20 August 2017
7:10:57 PM
Sambad News
ସମ୍ପାଦକୀୟ

ବିମୁଦ୍ରାୟନ ବିଭ୍ରାଟରୁ ଶିକ୍ଷା

By Sambad | Date: Jan 9 2017 5:18AM
ବିମୁଦ୍ରାୟନ ବିଭ୍ରାଟରୁ ଶିକ୍ଷା

ବିମୁଦ୍ରାୟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପଚାଶ ଦିନିଆ କଣ୍ଟ ପୂରି ଦଶ ଦିନ  ବିତିଗଲାଣି। ଅଚଳ ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ୍‌ ବଦଳ କିମ୍ବା ଜମା ପାଇଁ ବ୍ୟାଙ୍କ ଓ ଡାକଘର ଗୁଡ଼ିକର ଝରକା ବନ୍ଦ ହୋଇ ସାରିଲାଣି। କିନ୍ତୁ ବିମୁଦ୍ରାୟନିର ସଫଳତା ଓ ବିଫଳତା ନେଇ ତର୍କ ବିତର୍କର ଅବସାନ ହେଇ ନାହିଁ। ଶାସକ ପକ୍ଷ ବିମୁଦ୍ରାୟନ ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇ ଏହାର  ସଫଳତା ଓ ସକାରାତ୍ମକ ପ୍ରଭାବର ଲମ୍ବା ଇସ୍ତାହାର ଜାରି କରୁଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଅର୍ଥନୀତି, ବିଶେଷକରି ସମାଜର ଦୁର୍ବଳ ବର୍ଗଙ୍କ ଉପରେ ପ୍ରତିକୂଳ ପ୍ରଭାବର ନଜିର ନେଇ ବିମୁଦ୍ରାୟନ ଉପରେ ଐତିହାସିକ ବିଫଳତାର ମୋହର ଲଗାଇଛନ୍ତି। ଏ ବିତର୍କ ଆଗକୁ ମଧ୍ୟ ଜାରି ରହିବ। ତେବେ ବିମୁଦ୍ରାୟନର ସ୍ୱଳ୍ପମିଆଦୀ- ଦୀର୍ଘମିଆଦୀ ଲାଭ କ୍ଷତି ନେଇ ବିତର୍କର ଯଥେଷ୍ଟ ଅବକାଶ ଥିବାବେଳେ ଗୋଟିଏ ବିଷୟ ବିତର୍କ ଓ ବିବାଦର ଊର୍ଦ୍ଧ୍ୱରେ ଯେ, ବିମୁଦ୍ରାୟନର କାର୍ଯ୍ୟକାରିତା ପ୍ରକ୍ରିୟାରେ ଆମ ବ୍ୟବସ୍ଥାର ଦୁର୍ବଳତା, ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଥିବା ଉପରୁ ତଳ ପର୍ଯ୍ୟନ୍ତ ବାବୁମାନଙ୍କ ଦୁର୍ନୀତି ପ୍ରବଣତା ଓ ଆମ ଲୋକ ଚରିତ୍ରର ଅସଲ ସ୍ୱରୂପ ପଦାରେ ପଡ଼ିଯାଇଛି। ବିମୁଦ୍ରାୟନ ନିଷ୍ପତ୍ତିର କାର୍ଯ୍ୟକାରିତାରେ ବିଭ୍ରାଟ, ବିଭ୍ରାନ୍ତି, ଅବ୍ୟବସ୍ଥା- ବ୍ୟବସ୍ଥାକୁ ଫାଙ୍କିିବା ପାଇଁ ଲୋକଙ୍କ ବ୍ୟଗ୍ରତା ଏହାର ଦୁଃଖଦ ପ୍ରମାଣ।
 
ଦୀର୍ଘମିଆଦୀ ସୂତ୍ରରେ କଳାଧନର ମୁକାବିଲାରେ ବିମୁଦ୍ରାୟନ ଏକ ଅସ୍ତ୍ର ଭାବେ କେତେ ପ୍ରଭାବଶାଳୀ ହେବ, ସେ ନେଇ କେହି ନିଶ୍ଚିତ ନ ଥିଲେ। ଅନିଶ୍ଚିତତା  ଏବେ ମଧ୍ୟ ରହିଛି। କିନ୍ତୁ ଗୋଟିଏ ବିଷୟ ପ୍ରାୟ ନିଶ୍ଚିତ ଥିଲା ଯେ ସ୍ୱଳ୍ପମିଆଦୀ ଲାଭ ସ୍ୱରୂପ ନୋଟ ଅଚଳ ଚଡ଼କ ତତ୍କାଳ ଗୁପ୍ତ କଳାଧନର ପାହାଡ଼ର ଅନ୍ତତଃ କିଛି ଅଂଶକୁ ଧସେଇ ଦେଇ ପାରିବ। ୧୯୭୮ ବିମୁଦ୍ରାୟନ ଅଭିଜ୍ଞତା ପରିପ୍ରେକ୍ଷୀରେ ଆଶା କରାଯାଉଥିଲା, ଅଚଳ ଘୋଷିତ ପ୍ରାୟ ୧୫ ଲକ୍ଷ କୋଟରୁ ଅଧିକ ଟଙ୍କା ମୂଲ୍ୟର ନୋଟ୍‌ରୁ ଅନ୍ତତଃ ୧୦ ପ୍ରତିଶତ ଅର୍ଥନୀତିର ମୁଖ୍ୟ ସ୍ରୋତକୁ ଆଉ ଫେରି ପାରିବ ନାହିଁ। ଅର୍ଥାତ୍‌ ସମାନ୍ତରାଳ କଳା ଅର୍ଥନୀତିରୁ ଅତି କମ୍‌ରେ ଦେଢ଼ ଲକ୍ଷ କୋଟି ଟଙ୍କା ଉଭେଇ ଯିବ। ଉଚ୍ଚ ସରକାରୀ ସ୍ତରରେ ଏ ନେଇ ଆକଳନ ଅଧିକ ଥିଲା। ଅଟକଳ କରାଯାଇଥିଲା  ୩ରୁ ୪ ଲକ୍ଷ କୋଟି ଟଙ୍କାର ନୋଟ୍‌ ବଦଳ ନ ହୋଇ ଆପେ ପୋଛି ହୋଇଯିବ। ମୁଖ୍ୟତଃ ଏହି ଟଙ୍କାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପାଣ୍ଠିର ପରିକଳ୍ପନା କରାଯାଇଥିଲା। ବିଦେଶରୁ କଳା ଟଙ୍କା ଆଣି ପ୍ରତ୍ୟେକ ଭାରତୀୟଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବା ପ୍ରତିଶ୍ରୁତି ପାଳନ ହୋଇ ନପାରିନାହିଁ। ଏହାର ଭରଣା ସ୍ୱରୂପ ବିମୁଦ୍ରାୟନର ଲାଭରୁ ଗରିବଙ୍କ ଜନ-ଧନ ଖାତାରେ କିଛି ଟଙ୍କା ଜମା କରାଯିବ ବୋଲି ପ୍ରଚାର କରାଯାଇଥିଲା। ଏବେ ଆଉ ଏହା ଅସ୍ପଷ୍ଟ ହୋଇ ରହି ନାହିଁ ଯେ ସରକାରଙ୍କ ପାଖରେ ଏପରି  ଆଉ ସୁଯୋଗ ନାହିଁ। ସରକାରଙ୍କ ଆକଳନ ଭୁଲ୍‌ ପ୍ରମାଣିତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଚୂଡ଼ାନ୍ତ ହିସାବ ଦେଇ ନାହାନ୍ତି। କିନ୍ତୁ ଅନ୍ୟ ଅଣ-ଆଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଚଳ ଘୋଷିତ ୧୫ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଫେରି ଆସି ସାରିଛି। 
 
ଫେରି ଆସିଥିବା ୧୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍‌ର କେବଳ ରୂପ ବଦଳି ନାହିଁ, ଏଥିରୁ ଏକ ବୃହତ୍‌ ଭାଗ ଟଙ୍କାର ରଙ୍ଗ ମଧ୍ୟ ବଦଳି ଯାଇଛି। କଳାଧନ ବସ୍ତୁତଃ ଧଳା ହୋଇଯାଇଛି। ଏହା ସମ୍ଭବପର ହୋଇ ପାରିଛି ବିମୁଦ୍ରାୟନର କାର୍ଯ୍ୟକାରିତାର ବିଭ୍ରାନ୍ତି, ବିଭ୍ରାଟ ଓ ଦୁର୍ନୀତି ଯୋଗୁ। ପ୍ରଥମେ ବ୍ୟବସ୍ଥାଗତ ଦୁର୍ବଳତା ବିଷୟ ଆଲୋଚନା କରାଯାଉ। ଦେଶର ଅର୍ଥନୀତିକୁ ମାର୍ଗ ଦର୍ଶନ କରି ମୁଦ୍ରାନୀତିର ପ୍ରଣୟନ ଓ ପରିଚାଳନା କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପ୍ରଦର୍ଶନ କେବଳ ଉଲ୍ଲେଖନୀୟ ନହେଁ,  ପ୍ରଶଂସନୀୟ ମଧ୍ୟ। କିନ୍ତୁ ବିମୁଦ୍ରାୟନ ନେଇ ଆର୍‌ବିଆଇ କର୍ତ୍ତୃପକ୍ଷ ଯେମିତି ବାରମ୍ବାର ନିୟମ ପରିବର୍ତ୍ତନ କଲେ, ତାହା କେନ୍ଦ୍ରୀୟ ବ୍ୟାଙ୍କ୍‌ର ଦକ୍ଷତା ଓ ବିଶ୍ୱସନୀୟତାରେ ଆଞ୍ଚ ଆଣିଛି। ଆକସ୍ମିକ ଭାବେ ହଠାତ୍‌ ନିଷ୍ପତ୍ତି ନିଆଯିବାରୁ ଆବଶ୍ୟକ ପ୍ରସ୍ତୁତି ନଥିବା ବିଷୟକୁ ଗ୍ରହଣ କଲେ ସୁଦ୍ଧା ପରବର୍ତ୍ତୀ ସପ୍ତାହେ ଦୁଇ ସପ୍ତାହ ସମୟ ସ୍ଥିରତା ଓ ସ୍ପଷ୍ଟତା ଆଣିବା ଲାଗି କ’ଣ ଯଥେଷ୍ଟ ନଥିଲା? ସମୟ ଓ ପ୍ରସ୍ତୁତି ଅଭାବର ଆଳ ଦେଖାଇ କେନ୍ଦ୍ରୀୟ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଦୂରଦୃଷ୍ଟି ଓ କାର୍ଯ୍ୟ କୁଶଳତାର ଅଭାବକୁ ଘୋଡ଼ାଇ ପାରିବେ ନାହିଁ। ଦ୍ୱିତୀୟ, ଦୁର୍ନୀତି ଏବଂ ଅମଲାତାନ୍ତ୍ରିକ କର୍ମ ସଂସ୍କୃତି।  ରିଜର୍ଭବ୍ୟାଙ୍କଠାରୁ ଆରମ୍ଭ କରି ଜାତୀୟକରଣ ବ୍ୟାଙ୍କ, ଘରୋଇ ବ୍ୟାବସାୟିକ ବ୍ୟାଙ୍କ୍‌ ଏବଂ ସମବାୟ ବ୍ୟାଙ୍କ୍‌ ପର୍ଯ୍ୟନ୍ତ, ସବୁଠି ଅସାଧୁ କର୍ମଚାରୀଙ୍କ କାରସାଦି କଳାଧନକୁ ଧଳା କରିବାରେ ସହାୟକ ହେଲା। ନୂଆ ନୋଟ ପାଇଁ ବ୍ୟାଙ୍କ୍‌ ସାମ୍ନାରେ ଭିଡ଼ ବଢ଼ୁଥିବା ଓ ଧାଡ଼ି ଲମ୍ବା ହେଇ ଚାଲିଥିବା ବେଳେ କେତେକ ବ୍ୟକ୍ତି ଓ ସଂସ୍ଥାଙ୍କ ଠାରୁ ବିପୁଳ ପରିମାଣର ନୂଆ ନୋଟ୍‌ ମିଳିବା ସ୍ୱତଃ ଦୁର୍ନୀତି, ପ୍ରିୟାପ୍ରୀତି ଓ ଅନିୟମିତତା ପ୍ରତି ପ୍ରମାଣ ଦେଉଛି। ଅନେକ ଖାତାରେ ଅସ୍ୱାଭାବିକ ଭାବେ ଅଧିକ ପରିମାଣର ଟଙ୍କା ଜମା ହୋଇଛି। ବ୍ୟାଙ୍କ ବାବୁମାନଙ୍କ କାରସାଦି ବିନା ଏହା ସମ୍ଭବ ହୋଇ ନ ଥାଆନ୍ତା। କିଛି ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଚିହ୍ନଟ କରାଯାଇଛି, କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ଦୁର୍ନୀତିର ଆକାର ଏତେ ବିଶାଳ ଯେ ଅସାଧୁ କାରବାର ଏତିକି ମାତ୍ର କର୍ମଚାରୀ ଓ ବ୍ୟାଙ୍କ୍‌ବାବୁଙ୍କ ମଧ୍ୟରେ ସୀମିତ  ବୋଲି କୁହାଯାଇପାରିବ ନାହିଁ। ଆହୁରି ଅନେକଙ୍କ ସଂପୃକ୍ତିକୁ ଏଡ଼ା ଯାଥ ନ ପାରେ। ଆଜି ଯଦି ବ୍ୟାଙ୍କ୍‌ ବ୍ୟବସ୍ଥା ତା’ର ଈପ୍‌ସିତ ଲକ୍ଷ୍ୟ ପୂରଣ କରିପାରୁ ନାହିଁ, ଅନେକ ବ୍ୟାଙ୍କ ଦେବାଳିଆ, ଗରିବଙ୍କ ପାଇଁ ଋଣ ନାହିଁ, ଅଥଚ ଧନୀଙ୍କଠାରୁ ଋଣ ଆଦାୟ ହୋଇ ପାରୁ ନାହିଁ, ତେବେ, ସେଥିପାଇଁ ଏ ଦୁର୍ନୀତି ଦାୟୀ।
 
ଦୁର୍ଭାଗ୍ୟର ବିଷୟ ହେଲା ଏହି ଦୁର୍ନୀତିକୁ ପ୍ରଶ୍ରୟ ତଥା ପ୍ରୋତ୍ସାହିତ କରିଛି ଲୋକ ଚରିତ୍ର। ପ୍ରତ୍ୟେକ ଭାରତୀୟ ଦୁର୍ନୀତି ଓ କଳାଧନ ବିରୋଧରେ ବେଶ୍‌ ମୁଖର। ଅଥଚ ବିମୁଦ୍ରାୟନ ବେଳେ ନଭେମ୍ବର ୮ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନେକ ଲୋକ କଳାଧନ ଜମା ଲାଗି ନିଜ ବ୍ୟାଙ୍କ୍‌୍‌ ଖାତାକୁ ଖୋଲି ଦେଲେ। ଏ ଅନିୟମିତତା ପାଇଁ ସାଧାରଣତଃ ଗରିବ, ସମାଜର ଦୁର୍ବଳ ବର୍ଗଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। କିନ୍ତୁ ଏ ବେନିୟମ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇଲା କିଏ? ମଜୁରି ଦେଇ ଧାଡ଼ିରେ ସେମାନଙ୍କୁ ଠିଆ କରାଇଲା କିଏ? ଟଙ୍କା ଉଠାଣ ଓ ବଦଳ ପାଇଁ କଟକଣା ସତ୍ତ୍ୱେ ଅନେକଙ୍କ ହାତକୁ କୋଟି କୋଟି ଟଙ୍କା ଗଲା କେମିତି? ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ, କୋଟିପତି, ଅଶିକ୍ଷିତଙ୍କ ସହ ଶିକ୍ଷିତମାନେ ମଧ୍ୟ  ବ୍ୟବସ୍ଥାକୁ ଫାଙ୍କିବାର ସାମାନ୍ୟତମ ସୁଯୋଗକୁ ବି ହାତଛଡ଼ା କଲେ ନାହିଁ। ଜାଲ କମ୍ପାନି ଓ ନକଲି ବ୍ୟାବସାୟିକ ସଂସ୍ଥା ନାମରେ ବିପୁଳ ଟଙ୍କା ଜମା ହେଲା- ବଦଳ ହେଲା। ଏପରିକି ରାଜନୈତିକ ଦଳମାନେ ମଧ୍ୟ କଳା ଧନକୁ ଧଳା କରିବାର ମାଧ୍ୟମ ହେଲେ। ବ୍ୟବସ୍ଥାଗତ ଦୁର୍ବଳତା , ବାବୁଙ୍କ ଦୁର୍ନୀତି ଯେତିକି ଚିନ୍ତାଜଜନକ ସମାନ ଭାବେ ଏଇ ଲୋକ ଚରିତ୍ର ମଧ୍ୟ ସେତିକି ଚିନ୍ତାଜନକ। ବିମୁଦ୍ରାୟନର କାର୍ଯ୍ୟକାରିତା କ୍ଷେତ୍ରରେ ଲୋକଚରିତ୍ରର ଯେଉଁ ସ୍ୱରୂପ ସାମ୍ନାକୁ ଆସିଛି ତାହା ନୂଆ ନୁହେଁ। ପୁରୁଣା ରୂପ ଏ ଅବସରରେ ଅଧିକ ସ୍ପଷ୍ଟ ହୋଇ ଉଭା ହୋଇଛି।  ଲୋକ ଚରିତ୍ରର ଏହି ଅସ୍ୱସ୍ତିକର ରୂପ ଯୋଗୁ, ବିମୁଦ୍ରାୟନକୁ ଯେମିତି ସୁଫଳ ମିଳିଲା ନାହିଁ, ଅନ୍ୟ ପ୍ରାୟ ସବୁ ଯୋଜନା ଗୁଡ଼ିକରୁ ମଧ୍ୟ ସୁଫଳ ମିଳୁନାହିଁ। ତେଣୁ ବିମୁଦ୍ରାୟନ ଯୋଗୁ ଯଦି ତତ୍କାଳ କିଛି ପରିମାଣର  କଳାଧନ ଫେରି ପାରି ନାହିଁ, ତେବେ ତାହା କେବଳ ସରକାର ଓ ବ୍ୟବସ୍ଥାର ବିଫଳତା ନୁହେଁ, ଲୋକଙ୍କ ପାଇଁ ଏକ ସାମୂହିକ ବିଫଳତା। ଏହି ଲୋକଚରିତ୍ର ହିଁ ପ୍ରଗତି ପଥରେ ଦେଶର ଗୋଡ଼ ଟାଣୁଛି। 
 
ଗୋଟିଏ ପକ୍ଷରେ ବ୍ୟବସ୍ଥା କାଏମ୍‌ ରହୁ, ଆଇନର ଶାସନ ଚାଲୁ ବୋଲି ପାଟି କରୁଛୁ। ଅଥଚ ଅନ୍ୟପକ୍ଷରେ ବ୍ୟବସ୍ଥା ଓ ଆଇନକୁ ଫାଙ୍କିବାର ପ୍ରବଣତାରୁ ନିଜକୁ ମୁକ୍ତ ରଖି ପାରୁନାହୁଁ। ଦୁର୍ନୀତି ବିରୋଧରେ ସମସ୍ତେ ମୁଖର, ଅଥଚ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ଦୁର୍ନୀତିକୁ ସହଯୋଗ ଦେବାରେ କାହାରି କୁଣ୍ଠା ନାହିଁ। ଅସୁବିଧାକୁ ବରଦାସ୍ତ କରିବାର କଠିନ ରାସ୍ତା ବଦଳରେ ଯେନତେନ ପ୍ରକାରେଣ ସୁବିଧା ହାସଲ ପାଇଁ ସହଜ ରାସ୍ତା ଆପଣେଇବା ପାଇଁ ସମସ୍ତେ ବ୍ୟଗ୍ର। ଲୋକ ଚରିତ୍ରରେ ଏ ଅବକ୍ଷୟ ହିଁ ବ୍ୟବସ୍ଥା ଓ ବ୍ୟବସ୍ଥାର ପ୍ରତୀକରୂପୀ ଅନୁଷ୍ଠାନ ଗୁଡ଼ିକର ଅବକ୍ଷୟରେ ପ୍ରତିଫଳିତ ହେଉଛି। ଯଦି ଆମେ ପରିବର୍ତ୍ତନ ଆଶା କରୁ, ତେବେ ନିଜ ଭିତରେ ପ୍ରଥମେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ବିମୁଦ୍ରାୟନ   ବିଭ୍ରାଟରୁ  ଅନ୍ତତଃ ଏତିକି ଶିକ୍ଷା ମିଳୁ।