17 August 2017
7:17:52 PM
Sambad News
ସମ୍ପାଦକୀୟ

ଶରଣାର୍ଥୀ ମନ

By Sambad | Date: Jan 5 2017 4:54AM
ଶରଣାର୍ଥୀ ମନ

ସାରା ଦେଶରେ ଚହଳ ପକାଇଥିବା ନବ ବର୍ଷ ପୂର୍ବ ସନ୍ଧ୍ୟାରେ ଭାରତର ଟେକ୍ନୋଲୋଜି ରାଜଧାନୀ ରୂପେ ପରିଚିତ ବେଙ୍ଗଲୁରୁର ଅଗ୍ରଣୀ ରାଜରାସ୍ତା ମହାତ୍ମା ଗାନ୍ଧୀ ରୋଡ୍‌ରେ ଘଟିଥିବା ମହିଳାମାନଙ୍କର ଗଣ-ଯୌନ ଉତ୍ପୀଡ଼ନକୁ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଜି ପରମେଶ୍ୱର ପାଶ୍ଚାତ୍ୟ ସଂସ୍କୃତିର ପରିଣାମ ବୋଲି ସଫେଇଦେଇଛନ୍ତି। ଏ ଭଳି ଆଭିମୁଖ୍ୟ ପୋଷଣ କରିବାରେ ଅବଶ୍ୟ ପରମେଶ୍ୱର ଏକାକୀ ନୁହନ୍ତି। ଭାରତୀୟ ସମାଜର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ଅନେକ ସମୟରେ ଏଇ ଭଳି ମନୋଭାବ ପ୍ରକାଶ କରିବା ଏଠାରେ ଏକ ନିୟମିତ ଧାରାରେ ପରିଣତ ହୋଇଛି। ଏହି ପରିପ୍ରେକ୍ଷୀରେ ତେଣୁ ସେଇ ପାଶ୍ଚାତ୍ୟ ଜଗତ୍‌ରେ ନିକଟ ଅତୀତରେ ଘଟିଥିବା ବେଙ୍ଗଲୁରୁ ଘଟଣାର ଏକ ଅବିକଳ ନକଲ ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟିପାତ କରିବା ଏଠାରେ ନିଶ୍ଚିତ ରୂପେ ସମୀଚୀନ ହେବ।
 
ସମୟ- ଠିକ୍‌ ବର୍ଷକ ତଳର ପ୍ରାକ୍‌ ନବ ବର୍ଷ ସନ୍ଧ୍ୟା। ସ୍ଥାନ- ଏକ ପ୍ରମୁଖ ପାଶ୍ଚାତ୍ୟ ଦେଶ ଜର୍ମାନିର ଏକ ମୁଖ୍ୟ ସହର କୋଲୋନ୍‌ର କେନ୍ଦ୍ରୀୟ ରେଳ ଷ୍ଟେସନ୍‌ ଓ ପ୍ରସିଦ୍ଧ କାଥେଡ୍ରାଲ୍‌ ନିକଟବର୍ତ୍ତୀ ଅଞ୍ଚଳ। ବେଙ୍ଗଲୁରୁ ପରି ସେଠାରେ ମଧ୍ୟ ଶହ ଶହ ନାରୀ ପୁରୁଷ ରୁଣ୍ଡ ହୋଇ ଉତ୍ସବ ପାଳନରେ ମସଗୁଲ ଥିଲେ। ହଠାତ୍‌ ଦେଖାଗଲା କେତେକ ପୁରୁଷ ଦଳ ବାନ୍ଧି ନାରୀମାନଙ୍କୁ ଘେରିଯାଇ ସେମାନଙ୍କର ଯୌନ ଉତ୍ପୀଡ଼ନ ଆରମ୍ଭ କରିଦେଲେ। ସେତିକି ନୁହେଁ ଏଥି ସହିତ ବଳାତ୍କାରୀମାନେ ମହିଳାମାନଙ୍କ ନିକଟରେ ଥିବା ପର୍ସ୍‌, ଅଳଙ୍କାର ଆଦି ମଧ୍ୟ ଲୁଟିନେଲେ। କେତେକ ମହିଳା ମଧ୍ୟ ଧର୍ଷଣର ଶିକାର ହୋଇଥିଲେ। ଏକ ରିପୋଟ୍‌ର୍ ଅନୁସାରେ ସେ ଦିନ ସେଠାରେ ପ୍ରାୟ ୨୪ଟି ଧର୍ଷଣ ଘଟଣା ଘଟିଥିଲା। ତେଣୁ ଜି ପରମେଶ୍ୱର ଓ ତାଙ୍କ ଚିନ୍ତାଧାରା ପୋଷଣ କରୁଥିବା ଅନ୍ୟ ସମସ୍ତେ ଠିକ୍‌ କହୁଛନ୍ତି ବୋଲି ଏଥିରୁ ପ୍ରମାଣିତ ହେବା ଭଳି ମନେହୋଇପାରେ।
 
କିନ୍ତୁ ପାଶ୍ଚାତ୍ୟ ଦେଶରେ ଏହି ଗଣ ଉତ୍ପୀଡ଼ନ ଘଟିଥିବା ସତ, ତେବେ ଉତ୍ପୀଡ଼ନକାରୀମାନେ କେହି ପାଶ୍ଚାତ୍ୟ ପୁରୁଷ ନ ଥିଲେ। ସେମାନେ ପ୍ରାୟ ସମସ୍ତେ ଥିଲେ ଉତ୍ତର ଆଫ୍ରିକାରୁ ଆସିଥିବା ଶରଣାର୍ଥୀ ମୁସଲମାନ ଯୁବକ। ପ୍ରାୟ ଏକ ହଜାର ସରିକି ଏ ଭଳି ଯୁବକ ନିଜର ଯୌନ ଲାଳସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଏକଜୁଟ ହୋଇ ଏହି କାଣ୍ଡ ଭିଆଇଥିଲେ। ବେଙ୍ଗଲୁରୁ ପୁଲିସ୍‌ ଏଠାରେ ଯେଉଁ ଭଳି ନିଷ୍କ୍ରିୟତା ପ୍ରଦର୍ଶନ କରିଛି ବୋଲି ଅଭିଯୋଗ ହେଉଛି, କୋଲୋନ୍‌ ପୁଲିସ୍‌ ବିରୋଧରେ ମଧ୍ୟ ଘଟଣା ପରେ ପରେ ସେଇ ଭଳି ଅଭିଯୋଗର ସୁଅ ଛୁଟିଥିଲା। କିନ୍ତୁ ଉଭୟ ପୁଲିସ୍‌ ବାହିନୀର ବିଫଳତାର  କାରଣ ହେଉଛି ଭିନ୍ନ। ବେଙ୍ଗଲୁରୁ ପୁଲିସ୍‌ ନିଜର ଅପାରଗତା ଯୋଗୁଁ ଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଥିବା ବେଳେ କୋଲୋନ୍‌ ପୁଲିସ୍‌ ଏ ପରି ଏକ ସମ୍ପୂର୍ଣ୍ଣ ଅପରିଚିତ ଅପରାଧ ରୋକିବାର ବାଟ ପାଇ ନ ଥିଲା। କାରଣ ସେମାନଙ୍କର ‘ପାଶ୍ଚାତ୍ୟ’ ସଂସ୍କୃତି ଓ ସମାଜରେ ନାରୀମାନଙ୍କ ପ୍ରତି ଏ ପରି ଗଣ-ଉତ୍ପୀଡ଼ନ ଘଟିବା ସହିତ ସେମାନେ ଆଦୌ ପରିଚିତ ନ ଥିଲେ। ଏଣୁ ଏହାର ପ୍ରତିରୋଧ ପାଇଁ କେଉଁ ଭଳି ଓ କେଉଁ ମାତ୍ରାର ପଦକ୍ଷେପ ନିଆଯିବା ଉଚିତ ଓ ଫଳପ୍ରଦ ହେବ ତାହା ସେମାନେ ଜାଣି ନ ଥିଲେ।
 
ଆଶ୍ଚର୍ଯ୍ୟର କଥା କିଂବା ଆଶ୍ଚର୍ଯ୍ୟର କଥା ମଧ୍ୟ ନୁହେଁ ଥରେ ମଣିଷ ରକ୍ତ ଚାଖିଥିବା ମଣିଷଖିଆ ବାଘ ଭଳି ଏ ବର୍ଷ ପ୍ରାକ୍‌ ନବ ବର୍ଷ ସନ୍ଧ୍ୟାରେ ୬୦୦ରୁ ଅଧିକ ଉତ୍ତର ଆଫ୍ରିକୀୟ ଶରଣାର୍ଥୀ ଯୁବକ ପୁଣି ସେଇ ପୂର୍ବ ଅପରାଧ ସ୍ଥଳୀରେ ଆସିପହଞ୍ଚିଯାଇଥିଲେ। ଏ ଥର କିନ୍ତୁ ଗତ ବର୍ଷ ଘଟଣାର ପୁନରାବୃତ୍ତି ପ୍ରତିହତ କରିବା ଉଦ୍ଦେଶ୍ୟରେ ସେଠାରେ ପ୍ରାୟ ୧,୭୦୦ ପୁଲିସ୍‌ ଅଫିସର୍‌ ପ୍ରସ୍ତୁତ ହୋଇରହିଥିଲେ। ସେମାନଙ୍କ କହିବା ଅନୁସାରେ ଏ ଥର ପୁଣି ଏକତ୍ର ହୋଇଥିବା ଶରଣାର୍ଥୀ ଯୁବକଙ୍କ ମଧ୍ୟରେ ଅନେକ ଏ ପରି ଥିଲେ ଯେଉଁମାନେ ସମ୍ଭବତଃ ପୂର୍ବ ବର୍ଷର ଅପରାଧରେ ସଂପୃକ୍ତ ଥିଲେ ଏବଂ ଅନେକ ମଧ୍ୟ ଏ ପରି ଥିଲେ ଯେଉଁମାନଙ୍କର ଆଚରଣ ସେମାନଙ୍କର ମନ୍ଦ ଅଭିପ୍ରାୟର ସଂକେତ ଦେଉଥିଲା। ପ୍ରକାଶିତ ସମ୍ବାଦ ଅନୁସାରେ କୋଲୋନ୍‌ ପୁଲିସ୍‌ ଏହି ବିପଜ୍ଜନକ ଯୁବକମାନଙ୍କ ମଧ୍ୟରୁ ୧୯୦ ଜଣଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ କରିଥିଲା, ୯୨ ଜଣଙ୍କୁ ଅଟକ ରଖିଥିଲା ଏବଂ ୨୭ ଜଣଙ୍କୁ ଗିରଫ କରିଥିଲା।
 
ଫଳରେ ଏ ବର୍ଷ ପୂର୍ବ ଘଟଣାର ପୁନରାବୃତ୍ତି ଘଟିପାରିନାହିଁ। କିନ୍ତୁ ଆମ ନେତାମାନେ ଯେଉଁ ପାଶ୍ଚାତ୍ୟ ସଂସ୍କୃତିର ଦୋଷ ଦେଉଛନ୍ତି, ସେଇ ପାଶ୍ଚାତ୍ୟ ସଂସ୍କୃତିର ବାହକ ଜର୍ମାନ୍‌ ସମାଜର ଏଥି ପ୍ରତି ପ୍ରତିକ୍ରିୟା ପ୍ରଣିଧାନଯୋଗ୍ୟ। ଏହି ସମାଜର ଉଦାରପନ୍ଥୀ ସଦସ୍ୟମାନେ ଏ ଥର କୋଲୋନ୍‌ ପୁଲିସ୍‌ର କାର୍ଯ୍ୟକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଏହା ଦ୍ୱାରା ସେମାନେ ଏକ ଜାତିଭିତ୍ତିକ ବାଛବିଚାର ଆଚରଣ ପ୍ରଦର୍ଶନ କରିଛନ୍ତି। ଅର୍ଥାତ୍‌ ଜର୍ମାନ୍‌ ନାରୀମାନେ ଉତ୍ପୀଡ଼ନର ଶିକାର ହୁଅନ୍ତୁ ପଛକେ କେବଳ ଧର୍ମ, ଚେହେରା ବା ବର୍ଣ୍ଣକୁ ଭିତ୍ତି କରି ମୁସଲମାନ ଉତ୍ତର ଆଫିକୀୟ ଶରଣାର୍ଥୀମାନଙ୍କୁ ଚିହ୍ନଟ କରି ଅଟକ ରଖିବା ହେଉଛି ମାନବାଧିକାର ଉଲ୍ଲଂଘନ। ଏହା ସେମାନଙ୍କର ଉଦାର ଚିନ୍ତାଧାରାର ପରିଚାୟକ। କିନ୍ତୁ ଏହା ଅପରାଧପ୍ରବଣ ଅଣ-ଜର୍ମାନ୍‌ ଶରଣାର୍ଥୀମାନଙ୍କୁ ଦୋଷମୁକ୍ତ କରି ନ ଥାଏ।
 
ଏ ଉଭୟ ଘଟଣାକୁ ଅନୁଶୀଳନ କଲା ପରେ ଆମର ନେତୃବର୍ଗ ମନ ସ୍ଥିର କରିବା ଦରକାର ଆମେ ଉତ୍ତର ଆଫି୍ରକୀୟ ମୁସଲମାନ ଶରଣାର୍ଥୀମାନଙ୍କୁ ଅନୁକରଣ କରିବା ଉଚିତ କି ସହନଶୀଳ ଉଦାର ପାଶ୍ଚାତ୍ୟ ଚିନ୍ତାଧାରାକୁ ଅନୁକରଣ କରିବା ଉଚିତ। କିନ୍ତୁ ନିକଟ ଅତୀତରେ ଆମ ରାଜନେତାମାନଙ୍କର କେତେକ ମନ୍ତବ୍ୟ ଉପରେ ଦୃଷ୍ଟିପାତ କଲେ ମନେହୁଏ, ସେମାନଙ୍କର ପ୍ରତ୍ୟେକଙ୍କ ମନ ଭିତରେ ଜଣେ ଜଣେ କୋଲୋନ୍‌ ଶରଣାର୍ଥୀ ଲୁଚିରହିଛି। କେତେକ ନମୁନା: ୨୦୧୨ ନିର୍ଭୟା ଧର୍ଷଣ ଓ ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁତ୍ର କଂଗ୍ରେସ୍‌ ସାଂସଦ ଅଭିଜିତ୍‌ ମୁଖାର୍ଜୀ ‘ଡେଣ୍ଟେଡ୍‌ ଆଣ୍ଡ୍‌ ପେଣ୍ଟେଡ୍‌’ ମହିଳା ରୂପେ ଅଭିହିତ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ୨୦୧୪ରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ତୃଣମୂଳ କଂଗ୍ରେସ୍‌ ନେତା ତାପସ ପାଲ ପ୍ରତିପକ୍ଷଙ୍କୁ ଧମକ ଦେଇଥିଲେ ଯେ ତାଙ୍କ ଦଳର କର୍ମୀମାନେ ସେମାନଙ୍କ ଘରେ ପଶି ସେମାନଙ୍କ ଝିଅ ବୋହୂଙ୍କୁ ଧର୍ଷଣ କରିବେ। ୨୦୧୩ରେ ମୋହନ ଭାଗବତ (ଆର୍‌ଏସ୍‌ଏସ୍‌ ମୁଖ୍ୟ) କହିଥିଲେ ଯେ ଧର୍ଷଣ କେବଳ ପାଶ୍ଚାତ୍ୟ ସଂସ୍କୃତି ପ୍ରଚଳନ ଥିବା ‘ଇଣ୍ଡିଆ’ରେ ଘଟିଥାଏ, ଦେଶୀ ସଭ୍ୟତା ଥିବା ଭାରତରେ ଘଟି ନ ଥାଏ। ଏବେ ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ କହିଛନ୍ତି ନାରୀ ହେଲେ ଚିନି, ପୁରୁଷ ଜନ୍ଦା। ବେଙ୍ଗଲୁରୁ ଘଟଣା ପାଇଁ ପାଶ୍ଚାତ୍ୟ ସଂସ୍କୃତିକୁ ଦୋଷ ଦେବା ନା ଏହି ଶରଣାର୍ଥୀ ସୁଲଭ ଯୌନ ଲାଳସାଗ୍ରସ୍ତ ମାନସିକତାକୁ?