23 May 2017
5:59:21 PM
image
Sambad News
ସମ୍ପାଦକୀୟ

ରୁଷ୍‌ ଅଭିଯାନ?

By Sambad | Date: Jan 3 2017 4:57AM
ରୁଷ୍‌ ଅଭିଯାନ?

‘‘କର୍ମ ହେଉଛି ମୋର ମୌଳିକ ଚରିତ୍ର। ଏହା ପାଇଁ ହିଁ ମୋର ଜନ୍ମ। ମୋର ପାଦ କେତେ ସମ୍ଭାଳି ପାରିବ କିମ୍ବା ମୋର ଆଖି କେତେ ସମ୍ଭାଳି ପାରିବ, ତାହାର ସୀମା ମୁଁ ଠଉର କରି ପାରିବି, କିନ୍ତୁ ମୁଁ କେତେ କାର୍ଯ୍ୟ ବୋଝ ସମ୍ଭାଳି ପାରିବି, ତାହାର ସୀମା ମୁଁ ଏପର୍ଯ୍ୟନ୍ତ ଆବିଷ୍କାର କରି ପାରିନାହିଁ। .... ମୁଁ ସବୁ ସମୟରେ କାର୍ଯ୍ୟରତ ଥାଏ: ରାତ୍ରି ଭୋଜନ କରୁଥିବା ବେଳେ, ଥିଏଟର୍‌ ଦେଖୁଥିବା ବେଳେ; ଯଦି ରାତିରେ ମୋର ନିଦ ଭାଙ୍ଗି ଯାଏ ମୁଁ କାମ କରିବା ଆରମ୍ଭ କରିଦିଏ।’’ ଯଦି ଏ ଉକ୍ତି କାହାର ବୋଲି  ଏକ କୁଇଜ୍‌ ପ୍ରୋଗ୍ରାମ୍‌ରେ ପଚରା ଯାଏ ଏବଂ ଚାରିଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଗୋଟିଏ ହୋଇଥାଏ ‘ନରେନ୍ଦ୍ର ମୋଦୀ’ ତେବେ ନିଃସନ୍ଦେହରେ ଅଧିକାଂଶ ପାଠକ ପାଠିକା ତାହାକୁ ହିଁ ଠିକ୍‌ ଉତ୍ତର ରୂପେ ବାଛିବେ। କିନ୍ତୁ ଏହି ସମ୍ଭାବ୍ୟ ଉତ୍ତର ମାନଙ୍କ ମଧ୍ୟରେ ଆଉ ଯେଉଁ ନାମଟିଏ ନିଶ୍ଚିତ ରୂପେ ରହିଥିବା ଦେଖାଯିବ, ତାହା ହେଉଛି ‘ନେପୋଲିଅନ୍‌ ବୋନାପାର୍ଟ’- କାରଣ ତାହାହିଁ ହେଉଛି ସଠିକ୍‌ ଉତ୍ତର।
 
ନେପୋଲିଅନ୍‌ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାମଞ୍ଜସ୍ୟ କେବଳ ଏହି କାର୍ଯ୍ୟ ନିଶାରେ ସୀମିତ ନୁହେଁ। ନେପୋଲିଅନ୍‌ ଉଭୟ ଯୁଦ୍ଧ ଏବଂ ଶାସନତନ୍ତ୍ରରେ ଅନେକ ନୂତନ ରଣକୌଶଳ ପ୍ରବେଶ କରାଇଥିଲେ। ଯେତେବେଳେ ସେ ସମୟର ଅଧିକାଂଶ ଇଉରୋପୀୟ ସେନାପତିମାନେ ମନ୍ଥର, ଅପାରଗ ଥିଲେ ଏବଂ ଉପରୁ ନିର୍ଦ୍ଦେଶ ନମିଳିଲେ ଯୁଦ୍ଧ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ୍ୟାୟରେ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେବାକୁ ଅସମର୍ଥ ଥିଲେ, ନେପୋଲିଅନ୍‌ ସେତେବେଳେ ତଡ଼ିତ୍‌ ଗତିରେ ସାମରିକ ଆକ୍ରମଣ କରିବାରେ ବିଶ୍ୱାସ କରୁଥିଲେ। ସେ ମଧ୍ୟ ସଠିକ୍‌ ଭାବରେ ବିଶ୍ୱାସ କରୁଥିଲେ ଯେ ଯୁଦ୍ଧ କ୍ଷେତ୍ରରେ ଭୀଷଣ ଶବ୍ଦ ସୃଷ୍ଟିକାରୀ ଶସ୍ତ୍ରର ବ୍ୟବହାର ଶତ୍ରୁଠାରେ ହୃତ୍‌କମ୍ପ ଜାତ କରିଥାଏ। ତେଣୁ ସେ ଶତ୍ରୁ ଉପରେ ତୋପ ଓ ଗୋଳାପୁଞ୍ଜ (‘ଗ୍ରେପ୍‌ସଟ୍‌’) ବର୍ଷଣ କରିବାକୁ ପସନ୍ଦ କରୁଥିଲେ। ଏବଂ ଜନମତକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚାର (ପ୍ରୋପାଗେଣ୍ଡା) ବ୍ୟବହାର କରି ଦେଶ ଭିତରେ ଓ ଦେଶ ବାହାରେ ନିଜର ସ୍ଥିତି ମଜଭୁତ କରିବାରେ ତାଙ୍କୁ ଜଣେ ପଥ ପ୍ରଦର୍ଶକ ନେତା ରୂପେ ବିବେଚନା କରାଯାଇଥାଏ।
 
ପାକିସ୍ତାନ ସୀମା ସେପଟେ ରଚିତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ଯଦି ମୋଦୀଙ୍କର ଏହି ନେପୋଲିଅନୀୟ କୌଶଳର ଏକ ଝଲକ ଦେଖିବାକୁ ମିଳିଥିଲା, ନଭେମ୍ବର ୮ରେ ସେ ଆରମ୍ଭ କରିଥିବା ବିମୁଦ୍ରୀକରଣ ଅଭିଯାନ ସମ୍ପୂର୍ଣ୍ଣ ରୂପେ ଯେ ନେପୋଲିଅନ୍‌ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆଗେଇ ଚାଲିଛି, ଏହା ଜଳ ଜଳ ହୋଇ ଦେଖାଯାଇଥାଏ। ସେଦିନ କୌଣସି ପୂର୍ବ ସୂଚନା ନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ତଡ଼ିତ୍‌ ବେଗରେ ବିମୁଦ୍ରୀକରଣ ଘୋଷଣା କଲେ ଯାହା କାହାରିକୁ ପୂର୍ବ ପ୍ରସ୍ତୁତି ନିମିତ୍ତ ସାମାନ୍ୟତମ ସମୟ ବା ସୁଯୋଗ ଦେଇ ନଥିଲା। ମୋଦୀଙ୍କର ପୂର୍ବବର୍ତ୍ତୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପରୁ ନିର୍ଦ୍ଦେଶ ନ ମିଳିଲେ (୧୦, ଜନପଥ) ଗୋଟିଏ ବି ପାଦ ଆଗକୁ ପକାଉ ନଥିବା ବେଳେ ମୋଦୀ ବିମୁଦ୍ରୀକରଣ ଭଳି ଏକ ଦୁଃସାହସିକ ପଦକ୍ଷେପ ନେବା ପାଇଁ ବସ୍ତୁତଃ ଏକାକୀ ନିଷ୍ପତ୍ତି ନେବା ଏଭଳି ନେପୋଲିଅନ୍‌ ସୁଲଭ ଆତ୍ମବିଶ୍ୱାସର ପରିଚାୟକ। ନଭେମ୍ବର ୮ ପରଠାରୁ ବିଭିନ୍ନ ମଞ୍ଚରୁ ତୋପ ଚାଳନା ଭଳି ମୋଦୀଙ୍କର ଧମକ ବର୍ଷା ଦେଶର ସ୍ୱଚ୍ଛଳ ବର୍ଗଙ୍କ ମଧ୍ୟରେ ଏଭଳି ହୃତ୍‌କମ୍ପ ସୃଷ୍ଟି କରିଛି ଯେ ଡିସେମ୍ବର ୩୧ ସନ୍ଧ୍ୟାରେ ତାଙ୍କର ଜାତି ଉଦ୍ଦେଶ୍ୟରେ ପ୍ରଦତ୍ତ ବାର୍ତ୍ତା ପୂର୍ବରୁ ସେ ସମ୍ବନ୍ଧରେ ବିଭିନ୍ନ କଳ୍ପନା ଜଳ୍ପନା ସେମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସୋସିଆଲ୍‌ ମିଡିଆରୁ ଆରମ୍ଭ କରି ସଞ୍ଜବୁଡ଼ ଆସରମାନଙ୍କ ପର୍ଯ୍ୟନ୍ତରେ ଏକ କ୍ରୂର ହାସ୍ୟରସର ବନ୍ୟା ସୃଷ୍ଟି କରିଥିଲା। ଆଉ ଉଭୟ ଦେଶ ଭିତରେ ଓ ଦେଶ ବାହାରେ ଅଧିକାଂଶ ଅର୍ଥନୀତି ବିଶାରଦମାନେ ଭାରତର ବିମୁଦ୍ରୀକରଣ ଉଦ୍ୟମକୁ ଏକ ଅର୍ଥନୈତିକ ମୂର୍ଖାମି ରୂପେ ବିଚାର କରୁଥିଲେ ହେଁ, ମୋଦୀଙ୍କର ଚତୁର ପ୍ରୋପାଗଣ୍ଡା ଏହାକୁ ଏପରି ଏକ ସଫଳ ରାଜନୈତିକ ଚାଲ୍‌ରେ ପରିଣତ କରିଛି ଯେ ବିମୁଦ୍ରୀକରଣ ବର୍ତ୍ତମାନ ଏକ ଶ୍ରେଣୀ ଯୁଦ୍ଧର ରୂପ ପରିଗ୍ରହଣ କରିଛି। ପରିଣାମରେ ଜନମତ ସର୍ବେକ୍ଷଣ ପରେ ଜନମତ ସର୍ବେକ୍ଷଣରୁ ଦେଖାଯାଉଛି ଯେ ବିମୁଦ୍ରୀକରଣ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କର ସଂଖ୍ୟାଗରିଷ୍ଠ ସମର୍ଥନ ଉପଭୋଗ କରି ଚାଲିଛନ୍ତି।
 
ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଏକ ସମ୍ପୂର୍ଣ୍ଣ ଅଣପାରମ୍ପରିକ ପଦକ୍ଷେପ ନେଇ ନୂଆବର୍ଷ ଆରମ୍ଭର ଅବ୍ୟବହିତ ପୂର୍ବରୁ ଏବଂ ତାଙ୍କର ପୂର୍ବଘୋଷିତ ବିମୁଦ୍ରୀକରଣର ୫୦ ଦିନ ପୂର୍ତ୍ତି ପରେ ପରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କଲେ, ସେତେବେଳେ ସମସ୍ତେ ଆଶା କରୁଥିଲେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିକଟରେ ତାଙ୍କର ଏହି ପ୍ରିୟ ମାନସ ସନ୍ତାନଟିର ରିପୋଟ୍‌ର୍ କାର୍ଡ ପେସ୍‌ କରିବେ। ବିମୁଦ୍ରୀକରଣର ଘୋଷିତ ଲକ୍ଷ୍ୟ ମାନ ହାସଲ ହୋଇଛି କି ନାହିଁ, ଏଥିରୁ ତାହା ଜଣାପଡ଼ିବ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସେଦିନ ଏପରି ତିର୍ଯକ୍‌ ଭାବରେ ଗତି କରିବା ଦେଖାଗଲା ଯେ ତାହା ବିମୁଦ୍ରୀକରଣ ପ୍ରସଙ୍ଗକୁ ଆଦୌ ସ୍ପର୍ଶ ମଧ୍ୟ କରିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
 
ମୋଦୀଙ୍କର ନଭେମ୍ବର୍‌ ୮ ସନ୍ଧ୍ୟାର ଘୋଷଣା ଦ୍ୱାରା ଦେଶରେ ବ୍ୟବହୃତ ହେଉଥିବା ୧୫.୪୪ ଲକ୍ଷ କୋଟି ଟଙ୍କାର ୫୦୦ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ୍‌ ଅଚଳ ହୋଇଗଲା। ଏହା ଦେଶର ମୋଟ ମୁଦ୍ରା ଯୋଗାଣର ୮୬% ରୁ ଅଧିକ। ବିମୁଦ୍ରୀକରଣ ଯୋଗୁଁ ଏହାର କେତେ ଅଂଶ ବ୍ୟାଙ୍କ୍‌ମାନଙ୍କୁ ଫେରି ଆସିଛି, ତାହା ଜାଣିବାକୁ ସମସ୍ତେ ଉଦ୍‌ଗ୍ରୀବ। ଯଦି ସବୁତକ ଫେରିଆସେ ତେବେ ପ୍ରମାଣିତ ହେବ ଯେ ଦେଶରେ ନୋଟ୍‌ ଆକାରରେ ଆଦୌ କଳାଧନ ନଥିଲା। ମୋଦୀ ଏ ନେଇ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ଯଦି ପ୍ରକାଶିତ ସମ୍ବାଦ ସତହୁଏ ତେବେ ୯୦%ରୁ ଅଧିକ ଅଚଳ ନୋଟ୍‌ ବ୍ୟାଙ୍କ୍‌ ବ୍ୟବସ୍ଥାକୁ ଫେରି ଆସିଲାଣି। ଅବଶ୍ୟ ସରକାର ଯୁକ୍ତି କରିପାରନ୍ତି ଏ ସମସ୍ତ ନୋଟ୍‌ ଧଳା ବୋଲି ଦାବି କରାଯାଇ ପାରିବ ନାହିଁ। ଆୟକର କର୍ତ୍ତୃପକ୍ଷ ସେ ସବୁ ଜମାକୁ ଯାଞ୍ଚ କରି ସନ୍ଦିଗ୍‌ଧ ଜମାକାରୀଙ୍କୁ ଡିମାଣ୍ଡ୍‌ ନୋଟିସ୍‌ ପଠାଇବେ। କହିବା ବାହୁଲ୍ୟ, ତାହା ଏକ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବ ଯାହା ଚୂଡ଼ାନ୍ତ ହେବା ପାଇଁ ବର୍ଷ ବର୍ଷ ଲାଗିଯାଇପାରେ। ଅତଏବ ନିକଟ ଭବିଷ୍ୟତରେ ଦେଶବାସୀ କଳାଧନ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇବାର ସମ୍ଭାବନା କ୍ଷୀଣ। ମୁଦ୍ରା ଯୋଗାଣ ପରିସ୍ଥିତିରେ କେବେ ସୁଧାର ଘଟିବ ମୋଦୀ ତାହାର ଉତ୍ତର ମଧ୍ୟ ଦେଇପାରି ନାହାନ୍ତି। ଅପରପକ୍ଷେ ଯେତେ ଶୀଘ୍ର ସମ୍ଭବ ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ବ୍ୟାଙ୍କ୍‌ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଏବଂ ଭୁଲ କାମ ପାଇଁ ଦେଇଥିବା କଠୋର ଦଣ୍ଡର ଧମକ ସୂଚାଇଥାଏ ଯେ ବ୍ୟାଙ୍କ୍‌ମାନେ ପ୍ରଧାନମନ୍ତ୍ରୀ ଚାହୁଁଥିବା ଭଳି ବେଗରେ କାର୍ଯ୍ୟ କରିପାରୁ ନାହାନ୍ତି। ତେଣେ କୃଷି ଋଣରୁ ଗୃହନିର୍ମାଣ ପର୍ଯ୍ୟନ୍ତରେ ସୁଧ ହ୍ରାସରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପାଇଁ ଅନୁଦାନ ପର୍ଯ୍ୟନ୍ତ ମୋଦୀ କରିଥିବା ଘୋଷଣା ଆଶା କରାଯାଉଥିବା ଭଳି ବିଶାଳ ଜନମଙ୍ଗଳ ଖର୍ଚ୍ଚ ସୂଚିତ କରୁନାହିଁ- ଅର୍ଥାତ୍‌ ବିମୁଦ୍ରୀକରଣ ଯୋଗୁଁ ସରକାରୀ ତହବିଲ୍‌ ଯେମିତି ପରିପୁଷ୍ଟ ହେବ ବୋଲି ଆଶା କରାଯାଉଥିଲା, ବୋଧହୁଏ ସେଭଳି ହୋଇନାହିଁ। ବିମୁଦ୍ରୀକରଣର ଶେଷ ପରିଣାମ ଯଦି କେବଳ ଦେଶର ଜିଡିପି ଅଭିବୃଦ୍ଧି ହାରରେ ସଂକୋଚନ ହୁଏ, ତେବେ ଏହା ନେପୋଲିଅନ୍‌ଙ୍କର ଉଚ୍ଚାଭିଳାଷୀ ରୁଷ୍‌ ଅଭିଯାନ ଭଳି ହେବ ନାହିଁ ତ?

image