22 February 2017
9:21:55 AM
Sambad News
ସମ୍ପାଦକୀୟ

ସତରର ଆଶା

By Sambad | Date: Jan 2 2017 4:21AM
ସତରର ଆଶା

ସଦ୍ୟ ବିଦାୟ ନେଇଥିବା ଷୋହଳରେ କିଛି ଓଡ଼ିଆଙ୍କ ବ୍ୟକ୍ତିଗତ କୃତିତ୍ୱରେ ରାଜ୍ୟବାସୀ ସାମୟିକ ଭାବେ ଆନନ୍ଦ ଲାଭ କରିଥାଇ ପାରନ୍ତି, କିନ୍ତୁ ସାମୂହିକ ଭାବେ ଓଡ଼ିଶା ଓ ଓଡ଼ିଆଙ୍କ ମୁହଁ ଉଜ୍ଜ୍ୱଳ କଲା ଭଳି କୌଣସି ଉପଲବ୍‌ଧି ନାହିଁ। ବରଂ ଅନ୍ୟ ପକ୍ଷରେ ବିଗତ ବର୍ଷରେ ଏମିତି ଅନେକ ଘଟଣା ଘଟିଛି, ଯାହା ଓଡ଼ିଶାର ଛବିରେ କାଳିମା ବୋଳିଛି, ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନରେ ଆଞ୍ଚ ଆଣିଛି। ନଗଡ଼ାରେ ଅପପୁଷ୍ଟିର ତାଣ୍ଡବ ଠାରୁ ଆରମ୍ଭ କରି ଦାନ ମାଝୀ, ମାଲକାନଗିରିରେ ଜାପାନୀ ଜ୍ୱରର ପ୍ରକୋପ ପର୍ଯ୍ୟନ୍ତ ଅଘଟଣ କେବଳ ଓଡ଼ିଶାର ଉତ୍କଟ ଦାରିଦ୍ର୍ୟ ଓ ଅନଗ୍ରସରତାକୁ ବିଜ୍ଞପିତ କରି ନାହିଁ, ବିକାଶ ଓ ପରିବର୍ତ୍ତନର ଦାବିକୁ ଫମ୍ପା ସାବ୍ୟସ୍ତ କରିଛି। 
 
ଦୀର୍ଘ ଷୋହଳ ବର୍ଷର ଦୃଢ଼ ନେତୃତ୍ୱ ଓ ସ୍ଥିର ଶାସନ ସତ୍ତ୍ୱେ ଷୋହଳର ଏହି ‘ଯେଉଁ ତିମିରେକୁ ସେହି ତିମିରେ’ ଚିତ୍ର ଏକ ସ୍ୱାଭିମାନୀ, ସଶକ୍ତ, ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟକୁ ସହସ୍ର ମାଇଲ୍‌ ଦୂରକୁ ଠେଲି ଦେବା ସହ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଉଦାସୀନତା ଏବଂ ଅମଲା ନିୟନ୍ତ୍ରିତ ଶାସନର ସମ୍ବେଦନଶୂନ୍ୟ, ଉତ୍ତରଦାୟିତ୍ୱଶୂନ୍ୟ, ଅପାରଗ ଚରିତ୍ରକୁ ପଦାରେ ପକାଇ ଦେଇଛି। ଶାସନର ଏହି ଚାରିତ୍ରିକ ଦୁର୍ଗୁଣ ହେତୁ ବିଗତ ବର୍ଷର ପୁରୁଣା ସମସ୍ୟା ଗୁଡ଼ିକର ସମାଧାନ ହେବା ପରିବର୍ତ୍ତେ ସେଗୁଡ଼ିକ ଅଧିକ ଉତ୍କଟ ହୋଇଛି ଓ ସେଇ କାରଣରୁ ନୂଆ ନୂଆ ସମସ୍ୟା ଜନ୍ମ ନେଇଛି। ସରକାର ବୟାନ କରୁଥିବା ବିକାଶ ଓ ପ୍ରଗତିର ପରୀ କାହାଣୀର ବିଡ଼ମ୍ବନା ହେଲା, ଗୋଟିଏ ପଟେ ଚାଷୀଙ୍କ ଆୟ ଦଶ ବର୍ଷରେ ଦୁଇଗୁଣ ହୋଇଥିବା ଦାବି କରାଯାଉଛି, ଅଥଚ ଅନ୍ୟପଟେ ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଜାରି ରହିଛି। ଗୋଟିଏ ପକ୍ଷରେ କୃଷି କର୍ମଣ ପୁରସ୍କାର, ଅନ୍ୟପକ୍ଷରେ ବୃତ୍ତି ଭାବେ ଚାଷ ପୋଷାଉ ନଥିବାରୁ ହଜାର ହଜାର ସଂଖ୍ୟାର ଚାଷୀ ଚାଷ ଛାଡ଼ି କୃଷି ଶ୍ରମିକ ହେଉଛନ୍ତି। 
 
ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ତଥାକଥିତ ବିକାଶ ଓ ପ୍ରଗତିର ଓଲଟା ଗତି। ଶିକ୍ଷାର ବିକାଶ ପାଇଁ ମାଳ ମାଳ ଯୋଜନା, ଅଥଚ ସ୍କୁଲରେ ପାଠ ଘର ଶୂନ। ପଚାଶ ହଜାର ଶିକ୍ଷକ ପଦ ଖାଲି ପଡ଼ିଛି। ପରିଣତି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ୱିତୀୟର ଓ ଅଷ୍ଟମର ପିଲାଙ୍କୁ ପଞ୍ଚମର ପାଠ ଆସୁନାହିଁ। ମାଗଣା ପୁସ୍ତକ, ପୋଷାକ, ସାଇକେଲ୍‌ ଓ ବୃତ୍ତି ସତ୍ତ୍ୱେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ଚିନ୍ତାଜନକ। ସ୍ୱାସ୍ଥ୍ୟ ସେବା ସଂପ୍ରସାରଣର ପ୍ରଚାର ଚାଲିଛି, ଅଥଚ ଶିଶୁ ଓ ମାତୃ ମୃତ୍ୟୁ ହାର ଆଶାଜନକ ଭାବେ କମୁନାହିଁ। ନିୟମିତ ବ୍ୟବଧାନରେ ମହାମାରୀ ସଂକ୍ରମଣର ମୁକାବିଲା ହୋଇ ପାରୁନାହିଁ। ମୁକାବିଲା ହେବ କେମିତି ଯଦି ଅଧିକାଂଶ ସ୍ୱାସ୍ଥ୍ୟାନୁଷ୍ଠାନ ଡାକ୍ତର ଶୂନ୍ୟ? ଭିତ୍ତିଭୂମି ବିକାଶର ଢୋଲ ପିଟାଯାଉଛି, ଅଥଚ ଏବେ ବି ପ୍ରାୟ ଚାରି ହଜାର ଗ୍ରାମକୁ ରାସ୍ତା ନାହିଁ, ଚାଳିଶ ପ୍ରତିଶତ ଗ୍ରାମାଞ୍ଚଳ ଲୋକେ ବିଜୁଳି ଅପେକ୍ଷାରେ। ୯୭ ପ୍ରତିଶତ ଗାଁରେ ପାଇପ୍‌ ପାଣି ସ୍ୱପ୍ନ। ବିଡ଼ମ୍ବନାର କାହାଣୀ ଏଇଠି ସରୁନାହିଁ। 
 
ଟଙ୍କିକିଆ ଚାଉଳର ରାଜ୍ୟରେ ଚାଲୁଛି ଅପପୁଷ୍ଟି, ଅର୍ଧାହାର, ଅନାହାରର ରାଜୁତି। କେଉଁଠି ଅପପୁଷ୍ଟିରୁ ଶିଶୁ ମଡ଼କ ତ ଆଉ କେଉଁଠି ଆମ୍ବଟାକୁଆ ଖାଇ ଅସୁସ୍ଥ ହେବା ତ ପୁଣି କେଉଁଠି  ଅନାହାର ମୃତ୍ୟୁ ଦେଖିଥିଲା ଷୋହଳ। ଶିଳ୍ପ ସ୍ୱପ୍ନ ଦେଖାଯାଇଛି, ଅଥଚ ସେପଟେ ବେକାର ବାହିନୀର ଆକାର ବଢ଼ି ଛାଲିଛି। ମା’କୁ ସମ୍ମାନ କଥା କୁହାଯାଇଛି, ଅଥଚ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇ ଚାଲିଛି। ଖୋଦ୍‌ ଆଇନର ରକ୍ଷକ ଓଢ଼ଣି ଖୋଲି ପ୍ରମାଣ ଦେଲେ ଯେ ମା’କୁ ସମ୍ମାନର ସ୍ଥାନ କେଉଁଠି! ଦୁର୍ନୀତି ମୁକ୍ତ ଶାସନର ରାଣଖିଆ ଚାଲିଛି, ଅଥଚ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ସୁଦ୍ଧା ହୋଇପାରି ନାହିଁ।
 
ଏତେ ସବୁ ସମସ୍ୟାର ପାହାଡ଼ ବୋଧହୁଏ ଯଥେଷ୍ଟ ହେଉ ନାହିଁ ଯେ ଏହା ଉପରେ ପୁଣି ବିବାଦର ବୋଝ। ନେରେଡି, ମହେନ୍ଦ୍ରତନୟା, ପୋଲାଭରମ୍‌ ବିବାଦ ଅସମାହିତ ଥିବା ବେଳେ ଷୋହଳରେ ଯୋଡ଼ି ହୋଇଗଲା ମହାନଦୀ ଜଳ ନେଇ ମହାବିବାଦ। ଏହି ବିବାଦ ଗୁଡ଼ିକ ସହ ଓଡ଼ିଶାର ସ୍ୱାର୍ଥ, ଓଡ଼ିଆଙ୍କ ସ୍ୱାଭିମାନ ଯୋଡ଼ି ହୋଇଥିଲେ ମଧ୍ୟ ସମାଧାନ ପାଇଁ ପ୍ରୟାସ କମ୍‌, ରାଜନୈତିକ ଫାଇଦା ପାଇଁ ଅଧିକ ପ୍ରୟାସ ହେଉଛି। ଷୋହଳରେ ଦେଖା ଦେଇଥିବା ଆଉ ଏକ ବିଲକ୍ଷଣ ହେଲା- ଆକ୍ରମଣାତ୍ମକ ରାଜନୀତି, ଯେଉଁଠି ନୀତି, ନୈତିକତା; ଏପରିକି ଶାଳୀନତାର ମଧ୍ୟ ସ୍ଥାନ ନାହିଁ। ଏଥିରେ ସବୁ ରାଜନୈତିକ ଖେଳାଳିଙ୍କ ଭୂମିକା ଥିଲେ ବି କ୍ଷମତାସୀନ ଶାସକ ଦଳର ଭୂମିକା ସବୁଠୁ ଅଧିକ। ଦୀର୍ଘ ଦିନ ଶାସନରେ ରହିବା ଫଳରେ ଶାସକ ଦଳର କ୍ଷମତାପ୍ରମତ୍ତ, ଅହଙ୍କାରୀ, ଅସହିଷ୍ଣୁ ମନୋଭାବ ରାଜ୍ୟ ରାଜନୀତିର ଚରିତ୍ରରେ ଏ ପ୍ରକାର ଅସ୍ୱସ୍ତିକର ପରିବର୍ତ୍ତନ ପାଇଁ ଦାୟୀ। ଧଳ-ସାମନ୍ତ ପ୍ରକରଣର ସାମ୍‌ନାକୁ ଆସିଥିବା ଅପରାଧପ୍ରବଣତା ସହ -ରାଜନୀତିର ଘନିଷ୍ଠତା ରାଜନୀତିରେ ଅପରାଧୀଙ୍କର ଚରିତ୍ରକୁ ଅଧିକ ସ୍ପଷ୍ଟ କରିଥିଲା। 
 
ଷୋହଳକୁ ‘ଅଲ୍‌ବିଦା’ କହି ସତରରେ ପାଦ ଥାପିବା ବେଳେ କ’ଣ ଆଶା କରାଯାଇ ପାରିବ ଯେ, ସମସ୍ୟାର ପାହାଡ଼କୁ ପଛକୁ ଠେଲି, ବିବାଦର ଜାଲରୁ ମୁକୁଳି ରାଜ୍ୟ ସ୍ୱାଭିମାନୀ, ସଶକ୍ତ, ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲିବ? ବିକାଶ ଓ ପ୍ରଗତିର ଓଲଟା ଗତିକୁ ବଦଳାଇ ସତରରେ କ’ଣ ବିକାଶ ଓ ପ୍ରଗତି ଠିକଣା ଦିଗ ଓ ଠିକଣା ଗତିରେ ଚାଲିବ? ଷୋହଳକୁ ଏକ ଦୁଃସ୍ୱପ୍ନ ଭାବେ ଭୁଲି ଯାଇ ଓଡ଼ିଶାବାସୀ କ’ଣ ସତରର ଏକ ଅପେକ୍ଷାକୃତ ଉନ୍ନତ, ସଶକ୍ତ, ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖି ପାରିବେ? ନିଃସନ୍ଦେହ, ଏ ପ୍ରଶ୍ନର ଉତ୍ତର ରାଜ୍ୟବାସୀଙ୍କ ସାମୂହିକ ଇଚ୍ଛାଶକ୍ତି, ନିଷ୍ଠାପର ଓ ଆନ୍ତରିକତାପୂର୍ଣ୍ଣ ଉଦ୍ୟମ ଉପରେ ନିର୍ଭର କରେ। କିନ୍ତୁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟବାସୀଙ୍କ ସାମୂହିକ ଆଶା-ଆକାଂକ୍ଷାର ପ୍ରତିନିଧି ଓ ପ୍ରତୀକ ନିର୍ବାଚିତ ପ୍ରତିନିଧିମୂଳକ ସରକାର। ତେଣୁ ସରକାରଙ୍କ ଇଚ୍ଛାଶକ୍ତି, ନିଷ୍ଠା ଓ ଆନ୍ତରିକତା ଉପରେ ହିଁ ନିର୍ଭର କରୁଛି, ସତରରେ ଓଡ଼ିଶାର ଗତି ଯେଉଁ ଆଡ଼କୁ ହେବ? ସଶକ୍ତ, ସମୃଦ୍ଧ ଓଡ଼ିଶା ଲକ୍ଷ୍ୟରୁ ଷୋହଳ ଭଳି ପଶ୍ଚାତ୍‌ ଗତି ନା ସେ ଲକ୍ଷ୍ୟ ଆଡ଼କୁ ସମ୍ମୁଖ ଗତି?
 
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଭିଜନ ୨୦୨୫ ଠାରୁ ଆରମ୍ଭ କରି ଭିଜନ ୨୦୩୬ ପର୍ଯ୍ୟନ୍ତ ବିକାଶ ଓ ପ୍ରଗତିର ଯେତେ ନୀଳ ନକ୍‌ସା ତିଆରି ହେଲେ ସୁଦ୍ଧା ଶାସନର ବର୍ତ୍ତମାନ ଯେଉଁ ଚରିତ୍ର ରହିଛି, ସେ ନ ବଦଳିଲେ ଓଡ଼ିଶା ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାର ଚିତ୍ରରେ ପରିବର୍ତ୍ତନ ପାଇଁ ପ୍ରାକ୍‌-ଆବଶ୍ୟକତା ହେଲା, ଶାସନ ଓ ନେତୃତ୍ୱର ଚରିତ୍ରରେ ପରିବର୍ତ୍ତନ। ଯୋଜନାର ଘୋଷଣା ନୁହେଁ, ଯୋଜନାର ରୂପାୟନ ଉପରେ ଗୁରୁତ୍ୱ ଦେବାକୁ ହେବ। ଶେଷତମ ହିତାଧିକାରୀ ପାଖରେ ଯୋଜନାର ସୁଫଳ କିଭଳି ପହଞ୍ଚିବ ସେଥିପ୍ରତି ଶାସନର ସର୍ବୋଚ୍ଚ ସ୍ତରରେ ନଜର ରହିବା କଥା। ଏଥିପାଇଁ ଖାଲି କଥାରେ ନୁହେଁ, ପ୍ରତ୍ୟେକ ସ୍ତରରେ ସମ୍ବେଦନଶୀଳତା, ଉତ୍ତରଦାୟିତ୍ୱବୋଧ ବିଶେଷ କରି, ମହିଳା ଓ ଅନ୍ୟ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଓ କଲ୍ୟାଣ କ୍ଷେତ୍ରରେ ପୁଲିସ୍‌ ଓ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଚରିତ୍ରରେ ଏହାର ପ୍ରତିଫଳନ ଏକାନ୍ତ ଅପରିହାର୍ଯ୍ୟ। ବିକାଶ ପାଇଁ କେବଳ ସ୍ଥିରତା ଯଥେଷ୍ଟ ନୁହେଁ, ଶାନ୍ତି ଓ ସହମତି ମଧ୍ୟ ଅପରିହାର୍ଯ୍ୟ। ଶାନ୍ତି ଓ ସହମତି ଆସି ପାରିବ ସେତେବେଳେ, ଯେତେବେଳେ ଶାସନ କଳ ଅହଙ୍କାର ଓ ଅସହିଷ୍ଣୁତାକୁ ତ୍ୟଜ୍ୟ କରି ଗଣତାନ୍ତ୍ରିକ ଭାବନାରେ ଉଦାର ଓ ସହନଶୀଳ ହେବେ। 
 
ଓଡ଼ିଶାର ଚିତ୍ରରେ ପରିବର୍ତ୍ତନ ପାଇଁ କେବଳ ସରକାର ଓ ଶାସନର ଚରିତ୍ରରେ ନୁହେଁ, ରାଜ୍ୟର ନାଗରିକ ସମାଜ, ବୁଦ୍ଧିଜୀବୀ; ସର୍ବୋପରି ସାଧାରଣ ଜନତାଙ୍କଠାରୁ ମଧ୍ୟ ସତରରେ ଆହୁରି ଅନେକ ଅପେକ୍ଷା ଓ ଆଶା ରହିଛି। ବିଶେଷକରି ସାମାଜିକ କୁସଂସ୍କାର, ଅନ୍ଧବିଶ୍ୱାସ, ମହିଳା ବିରୋଧୀ ହିଂସାର ମୁକାବିଲାରେ ସରକାର ଅପେକ୍ଷା ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ।
 
ତେଣୁ ପରିବର୍ତ୍ତନ ଆସୁ ନ ଆସୁ ପରିବର୍ତ୍ତନ ପାଇଁ ଆଶା ବାନ୍ଧି ଅପେକ୍ଷା କରିବା ଛଡ଼ା ବିକଳ୍ପ ନାହିଁ। ବୌଦ୍ଧ ସାଧୁ ତଥା କବି ଥିଡ୍‌ ନାହଟ୍‌ ହାନ୍‌ଙ୍କ ମତରେ, ଆଶା ଶବ୍ଦରେ ଏକ ଅଦ୍ଭୁତ ଶକ୍ତି ରହିଛି। ଆଶା ବର୍ତ୍ତମାନର କଷ୍ଟକୁ ବରଦାସ୍ତ କରିବାର ଶକ୍ତି ଦିଏ। ଏକ ସୁନ୍ଦର ଆସନ୍ତାକାଲିର ଆଶା ଆଜିର ଜୀବନକୁ ସହଜ କରେ।