ଖାତିର ନଥିବାରୁ ଅନେକ ସମୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଉଗ୍ର ଉଚ୍ଛଙ୍ଖଳତା ଓ ହିଂସାତ୍ମକ ରୂପ ନେଉଛି।
 
ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ପ୍ରତିବାଦକାରୀ ଜଣେ ଯୁବକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣଠାରୁ ଆରମ୍ଭ କରି ଗତ ସପ୍ତାହରେ ବିଜେପି ପ୍ରାୟୋଜିତ  ଭୁବନେଶ୍ୱର ବଳନ୍ଦ ବେଳେ ହିଂସା ପର୍ଯ୍ୟନ୍ତ ଏହାର ଦୁଃଖଦ ପ୍ରମାଣ। ନେତାଙ୍କ ଉତ୍ତେଜକ- ଧମକପୂର୍ଣ୍ଣ ବୟାନବାଜି ମଧ୍ୟ ଅନେକ କ୍ଷେତ୍ରରେ ହିଂସାକୁ ଉସ୍‌କାଉଛି। ଭୁବନେଶ୍ୱର ବନ୍ଦକୁ ପ୍ରତିପକ୍ଷ ବିଜେଡିର ବିରୋଧ ପରେ ବିଜେପି ଧମକ ଦେଇଥିଲା, ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ଅବ୍ୟବହିତ ପୂର୍ବରୁ ବିଜେଡି ମୁଖପାତ୍ର ବୟାନ ଦେଲେ ‘ଗସ୍ତକୁ ବିରୋଧ କଲେ ଦେଖିବ’। ପୂର୍ବରୁ ବିଜେଡିର ପଦଯାତ୍ରା ବେଳେ କଂଗ୍ରେସର କେତେକ ନେତା ଅଣ୍ଡାମାଡ଼ର ଧମକ ଦେଇଥିଲେ। ଆକ୍ଷେପ-ପ୍ରତିଆକ୍ଷେପ, ଧମକ-ପ୍ରତିଧମକ ମଧ୍ୟରେ ବାତାବରଣରେ ଉତ୍ତେଜନା ଲାଗି ରହିଛି। ଗୋଟିଏ ବହୁଦଳୀୟ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଗଣତନ୍ତ୍ରରେ ସବୁ ମତ, ସବୁ ବାଦ ପାଇଁ ସ୍ଥାନ ଅଛି। କିନ୍ତୁ ହିଂସା, ଅସହିଷ୍ଣୁତାର ସ୍ଥାନ ନାହିଁ। ପରସ୍ପର ପ୍ରତି ସମ୍ମାନ ଓ ଗଣତାନ୍ତ୍ରିକ ଦାୟିତ୍ୱବୋଧ ଶାନ୍ତ ବାତାବରଣ ଲାଗି ଏକାନ୍ତ ଅପରିହାର୍ଯ୍ୟ।
 
ଗତ କିଛି ଦିନର ଘଟଣାକ୍ରମ ଓ ବୟାନବାଜିରେ ରାଜ୍ୟ ରାଜନୀତିର ଏହି ଅସୁସ୍ଥ, ହିଂସାତ୍ମକ ଧାରା ଅଧିକ ସ୍ପଷ୍ଟ ଜଣା ପଡ଼ୁଥିଲେ ସୁଦ୍ଧା ବାସ୍ତବରେ ଏହି ଧାରାର ଆରମ୍ଭ ହୋଇଛି ଚଉଦ ସାଧାରଣ ନିର୍ବାଚନ ପରେ। ଗୋଟିଏ ପକ୍ଷରେ ବିପୁଳ ବିଜୟର ଗର୍ବ ସହ   ବିଜୁ ଜନତା ଦଳର ମାତ୍ରାତିରିକ୍ତ ଆତ୍ମବିଶ୍ୱାସ କ୍ରମେ ଅହଙ୍କାରରେ ରୂପାନ୍ତରିତ ହୋଇଛି। ଅନ୍ୟପକ୍ଷରେ ପରାଜୟର ହତାଶାକୁ ଭୁଲି ବିଜେଡିର ଏକଚାଟିଆକୁ ପ୍ରତିହତ କରି ପ୍ରତିଦ୍ୱନ୍ଦ୍ୱିତାରେ ବଜାୟ ରହିବା ଲାଗି ବିରୋଧୀଙ୍କ ପ୍ରୟାସ ଅବ୍ୟାହତ ରହିଛି। ଫଳରେ ଉଭୟ ପକ୍ଷ ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି। କେନ୍ଦ୍ରରେ ମୋଦୀ ସରକାରର ପ୍ରତିଷ୍ଠା ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିରେ ଶକ୍ତି ସଂଚାର କରି ତ୍ରିମୁଖୀ ଲଢ଼େଇକୁ ନୂଆ ମୋଡ଼ ଦେଇଛି। ଉଲ୍ଲେଖନୀୟ ହେଲା, ୟୁପିଏ ଅମଳରେ ବିଜେଡି ସରକାର ବିପକ୍ଷରେ ରାଜ୍ୟ କଂଗ୍ରେସ ଯେତିକି ସକ୍ରିୟ ଥିଲା, ଏବେ ଏନ୍‌ଡିଏ ଅମଳରେ ନବୀନ ସରକାର ବିରୋଧରେ ରାଜ୍ୟ ବିଜେପି ତା’ଠାରୁ ଅଧିକ ସକ୍ରିୟ ଓ ଅଧିକ ଆକ୍ରମଣାତ୍ମକ। ଏହା ସ୍ୱାଭାବିକ ଭାବେ ରାଜ୍ୟରେ ବିଜେଡିର କିଏ ବିକଳ୍ପ ସେ ନେଇ କଂଗ୍ରେସ- ବନାମ ବିଜେପି ଲଢ଼େଇକୁ ତୀବ୍ରତର କରିଛି। କଂଗ୍ରେସ ମଧ୍ୟ ଆକ୍ରମଣାତ୍ମକ ମୁଦ୍ରା ଗ୍ରହଣ କରିବା ଲାଗି ବାଧ୍ୟ ହୋଇଛି। 
 
ତେବେ ଦୁର୍ଭାଗ୍ୟର ବିଷୟ ହେଲା, ପ୍ରଭାବ କ୍ଷେତ୍ରର ସଂପ୍ରସାରଣ ପାଇଁ ପ୍ରତିଟି ପକ୍ଷର ବ୍ୟଗ୍ରତାରେ ଗଣତାନ୍ତ୍ରିକ ଭାବନା ବଳି ପଡୁଛି। ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ପ୍ରାଧାନ୍ୟ ବିସ୍ତାର କରିବାର ନିଶାରେ ରାଜନୈତିକ କାର୍ଯ୍ୟକ୍ରମକୁ ଗଣତାନ୍ତ୍ରିକ ମର୍ଯ୍ୟାଦାର ଲକ୍ଷ୍ମଣରେଖା ଭିତରେ ରଖିବାକୁ ଭୁଲି ଯାଇଛନ୍ତିି। ଗଣତନ୍ତ୍ରରେ ନିଜ ମତ ରଖିବାର ଏବଂ କୌଣସି ପ୍ରସଙ୍ଗ ଉପରେ ପ୍ରତିବାଦ ଜଣାଇବାର ସମସ୍ତଙ୍କ ଅଧିକାର ରହିଛି। କିନ୍ତୁ ବଳ ପ୍ରୟୋଗ ଦ୍ୱାରା ଏ ଅଧିକାର ସାବ୍ୟସ୍ତ ପାଇଁ ପ୍ରୟାସ ହେଲେ ଅଯଥା ସଂଘର୍ଷ ଓ ଉତ୍ତେଜନାର ଆଶଙ୍କା ରହିଛି। କିନ୍ତୁ ଠିକ୍‌ ଏହାହିଁ ଘଟୁଛି। ଅଣ୍ଡା ମାଡ଼ ଓ ପାଲଟା ଅଣ୍ଡା ମାଡ଼, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ, ଜୋର ଜବରଦସ୍ତ ବନ୍ଦ ଲାଗୁ କରାଯିବା ଆଦି ଗତ ଅଢ଼େଇ ବର୍ଷରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ରାଜନୈତିକ ଗୁଣ୍ଡାଗିରି କହିଲେ ଭୁଲ ହେବ ନାହିଁ।
 
ସାଂପ୍ରତିକ ଉତ୍ତେଜନାପୂର୍ଣ୍ଣ ଓ ଅଶାନ୍ତ ରାଜନୈତିକ ବାତାବରଣ ପାଇଁ ସବୁ ପକ୍ଷଙ୍କ ଊଣା ଅଧିକେ ଅବଦାନ ଥିଲେ ସୁଦ୍ଧା, ନିଃସଂକୋଚରେ ଏହା କୁହାଯାଇପାରେ ଯେ, ବର୍ତ୍ତମାନର ସ୍ଥିତି ପାଇଁ ଶାସକ ଦଳ ସିଂହ ଭାଗ  ଦାୟୀ। ଶାସକ ଦଳଠାରୁ ଯେଉଁ ପ୍ରକାର ସହନଶୀଳତା, ପରିପକ୍ୱତା ଓ ରାଜନୈତିକ ବିରୋଧୀଙ୍କ ପ୍ରତି ଉଦାରତା ଆଶା କରାଯାଏ, ତାହା ବିଜେଡିର ଚରିତ୍ରରେ ଦେଖାଯାଉ ନାହିଁ। ଉଭୟ ଆଚରଣ ଓ ଉଚ୍ଚାରଣରେ କ୍ଷମତାର ଅହଙ୍କାର ଓ ଅସହିଷ୍ଣୁତାର ଗନ୍ଧ ବାରି ହେଉଛି। ଭିନ୍ନମତ ଓ ବିରୋଧକୁ ବଳି ଦେବାର ପ୍ରବଣତା ଶାସକ ଦଳକୁ ଗ୍ରାସ କରିଛି। ଏଥି ପାଇଁ କ୍ଷମତା ପ୍ରମତ୍ତ ବିଜେଡି କେବଳ ସାଂଗଠନିକ ଶକ୍ତି ନୁହେଁ, ପୁଲିସ୍‌ ବଳର ମଧ୍ୟ ଭରପୂର ଅପ-ପ୍ରୟୋଗ କରୁଛି। କ୍ଷମତାସୀନ ଦଳର ଇଙ୍ଗିତରେ ପୁଲିସ୍‌ର ପକ୍ଷପାତପୂର୍ଣ୍ଣ ଆଚରଣ, ମାତ୍ରାତିରିକ୍ତ କାର୍ଯ୍ୟାନୁଷ୍ଠାନର ଅନେକ କ୍ଷେତ୍ରରେ ନକାରାତ୍ମକ ପରିଣତି ଦେଖିବାକୁ ମିଳୁଛି। ଅନେକ ନଜିର ରହିଛି, ଯେଉଁଠି ପୁଲିସ୍‌ ହିଂସା, ଅଧିକ ହିଂସା ପାଇଁ ନିଆଁରେ ଘିଅ ସଦୃଶ କାମ କରିଛି।
 
ରାଜନୈତିକ ଲଢ଼େଇରେ ହିଂସାକୁ ଆୟୁଧ କରିବାର ଏହି ଧାରାର ଆଉ  ଏକ ଭୟଙ୍କର ପରିଣତି ହେଲା- ରାଜନୀତିର ଅପରାଧୀକରଣ ବା ଅପରାଧର ରାଜନୀତୀକରଣ। ଏହି ପ୍ରକ୍ରିୟା ରାଜନୀତିରେ ଆପରାଧିକ ତତ୍ତ୍ୱର ଅନୁପ୍ରବେଶ ପାଇଁ ସୁଯୋଗ ଦେଉଛି ଏବଂ ଅପରାଧକୁ ରାଜନୈତିକ ପୃଷ୍ଠପୋଷକତା ମିଳୁଛି। ତେଣୁ ରାଜ୍ୟ ରାଜନୀତରେ ଏହି ଅସୁସ୍ଥ ଧାରା ଅଧିକ ଉଗ୍ର ଓ ହତଂସ୍ର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲାଗିବା ଉଚିତ। ଏହା ସେତେବେଳେ ସମ୍ଭବ ହୋଇ ପାରିବ, ଯେତେବେଳେ ସବୁ ପକ୍ଷ ଏହାର ଆତ୍ମଘାତୀ ବିଷମୟ ପରିଣତି ନେଇ ସଚେତନ ହେବେ। ସଂପ୍ରତି ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭୁଲି ପ୍ରତିଶୋଧ ପରାୟଣ ହୋଇ ପରସ୍ପର ପ୍ରତି ଯେସାକୁ ତେସା ନୀତି  ଧରିଥିବା ଦଳମାନେ  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଗୋଟିଏ ନୀତି ବାଣୀକୁ ମନେ ପକାଇବା ଉଚିତ। ଗାନ୍ଧୀ କହିଥିଲେ  - ଯଦି ସମସ୍ତେ ପ୍ରତିଶୋଧର ଆବେଶରେ ଆଖି ବଦଳରେ ଆଖି ଚାହିଁବେ, ତେବେ ସାରା ଦୁନିଆ ଅନ୍ଧ ହୋଇଯିବ। ନିଃସନ୍ଦେହ, ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିଥିବା ଏ ଅସୁସ୍ଥ ଧାରା ଜାରି ରହିଲେ ଭବିଷ୍ୟତ ଅନ୍ଧକାରମୟ।