22 August 2017
4:51:42 PM
image
Sambad News
ସମ୍ପାଦକୀୟ

ଅବସ୍ଥା ବଦଳୁନି କାହିଁକି?

By Sambad | Date: Jan 7 2017 5:19AM
ଅବସ୍ଥା ବଦଳୁନି କାହିଁକି?

ପିଭି ନରସିଂହରାଓଙ୍କଠାରୁ ଆରମ୍ଭ କରି ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଓ ବର୍ତ୍ତମାନ ପଦବିରେ ଥିବା ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ବିଗତ ଦୁଇ ଦଶକରେ ଦିଲ୍ଲୀରେ ଶାସନ ଡୋରି ସମ୍ଭାଳିଥିବା ପ୍ରତ୍ୟେକ ପ୍ରଧାନମନ୍ତ୍ରୀ କୃଷିର ବିକାଶ ଓ କୃଷକର କଲ୍ୟାଣ ପାଇଁ ଅଙ୍ଗିକାରବଦ୍ଧତା ଘୋଷଣା କରିଛନ୍ତି। ପ୍ରତ୍ୟେକଟି ସରକାର ଚାଷ ଓ ଚାଷୀଙ୍କ ହିତରେ ନୂଆ ନୂଆ ନୀତି ପ୍ରଣୟନ କରିଛନ୍ତି, ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ନିଷ୍ଠୁର ବାସ୍ତବତା ହେଲା, କ୍ଷେତ୍ର ସ୍ତରରେ ନା ଚାଷ, ନା ଚାଷୀର ଅବସ୍ଥାରେ ବିଶେଷ କୌଣସି ପରିବର୍ତ୍ତନ ଆସିଛି। ବରଂ ଅନ୍ୟପକ୍ଷରେ କୃଷି ସଙ୍କଟ ଅଧିକ ଘନୀଭୂତ ହୋଇଛି ଏବଂ କୃଷକର ଅବସ୍ଥା ଅଧିକ ଶୋଚନୀୟ ହେବାରେ ଲାଗିଛି। ଏହି ଦୁଃଖଦ ଧାରାର ସଦ୍ୟତମ ପ୍ରମାଣ ହେଲା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଦୁର୍ଘଟଣା ଓ ଆତ୍ମହତ୍ୟା ଜନିତ ମୃତ୍ୟୁ (ଏଡିଏସ୍‌ଆଇ) ରିପୋର୍ଟ। 
 
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ଦେଶର କୃଷି କ୍ଷେତ୍ରରେ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଜାରି ରହିଛି, ଯାହା ଷାଠିଏ ଭାଗ ଲୋକଙ୍କ ଜୀବିକା ସଂକଟର ବୟାନ କରୁଛି। ୨୦୧୫ରେ କୃଷି କ୍ଷେତ୍ର ସହ ଯୋଡ଼ି ହୋଇଥିବା ୧୨,୬୦୨ ଜଣ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ। ୨୦୧୪ରେ କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ଥିଲା ୧୨,୩୬୦। ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ୫,୬୫୦ ହୋଇଥିବା ବେଳେ ୪୫୯୫ କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ତେବେ ଏନ୍‌ସିଆର୍‌ବିର ଏ ତଥ୍ୟର ବିଶ୍ୱସନୀୟତା ସନ୍ଦେହମୁକ୍ତ ନୁହେଁ। କାରଣ ଅନେକ ରାଜ୍ୟରେ ଖୋଦ୍‌ ସରକାର କୃଷି କ୍ଷେତ୍ରରେ ଅଧିକ ସଂଖ୍ୟକ ଆତ୍ମହତ୍ୟା ଘଟଣାର ରେକର୍ଡ କରିଛନ୍ତି। ଉଦାହରଣ ସ୍ୱରୂପ ପଞ୍ଜାବରେ  ଏନ୍‌ସିଆର୍‌ବି ରିପୋର୍ଟରେ ୧୨୪ ଆତ୍ମହତ୍ୟା ଦର୍ଶାଯାଇଛି। ଅଥଚ, ପଞ୍ଜାବ ସରକାର ସରକାରୀ ଭାବେ ସ୍ୱୀକାର କରୁଛନ୍ତି ଯେ, କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ୪୪୯। ସେହିଭଳି ଓଡ଼ିଶାର କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ମାତ୍ର ୫୦ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏ ସଂଖ୍ୟା ବେଶ୍‌ ଅଧିକ। ଏପରିକି ସରକାରୀ ଭାବେ ସ୍ୱୀକାର କରାନଗଲେ ସୁଦ୍ଧା ସରକାରଙ୍କ ହିସାବ ଅନୁଯାୟୀ ୨୦୧୫ରେ ରାଜ୍ୟର କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ୧୩୮। ଏଥିରୁ ଏହା ସ୍ପଷ୍ଟ ଯେ ଏନ୍‌ସିଆର୍‌ବି ରିପୋର୍ଟରେ କୃଷିକ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ଯେତିକି ଦର୍ଶାଯାଇଛି, ବାସ୍ତବରେ ତା’ଠାରୁ ଅଧିକ ସଂଖ୍ୟକ ଆତ୍ମହତ୍ୟା ଘଟଣା ଘଟିଛି। 
 
ତେବେ କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂକ୍ରାନ୍ତ ପରସ୍ପର ବିରୋଧାତ୍ମକ ଅସାମଞ୍ଜସ୍ୟ ତଥ୍ୟ ଚାଷ ଓ ଚାଷୀଙ୍କ ଦୁଃଖଦାୟକ ବାସ୍ତବ ସ୍ଥିତିକୁ ଘୋଡ଼ାଇ ପାରିବ ନାହିଁ। କେବଳ ଯଦି ଏନ୍‌ସିଆର୍‌ବି ତଥ୍ୟକୁ ଖାଲି ଗ୍ରହଣ କରାଯାଏ, ତେବେ ସୁଦ୍ଧା ତାହା କୃଷି ସଂକଟର ଭୟାବହତା ବୟାନ କରିବାକୁ ଯଥେଷ୍ଟ। ୧୯୯୫ରୁ ୨୦୧୫ ଗତ କୋଡ଼ିଏ ବର୍ଷରେ ୩ ଲକ୍ଷ ୧୮ ହଜାର ୫୨୮ ଚାଷୀ ଆତ୍ମହତ୍ୟା କରିଛନ୍ତି। ଗତ ୨୦୧୫ର ଆତ୍ମହତ୍ୟା ସଂଖ୍ୟାକୁ ନେଲେ ସେହି ବର୍ଷ ପ୍ରତ୍ୟେକ ୪୧ ମିନିଟ୍‌ରେ ଜଣେ ଚାଷୀ ଜୀବନ ହାରିଛନ୍ତି। ଏହି ପରିସଂଖ୍ୟାନ ହିଁ କୃଷି ସଙ୍କଟର ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି। ଏନ୍‌ସିଆର୍‌ବି ରିପୋର୍ଟରେ କୃଷି କ୍ଷେତ୍ରରେ ଆତ୍ମହତ୍ୟାର ଯେଉଁ ସବୁ ପ୍ରମୁଖ କାରଣ ଦର୍ଶାଯାଇଛି, ତାହା ସଙ୍କଟଗ୍ରସ୍ତ କୃଷି କ୍ଷେତ୍ରର କରୁଣ ବାସ୍ତବତା ବୟାନ କରୁଛି। ଚାଷୀ ଆତ୍ମହତ୍ୟାର ତିନିଟି ପ୍ରମୁଖ କାରଣ ହେଲା, ଋଣବୋଝ, ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା। ଏନ୍‌ସିଆର୍‌ବିର ଏହି ତଥ୍ୟରେ କୌଣସି ନୂତନତ୍ୱ ନାହିଁ। କାରଣ ଚାଷ ଓ ଚାଷୀଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଗଠିତ ପ୍ରତ୍ୟେକ କମିଟି, ଚାଷୀଙ୍କ ଆର୍ଥିକ ଅବସ୍ଥା ସଂକ୍ରାନ୍ତ ପ୍ରତ୍ୟେକଟି ସର୍ଭେରୁ ଏହା ଜଣାପଡ଼ିଛି। ଅଧିକାଂଶ ରାଜ୍ୟରେ ଚାଷୀ ପରିବାର ପିଛା ଆୟଠାରୁ ବ୍ୟୟ ଅଧିକ। ଯାହା ସେମାନଙ୍କୁ ଋଣ ନେବା ଲାଗି ବାଧ୍ୟ କରୁଛି। କୃଷି ସମୃଦ୍ଧ ପଞ୍ଜାବରେ ୯୬ ପ୍ରତିଶତ ଚାଷୀ ପରିବାରଙ୍କ ଆୟଠାରୁ ବ୍ୟୟ ଅଧିକ। ୯୮ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ।
 
କୃଷିରେ ଯେଉଁ ରାଜ୍ୟ ଯେତିକି ଉନ୍ନତ, ସେହି ରାଜ୍ୟର ଚାଷୀ ସେତେ ଅଧିକ ଋଣଗ୍ରସ୍ତ। ଏଥିରୁ ଏହା ସ୍ପଷ୍ଟ ଯେ ଏକ ବୃତ୍ତି ଭାବେ ଚାଷ ଆଉ ପୋଷାଉ ନାହିଁ। ଉତ୍ପାଦନ ବଢ଼ି ଥାଇପାରେ, ସବିନିମ୍ନ ସହାୟକ ମୂଲ୍ୟ ମଧ୍ୟ ବଢ଼ିଛି। ତଥାପି କିନ୍ତୁ ତାହା କୃଷି ବାବଦ ଖର୍ଚ୍ଚକୁ ଭରଣା କରି ଚାଷୀଙ୍କୁ ଲାଭ ଦେବା ଲାଗି ଯଥେଷ୍ଟ ନୁହେଁ। ଏ ପ୍ରସଙ୍ଗରେ ଚଉଦ ନିର୍ବାଚନ ବେଳେ ବିଜେପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ଚାଷୀଙ୍କ ମନରେ ଆଶା ସଂଚାର କରିଥିଲା। ବିଜେପିର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଲାଭ ସହ କୃଷିଜାତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯିବ। କିନ୍ତୁ ସରକାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ଏ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ଚାଷ ଖର୍ଚ୍ଚ ଭରଣା ଲାଗି ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ଚାଷୀ ଉପରେ ଋଣ ବୋଝ ବଢ଼ି ଚାଲୁଛି। ଚାଷରୁ ସ୍ୱଳ୍ପ କିମ୍ବା ନାମମାତ୍ର ଆୟ ଚାଷୀ ପରିବାରକୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଉଛି। ଏମିତି ଅବସ୍ଥାରେ ସ୍ୱାସ୍ଥ୍ୟଗତ ସମସ୍ୟାର ଚିକିତ୍ସା ବାବଦ ଖର୍ଚ୍ଚ ଅବସ୍ଥାକୁ ଆହୁରି ଶୋଚନୀୟ କରି ଦେଉଛି। ଅନେକ ସର୍ଭେରୁ ଏହି ନିର୍ଯାସ ମିଳିଛି ଯେ, ଚିକିତ୍ସା ବାବଦ ଖର୍ଚ୍ଚ ଯୋଗୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ଅନେକ ପରିବାର ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଆସିଛନ୍ତି।
 
ସରକାର ଓ ନୀତି ନିର୍ଧାରକ ମାନଙ୍କୁ ଏବେ ଚିନ୍ତା କରିବାକୁ ପଡ଼ିବ, କାହିଁକି ଏତେ ନୀତି ଓ ଯୋଜନା ସତ୍ତ୍ୱେ ଚାଷ ଓ ଚାଷୀର ଅବସ୍ଥାରେ ପରିବର୍ତ୍ତନ ଆସୁନାହିଁ? ଜୀବିକା ଭାବେ ଚାଷ କାହିଁକି ପୋଷାଉ ନାହିଁ? ସମ୍ଭବତଃ ଚାଷ ଓ ଚାଷୀ ସାମ୍‌ନା କରୁଥିବା ମୌଳିକ ସମସ୍ୟାକୁ ସମାଧାନ କରିବାରେ ସରକାରୀ ନୀତି ଓ ଯୋଜନା ସମର୍ଥ ହେଉ ନାହିଁ। ନୀତିରେ ବିରୋଧାଭାସ ରହୁଛି। ଉଦାହରଣସ୍ୱରୂପ ଗୋଟିଏ ପଟେ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଦିଆଯାଉଛି, ଅଥଚ ଅନ୍ୟପଟେ ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉ ନାହିଁ। ଏହାର ଏକ ଉଦାହରଣ ହେଲା ଓଡ଼ିଶାର ଆଳୁ ମିସନ। ଆଳୁ ଉତ୍ପାଦନ ବଢ଼ିଲା, ଅଥଚ ବଜାର ଓ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ଚାଷୀ ଲାଭ ପାଇବେ କ’ଣ କ୍ଷତି ସହିଲେ। ସେହିପରି ଗୋଟିଏ ପକ୍ଷରେ ଚାଷକୁ ଲାଭଜନକ କରି ଚାଷୀର ଆୟ ଦୁଇଗୁଣ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଥଚ ଅନ୍ୟପକ୍ଷରେ କୃଷି ଉପରେ ନିର୍ଭରଶୀଳ ଶ୍ରମଶକ୍ତିର ଭାଗ ୫୨ ପ୍ରତିଶତରୁ ୩୮ ପ୍ରତିଶତକୁ ହ୍ରାସ ପାଇଁ ଯୋଜନା କରାଯାଉଛି। ଯଦି ଚାଷରୁ ଆୟ ବଢ଼ିବ, ତେବେ ଚାଷୀ ଚାଷ ଛାଡ଼ିବେ କାହିଁକି? ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା କମାଇବା ପାଇଁ ଏହା ଏକ କୌଶଳ, କିନ୍ତୁ କୃଷିରେ ନିୟୋଜିତ ଶ୍ରମ ଶକ୍ତିକୁ ଅନ୍ୟତ୍ର ନିୟୋଜନ ପାଇଁ ଦକ୍ଷତା ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଭୁଲ ପ୍ରାଥମିକତା ସହ କୃଷି ଓ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ନୀତି ଓ ଯୋଜନାର ଏ ପ୍ରକାର ବିରୋଧାଭାସ, ବିଭ୍ରାନ୍ତି ଓ ତ୍ରୁଟି-ବିଚ୍ୟୁତି ରହିଛି। ଏହାର ଏକ ମୁଖ୍ୟ କାରଣ ହେଲା- ଚାଷ ସହ ସମ୍ପର୍କ ନଥିବା ତଥାକଥିତ ବିଶାରଦମାନେ ନୀତି ପ୍ରଣୟନ କରୁଛନ୍ତି।
 
ଚାଷୀ ଓ ଚାଷ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ବିଶେଷଜ୍ଞମାନଙ୍କୁ ନେଇ ନୀତି ଓ ଯୋଜନା ପ୍ରଣୟନ ହେଲେ, ସେଥିରୁ ସୁଫଳ ମିଳିବା ସମ୍ଭାବନା ଅଧିକ। ଅବଶ୍ୟ, ମୂଳକଥା ହେଲା, କୌଣସି ପରିବର୍ତ୍ତନ ପାଇଁ ପ୍ରଥମେ ଆଭିମୁଖ୍ୟରେ ପରିବର୍ତ୍ତନ ଆବଶ୍ୟକ। ସରକାରୀ ଆଭିମୁଖ୍ୟରେ ସେ ପରିବର୍ତ୍ତନ ଦେଖାଯାଉ ନାହିଁ। ଅବଶ୍ୟ, ପରିବର୍ତ୍ତନ ଖାଲି ଫମ୍ପା କଥାରେ ନୁହେଁ, ଠୋସ୍‌ କାମରେ  ପ୍ରତିଫଳିତ ହେବା ଦରକାର।