26 May 2017
10:25:13 PM
image
Sambad News
ସମ୍ପାଦକୀୟ

ପୁରାତନ ପେସା

By Sambad | Date: Dec 28 2016 4:38AM
ପୁରାତନ ପେସା

ପେସାଦାର ରାଜନୀତିଜ୍ଞମାନଙ୍କ ସମ୍ବନ୍ଧରେ ଏକ ବ୍ୟଙ୍ଗ କାହାଣୀ ଏହିପରି। ଜଣେ ଡାକ୍ତର, ଜଣେ ଇଞ୍ଜିନିୟର୍‌ ଓ ଜଣେ ରାଜନୀତିଜ୍ଞ ଏକାଠି ହୋଇ ନିଜ ନିଜର ବୃତ୍ତିକୁ ସର୍ବାଧିକ ପୁରାତନ ବୋଲି ଦର୍ଶାଇବା ପାଇଁ ଯୁକ୍ତି ବାଢୁଥିଲେ। ପ୍ରଥମେ ଡାକ୍ତର ଜଣକ କହିଲେ ଯେ ଚିକିତ୍ସା ସେବା ନଥିଲେ ମାନବ ଜାତି ମୂଳରୁ ଲୋପ ପାଇ ଯାଇଥାନ୍ତା; ତେଣୁ ତାଙ୍କ ବୃତ୍ତି ହିଁ ସର୍ବ ପୁରାତନ। ଇଞ୍ଜିନିୟର ଜଣକ ଏହାକୁ ଖଣ୍ଡନ କରିବାକୁ ଯାଇ କହିଲେ ଯେ ପୃଥିବୀ ପୃଷ୍ଠରେ ଜୀବନର ଆବିର୍ଭାବ ପୂର୍ବରୁ ସମ୍ପୂର୍ଣ୍ଣ ବିଶୃଙ୍ଖଳା ବା ବିଭ୍ରାଟ ବିରାଜମାନ ଥିଲା। ଏହାକୁ ସଜାଡ଼ିବା ପରେ ଯାଇ ଜୀବନର ଆବିର୍ଭାବ ସମ୍ଭବ ହେଲା। ସଜାଡ଼ିବା କାର୍ଯ୍ୟର ଅନ୍ୟ ନାମ ହେଉଛି ଇଞ୍ଜିନିୟରିଂ; ଏଣୁ ତାଙ୍କର ବୃତ୍ତି ହିଁ ସର୍ବପୁରାତନ। ଏ ସବୁ ତର୍କ ଶୁଣୁଥିବା ରାଜନୀତିଜ୍ଞ ଜଣକ ଏଥର ମୁରୁକି ରସା ଦେଇ ସଗର୍ବରେ ପଚାରିଲେ: ‘‘କିନ୍ତୁ ବିଭ୍ରାଟ ସୃଷ୍ଟି କଲା କିଏ?’’
 
ଏହି କାହାଣୀ ଅନୁଯାୟୀ ବିଭ୍ରାଟ ସୃଷ୍ଟି ଯେ ରାଜନୀତିବାଲାଙ୍କର ମୌଳିକ କାର୍ଯ୍ୟ- ଏ ନେଇ ଯଦି କାହାର ସନ୍ଦେହ ଥାଏ, ତେବେ ଦେଶର ଜରେ ବରିଷ୍ଠ ରାଜନେତା କର୍ଣ୍ଣାଟକ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କର ଏକ ସଦ୍ୟତମ କାର୍ଯ୍ୟ ସେ ସମସ୍ତ ସନ୍ଦେହ ଦୂର କରିଦେବ। ସିଦ୍ଧରାମାୟାଙ୍କ କଂଗ୍ରେସ ସରକାର ସେ ରାଜ୍ୟରେ ବଳବତ୍ତର ଥିବା ନିଯୁକ୍ତି ନିୟମାବଳୀରେ ସଂଶୋଧନ ଆଣି ସେଠାରେ ଇନ୍‌ଫୋଟେକ୍‌ ଓ ବାୟୋଟେକ୍‌ ବ୍ୟତୀତ ଅନ୍ୟ ସମସ୍ତ ଘରୋଇ କ୍ଷେତ୍ର ଶିଳ୍ପ ପ୍ରତିଷ୍ଠାନମାନଙ୍କରେ ଶ୍ରମିକ ନିଯୁକ୍ତିରେ ସ୍ଥାନୀୟ କନ୍ନଡ଼ିଗ ପ୍ରାର୍ଥୀମାନଙ୍କ ପାଇଁ ଶତ ପ୍ରତିଶତ ଆରକ୍ଷଣ ଲାଗୁ କରାଯିବା ପାଇଁ ଚିଠା ପ୍ରସ୍ତୁତ କରିଛି। ଏହି ଉଦ୍ୟମ ଯେ କେବଳ ସମ୍ଭାବ୍ୟ ରାଜନୈତିକ ଫାଇଦା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଏବଂ ଏହା ପଛରେ କୌଣସି ଅର୍ଥନୈତିକ ଯଥାର୍ଥତା ନାହିଁ, ତାହା ନିମ୍ନ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଥାଏ। ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ କର୍ଣ୍ଣାଟକ ହେଉଛି ଦେଶର ଏକ ନେତୃସ୍ଥାନୀୟ ରାଜ୍ୟ। ଦେଶରେ ହାରାହାରି ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୫୫.୬% ହୋଇଥିବା ବେଳେ କର୍ଣ୍ଣାଟକ ପାଇଁ ଏହା ହେଉଛି ୫୭.୮%। ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ମିଳିତ ବେକାରି ହାର ୩.୪% ହୋଇଥିବା ବେଳେ, କର୍ଣ୍ଣାଟକ ପାଇଁ ଏହା ହେଉଛି ମାତ୍ର ୧.୭%। ଯାହା ସବୁଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଲା ଯେଉଁ ସାମାଜିକ- ଅର୍ଥନୈତିକ ବର୍ଗର ତଥାକଥିତ ହିତ ସାଧନ ପାଇଁ ସିଦ୍ଧରାମାୟାଙ୍କର ଏହି ଆରକ୍ଷଣ ଚାଲ୍‌ ଉଦ୍ଦିଷ୍ଟ- ସ୍ୱଳ୍ପ ଶିକ୍ଷିତ ଶ୍ରମିକ-ସେମାନଙ୍କ ମଧ୍ୟରେ ନିଯୁକ୍ତି ହାର ହେଉଛି ସର୍ବୋଚ୍ଚ ଶ୍ରେଣୀର। ଅର୍ଥାତ୍‌ ସେମାନେ ନିଯୁକ୍ତି ପାଇଁ ଆରକ୍ଷଣ ଉପରେ ନିର୍ଭର କରନ୍ତି ନାହିଁ।
 
କିନ୍ତୁ ସିଦ୍ଧରାମାୟାଙ୍କ ପ୍ରକୃତ ଉଦ୍ଦେଶ୍ୟ ଆରକ୍ଷଣ ପ୍ରଦାନ ନୁହେଁ, ତାହା ହେଉଛି ସଂକୀର୍ଣ୍ଣ ପ୍ରାଦେଶିକତା ଭିତ୍ତିକ ଉତ୍ତେଜନା ଓ ବିଭ୍ରାଟ ସୃଷ୍ଟି। ସେ ଭଲ ରୂପେ ଜାଣିଥିବେ ଯେ ତାଙ୍କର ଏହି ଆରକ୍ଷଣ ପ୍ରସ୍ତାବ ଅଦାଲତରେ କାଟ ଖାଇବା ନିଶ୍ଚିତ। ସୁପ୍ରିମ୍‌ କୋର୍ଟ ନିଯୁକ୍ତି କ୍ଷେତ୍ରରେ ଆରକ୍ଷଣକୁ କଠୋର ଭାବରେ ସର୍ବାଧିକ ୫୦% ମଧ୍ୟରେ ସୀମିତ ରଖିଛନ୍ତି ଏବଂ ତାହା ପୁଣି କେବଳ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ। ସିଦ୍ଧରାମାୟା ଚତୁର ଭାବରେ ଏ ଉଭୟ ସର୍ତ୍ତ ଉଲ୍ଲଂଘନ କରି ଘରୋଇ କ୍ଷେତ୍ରରେ ୧୦୦% ଆରକ୍ଷଣ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି। ସୁପ୍ରିମ୍‌ କୋର୍ଟ ଏହାକୁ ନାକଚ କରି ଦେବେ ସତ, କିନ୍ତୁ ସିଦ୍ଧରାମାୟା ପ୍ରଚାର କରିବେ ଯେ ସେ କନ୍ନଡିଗମାନଙ୍କ ସ୍ୱାର୍ଥରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ସୁପ୍ରିମ୍‌ କୋଟ୍‌ର୍ ତାଙ୍କର ବାଟ ଓଗାଳୁଛନ୍ତି। ନିଜର ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ସିଦ୍ଧରାମାୟାଙ୍କର ଏହି ଉଦ୍ୟମର ପ୍ରତିକ୍ରିୟା ସ୍ୱରୂପ କେବଳ କର୍ଣ୍ଣାଟକରେ ଯେ ଏକ ଅଣ-କନ୍ନଡିଗ-ବିରୋଧୀ ବାତାବରଣ ସୃଷ୍ଟି ହେବ, ତାହା ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ତାଙ୍କୁ ଅନୁକରଣ କରିବାକୁ ଆରମ୍ଭ କରିବେ। ସିଦ୍ଧ-ସୃଷ୍ଟ ବିଭ୍ରାଟ ସାରା ଦେଶକୁ ସଂକ୍ରମିତ କରିବ। ବିଡ଼ମ୍ବନାର କଥା ଯେଉଁ ସମୟରେ ନୂତନ ‘ଜିଏସ୍‌ଟି’ ବ୍ୟବସ୍ଥା ଲାଗୁ ହେବା ପରେ ଭାରତରେ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିବନ୍ଧମାନ ଦୂର ହୋଇ ଭାରତ ଶେଷରେ ‘ଇଉରୋପିଆନ୍‌ ଇଉନିଅନ୍‌’ (ଇୟୁ) ପରି ଏକ ଅଖଣ୍ଡ ଅର୍ଥନୈତିକ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଠିକ୍‌ ସେଇ ସମୟରେ ଜଣେ ରାଜନେତା ଓ ତାଙ୍କ ଦଳର କୂଟ ବୁଦ୍ଧି ଯୋଗୁଁ ତାହା ବିକଳାଙ୍ଗ ହେବାର ବିପଦ ଦେଖା ଦେଇଛି। ଏକ ଅଖଣ୍ଡ ଅର୍ଥନୈତିକ ଅଞ୍ଚଳରେ କେବଳ ଜିନିଷପତ୍ରର ଅବାଧ ପରିବହନ ଘଟି ନଥାଏ, ଶ୍ରମିକମାନଙ୍କର ମଧ୍ୟ ଅବାଧ ଗମନାଗମନ ଘଟିଥାଏ। ଯଦି କେବଳ କନ୍ନଡିଗମାନେ ହିଁ କର୍ଣ୍ଣାଟକରେ ନିଯୁକ୍ତି ପାଇବେ, ବିହାରୀମାନେ ବିହାରରେ ନିଯୁକ୍ତି ପାଇବେ, କିିମ୍ବା ଓଡ଼ିଆମାନେ ହିଁ ଓଡ଼ିଶାରେ ନିଯୁକ୍ତି ପାଇବେ, ତେବେ ତାହା ଦେଶର ଅର୍ଥନୈତିକ ବିଭାଜନ ଭଳି ଏକ ପରିସ୍ଥିତି ସୃଷ୍ଟି କରିବ।
 
ଶ୍ରମଶକ୍ତିର ଅବାଧ ବିଚରଣ ଶ୍ରମ ବଜାରକୁ ପ୍ରତିଯୋଗିତାମୂଳକ କରିଥାଏ। ଏହା ଦ୍ୱାରା ଶ୍ରମିକମାନେ ନିଜର ଉପଯୁକ୍ତ ପାରିଶ୍ରମିକ ପାଇବା ସଙ୍ଗେ ସଙ୍ଗେ ନିଯୁକ୍ତିଦାତା ଶିଳ୍ପାନୁଷ୍ଠାନମାନେ ଉଚିତ ମଜୁରି ବଦଳରେ ଉପଯୁକ୍ତ ଉତ୍ପାଦନଶୀଳତା ହାସଲ କରିଥାନ୍ତି। ଯଦି ସରକାରୀ ହସ୍ତକ୍ଷେପ ଦ୍ୱାରା ଶ୍ରମ ବଜାରରେ କୃତ୍ରିମ ଭାବରେ ମଜୁରି ବୃଦ୍ଧି ଘଟେ, ତେବେ କ୍ରମେ ନିଯୁକ୍ତିଦାତାମାନେ କର୍ଣ୍ଣାଟକ ଛାଡ଼ି ଅନ୍ୟ ରାଜ୍ୟକୁ ପଳାୟନ କରିବେ। ଯେଉଁ କନ୍ନଡିଗ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ରାଜ୍ୟ ସରକାର ଏ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି, ସେଇ କନ୍ନଡିଗମାନଙ୍କ ପାଇଁ ଅଚିରେ ଏକ ନିଯୁକ୍ତି ମରୁଡ଼ି ଦେଖା ଦେବ। କର୍ଣ୍ଣାଟକ ନିକଟ ଅତୀତରେ ଇନ୍‌ଫୋଟେକ୍‌, ବାୟୋଟେକ୍‌ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପମାନଙ୍କ ଉପରେ ଆଶ୍ରୟ କରି ଚମତ୍କାର ଅର୍ଥନୈତିକ ସଫଳତା ହାସଲ କରିଛି। ସିଦ୍ଧରାମାୟା ବର୍ତ୍ତମାନ ପାଇଁ ସେ କ୍ଷେତ୍ରରେ ନିଯୁକ୍ତିକୁ ଆରକ୍ଷଣମୁକ୍ତ ରଖିଥିଲେ ହେଁ ଭବିଷ୍ୟତରେ ଯେ ରାଜନୈତିକ ଫାଇଦା ପାଇଁ ସେ ସମସ୍ତ ପ୍ରାବିଧିକ କ୍ଷେତ୍ର ମାନଙ୍କରେ ମଧ୍ୟ ଆରକ୍ଷଣ ଲାଗୁ ନକରିବେ, କିଏ କହିବ? ଯଦି ବର୍ତ୍ତମାନ ପାରମ୍ପରିକ କ୍ଷେତ୍ରମାନଙ୍କରେ ଆରକ୍ଷଣ ଲାଗୁ ହୁଏ, ତେବେ ତାହା ସମଗ୍ର ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ଏକ ଆଶଙ୍କା ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିବ। ସିଦ୍ଧରାମାୟା ସରକାର ଯଦି ପ୍ରକୃତରେ କନ୍ନଡିଗ ଯୁବକଯୁବତୀମାନଙ୍କର ମଙ୍ଗଳ ଚାହୁଁ ଥାନ୍ତି, ତେବେ ସେ ସେମାନଙ୍କ ପାଇଁ ଶ୍ରମିକ ନିଯୁକ୍ତିରେ ଆରକ୍ଷଣ ଲାଗୁ କରିବା ଅପେକ୍ଷା ସେମାନଙ୍କୁ ଉଚ୍ଚସ୍ତରରେ ନିଯୁକ୍ତି ଲାଭ ପାଇଁ ଯୋଗ୍ୟ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଶିକ୍ଷା ଓ ତାଲିମ ଯୋଗାଇ ଦେବାର ବ୍ୟବସ୍ଥା କରିବା ଉଚିତ ହୁଅନ୍ତା। କିନ୍ତୁ ତାହା ଯେ ଆରକ୍ଷଣ ଭଳି ବିଭ୍ରାଟ ସୃଷ୍ଟି କରିବ ନାହିଁ, ତେଣୁ ଚମକପ୍ରଦ ହେବ ନାହିଁ। ତାହା ତେଣୁ ରାଜନୀତିଜ୍ଞଙ୍କ କାମ ନୁହେଁ, ହୁଏତ ଇଞ୍ଜିନିୟର୍‌ ବା ଡାକ୍ତରଙ୍କ କାମ!  

image