24 February 2017
10:33:30 PM
Sambad News
ସମ୍ପାଦକୀୟ

ପଞ୍ଚାୟତ ପରୀକ୍ଷା

By Sambad | Date: Dec 30 2016 4:47AM
ପଞ୍ଚାୟତ ପରୀକ୍ଷା

ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଫେବ୍ରୁଆରି ୧୩ରୁ ୨୧ ତାରିଖ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଲାଗି ସୂଚୀ ସ୍ଥିର ହୋଇଛି। ରାଜ୍ୟର ଗ୍ରାମାଞ୍ଚଳର ପ୍ରାୟ ୨ କୋଟି ୬୧ ଲକ୍ଷ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନର ଓ୍ଵାର୍ଡମେମ୍ବର, ସରପଞ୍ଚଠାରୁ ଆରମ୍ଭ କରି ଜିଳ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ୧ ଲକ୍ଷ ୬ ହଜାରରୁ ଅଧିକ ଲୋକ ପ୍ରତିନିଧି ବାଛିବେ। ରାଜନୈତିକ ଦୃଷ୍ଟିରୁ ଆଗାମୀ ପଞ୍ଚାୟତ ନିର୍ବାଚନ ବିଶେଷ ଗୁରୁତ୍ୱ ବହନ କରେ ଏଥିପାଇଁ ଯେ, ଗ୍ରାମୀଣ ଭୋଟରଙ୍କ ରାୟ ଅଢ଼େଇ ବର୍ଷ ପରର ଉଣେଇଶ ଜନାଦେଶର ଚିତ୍ର ଓ ଚରିତ୍ର ସମ୍ପର୍କରେ ଏକ ବିଶ୍ୱସନୀୟ ସଂକେତ ପ୍ରଦାନ କରିବ। ଉଣେଇଶ ମହାସମର ପୂର୍ବରୁ ସତରରେ ପଞ୍ଚାୟତ ମଇଦାନରେ ଏ ଲଢ଼େଇକୁ ପ୍ରଥମ ସେମିଫାଇନାଲ କୁହାଯାଇପାରେ। ଚଉଦ ନିର୍ବାଚନର ପ୍ରାୟ ଅଢ଼େଇ ବର୍ଷ ପରେ ଏବଂ ଉଣେଇଶ ନିର୍ବାଚନର ଅଢ଼େଇ ବର୍ଷ ପୂର୍ବରୁ ଲୋକଙ୍କ ମଧ୍ୟରେ କେଉଁ ଦଳର ପତିଆରା କେତେ, ଦଳର ଜନାଧାର ସଂପ୍ରସାରିତ ହୋଇଛି ନା ସଂକୁଚିତ ହୋଇଛି, ତାର ପ୍ରମାଣ ମିଳିଯିବ ୨.୬୧ କୋଟି ଭୋଟରଙ୍କ ମତରୁ। ତେଣୁ ସ୍ୱାଭାବିକ ଭାବେ ରାଜ୍ୟ ରାଜନୀତିରେ ନିଜର ପତିଆରା ବୃଦ୍ଧି ତଥା ପ୍ରାସଙ୍ଗିକତାକୁ ବଜାୟ ରଖିବା ଲାଗି ପ୍ରୟାସରତ ପ୍ରତ୍ୟେକଟି ଛୋଟ ବଡ଼ ରାଜନୈତିକ ଦଳ ଏବେ ଗାଁ ମୁହାଁ।  ଲକ୍ଷେ ଛଅ ହଜାରରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ କେବଳ ମାତ୍ର ୮୫୧ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ଦଳୀୟ ଭିତ୍ତିରେ ନିର୍ବାଚନ ହେଉଥିଲେ ମଧ୍ୟ ପ୍ରତ୍ୟେକ ପଞ୍ଚାୟତ ପ୍ରତିନିଧିରେ ପ୍ରତ୍ୟେକଟି ଦଳ ନିଜର ପ୍ରତିନିଧିତ୍ୱ ଦେଖିବାକୁ ବ୍ୟଗ୍ର। ଫଳରେ ଓ୍ଵାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଦଳୀୟ ସଂକେତ ନଥିଲେ ସୁଦ୍ଧା ବସ୍ତୁତଃ ଦଳୀୟ ଭିତ୍ତିରେ ମୁକାବିଲା ହେବ। ତୃଣମୂଳ, ବିଶେଷ କରି ବୁଥ୍‌ ସ୍ତରରେ ଦଳୀୟ ସଂଗଠନକୁ ଦୃଢ଼ କରିବା ଲାଗି ଏହା ଏକ କୌଶଳ, ଯାହା ପଞ୍ଚାୟତ ଲଢ଼େଇର ରାଜନୈତିକ ଗୁରୁତ୍ୱ ବଢ଼ାଇ ଦେଉଛି।
 
ସବୁ ଛୋଟ ବଡ଼ ରାଜନୈତିକ ଦଳ ପାଇଁ ଆଗାମୀ ପଞ୍ଚାୟତ ଭୋଟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ସୁଦ୍ଧା ରାଜ୍ୟର ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ- ଶାସକ ବିଜେଡି, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିକଳ୍ପ ହେବାର ଅଭିଳାଷ ରଖୁଥିବା ବିଜେପି ପାଇଁ ଏ ଲଢ଼େଇ ବହୁଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏ ଲଢ଼େଇର ଫଳାଫଳ ସହ ତିନି ଦଳର ଭବିଷ୍ୟତ ସମ୍ଭାବନା ଯୋଡ଼ି ହୋଇଛି। ସତର ବର୍ଷ ହେଲା ଶାସନରେ ଥିବା ରାଜ୍ୟର ଏକ ନମ୍ବର ଦଳ ବିଜେଡି ପାଇଁ ଆହ୍ଵାନ ସବୁଠୁ ଅଧିକ କଡ଼ା। ଦଳକୁ ପାଞ୍ଚ ବର୍ଷ ତଳେ ମିଳିଥିବା ୬୫୧ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂଖ୍ୟା ବଢ଼ାଇବାକୁ ପଡ଼ିବ। ଅନ୍ୟଥା ସଂକେତ ଯିବ ଯେ ଦଳର ପତିଆରା କ୍ଷୁଣ୍ଣ ହୋଇଛି, ଜନସମର୍ଥନ କମିଛି। କୌଣସି ପରିସ୍ଥିତିରେ ବି ବିଜେଡିର ଜିଲ୍ଲା ପରିଷଦ ଆସନ ସଂଖ୍ୟା ଯଦି ୬୫୧ରୁ ତଳକୁ ଖସେ, ତେବେ ତାହା ଦଳ ପାଇଁ ପାଣିପାଗ ପ୍ରତିକୂଳ ହେଉଥିବାର ସୂଚନା ଦେବ। ମୁଖ୍ୟ ବିରୋଧୀ କଂଗ୍ରେସ ପାଇଁ ଆହ୍ଵାନ ହେଲା, ଦଳକୁ ଗତଥରର ୧୨୮ ଜିଲ୍ଲା ପରିଷଦ ଆସନରୁ ଅଧିକ ଆସନ ହାସଲ କରିବାକୁ ପଡ଼ିବ। ଅନ୍ୟଥା ଏହା ପ୍ରମାଣିତ ହୋଇଯିବ ଯେ ରାଜ୍ୟରେ ଦଳର ଅବକ୍ଷୟର ଧାରା ଜାରି ରହିଛି। କନ୍ଦଳରତ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଫେରି ନାହିଁ। ବିଜେପି ପାଇଁ ମଧ୍ୟ ସେମିତି ମୁଖ୍ୟ ବିକଳ୍ପ ହେବାର ଦାବି ଖାଲି ପ୍ରଚାର ନା ବାସ୍ତବତା, ତାହା ପଞ୍ଚାୟତ ମଇଦାନରେ ଦଳର ପ୍ରଦର୍ଶନରୁ ଜଣା ପଡ଼ିଯିବ। ଗତ ପଞ୍ଚାୟତ ନିର୍ବାଚନରେ ମାତ୍ର ୩୬ଟି ଜିଲ୍ଲା ପରିଷଦ ଆସନରେ ଦଳର ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ଏଥର ବିଜେପି ପାଇଁ ଆହ୍ଵାନ ହେଲା, କେବଳ ୩୬ ସଂଖ୍ୟାକୁ ବଢ଼ାଇବା ଯଥେଷ୍ଟ ହେବ ନାହିଁ, ଅନ୍ତତଃ ଦୁଇ ନମ୍ବର ଦଳ ଭାବେ ନିଜର ସ୍ଥିତିର ପ୍ରମାଣ ଦେବା ଲାଗି କଂଗ୍ରେସ ଠାରୁ ଅଧିକ ସଂଖ୍ୟକ ଜିଲ୍ଲା ପରିଷଦ ଆସନ ହାସଲ କରିବାକୁ ପଡ଼ିବ। କନ୍ଧମାଳ ଲୋକସଭା ଉପ- ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନରେ ରହିବା ଆଦୌ ଆକସ୍ମିକ ନଥିଲା ବୋଲି ବିଜେପିକୁ ପ୍ରମାଣ କରିବାକୁ ପଡ଼ିବ। ବର୍ତ୍ତମାନର ପରିସ୍ଥିତିରେ କୌଣସି ଦଳ ପାଇଁ ପଞ୍ଚାୟତ ନିର୍ବାଚନ ଆହ୍ଵାନର ମୁକାବିଲା ସହଜ ମନେ ହେଉନାହିଁ।
 
ପଞ୍ଚାୟତ ନିର୍ବାଚନ ତିନି ପ୍ରତିଦ୍ୱନ୍ଦ୍ୱୀ ଦଳ ପାଇଁ ଯେତିକି ବଡ଼ ପରୀକ୍ଷା, ତିନି ଦଳର ନେତୃତ୍ୱ ପାଇଁ ତା’ଠାରୁ ବହୁଗୁଣ ଅଧିକ ବଡ଼ ପରୀକ୍ଷା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ, ଭାବମୂର୍ତ୍ତି ଓ ତାଙ୍କ ସରକାରର ପ୍ରଦର୍ଶନ ଉପରେ ଏହାକୁ ଯଦି ଗଣଭୋଟ କୁହାଯାଏ, ତେବେ ଅତ୍ୟୁକ୍ତି ହେବ ନାହିଁ। ବିଜେଡିର ପ୍ରଦର୍ଶନରୁ ଜଣାପଡ଼ିବ ସୁପ୍ରିମୋଙ୍କ ନେତୃତ୍ୱର ପ୍ରତିଷ୍ଠା, ଭାବମୂର୍ତ୍ତିର ଔଜଲ୍ୟ ଓ ସରକାରଙ୍କ କାମକୁ ଲୋକେ କେତେ ଗ୍ରହଣ କରୁଛନ୍ତି। ଚିଟ୍‌ଫଣ୍ଡ ମହାଠକେଇ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି କି ନାହିଁ, ଯଦି କରିଛି କେତେ ମାତ୍ରାରେ କରିଛି? ବିକାଶ ଓ ଶାସନର ଅସଲ ସ୍ୱରୂପ ପଦାରେ ପକାଇ ଦେଇଥିବା ନଗଡ଼ା, ଦାନ ମାଝୀ ଘଟଣା, ଜାପାନୀ ଜ୍ୱରରେ ଶିଶୁ ମଡ଼କ ଆଦି ଘଟଣା ସରକାରଙ୍କ ବିଶ୍ୱସନୀୟତାକୁ କେତେ ପ୍ରଭାବିତ କରିଛି? ଶେଷରେ ଅଘଟଣର ଏ ଧାରାବାହିକ ସୁପ୍ରିମୋଙ୍କ ନେତୃତ୍ୱ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ କେତେଦୂର ପ୍ରଭାବିତ କରିଛି? ଏ ସବୁ ପ୍ରଶ୍ନର ଜବାବ ମିଳିବ ପଞ୍ଚାୟତ ନିର୍ବାଚନର ଫଳାଫଳରୁ। 
 
ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଏବଂ ରାଜ୍ୟର ବିଜେପିର ମୁହଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଓ ରାଜନୈତିକ ଭବିଷ୍ୟତ ମଧ୍ୟ ଦାଓରେ ଲାଗିଛି। ‘ପ୍ରସାଦ ହଟାଅ ଅଭିଯାନ’କୁ ଅଣଦେଖା କରି କଂଗ୍ରେସ ହାଇକମାଣ୍ଡ ପଞ୍ଚାୟତ ନିର୍ବାଚନରେ ନିଜର ଦକ୍ଷତାର ପ୍ରମାଣ ଦେବା ଲାଗି ପିସିସି ସଭାପତିଙ୍କୁ ସୁଯୋଗ ଦେଇଥିଲେ। ଏବେ ପ୍ରମାଣ ଦେବାର ସମୟ ଆସି ଯାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଗତ ଥର ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରି ନ ପାରିଲେ ଦଳୀୟ କନ୍ଦଳ ଅଧିକ ତୀବ୍ର ରୂପ ନେବ ଓ ପୁଣି ‘ପ୍ରସାଦ ହଟାଅ’ ଅଭିଯାନ ଆରମ୍ଭ ହେବ, ଯାହାକୁ କଂଗ୍ରେସ ହାଇକମାଣ୍ଡ ଆଉ ଅଣଦେଖା କରିବା ସମ୍ଭବପର ହୋଇ ନପାରେ। ଅନ୍ୟପକ୍ଷରେ କଂଗ୍ରେସ ଯଦି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରେ, ତେବେ ପିସିସି ସଭାପତି ଭାବେ ପ୍ରସାଦଙ୍କ ହାତମୁଠା ଟାଣ ହେବ। ରାଜ୍ୟରେ ସବୁଠାରୁ ଅଧିକ ଦୃଶ୍ୟମାନ ବିଜେପି ଚେହେରା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପଞ୍ଚାୟତ ଲଢ଼େଇରେ ପ୍ରମାଣ କରିବାକୁ ପଡ଼ିବ ଯେ ସେ ବାକ୍ୟ ବୀର ନୁହନ୍ତି, କର୍ମବୀର। ରାଜ୍ୟ ବିଜେପିର ସଭାପତି ବସନ୍ତ ପଣ୍ଡା। କିନ୍ତୁ ପଣ୍ଡାଙ୍କ ନେତୃତ୍ୱ ପାଇଁ ନୁହେଁ, ବରଂ ପ୍ରଧାନଙ୍କ ନେତୃତ୍ୱ ପାଇଁ ଏହା ଏକ ପରୀକ୍ଷା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପଞ୍ଚାୟତ ନିର୍ବାଚନରେ ବିଜେପିର ଆଖିଦୃଶିଆ ପ୍ରଦର୍ଶନ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ମୋହର ଲଗାଇବ। ଅନ୍ୟଥା କେବଳ ଦଳ ଭିତରେ ନୁହେଁ, ଲୋକଙ୍କ ଭିତରେ ମଧ୍ୟ ତାଙ୍କର ଗ୍ରହଣୀୟତା ପ୍ରଭାବିତ ହେବ।
 
ପଞ୍ଚାୟତ ନିର୍ବାଚନ ପ୍ରତ୍ୟେକ ଦଳ ଓ ନେତୃତ୍ୱ ପାଇଁ ପରୀକ୍ଷା। ଏଥି ସହ  ରାଜ୍ୟ ରାଜନୀତିର ଭବିଷ୍ୟତ ସମୀକରଣ ନେଇ ଅନେକ ପ୍ରଶ୍ନ ଯୋଡ଼ି ହୋଇଛି। ପରୀକ୍ଷାର ଫଳ ଓ ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ପାଇଁ ଫେବ୍ରୁଆରି ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।