28 February 2017
1:35:33 PM
Sambad News
ସମ୍ପାଦକୀୟ

ନିର୍ଣ୍ଣାୟକ ନିର୍ବାଚନ

By Sambad | Date: Jan 6 2017 4:34AM
ନିର୍ଣ୍ଣାୟକ ନିର୍ବାଚନ

ଦେଶର ସର୍ବାଧିକ ଜନବହୁଳ ତଥା ଜାତୀୟ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ତର-ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଫେବ୍ରୁଆରି ୪ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ସାତଟି ପର୍ଯ୍ୟାୟରେ ୟୁପିର ୪୦୩ ସମେତ ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ମୋଟ ୬୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ମାର୍ଚ୍ଚ ୧୧ ତାରିଖ ଦିନ ପ୍ରକାଶ ପାଇବାକୁ ଥିବା ଏହି ପାଞ୍ଚଟି ରାଜ୍ୟର ପ୍ରାୟ ୧୬ କୋଟି ଭୋଟରଙ୍କ ରାୟ କେବଳ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ପରବର୍ତ୍ତୀ ପାଞ୍ଚବର୍ଷ ପାଇଁ କିଏ ସରକାର କରିବ ତାହା ନିର୍ଣ୍ଣୟ କରିବ ନାହିଁ, ଆହୁରି ଅନେକ ଦୃଷ୍ଟିରୁ ମଧ୍ୟ ନିର୍ଣ୍ଣାୟକ ହେବ। ଆଗାମୀ ଦିନରେ ଭାରତୀୟ ରାଜନୀତିର ଚିତ୍ର, ଚରିତ୍ର ପାଇଁ ନିର୍ଣ୍ଣାୟକ ଏହି ନିର୍ବାଚନ ରାଜନୀତିର ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ଭବିଷ୍ୟତ ଲାଗି ଯେତିକି ଗୁରୁତ୍ୱପୂର୍ଣ୍ଣ, ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ତିନିଟି ଆଞ୍ଚଳିକ ଦଳ- ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଅକାଳୀ ଦଳର ଭାଗ୍ୟ ଭବିଷ୍ୟତ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ସୀମା ଡେଇଁ ଅନ୍ୟ ରାଜ୍ୟକୁ ସଂପ୍ରସାରଣର ଆକାଂକ୍ଷା ରଖୁଥିବା ଆମ୍‌-ଆଦ୍‌ମୀ ପାର୍ଟି ପାଇଁ ମଧ୍ୟ ଏ ନିର୍ବାଚନ କିଛି କମ୍‌ ନିର୍ଣ୍ଣାୟକ ନୁହେଁ। ଦଳଗୁଡ଼ିକ ସହ ତୁଙ୍ଗ ଦଳୀୟ ନେତାଙ୍କ ପ୍ରତିଷ୍ଠା ଓ ପତିଆରା ମଧ୍ୟ ଦାଓରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଏସ୍‌ପିର ସର୍ବମୟକତ୍ର୍ତ୍ରୀ ଦଳିତ ରାଣୀ ମାୟାବତୀ, ସମାଜବାଦୀ ପାର୍ଟିର ନେତାଜି ମୁଲାୟମ୍‌ ସିଂହ ଯାଦବ, ନୂଆ ନେତା ମୁଲାୟମ ନନ୍ଦନ ଅଖିଳେଶ, ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପର୍ଯ୍ୟନ୍ତ ବହୁ ପ୍ରମୁଖ ନେତାଙ୍କ ପାଇଁ ଏହା ଏକ ମର୍ଯ୍ୟାଦାର ପ୍ରଶ୍ନ। ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ପ୍ରତିଷ୍ଠା ଏବଂ ଭବିଷ୍ୟତ ଦୃଷ୍ଟିରୁ ଫେବ୍ରୁଆରି- ମାର୍ଚ୍ଚ ବିଧାନସଭା ନିର୍ବାଚନ ବେଶ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
 
ସବୁ ଦଳ ଓ ନେତାଙ୍କ ପାଇଁ ତ ଆଗାମୀ ନିର୍ବାଚନ ନିଶ୍ଚିତ ଭାବେ ଏକ ପରୀକ୍ଷା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। ପ୍ରଧାନମନ୍ତ୍ରୀ ଭାବେ ବିଗତ ଅଢ଼େଇ ବର୍ଷରେ ତାଙ୍କ ପ୍ରଦର୍ଶନ ଏବଂ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟ ଉପରେ ଏହାକୁ ଏକ ପ୍ରକାର ଗଣଭୋଟ କୁହାଯାଇପାରେ। ବିଶେଷକରି, ଉତ୍ତରପ୍ରଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ କଡ଼ା ଆହ୍ଵାନ। ମୋଦୀଙ୍କୁ ଏଠାରେ ପ୍ରମାଣ କରିବାକୁ ପଡ଼ିବ ଯେ, ୨୦୧୪ରେ ରାଜ୍ୟରେ ବିଜେପିକୁ ମିଳିଥିବା ଅଭୂତପୂର୍ବ ସଫଳତା ଆକସ୍ମିକ ନଥିଲା। ଗତ ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ବିମୁଦ୍ରାୟନକୁ ଲୋକେ କେତେ ମାତ୍ରାରେ ଅନୁମୋଦନ କରିଛନ୍ତି ନା ବିମୁଦ୍ରାୟନର ଯନ୍ତ୍ରଣା ଲୋକଙ୍କୁ ବାଧିଛି, ତା’ର ଜବାବ ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ଭୋଟରମାନଙ୍କଠାରୁ ମିଳିବ। ଉତ୍ତରପ୍ରଦେଶ ବ୍ୟତୀତ ଗୋଆ ଓ ପଞ୍ଜାବ ମଧ୍ୟ ମୋଦୀ ଓ ବିଜେପି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଗୋଆରେ ଏକା କ୍ଷମତାରେ ଥିବା ବେଳେ ପଞ୍ଜାବରେ ଅକାଳୀ ଦଳ ସହ ସରକାରର ଅଂଶୀଦାର। ବିଜେପି ଦୃଷ୍ଟିରୁ ଉତ୍ତରାଖଣ୍ଡ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତି, ଶାସନରେ ଦକ୍ଷତା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସାଂଗଠନିକ ରଣକୌଶଳ  ମଧ୍ୟ ଏହି ନିର୍ବାଚନରେ, ବିଶେଷ କରି, ୟୁପିରେ ପରୀକ୍ଷାର ସମ୍ମୁଖୀନ ହେବ। ଗତ ଲୋକସଭା ନିର୍ବାଚନରେ ୟୁପିର ସଫଳତାର ସମସ୍ତ ଶ୍ରେୟ ଶାହାଙ୍କ ଖାତାକୁ ଯାଇଥିଲା। ନିଃସନ୍ଦେହ, ପାଞ୍ଚଟି ନିର୍ବାଚନର ଫଳାଫଳ ମୋଦୀ-ଶାହା ଯୋଡ଼ିର ପ୍ରତିଷ୍ଠା ଓ ପତିଆରାକୁ ପ୍ରଭାବିତ କରିବ। 
 
କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ପାଇଁ ମଧ୍ୟ ଏ ନିର୍ବାଚନ ଅତ୍ୟନ୍ତ ନିର୍ଣ୍ଣାୟକ। ଜାତୀୟ ସ୍ତରରେ ଏକ ବିକଳ୍ପ ଭାବେ ରାହୁଲଙ୍କ ନେତୃତ୍ୱର ଗ୍ରହଣୀୟତା ଏବଂ ଏକ ଜାତୀୟ ଦଳ ଭାବେ ଅବକ୍ଷୟମୁଖୀ କଂଗ୍ରେସର ଭବିଷ୍ୟତ ଦୃଷ୍ଟିରୁ ନିର୍ବାଚନ ଏକ କଡ଼ା ପରୀକ୍ଷା। ସାଂପ୍ରତିକ ରାଜନୈତିକ ସମୀକରଣ ପରିପ୍ରେକ୍ଷୀରେ ୟୁପି କଂଗ୍ରେସ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ପଞ୍ଜାବ ଓ ଉତ୍ତରାଖଣ୍ଡ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ୟୁପିରେ କୌଣସି ମତେ ପ୍ରାସଙ୍ଗିକତା ବଜାୟ ରଖିବା ଦଳର ଲକ୍ଷ୍ୟ ହୋଇଥିବା ବେଳେ, ପଞ୍ଜାବ ଓ ଉତ୍ତରାଖଣ୍ଡରେ କ୍ଷମତା ହାସଲ ପାଇଁ ଲଢ଼ିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଉତ୍ତର ପୂବାଞ୍ଚଳରେ ଦଳର ସ୍ଥିତି ଦୁର୍ବଳ ପଡୁଥିବା ବେଳେ ମଣିପୁର ନେଇ ମଧ୍ୟ ଦଳ ଢ଼ିଲା ହୋଇ ପାରିବ ନାହିଁ। ମୋଟାମୋଟି କଂଗ୍ରେସର ଅବକ୍ଷୟ ଧାରା ଜାରି ରହିଛି, ନା ଲୋକଙ୍କ ମଧ୍ୟରେ ଦଳ ପ୍ରତି ଆସ୍ଥା ଓ ବିଶ୍ୱାସ ଫେରୁଛି? ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଭବିଷ୍ୟତ କ’ଣ? ମାର୍ଚ୍ଚ ୧୧ ତାରିଖ ଫଳାଫଳରୁ ଏହାର ସଂକେତ ମିଳିବ।
 
ଜାତି ସମୀକରଣରୁ ବଳ ସଂଗ୍ରହ କରି ମୁଖ୍ୟତଃ ୟୁପି ମାଟିରେ ଆସ୍ଥାନ ଜମାଇଥିବା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ଭବିଷ୍ୟତ ସ୍ଥିତି ଓ ଗତି ଆଗାମୀ ନିର୍ବାଚନରେ ପ୍ରଦର୍ଶନ ସହ ଯୋଡ଼ିହୋଇଛି। ୟୁପିରେ ଗତ ପାଞ୍ଚବର୍ଷ ହେଲା କ୍ଷମତାରେ ଥିବା ସମାଜବାଦୀ ପାର୍ଟିର ଆଭ୍ୟନ୍ତରୀଣ କନ୍ଦଳ ଦଳ ପାଇଁ ଘାତକ ହୋଇଛି ନା ନାହିଁ, ପିତା ମୁଲାୟମଙ୍କ ଛତ୍ରଛାୟାରୁ ବାହାରି ଆସି ମୁଖ୍ୟମନ୍ତ୍ରୀ ଅଖିଳେଶ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି କି ନାହିଁ, ଭୋଟ ଫଳାଫଳରୁ ତା’ର ଉତ୍ତର ମିଳିବ। ରାଜ୍ୟରେ ଯାହାବି ହେଉ, ଜାତୀୟ ରାଜନୀତିରେ ସମାଜବାଦୀ ପାର୍ଟିର ପ୍ରାସଙ୍ଗିକତା ରହିବ ନା ନାହିଁ, ତାହା ମଧ୍ୟ ମାର୍ଚ୍ଚ ୧୧ ଫଳାଫଳ ନିର୍ଦ୍ଧାରଣ କରିବ। ନିଜକୁ  ପଛୁଆ ବର୍ଗ ଅନ୍ତର୍ଗତ ଜାତିଙ୍କ ପ୍ରତିନିଧି ଦାବି କରୁଥିବା ସମାଜବାଦୀ ପାର୍ଟିର ବିକଳ୍ପ ଭାବେ ନିଜକୁ ଦଳିତଙ୍କ ତ୍ରାଣକର୍ତ୍ତା ବୋଲି  ଉପସ୍ଥାପନ କରୁଥିବା ବହୁଜନ ସମାଜପାର୍ଟିର ସ୍ଥିତି କେତେ ସୁଦୃଢ଼, ଗ୍ରହଣୀୟତା କେତେ ତାହାର ଫଇସଲା ନିର୍ବାଚନରେ ୟୁପି ମତଦାତା କରିବେ। ସ୍ୱାଭାବିକ ଭାବେ ଏସ୍‌ପି ଓ ବିଏସ୍‌ପିର ପ୍ରଦର୍ଶନ ଜାତୀୟ ରାଜନୀତିରେ ମାୟାବତୀ, ମୁଲାୟମ ଏବଂ ଅଖିଳେଶଙ୍କ ଭୂମିକା ସ୍ଥିର କରିବ। ପଞ୍ଜାବରେ ଶିରୋମଣି ଅକାଳୀ ଦଳ କଂଗ୍ରେସ ବ୍ୟତୀତ ଜାତୀୟ ଆକାଂକ୍ଷା ରଖୁଥିବା ଆମ୍‌ ଆଦ୍‌ମୀ ପାର୍ଟିଠାରୁ ମଧ୍ୟ ଚାଲେଞ୍ଜର  ସମ୍ମୁଖୀନ ହୋଇଛି। ପଞ୍ଜାବ ଦଖଲ ପାଇଁ ଏ ତ୍ରିମୁଖୀ ଲଢ଼େଇ ତିନି ଦଳଙ୍କ ଭାଗ୍ୟ ସହ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଆମ୍‌-ଆଦ୍‌ମୀ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଏବଂ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ। ଆମ୍‌ ଆଦ୍‌ମୀ ପାର୍ଟି ଓ କେଜ୍ରିଓ୍ଵାଲ୍‌ଙ୍କ ପାଇଁ ଗୋଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। 
 
ପ୍ରତିଦ୍ୱନ୍ଦ୍ୱୀ ଦଳ ଓ ଦଳୀୟ ମଙ୍ଗୁଆଳଙ୍କ ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ଆଗାମୀ ବିଧାନସଭା ଲଢ଼େଇର ଫଳାଫଳ ଉଣେଇଶ ନିର୍ବାଚନ ପାଇଁ ଦିଗବାରେଣୀ ହେବା ସହ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଓ ରାଜ୍ୟସଭାରେ ଦଳୀୟ ସ୍ଥିତିକୁ ପ୍ରଭାବିତ କରିବ।