25 March 2017
3:23:32 AM
Sambad News
ସମ୍ପାଦକୀୟ

ମୋଦୀଙ୍କ ଦାଢ଼ି

By Sambad | Date: Jan 10 2017 5:04AM
ମୋଦୀଙ୍କ ଦାଢ଼ି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବାଦ ସହିତ ଅପରିଚିତ ନୁହନ୍ତି: ତାହା ଗୁଜରାଟ ସାମ୍ପ୍ରଦାୟିକ ଦଙ୍ଗା ହେଉ କି ବର୍ତ୍ତମାନର ବିମୁଦ୍ରୀକରଣ ହେଉ କି ସେ ଥରେ ପରିଧାନ କରି ପକାଇଥିବା ସ୍ୱନାମଖଚିତ ଦଶ ଲକ୍ଷ ଟଙ୍କିଆ ସୁଟ୍‌ ହେଉ। କିନ୍ତୁ ଯାହାକୁ କେନ୍ଦ୍ର କରି ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ବିବାଦର ବର୍ତ୍ତମାନ ଆବିର୍ଭାବ ଘଟିଛି  ତାହା ଉଭୟ ମୋଦୀ ଓ ମୋଦୀ ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଅପ୍ରସ୍ତୁତ ଓ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବ: ତାହା ହେଉଛି ମୋଦୀଙ୍କର ସଯତ୍ନ ପାଳିତ ଦାଢ଼ି! ଏହା ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ସତ। କଥାକଥାକେ ଫତ୍‌ଓ୍ଵା ଜାରି କରିବାରେ ଓସ୍ତାଦ କଲିକତାର ଟିପୁ ସୁଲତାନ୍‌ ମସ୍‌ଜିଦ୍‌ର ଶାହୀ ଇମାମ ସୈଦ୍‌ ମହମ୍ମଦ ନୁରୁର୍‌ ରହମନ୍‌ ବର୍କତି ବିମୁଦ୍ରୀକରଣ ପାଇଁ ମୋଦୀଙ୍କୁ ଦଣ୍ଡ ସ୍ୱରୂପ ଏକ ଫତ୍‌ଓ୍ଵା ଜାରି କରିଛନ୍ତି ଯେ ଯିଏ ମୋଦୀଙ୍କର ଦାଢ଼ି କାଟି ଦେବ, ତାଙ୍କୁ ଲଣ୍ଡା କରିଦେବ ଏବଂ ତାଙ୍କ ମୁହଁରେ କଳା କାଳି ବୋଳି ଦେବ ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ!
 
ମୋଦୀ ଯେ ଅତ୍ୟନ୍ତ ଯତ୍ନ ସହକାରେ ଏକ ନିର୍ଦ୍ଦିଷ୍ଟ ଲମ୍ବର ଶ୍ମଶ୍ରୁଗୁଚ୍ଛ ଦ୍ୱାରା ନିଜର ମୁଖମଣ୍ଡଳର ନିମ୍ନାର୍ଧକୁ ଆଚ୍ଛାଦିତ କରି ରଖିଥାନ୍ତି, ତାହା କାହାକୁ ଅଛପା ନୁହେଁ। କିନ୍ତୁ ଇମାମ୍‌ ବର୍କତିଙ୍କର ସେଥିଯୋଗୁଁ ସମସ୍ୟା କ’ଣ? ଅଳ୍ପଦିନ ତଳେ ସେ ତାଙ୍କର ନେତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି ଦିଲୀପ  ଘୋଷଙ୍କର ଅଶାଳୀନ ମନ୍ତବ୍ୟର ପ୍ରତିବାଦ ସ୍ୱରୂପ ଘୋଷଙ୍କୁ ପଥର ମାଡ଼ କରି ଗୋଇଠା ମାରି ପଶ୍ଚିମବଙ୍ଗରୁ ନିକାଲି ଦେବା ପାଇଁ ଏକ ଫତଓ୍ଵା ଜାରି କରି ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ତେଣୁ ଇମାମ୍‌ ବର୍କତି ଏବେ ମୋଦୀଙ୍କ ପ୍ରତି ଅନୁରୂପ ଆଚରଣ ପ୍ରଦର୍ଶନ କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିନ୍ତୁ ମୋଦୀଙ୍କର ଦାଢ଼ିର ଭୁଲ କ’ଣ? ଇମାମ୍‌ ବର୍କତି ଅବଶ୍ୟ ଏହା ସ୍ପଷ୍ଟ କରିଦେବାକୁ ଭୁଲି ନାହାନ୍ତି। ସେ ତାଙ୍କର ବକ୍ତବ୍ୟରେ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ ଦାଢ଼ି ରଖନ୍ତି ସେମାନେ ମୁଖ୍ୟତଃ ହେଉଛନ୍ତି ମୌଲାନା, ସାଧୁସନ୍ଥ, ସୁଫି, ଶିଖଗୁରୁ ଶ୍ରେଣୀର। ଯେହେତୁ ମୋଦୀ ଏଥିରୁ କୌଣସି ଶ୍ରେଣୀରେ ଅନ୍ତର୍ଭୁକ୍ତ ନୁହଁନ୍ତି, ସେ ଦାଢ଼ି ରଖିବା ହେଉଛି ସମ୍ପୂର୍ଣ୍ଣ ‘ଭଣ୍ଡାମି’। ଇମାମ୍‌ କହିବା କଥା ମୋଦୀ ଦାଢ଼ି ରଖି ଯେମିତି ଦେଶବାସୀଙ୍କୁ ଭଣ୍ଡାଉଛନ୍ତି, ବିମୁଦ୍ରୀକରଣ ଦ୍ୱାରା ସେମିତି ସେମାନଙ୍କୁ ଭଣ୍ଡାଉଛନ୍ତି।
 
ମୋଦୀଙ୍କର ଦାଢ଼ିଛେଦନ ପାଇଁ ଇମାମ୍‌ ବର୍କତି ଯାହା ବି କାରଣ ପ୍ରଦାନ କରନ୍ତୁ ନା କାହିଁକି ସେ ଯେ ଏହାଦ୍ୱାରା ମୋଦୀଙ୍କୁ ତାଙ୍କର ଏକ ସୁପରିଚିତ ଦୈହିକ ବ୍ରାଣ୍ଡଠାରୁ ବିଚ୍ଛିନ୍ନ କରିଦେବାକୁ ଲକ୍ଷ୍ୟ ରଖିଛନ୍ତି ତାହା କାହାରି ଦୃଷ୍ଟିକୁ ଏଡ଼ାଇ ପାରି ନଥିବ, ବିଶେଷ କରି ମୋଦୀଙ୍କର। କାରଣ କେବଳ ଅତୀତରେ ଆଉ ଜଣେ ମାତ୍ର ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିଦେଲେ- ଇନ୍ଦ୍ର କୁମାର ଗୁଜରାଲ- ସ୍ୱାଧୀନ ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ଦାଢ଼ିଧାରୀ ପ୍ରଧାନମନ୍ତ୍ରୀ(ଅବଶ୍ୟ ଶିଖ ଧର୍ମାବଲମ୍ବୀ ମନମୋହନ ସିଂହଙ୍କ ଦାଢ଼ି ଏଥିରେ ଅନ୍ତର୍ଭୁକ୍ତ ନୁହେଁ)। ଏହା ସାମାନ୍ୟ ଅସ୍ୱାଭାବିକ ମଧ୍ୟ। କାରଣ ବ୍ୟକ୍ତିର ମୁଖମଣ୍ଡଳ ବ୍ୟକ୍ତିର ବ୍ୟକ୍ତିତ୍ୱର ପରିଚୟ ବହନ କରିଥାଏ ବୋଲି କୁହାଯାଏ। ଏକ ଶ୍ମଶ୍ରୁହୀନ ପରିଷ୍କାର ମୁଖମଣ୍ଡଳ ଏକ ଗାର ପଡ଼ିନଥିବା ସିଲଟ ଭଳି ପରିଷ୍କାର ମନେ ହୁଏ ବୋଲି ରାଜନେତାମାନେ ହୁଏତ ବିଶ୍ୱାସ କରିଥାଇ ପାରୁଥାନ୍ତି। ଏହା ସେମାନଙ୍କ ପ୍ରତି କାହାକୁ ବିମୁଖ କରିବାର ସମ୍ଭାବନା ନଥାଏ ବୋଲି ବିଶ୍ୱାସ କରାଯାଏ।
 
ଏହାର ଏକ ରୋଚକ ଉଦାହରଣ ଦେଖିବାକୁ ମିଳିଥିଲା ଅଳ୍ପ ଦିନ ତଳେ ଆମେରିକାରେ। ସେଠାରେ ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଯେତେବେଳେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମାପ୍ତ ହୋଇ ନଥିଲା, ରିପବ୍ଲିକାନ୍‌ ପାର୍ଟି ତରଫରୁ ପ୍ରାର୍ଥୀ ହେବା ପାଇଁ ଓ୍ଵିସ୍‌କନ୍‌ସିନ୍‌ ରାଜ୍ୟରୁ ଆମେରିକାର କଂଗ୍ରେସରେ ସଦସ୍ୟ ଥିବା ଯୁବ ରାଜନେତା ପଲ୍‌ ର‍୍ୟାନ୍‌ଙ୍କ ନାମ ଚର୍ଚ୍ଚାକୁ ଆସିଥିଲା (ସେ ବର୍ତ୍ତମାନ କଂଗ୍ରେସର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ବାଚସ୍ପତି ଅଛନ୍ତି)। ପଲ୍‌ ର‍୍ୟାନ୍‌ ଜଣେ ସୁନ୍ଦର ସୁଠାମ ଚେହେରାର ଅଧିକାରୀ ଚିନ୍ତାଶୀଳ ରାଜନେତା ରୂପେ ପରିଚିତ। ତାଙ୍କର ମୁଖମଣ୍ଡଳରେ କେବେହେଲେ ଶ୍ମଶ୍ରୁର ଆଭାସ ମଧ୍ୟ ଦେଖା ଯାଇ ନଥାଏ। ପଲ୍‌ ର‍୍ୟାନ୍‌ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଭାଗ ନେବେ ନାହିଁ ବୋଲି ୨୦୧୫ ଜାନୁଆରିରେ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଗଲେ।
 
ତାଙ୍କର ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ନିଶ୍ଚିତ ରୂପେ ପ୍ରତିଦ୍ୱନ୍ଦ୍ୱିତାରେ ରହିଯାଇଥିବା ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ତଥା ସେଠାରେ ରିପବ୍ଲିକାନ୍‌ ପାର୍ଟିର ସମର୍ଥକମାନଙ୍କ ପାଇଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଥିଲା। କିନ୍ତୁ ଗୁରୁତର ରାଜନୀତି ବାହାରେ ଏହା ଅନ୍ୟ ଯେଉଁ ଏକ ତାତ୍ପର୍ଯ୍ୟ ବହନ କରିଥିଲା ତାହା ହେଉଛି ର‍୍ୟାନ୍‌ଙ୍କ ଦାଢ଼ି। ନିଜର ଓହରି ଯିବା ନିଷ୍ପତ୍ତି ଘୋଷଣା କରିବା ପରେ ପରେ କ୍ରମେ ର‍୍ୟାନ୍‌ଙ୍କ ମୁଖମଣ୍ଡଳରେ ଆବିର୍ଭାବ ହେବା ଦେଖାଗଲା ବିରାଟ କୋହଲି ସୁଲଭ ଦାଢ଼ିର। ଏ ଦାଢ଼ି ପଛରେ ଥିବା ରାଜନୀତି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଦାଢ଼ି ରଖିଥିବା ଆମେରିକାର ଶେଷ ରାଷ୍ଟ୍ରପତି ହେଉଛନ୍ତି ଓ୍ଵିଲିଅମ୍‌ ହାଓ୍ଵାର୍ଡ ଟାଫ୍‌ଟ। ୧୯୧୩ରେ ତାଙ୍କର କାର୍ଯ୍ୟକାଳ ପୂରିବା ପରଠାରୁ ଆଉ କୌଣସି ଆମେରିକୀୟ ରାଷ୍ଟ୍ରପତି ଦାଢ଼ି ରଖିବା ଦେଖାଯାଇ ନାହିଁ। ତାହାର ମୁଖ୍ୟ କାରଣ ରୂପେ ଯାହା ବିଶ୍ୱାସ କରାଯାଇଥାଏ ତାହା ହେଲା ଟାଫ୍‌ଟଙ୍କ ପରେ ପରେ ୧୯୨୦ରେ ସେ ଦେଶରେ ମହିଳା ମାନଙ୍କର ଭୋଟ ଦାନ ଅଧିକାର ହାସଲ। 
 
ଦାଢ଼ିକୁ ଏକ ଆକ୍ରମଣାତ୍ମକ ପୁରୁଷବାଦର ଚିହ୍ନ ରୂପେ ବିଚାର କରାଯାଇଥାଏ। ଯେଉଁ ପୁରୁଷମାନେ ଦାଢ଼ି ରଖିଥାନ୍ତି ସେମାନେ ଅନ୍ତସ୍କରଣରେ ନାରୀ-ବିରୋଧୀ ବୋଲି ଏକ ଧାରଣା ବଳବତ୍ତର ଥାଏ। ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଯଦି ଦାଢ଼ି ରଖିଥିବେ ତେବେ ଭୋଟଦାନ ଅଧିକାର ହାସଲ କରି ସାରିଥିବା ମହିଳାମାନେ ତାଙ୍କୁ ସମର୍ଥନ ପ୍ରଦାନ ନ କରି ବିରୋଧୀ ପକ୍ଷର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାର ଆଶଙ୍କାରେ ରାଷ୍ଟ୍ରପତି ପ୍ରାର୍ଥୀମାନେ ନିଜର ମୁଖମଣ୍ଡଳକୁ ଚିକ୍କଣ ରଖିବାକୁ ପସନ୍ଦ କରିଥାନ୍ତି। ପଲ୍‌ ର‍୍ୟାନ୍‌ ତେଣୁ ଦୌଡ଼ରୁ ଓହରିଯିବା ପରେ ନିଜର ପୁରୁଷ ସୁଲଭ ଦାଢ଼ି ବଢ଼ାଇବା ପାଇଁ ସାହସ କରିଥିଲେ। ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦୀଙ୍କର ଦାଢ଼ି ଉପରେ ଆକ୍ରମଣ ଏବଂ ସେ ରାଜ୍ୟର ଶକ୍ତିଶାଳୀ ମହିଳା ମୁଖ୍ୟମନ୍ତ୍ରୀଙ୍କର ମୋଦୀଙ୍କ ପ୍ରତି ତୀବ୍ର ବିଦ୍ୱେଷ ଦେଖି ସନ୍ଦେହ ହେଉଛି ଏହାର ଅସଲ କାରଣ ମୋଦୀଙ୍କର ଦାଢ଼ି ନୁହେଁ ତ?