23 May 2017
6:36:04 AM
image
Sambad News
ସମ୍ପାଦକୀୟ

‘ସତ୍ୟୋତ୍ତର’ର ଶିକାର

By Sambad | Date: Dec 29 2016 4:59AM
‘ସତ୍ୟୋତ୍ତର’ର ଶିକାର

ପ୍ରାୟ ୩,୬୦୦ କୋଟି ଟଙ୍କା ବ୍ୟୟରେ ମୁମ୍ବାଇ ଉପକୂଳରେ ନିର୍ମିତ ହେବାକୁ ଯାଉଥିବା ଛତ୍ରପତି ଶିବାଜୀ ସ୍ମାରକୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ଦେଶରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। ସମାଲୋଚକମାନେ ଏହାକୁ ମହାରାଷ୍ଟ୍ର ଭଳି ଏକ ମରୁଡ଼ି ପ୍ରବଣ, ସର୍ବାଧିକ ଋଣଗ୍ରସ୍ତ ରାଜ୍ୟରେ ସରକାରୀ ସମ୍ବଳର ଅକ୍ଷମଣୀୟ ଦୁରୁପଯୋଗ ରୂପେ ପ୍ରଦର୍ଶିତ କରି ଜଳସେଚନ କିମ୍ବା ସ୍ୱାସ୍ଥ୍ୟ ସେବା କିମ୍ବା ଶିକ୍ଷା କିମ୍ବା ଭିତ୍ତିଭୂମି ନିର୍ମାଣ ଆଦିରେ ଏହି ସମ୍ବଳ ବିନିଯୋଗ କରାଯାଇଥିଲେ କିପରି ଲୋକମାନଙ୍କର ଅଶେଷ କଲ୍ୟାଣ ସାଧିତ ହୁଅନ୍ତା ତାହା ସୂଚାଇବାରେ ଲାଗିଛନ୍ତି। ପ୍ରକଳ୍ପଟି ଉପକୂଳ ପରିବେଶ ପ୍ରତି କ୍ଷତି ପହୁଞ୍ଚାଇବ ବୋଲି ମଧ୍ୟ ବିରୋଧୀମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପ ପ୍ରତି ସମର୍ଥନ ମୁଖ୍ୟତଃ ଆବେଗିକ ଶ୍ରେଣୀର (ଏହା ଶିବାଜୀ ଭକ୍ତି କିମ୍ବା ଦେଶ ଭକ୍ତି କିମ୍ବା ମୋଦୀ ଭକ୍ତି ଉପରେ ପ୍ରତିଷ୍ଠିତ) ହୋଇଥିବାରୁ ଏହାର ସମର୍ଥକମାନଙ୍କ ନିକଟରେ ପ୍ରକଳ୍ପ ସପକ୍ଷରେ ଦର୍ଶାଇବା ପାଇଁ ସେଭଳି କୌଣସି ବଳିଷ୍ଠ ଅର୍ଥନୈତିକ କିମ୍ବା ବାସ୍ତବବାଦୀ ଯୁକ୍ତି ନାହିଁ।
 
ଏଇଠି ସେମାନଙ୍କର ସହାୟତା କରିବା ପାଇଁ ଆବିର୍ଭୂତ ହୋଇଛି ଏକ ନବ୍ୟ ଧାରଣା, ଯାହାକୁ ଅକ୍ସଫୋର୍ଡ ଡିକ୍‌ସନାରି ୨୦୧୬ ପାଇଁ ‘ସମ୍ବତ୍ସରର ଶବ୍ଦ’ ରୂପେ ଚୟନ କରିଛି: ‘ପୋଷ୍ଟ ଟ୍ରୁଥ୍‌’ (‘ସତ୍ୟୋତ୍ତର’)। ‘ସତ୍ୟୋତ୍ତର’ ଅକ୍ଷରେ ଅକ୍ଷରେ ସତ ନୁହେଁ କିନ୍ତୁ ଏହା ଯେଉଁମାନଙ୍କ ପ୍ରତି ଉଦ୍ଦିଷ୍ଟ, ସେମାନଙ୍କର ଭାବନା ସହିତ ଏପରି ମେଳ ଖାଇଥାଏ ଯେ ସେମାନେ ଏହାକୁ ସତ ରୂପେ ଗ୍ରହଣ କରି ତଦନୁଯାୟୀ ନିଜର ଆଚରଣର ରୂପରେଖ ଦେଇଥାନ୍ତି। ଶିବାଜୀ ସ୍ମାରକୀର ସମର୍ଥକମାନେ ବିଶ୍ୱାସ କରିବାକୁ ଚାହାନ୍ତି ଯେ ଏହି ପ୍ରକଳ୍ପର ନିଶ୍ଚିତ ରୂପେ ଅନେକ ସୁଫଳ ରହିଛି ଯାହା ସେମାନେ ନିର୍ଦ୍ଦିଷ୍ଟ ରୂପେ ଜାଣି ନାହାନ୍ତି। ଠିକ୍‌ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମନକୁ ପାଇବା ଭଳି ସୋସିଆଲ୍‌ ନେଟ୍‌ଓ୍ଵାର୍କ ‘ହ୍ଵାଟ୍‌ସଆପ୍‌’ରେ ଏକ ସନ୍ଦେଶର ପ୍ରସାର ଆରମ୍ଭ ହେବା ଦେଖାଯାଇଛି ଯାହାକୁ ‘ସତ୍ୟୋତ୍ତର’ର ଏକ ପ୍ରକୃଷ୍ଟ ଉଦାହରଣ ରୂପେ ବିଚାର କରାଯାଇପାରେ।
 
ସନ୍ଦେଶର ଆରମ୍ଭରେ କୁହାଯାଇଛି, ଏହା ଜନସେବା ପାଇଁ ଉଦ୍ଦିଷ୍ଟ। ତା ପରେ ପରେ କୁହାଯାଇଛି ‘‘ମୋଦୀ ସାର୍‌ଙ୍କର ଏହି ମାଷ୍ଟର୍‌ ଷ୍ଟ୍ରୋକ୍‌’’ ନିଜ ଖର୍ଚ୍ଚ ନିଜେ ଉଠାଇବା ସହିତ ତାର ଅନେକ ଗୁଣ ଆୟ ମଧ୍ୟ କରିବ। ସରକାର କୁଆଡ଼େ ଫିନଲାଣ୍ଡର ଜଣେ ବିଶିଷ୍ଟ ସୌରଶକ୍ତି ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିବା ବ୍ୟକ୍ତିଗତ ପରାମର୍ଶକୁ ଭିତ୍ତି କରି ଏପରି ଏକ ଯୌଗିକ ପଦାର୍ଥ (ଆମର୍ଫସ୍‌ ସିଲିକନ୍‌, କ୍ୟାଡ୍‌ମିଅମ୍‌ ଟେଲୁରାଇଡ୍‌ ଏବଂ କପର୍‌ ଇଣ୍ଡିଅମ୍‌ ଗାଲିଅମ୍‌ ସେଲେନାଇଡ୍‌!!!) ବ୍ୟବହାର କରି ଶିବାଜୀଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଯାଉଛନ୍ତି ଯେଉଁଥିରୁ ଉତ୍ପନ୍ନ ସୌର ବିଦ୍ୟୁତ୍‌ ଶକ୍ତି ମୁମ୍ବାଇର ସମସ୍ତ ସରକାରୀ ଅଫିସ୍‌ମାନଙ୍କର ଶକ୍ତି ଆବଶ୍ୟକତା ପୂରଣ କରିପାରିବ!! ସେତିକି ନୁହେଁ ମୂର୍ତ୍ତିରେ ଖଞ୍ଜା ହେବାକୁ ଥିବା ‘ରୁପାର୍‌’ ନାମରେ ଅତ୍ୟାଧୁନିକ ଶବ୍ଦଭେଦୀ ସୋନାର୍‌ ସାହାଯ୍ୟରେ ଆରବ ସାଗରରେ ଯାତାୟାତ କରୁଥିବା ପ୍ରତ୍ୟେକ ନୌକା ଉପରେ ତୀକ୍ଷ୍‌ଣ ନଜର ରଖାଯାଇ ପାରିବ ଯାହାଫଳରେ ୨୦୦୮ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହୋଇ ପାରିବ ନାହିଁ। କହିବା ବାହୁଲ୍ୟ ଏ ସମସ୍ତ ହେଉଛି ମିଥ୍ୟା ଯାହାକୁ ସ୍ମାରକୀ ସମର୍ଥକମାନେ ବିଶ୍ୱାସ କରିବାକୁ ଉଦ୍‌ଗ୍ରୀବ- ତେଣୁ ସେମାନଙ୍କ ପାଇଁ ଏହା ସତ ଭଳି ବା ‘ସତ୍ୟୋତ୍ତର’।
 
‘ସତ୍ୟୋତ୍ତର’ କିଭଳି ବିଭ୍ରାନ୍ତକାରୀ ଏବଂ ବିପଜ୍ଜନକ ମଧ୍ୟ ହୋଇପାରେ, ନିକଟରେ ତାହାର ଏକ ବିଶେଷ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ୍‌ ଏହାର ଶିକାର ହୋଇ ଏକ କାଣ୍ଡ କରି ବସିଥିଲେ। ସୋସିଆଲ୍‌ ମିଡିଆରୁ ଆସିଫ୍‌ ଜାଣିବାକୁ ପାଇଲେ ଯେ ସିରିଆରେ ପାକିସ୍ତାନର ଆଇସିସ୍‌-ବିରୋଧୀ ଭୂମିକା ଯୋଗୁଁ ଇସ୍ରାଏଲ୍‌ ପାକିସ୍ତାନ ଉପରେ ଆଣବିକ ଆକ୍ରମଣ କରିବା ପାଇଁ ଧମକ ଦେଇଛି। ଏହା ଉଦ୍ଭଟ ମନେ ହେଉଥିବା ସତ୍ତ୍ୱେ ପାକିସ୍ତାନୀ ମନ୍ତ୍ରୀ ଜଣକ ଏହାର ସତ୍ୟତା ଯାଞ୍ଚ ନ କରି ନିଜେ ଏକ ପାଲଟା ଧମକ ଜାରି କରି ଇସ୍ରାଏଲ୍‌କୁ ମନେ ପକାଇଦେଲେ ଯେ ପାକିସ୍ତାନ ମଧ୍ୟ ହେଉଛି ଏକ ଆଣବିକ ଅସ୍ତ୍ରଧାରୀ ରାଷ୍ଟ୍ର। ଅର୍ଥାତ୍‌, ପାକିସ୍ତାନ ମଧ୍ୟ ଇସ୍ରାଏଲ୍‌ ଉପରେ ଆଣବିକ ଆକ୍ରମଣ କରିପାରିବ। ପରେ ଇସ୍ରାଏଲ୍‌ ସରକାର ଗୁଜବକୁ ଅସ୍ୱୀକାର କରି ଏ ଉଦ୍ଭଟ ନାଟକରେ ଅନ୍ତ ଘଟାଇଥିଲା। କିନ୍ତୁ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଏହା ଦ୍ୱାରା ଘୋର ଅପଦସ୍ଥ ହୋଇଥିଲେ।
 
କେତେ ଦିନ ତଳେ ଭାରତର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅନୁରୂପ ଢଙ୍ଗରେ ଏକ ଭିନ୍ନ ପରିପ୍ରେକ୍ଷୀରେ ‘ସତ୍ୟୋତ୍ତର’ର ଶିକାର ହେବା ଦେଖା ଯାଇଥିଲା। ଯେତେବେଳେ ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କେତେକ ଦିଗଭ୍ରଷ୍ଟ ଛାତ୍ର ଦେଶ ବିରୋଧୀ ଆନ୍ଦୋଳନ ଚଳାଇ ଥିଲେ, ରାଜନାଥ ସିଂହ ପ୍ରକାଶ କରିଥିଲେ ଯେ ଲସ୍କର ଏ ତୋଇବା ମୁଖ୍ୟ ହାଫିଜ୍‌ ସଇଦ୍‌ ଆନ୍ଦୋଳନକାରୀଙ୍କୁ ସହାୟତା କରୁଛି। ତାଙ୍କ ଅଭିଯୋଗର ଆଧାର ଥିଲା ଏକ ନକଲି ବ୍ୟଙ୍ଗାତ୍ମକ ହାଫିଜ୍‌ ସଇଦ୍‌ ଏକାଉଣ୍ଟ୍‌ରୁ ପ୍ରସାରିତ ହୋଇଥିବା ଟ୍ଵିଟ୍‌। ଲକ୍ଷ୍ୟ କରିବା କଥା ଏଭଳି ଭ୍ରମ ଦ୍ୱାରା ଘୋର ଅପଦସ୍ଥ ହୋଇଥିଲେ ହେଁ ରାଜନାଥ ପରେ ନିଜର ଭୁଲ ସ୍ୱୀକାର କରି ନାହାନ୍ତି। ଅସଲ କଥା ହେଲା, ଯେହେତୁ ଆନ୍ଦୋଳନକାରୀ ଛାତ୍ରମାନେ ଭାରତ ବିରୋଧରେ ଏବଂ କଶ୍ମୀର ସ୍ୱାଧୀନତା ସପକ୍ଷରେ ଆହ୍ଵାନ ଦେଉଥିଲେ, ଏଥିରେ ପାକିସ୍ତାନସ୍ଥିତ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନମାନଙ୍କର ହାତ ଅଛି ବୋଲି ଏକ ଧାରଣା ସ୍ୱାଭାବିକ ଭାବରେ ଉଦ୍ରେକ ହୋଇଥାଏ। ନକଲି ଟ୍ଵିଟ୍‌ ଏକ ‘ସତ୍ୟୋତ୍ତର’ ପ୍ରମାଣ ରୂପେ ଏହି ଧାରଣାକୁ ବଳବତ୍ତର କରିଥିଲା।
 
ଖ୍ଵାଜା ଆସିଫ୍‌ ମଧ୍ୟ ଭୁଲ ଧରାପଡ଼ିବା ପରେ ବି ଏ ପର୍ଯ୍ୟନ୍ତ ନିଜର ଭୁଲ ସ୍ୱୀକାର ନକରି ସେ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ଇତି ମଧ୍ୟରେ ସେଇ ପାକିସ୍ତାନରେ ଆଉ ଏକ ‘ସତ୍ୟୋତ୍ତର’ ତଥ୍ୟର ଆବିର୍ଭାବ ସେଠାରେ ଏକ ଭୀଷଣ ରାଜନୈତିକ ଝଡ଼ର ସୂତ୍ରପାତ କରିଥିଲା। ସୋସିଆଲ୍‌ ମିଡିଆରେ ପ୍ରକାଶ ପାଇଲା ଯେ ସେ ଦେଶର ନୂତନ ସେନାମୁଖ୍ୟ ହେଉଛନ୍ତି ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ। ପାକିସ୍ତାନ ଭଳି ଏକ ଧର୍ମୀୟ ରାଷ୍ଟ୍ରରେ ଏହା କିଭଳି ବିସ୍ଫୋରକ ସମ୍ଭାବନା ସୃଷ୍ଟି କରିପାରେ ସହଜେ ଅନୁମେୟ। ଭାଗ୍ୟକୁ ‘ସତ୍ୟ’ ଜଣାପଡ଼ିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବର୍ତ୍ତମାନର ଦୁନିଆରେ ସୋସିଆଲ୍‌ ମିଡିଆ ଏ ଯାଏଁ ରାଜୁତି କରିଆସୁଥିବା ପାରମ୍ପରିକ ଗଣମାଧ୍ୟମକୁ ସ୍ଥାନଚ୍ୟୁତ କରିବାକୁ ବସିଲାଣି। ପାରମ୍ପରିକ ଗଣମାଧ୍ୟମ କିନ୍ତୁ ନିୟମକାନୁନ, ପରମ୍ପରା ଆଦିର ଗଣ୍ଡି ମଧ୍ୟରେ ରହି ଉତ୍ତରଦାୟିତ୍ୱ ବହନ କରୁଥିବାବେଳେ ସୋସିଆଲ୍‌ ମିଡିଆ ସମ୍ପୂର୍ଣ୍ଣ ବେଲଗାମ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଏହା ‘ସତ୍ୟୋତ୍ତର’ର ଆଦର୍ଶ ବାହକ ରୂପେ କାର୍ଯ୍ୟ କରୁଛି। ନେତାରୁ ଜନତା ସମସ୍ତେ ଏଥି ପ୍ରତି ସାବଧାନ ରହିବା ଜରୁରୀ।   

image