28 June 2017
9:26:44 PM
image
Sambad News
ସମ୍ପାଦକୀୟ

ପିତା ଓ ପୁତ୍ର

By Sambad | Date: Jan 4 2017 4:58AM
ପିତା ଓ ପୁତ୍ର

ଯେଉଁମାନେ ଉତ୍ତର ପ୍ରଦେଶ କ୍ଷମତା ରାଜନୀତିରେ ଅଭିନୀତ ହେଉଥିବା ପିତା-ପୁତ୍ର ଲଢ଼େଇରେ ଇତିହାସର ପୁନରାବୃତ୍ତି ଦେଖିବାକୁ ଚାହାନ୍ତି, ସେମାନଙ୍କ ମଧ୍ୟରୁ କେତେକ ସୁଦୂର ଅତୀତରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ  ମଗଧର ଯାଦବ ରାଜା ବିମ୍ବିସାର ଓ ତାଙ୍କ ପୁତ୍ର ଅଜାତଶତ୍ରୁଙ୍କ ମଧ୍ୟରେ ଘଟିଥିବା କ୍ଷମତା ଦ୍ୱନ୍ଦ୍ୱରେ ଏହାର ଏକ ପ୍ରାଚୀନ ପ୍ରତିଛବି ଦେଖିପାରନ୍ତି। ଯଦିବା ବର୍ତ୍ତମାନର ଉତ୍ତରପ୍ରଦେଶ ପରି ସେକାଳର ମଗଧ ଉତ୍ତର ଭାରତର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଥିଲା ଏବଂ ବର୍ତ୍ତମାନ ଉତ୍ତପ୍ରଦେଶର ଶାସକ ଯାଦବ ପରିବାର ଭଳି ମଗଧର ଯାଦବ ରାଜବଂଶରେ ପିତା- ପୁତ୍ର କ୍ଷମତା କନ୍ଦଳ ଦେଖା ଦେଇଥିଲା, ତଥାପି ଗୋଟିଏକୁ ଅନ୍ୟଟିର ଅବିକଳ ପ୍ରତିଛବି ବୋଲି ବିଚାର କରିବା ବୋଧହୁଏ ଠିକ୍‌ ହେବ ନାହିଁ।
 
ଇତିହାସ ସହିତ ପରିଚିତି ଥାଉ କି ନଥାଉ, ଯେଉଁମାନେ ସୁରେନ୍ଦ୍ର ମହାନ୍ତିଙ୍କ ଅନବଦ୍ୟ ଗଳ୍ପ ‘ପିତା ଓ ପୁତ୍ର’ ସହିତ ପରିଚିତ ସେମାନେ ସହଜରେ ଏହାର କାରଣ ହୃଦୟଙ୍ଗମ କରିପାରୁଥିବେ। ରାଜଗାଦି ଦଖଲ କରିବା ପାଇଁ ପୁତ୍ର ଅଜାତଶତ୍ରୁ ପିତା ବିମ୍ବିସାରଙ୍କୁ କାରାଗାର ଭିତରେ ବନ୍ଦୀ କରି ସମ୍ପୂର୍ଣ୍ଣ ଅନାହାର ଅବସ୍ଥାରେ ରଖିଛନ୍ତି। ଗଳ୍ପର ଶେଷ ଦୃଶ୍ୟରେ ଅନୁତପ୍ତ ଅଜାତଶତ୍ରୁ ଯେତେବେଳେ ଉନ୍ମାଦ ଭଳି ‘‘ଅଳିନ୍ଦ ପରେ ଅଳିନ୍ଦ, ନିଳୟ ପରେ ନିଳୟ’’ ଅତିକ୍ରମ କରି ପିତାଙ୍କ କାରା କୋଠରିରେ ପହଞ୍ଚନ୍ତି, ସେଠାରେ ସେ ଦେଖିବାକୁ ପାଆନ୍ତି ଉଦରଜ୍ୱାଳା ସହି ନପାରି ନିଜର ବାହୁକୁ କାମୁଡ଼ି ପକାଇଥିବା ଅବସ୍ଥାରେ ପ୍ରାଣତ୍ୟାଗ କରିଥିବା ବିମ୍ବିସାରଙ୍କର କଙ୍କାଳସାର ନିଥର ଶରୀର। ବର୍ତ୍ତମାନ କିନ୍ତୁ ପୁତ୍ର ଅଖିଳେଶଙ୍କର ଚରମ ଶତ୍ରୁ ଏବଂ ପିତା ମୁଲାୟମଙ୍କର ପରମ ମିତ୍ରମାନେ ମଧ୍ୟ ସ୍ୱୀକାର କରିବେ ଯେ ସାମ୍ପ୍ରତିକ ପିତା- ପୁତ୍ର ବିବାଦରେ ଅତୀତର ସେଭଳି ନିର୍ମମ ଦୃଶ୍ୟ ସମ୍ପୂର୍ଣ୍ଣ ଅଭାବନୀୟ।
 
ଇତିହାସର ପୁନରାବୃତ୍ତି ସନ୍ଧାନକାରୀମାନେ ଏଥିଯୋଗୁଁ ହତାଶ ହେବା ଦରକାର ନାହିଁ। ସେମାନେ ଯଦି ସ୍ଥାନ ଓ କାଳରେ ପରିବର୍ତ୍ତନ କରି ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ଗମନ କରନ୍ତି ଏବଂ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ବିଂଶ ଶତାବ୍ଦୀକୁ ଚାଲି ଆସନ୍ତି ତେବେ ତାଙ୍କୁ ବର୍ତ୍ତମାନର ଉତ୍ତରପ୍ରଦେଶ ଘଟଣା ସହିତ ମେଳ ଖାଇବା ଭଳି ଏକ ଅଧିକ ଉପଯୁକ୍ତ ଘଟଣା ମିଳିଯିବ। ଏଥିପାଇଁ ସେମାନଙ୍କୁ ଆଉ ଗୋଟିଏ କ୍ଷୁଦ୍ର ପରିବର୍ତ୍ତନ ମଧ୍ୟ କରିବାକୁ ପଡ଼ିବ- ପୁତ୍ର ସ୍ଥାନରେ ଜାମାତା। ପିତା- ପୁତ୍ର କ୍ଷମତା ଯୁଦ୍ଧ ଭଳି ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ଏକ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା ୧୯୯୫ରେ ଆନ୍ଧ୍ରପ୍ରଦେଶରେ ଯେତେବେଳେ ଶ୍ୱଶୁର ତେଲୁଗୁଦେଶମ୍‌ ପାର୍ଟି (ସମାଜବାଦୀ ପାର୍ଟି ପରି ତାହାର ଚିହ୍ନ ମଧ୍ୟ ସାଇକେଲ୍‌)ର ପ୍ରତିଷ୍ଠାତା ଏନ୍‌ଟି ରାମାରାଓ (ଏନ୍‌ଟିଆର୍‌) ତାଙ୍କର ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିଲେ।
 
ମୁଲାୟମ ପୁତ୍ର ଅଖିଳେଶଙ୍କୁ ଦଳରୁ ବହିଷ୍କୃତ କଲା ଭଳି ଏନ୍‌ଟିଆର୍‌ ଚନ୍ଦ୍ରବାବୁଙ୍କୁ ଦଳରୁ ବହିଷ୍କୃତ କରି ଦେଇଥିଲେ। କିନ୍ତୁ ଏହାପରେ ଏନ୍‌ଟିଆର୍‌ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ତଥା ମର୍ମାହତ ହୋଇଥିଲେ ଯେ ଦଳର ସଂଖ୍ୟାଗରିଷ୍ଠ ବିଧାୟକମାନେ ହେଉଛନ୍ତି ନାଇଡୁଙ୍କ ଅନୁଗତ ଓ ସମର୍ଥକ- ଠିକ୍‌ ଯେମିତି ଲକ୍ଷ୍ନୌରେ ଦେଖିବାକୁ ମିଳିଛି। ସେ ବହୁ ଶ୍ରମ ସ୍ୱୀକାର କରି ଗଢ଼ିଥିବା ଦଳ ତାଙ୍କ ଆଖି ଆଗରେ ଚାଲିଯାଇଚି ଜ୍ୱାଇଁଙ୍କ ଦଖଲକୁ- ଯେମିତି ମୁଲାୟମ ସଯତ୍ନରେ ଗଢ଼ିଥିବା ‘ସମାଜବାଦୀ ପାର୍ଟି’ ଏବେ ଚାଲିଯାଇଛି ପୁତ୍ର ଅଖିଳେଶଙ୍କ ଦଖଲକୁ ଆଉ ତାଙ୍କୁ ଏକ ଉଚ୍ଚ ମୂଲ୍ୟଧାରୀ ଅଚଳ ନୋଟ୍‌ ଭଳି କରି ଦିଆଯାଇଛି ତଥାକଥିତ ଦଳର ମାର୍ଗଦର୍ଶକ।
 
ମୁଲାୟମ ଓ ଏନ୍‌ଟିଆର୍‌ ସମ୍ମୁଖୀନ ହୋଇଥିବା ପାରିବାରିକ ବିଦ୍ରୋହ ମଧ୍ୟରେ ପ୍ରାୟ ଅଲୌକିକ ଧରଣର ସାମଞ୍ଜସ୍ୟ ଏତିକିରେ ସୀମିତ ନୁହେଁ। ଏନ୍‌ଟିଆର୍‌ଙ୍କ ପୁଅ, ବୋହୂ, ଝିଅ, ଜ୍ୱାଇଁ ସମସ୍ତେ ସନ୍ଦେହ କରୁଥିଲେ ଯେ ଏନ୍‌ଟିଆର୍‌ଙ୍କ ଦ୍ୱିତୀୟ ପତ୍ନୀ ଲକ୍ଷ୍ମୀ ପାର୍ବତୀ ତାଙ୍କୁ ସମ୍ପୂର୍ଣ୍ଣ କବଳିତ କରି କ୍ଷମତା ଦଖଲ  କରିବାକୁ ଚକ୍ରାନ୍ତ କରୁଛନ୍ତି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅଚାନକ ଆକ୍ରମଣ ଲକ୍ଷ୍ମୀ ପାର୍ବତୀଙ୍କୁ ଅଚିରେ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଅପସାରିତ କରିଦେବାରେ ସଫଳ ହେଲା। ଉତ୍ତରପ୍ରଦେଶରେ ଲକ୍ଷ୍ମୀ ପାର୍ବତୀଙ୍କ ସ୍ଥାନରେ ରହି ଅନୁରୂପ ଭୂମିକା ନିର୍ବାହ କରୁଛନ୍ତି ମୁଲାୟମଙ୍କର ଦ୍ୱିତୀୟ ପତ୍ନୀ ସାଧନା ସିଂହ ଓରଫ୍‌ ଗୁପ୍ତା। ତାଙ୍କ ସହିତ ରହିଛନ୍ତି କ୍ଷମତାଲିପ୍‌ସୁ ଦେବର ଶିବପାଲ ଏବଂ ମନ୍ଥରା ଭଳି କୁଚକ୍ରୀ ପରାମର୍ଶଦାତା ଅମର ସିଂହ। ମୁଲାୟମଙ୍କ ବୟସ ବର୍ତ୍ତମାନ ୭୭ ବର୍ଷ। ଚାରି ପାଳି ରାଜ୍ୟରେ କ୍ଷମତା ହାସଲ କଲା ପରେ ପୁତ୍ର ଅଖିଳେଶଙ୍କୁ ରାଜ୍ୟ ଭାର ଦେଇ ଜୀବନର ସାୟାହ୍ନରେ ଜାତୀୟ ସ୍ତରରେ ଏକ ଉଚ୍ଚ ପଦବିରେ (ରାଷ୍ଟ୍ରପତି/ଉପରାଷ୍ଟ୍ରପତି) ଆସୀନ ହୋଇ ଅବସର ନେବା ହେଉଛି ତାଙ୍କର ଲାଳସା। ଦିଲ୍ଲୀ ଦରବାରରେ ବାଘ ଛେଳିଙ୍କୁ  ଏକା ଘାଟରେ ପାଣି ପିଆଇ ପାରୁଥିବା ଅମର ସିଂହ ତାଙ୍କୁ ଏଥିରେ ସାହାଯ୍ୟ କରିବେ ବୋଲି ତାଙ୍କର ବିଶ୍ୱାସ।
 
ସମସ୍ୟା ହେଲା ରାଜ୍ୟରେ ପୁତ୍ର ଅଖିଳେଶଙ୍କୁ ଶାସନ ଗାଦିରେ ବସାଇଥିଲେ ମଧ୍ୟ ମୁଲାୟମ ତାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ ନକରି ନିଜ ହାତରେ ନିୟନ୍ତ୍ରଣ ରଜ୍ଜୁ ରଖିଥିଲେ। ମୁଲାୟମ ତାଙ୍କ କାଇଦାରେ ଜାତିଆଣ, ସାମ୍ପ୍ରଦାୟିକ ଓ ବାହୁବଳ ଭିତ୍ତିକ ରାଜନୀତି କରିବାକୁ ଚାହୁଁଥିବା ବେଳେ ୪୩ ବର୍ଷୀୟ ଅଖିଳେଶ ସେଭଳି ପୁରାତନ ପନ୍ଥୀ ରାଜନୀତି ଛାଡ଼ି ଯୁବପିଢ଼ିର ଆଶା ଆକାଂକ୍ଷା ସହିତ ତାଳମେଳ ରଖିପାରିବା ଭଳି ପ୍ରଗତିଶୀଳ ରାଜନୀତି କରିବାକୁ ପସନ୍ଦ କରନ୍ତି। ୨୦୧୪ ସାଧାରଣ ନିର୍ବାଚନରେ କିନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଶୋଚନୀୟ ପ୍ରଦର୍ଶନ କଲା ପରେ ମୁଲାୟମ ଅଖିଳେଶଙ୍କୁ ଏକ ଅବାଧ୍ୟ ସନ୍ତାନ ରୂପେ ଚିତ୍ରିତ କରି ସର୍ବସାଧାରଣରେ ଭର୍ତ୍ସନା କରିବା ଦେଖାଯାଇଥିଲା। ଶିବପାଲ-ସାଧନା-ଅମର ସିଂହ ମେଣ୍ଟ ମୁଲାୟମଙ୍କର ଏହି ଆଭିମୁଖ୍ୟକୁ ମଜଭୁତ କରିବାରେ ଲାଗିଗଲେ।
 
ଉଚ୍ଚଶିକ୍ଷିତ ଅଖିଳେଶ କିନ୍ତୁ ଚୁପ୍‌ଚାପ୍‌ ରାଜ୍ୟରେ ଉନ୍ନୟନ, ସମାଜ ମଙ୍ଗଳ ଓ ଆଇନ ଶୃଙ୍ଖଳା ଉନ୍ନତି କାର୍ଯ୍ୟରେ ମନୋନିବେଶ କରି ବିଶେଷ ସଫଳତା ହାସଲ କରିବାରେ ଲାଗିଲେ। ଏହା ପରେ ଏ ସବୁକୁ ତାଙ୍କର ଉପଲବ୍‌ଧି ରୂପେ ପ୍ରଦର୍ଶିତ କରି ସେ ନିଜ ସପକ୍ଷରେ ଏକ ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କଲେ। ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ ପରି ଶୋଇପଡ଼ିଥିବା ମୁଲାୟମ ଉଠିବା ବେଳକୁ ଯେ ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଛି, ତାହା ସେ ଜାଣିବାକୁ ପାଇଲେ ଯେତେବେଳେ ବିଦ୍ରୋହୀ ଅଖିଳେଶଙ୍କ ଦ୍ୱାରା ଆହୂତ ଦଳର ଜାତୀୟ ସମ୍ମିଳନୀରେ ସମାଜବାଦୀ ପାର୍ଟିର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ନେତା ମୁଲାୟମଙ୍କ ବାରଣ ନ ମାନି ହାଜିରା ପକାଇଲେ। ଠିକ୍‌ ଯେମିତି ୨୨ ବର୍ଷ ତଳେ ତେଲୁଗୁ ଦେଶମ୍‌ ପାର୍ଟିର ସମସ୍ତ ବିଧାୟକମାନେ ଏନ୍‌ଟିଆର୍‌ଙ୍କୁ ପରିତ୍ୟାଗ କରି  ଆଧୁନିକ ଚିନ୍ତାଧାରା ସମ୍ପନ୍ନ, ପ୍ରଗତିଶୀଳ ଚନ୍ଦ୍ରବାବୁ ନାଇଡ଼ୁଙ୍କ କ୍ୟାମ୍ପ୍‌ରେ ଯୋଗ ଦେଇଥିଲେ। ଚାଣକ୍ୟ କହିଥିଲେ, ‘‘ପ୍ରାପ୍ତେଷୁ ଷୋଡ଼ଶ ବର୍ଷେ ପୁତ୍ରମିତ୍ରମିବାଚରେତ୍‌’’। ପୁତ୍ର ଅଖିଳେଶ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁବା କିଛି ଅସ୍ୱାଭାବିକ ନୁହେଁ। ଅସ୍ୱାଭାବିକ ହେଉଛି ପିତା ମୁଲାୟମ ତାଙ୍କୁ ଏଥିରେ ବାଧା ଦେବା। ପ୍ରଖ୍ୟାତ ଲେବାନିଜ୍‌ କବି ଖଲିଲ୍‌ ଜିବ୍ରାନ୍‌ଙ୍କର ଏକ ପ୍ରସିଦ୍ଧ କବିତା ଅନୁସାରେ: ‘‘ଇଓର୍‌ ଚିଲ୍‌ଡ୍ରେନ୍‌ ଆର୍‌ ନଟ୍‌ ଇଓର୍‌ ଚିଲ୍‌ଡ୍ରେନ୍‌... ଦୋ’ ଦେ ଆର୍‌ ଓ୍ଵିଥ୍‌ ଇୟୁ ୟେଟ୍‌ ଦେ ବିଲଙ୍ଗ୍‌ ନଟ୍‌ ଟୁ ଇୟୁ...।’’ ଅବଶ୍ୟ ତୀବ୍ର ଇଂରେଜୀ ବିରୋଧୀ ମୁଲାୟମ ଏଥି ସହିତ ପରିଚିତ ନଥିବେ। ନଚେତ୍‌ ଏବେ ତାଙ୍କର କୌଣସି ଅବସୋସ ରହନ୍ତା ନାହିଁ।