29 April 2017
9:02:31 AM
image
Sambad News
ସମ୍ପାଦକୀୟ

କୁଡୁମୁଲୁଗୁମ୍ମାର ‘ଲାଲ୍‌’ ସଂକେତ

By Sambad | Date: Dec 31 2016 4:18AM
କୁଡୁମୁଲୁଗୁମ୍ମାର ‘ଲାଲ୍‌’ ସଂକେତ

ଅଳ୍ପ କିଛି ଦିନର ବ୍ୟବଧାନରେ ମାଲ୍‌କାନଗିରିରେ ଲାଲ୍‌ ବାହିନୀ ପୁଣି ତା’ର ରକ୍ତମୁଖା ଉଗ୍ରରୂପ ଦେଖାଇଛି। ଚାରିଦିନ ଭିତରେ ‘ପୁଲିସ୍‌ ସୂଚନା ଦାତା’ ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି। ଏଥରର ମାଓ ହିଂସା ବିଶେଷ ଭାବେ ଚିନ୍ତାର ବିଷୟ ଏଥିପାଇଁ ଯେ ପ୍ରଥମ ଥର ପାଇଁ ଭୟରେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ହିଂସା ପୀଡ଼ିତଙ୍କ ଶିବିର ଉପରେ ଲାଲବାହିନୀ ଚଢ଼ାଉ କରିଛନ୍ତି। କୁଡୁମୁଲୁଗୁମ୍ମାସ୍ଥିତ ହିଂସା ବିସ୍ଥାପିତଙ୍କ ଶିବିର ଉପରେ ପ୍ରାୟ ୫୦ ସଶସ୍ତ୍ର ମାଓବାଦୀ ଚଢ଼ାଉ କରି ଦୁଇ ଜଣଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ। ଉଲ୍ଲେଖନୀୟ ହେଲା, ମାଓ ଉପଦ୍ରୁତ ବିଚ୍ଛିନ୍ନାଞ୍ଚଳର ହିଂସା ପୀଡ଼ିତ ପ୍ରାୟ ୫୦ ପରିବାର ଆଶ୍ରୟ ନେଇଥିବା କୁଡୁମୁଲାଗୁମ୍ମା ଶିବିର ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ବିଏସ୍‌ଏଫ୍‌ ଛାଉଣି ରହିଛି। ଏହା ସ୍ୱାଭାବିକ ଭାବେ, ପ୍ରାୟ ଦୁଇଶହ ମାଓ ହିଂସା ପୀଡ଼ିତ ପରିବାର ଆଶ୍ରୟ ନେଇଥିବା ଜିଲ୍ଲାର ତିନିଟି ଶିବିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଡୁମୁଲୁଗୁମ୍ମା ଭଳି ଚିତ୍ରକୋଣ୍ଡା ଏବଂ ମାଲକାନଗିରିଠାରେ ମଧ୍ୟ ମାଓ ହିଂସା ପୀଡ଼ିତଙ୍କ ଶିବିର ରହିଛି। ଏହା ବ୍ୟତୀତ, ତାଜା ମାଓ ହିଂସା ପରିପ୍ରେକ୍ଷୀରେ ଗତ ଦୁଇବର୍ଷ ମଧ୍ୟରେ ଲାଲବାହିନୀ ପ୍ରତି ଖୋଲାଖୋଲି ସମର୍ଥନ ପ୍ରତ୍ୟାହାର କରିଥିବା ପ୍ରାୟ ଶହେଟି ଗ୍ରାମର ଲୋକଙ୍କ ନିରାପତ୍ତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
 
କେବଳ ସେତିକି ନୁହେଁ, ରାଜ୍ୟରେ ଲାଲ୍‌ ବାହିନୀ ଦୁର୍ବଳ ହେଉଛି, ମାଓ କାର୍ଯ୍ୟକଳାପ କମୁଛି ବୋଲି ସୃଷ୍ଟି ହେଉଥିବା ଧାରଣା ଉପରେ ମଧ୍ୟ କୁଡୁମୁଲୁଗୁମ୍ମାର ତାଜା ହିଂସା ପ୍ରଶ୍ନ ଚିହ୍ନ ଲଗାଇଛି। ମାଓ ପରିସ୍ଥିତି ନେଇ କୋହଳ ମନୋଭାବର ଅବକାଶ ନାହିଁ। ଅକ୍‌ଟୋବର ଶେଷ ଆଡ଼କୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ଅନେକ ତୁଙ୍ଗ ନେତାଙ୍କ ସମେତ ଦୁଇ ଡଜନରୁ ଅଧିକ ମାଓବାଦୀ ନିହତ ହେବା ସତ୍ତ୍ୱେ ହିଂସାର ତାଣ୍ଡବ ରଚି ଆତଙ୍କ ଖେଳାଇବା ପାଇଁ ଲାଲ୍‌ ବାହିନୀ ପାଖରେ ଯଥେଷ୍ଟ ଶକ୍ତି ସାମର୍ଥ୍ୟ ରହିଛି। କେବଳ ମାଲ୍‌କାନଗିରି ନୁହେଁ, କଳାହାଣ୍ଡି, କୋରାପୁଟ ସମେତ ରାଜ୍ୟର ଆହୁରି କେତେକ ପ୍ରଭାବିତ ଜିଲ୍ଲାରେ ମାଓ ଗତିବିଧି ଜାରି ରହିବା ଓ ନିୟମିତ ବ୍ୟବଧାନରେ ହିଂସା ଘଟିବା ପରିପ୍ରେକ୍ଷୀରେ, ବାମପନ୍ଥୀ ଉଗ୍ରବାଦର ପ୍ରଭାବ ହ୍ରାସ ପାଉଛି ବୋଲି ଧାରଣାରେ ରହିବା ଆତ୍ମଘାତୀ ଭ୍ରମ ହେବ।
 
କେବଳ ଓଡ଼ିଶାରେ ନୁହେଁ, ସାମଗ୍ରିକ ଭାବେ ପୂରା ଦେଶରେ ବାମପନ୍ଥୀ ଉଗ୍ରବାଦର ଆତଙ୍କ ପୂର୍ବାପେକ୍ଷା କମିଛି ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ମାଓ ହିଂସା ସଂକ୍ରାନ୍ତ ସରକାରୀ ପରିସଂଖ୍ୟାନ ସ୍ଥିତିରେ ବିଶେଷ ସକାରାତ୍ମକ ପରିବର୍ତ୍ତନର ସୂଚନା ଦେଉ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟାମୋଟି ହିଂସାତ୍ମକ ଘଟଣାର ସଂଖ୍ୟା ସାମାନ୍ୟ କମିଥିଲେ ସୁଦ୍ଧା ଲାଲ୍‌ ବାହିନୀର ଶିକାର ହୋଇ ପ୍ରାଣ ହରାଇଥିବା ବେସାମରିକ ବ୍ୟକ୍ତି ଓ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ବଢ଼ିଛି। ୨୦୧୬ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୧୦୫ଟି କମ୍‌ ମାଓ ହିଂସା ଘଟିଛି। ୨୦୧୫ରେ ମୋଟ ମାଓ ହିଂସା ଘଟଣା ସଂଖ୍ୟା ୧,୦୮୮ ଥିବା ବେଳେ ଚଳିତ ବର୍ଷ ତାହା ୯୮୩କୁ କମିଛି। ଅନ୍ୟପକ୍ଷରେ କିନ୍ତୁ ମାଓ ହିଂସାରେ ପ୍ରାଣ ହରାଇଥିବା ବେସାମରିକ ବ୍ୟକ୍ତିଙ୍କ ସଂଖ୍ୟା ୧୫୬ରୁ ୨୦୨କୁ ଏବଂ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ୫୯ରୁ ୬୬କୁ ବୃଦ୍ଧି ପାଇଛି। ପୁଲିସ୍‌ ମାଓବାଦୀ ଗୁଳି ବିନିମୟ ଘଟଣା ମଧ୍ୟ ୨୪୭ରୁ ୩୦୫କୁ ବୃଦ୍ଧି ପାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମାଓବାଦୀଙ୍କ ବିରୋଧରେ ୨୦୧୫ ତୁଳନାରେ ୨୦୧୬ରେ ସୁରକ୍ଷା ବାହିନୀଙ୍କ ଅଭିଯାନ ଅଧିକ ଜୋରଦାର ହୋଇଛି। ଫଳତଃ ପୂର୍ବବର୍ଷ ଅପେକ୍ଷା ଅଧିକ ନକ୍ସଲ ନିହତ ହୋଇଛନ୍ତି, ଅଧିକ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଅଧିକ ସଂଖ୍ୟାରେ ଗିରଫ ମଧ୍ୟ ହୋଇଛନ୍ତି। ତେବେ ଏ ପରିସଂଖ୍ୟାନ ପ୍ରଦାନ କରୁଥିବା ଏକ ବିଡ଼ମ୍ବିତ ଚିତ୍ରକୁ ଅଣଦେଖା କରାଯାଇ ନପାରେ।
 
ଗୋଟିଏ ପକ୍ଷରେ ସରକାରଙ୍କ ତଥ୍ୟ ନିରାପତ୍ତା ବାହିନୀଙ୍କ ମାଓ ଦମନ ଅଭିଯାନର ସଫଳତା ବୟାନ କରୁଛି। ଅନ୍ୟପକ୍ଷରେ ଏହା ମଧ୍ୟ ସଂକେତ ଦେଉଛି ଯେ, ମାଓ ଗତିବିଧି କମି ନାହିଁ, ବରଂ ବୃଦ୍ଧି ପାଇଛି। ଝାଡ଼ଖଣ୍ଡଠାରୁ ଆରମ୍ଭ କରି ଓଡ଼ିଶା, ଛତିଶଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ମାଓ ହିଂସା ଏହାର ସଂକେତ ଯେ ଲାଲବାହିନୀ ଦୁର୍ବଳ ପଡ଼ିଥିଲେ ସୁଦ୍ଧା ପୂରା ହାତ ଟେକି ଦେବା ଭଳି ଅବସ୍ଥାକୁ ଆସି ନାହିଁ। ଏବେ ବି ନିଜର ସ୍ଥିତି ଜାହିର କରି ସୁରକ୍ଷା ବାହିନୀକୁ ଆହ୍ଵାନ ଦେବା ଲାଗି ସେମାନଙ୍କ ପାଖରେ ଶକ୍ତି ଓ ସାମର୍ଥ୍ୟ ଅଛି। କୁଡୁମୁଲୁଗୁମ୍ମା ହିଂସା ଏହାର ଏକ ପ୍ରମାଣ। କୁଡୁମୁଲୁଗୁମ୍ମା ଘଟଣା ଆଉ ମଧ୍ୟ ସଂକେତ ଦେଉଛି ଯେ, କେବଳ ମାଲ୍‌କାନଗିରିରେ ନୁହେଁ, ସବୁ ପ୍ରଭାବିତ ଜିଲ୍ଲାରେ ମାଓବାଦୀଙ୍କ ପୁନଃ ସଂଗଠିତ ହେବା ପ୍ରକ୍ରିୟା ଚାଲିଛି। ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଓ ଆନ୍ଧ୍ରର ମାଓ ସଂଗଠନ ପକ୍ଷରୁ ଏଥିପାଇଁ ସମନ୍ଵିତ ପ୍ରୟାସ ଚାଲିଛି। ଏହାକୁ ଅଣଦେଖା କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ।
 
ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ସବୁଠାରୁ ବଡ଼ ବିପଦ କୁହାଯାଉଥିବା ବାମପନ୍ଥୀ ଉଗ୍ରବାଦର ବିପଦ ଗୋଟିଏ ଦଶକ ତଳେ ଯେମିତି ଥିଲା, ଆଜି ମଧ୍ୟ ମୋଟାମୋଟି ସେମିତି ଅଛି। ମାଓ ଦମନ ଦିଗରେ ଅଗ୍ରଗତି- ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି। ବାମପନ୍ଥୀ ଉଗ୍ରବାଦୀ ମୁକାବିଲା ପାଇଁ ପୁଲିସ୍‌ ଅଭିଯାନକୁ ଆହୁରି ଅଧିକ ଜୋର୍‌ଦାର କରିବାକୁ ପଡ଼ିବ। ତେବେ ମାଓ ମୁକାବିଲା ପ୍ରସଙ୍ଗରେ କେବଳ କାର୍ଯ୍ୟାନୁଷ୍ଠାନ ବିଷୟ ବିଚାର କରିବା ଏକପାଖିଆ ହେବ। ବାମପନ୍ଥୀ ଉଗ୍ରବାଦ କେବଳ ମାତ୍ର ଏକ ଆଇନଶୃଙ୍ଖଳା ସମସ୍ୟା  ନୁହେଁ। ନକ୍ସଲବାଦର ଅର୍ଥନୈତିକ ସାମାଜିକ ଦିଗକୁ ଅଣଦେଖା କରାଯାଇ ନପାରେ। ବାମପନ୍ଥୀ ଉଗ୍ରବାଦ ବିରୋଧରେ ମୁକାବିଲାରେ ସଫଳତା ପାଇଁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଯେତିକି ଗୁରୁତ୍ୱପୂର୍ଣ୍ଣ, ବିକାଶ, ଅର୍ଥନୈତିକ ଉତ୍‌ଥାନ ଓ ସାମାଜିକ ନ୍ୟାୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ପରିସ୍ଥିତିରେ କିନ୍ତୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ପ୍ରତି ଯେତିକି ଗୁରୁତ୍ୱ ଦିଆଯାଉଛି, ଅନ୍ୟ ଦିଗ ପ୍ରତି ସେତିକି ଗୁରୁତ୍ୱ ଦିଆଯାଉ ନାହିଁ। ନକ୍ସଲ ମୁକାବିଲା ରଣକୌଶଳରେ ଉଭୟ ବିଷୟ ସମାନ ଗୁରୁତ୍ୱର ଅପେକ୍ଷା ରଖୁଛି।

image