27 June 2017
2:17:51 PM
image
Sambad News
ସମ୍ପାଦକୀୟ

ସେବା ସମସ୍ୟା

By Sambad | Date: Jan 11 2017 7:33AM
ସେବା ସମସ୍ୟା

ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାନଙ୍କର ଗ୍ରାହକମାନେ ‘ସର୍ଭିସ୍‌ ଚାର୍ଜ୍‌’ (ସେବା ମାହାସୁଲ) ଦେବା ପାଇଁ ବାଧ୍ୟ ନୁହନ୍ତି। ଅଧିକ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି ଯଦି ଗ୍ରାହକମାନେ ପାଇଥିବା ସେବା ନେଇ ସନ୍ତୁଷ୍ଟ ନୁହଁନ୍ତି ସେମାନେ ବିଲ୍‌ ପୈଠ ସମୟରେ ସର୍ଭିସ୍‌ ଚାର୍ଜ୍‌ ଦେବାକୁ ମନା କରିଦେଇ ପାରିବେ। ଯଦିବା ହେଟେଲ ବା ରେଷ୍ଟୁରାଣ୍ଟର ଗ୍ରାକମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ସର୍ଭିସ୍‌ ଚାର୍ଜ୍‌ ସହିତ ପରିଚିତ ଥିବେ, ତଥାପି କେତେକ ଏପରି ଥିବେ ଯେଉଁମାନେ ଏହାକୁ ‘ସର୍ଭିସ୍‌ ଟ୍ୟାକ୍ସ’ (ସେବା କର)ର ଅନ୍ୟ ନାମ ବୋଲି ବିଚାର କରୁଥାଇ ପାରନ୍ତି। ତେଣୁ ଏ ଦୁଇ କିସମର ଦେୟ ମଧ୍ୟରେ ପାର୍ଥକ୍ୟ ହୃଦୟଙ୍ଗମ କରିବା ହେଉଛି ପ୍ରଥମ ଆବଶ୍ୟକତା।
 

‘ସର୍ଭିସ୍‌ ଟ୍ୟାକ୍ସ’ ହେଉଛି ସରକାର ଲାଗୁ କରିଥିବା ଏକ କର ଯାହା ଆଦାୟ ହେବା ପରେ ସରକାରୀ ତହବିଲକୁ ଚାଲିଯାଏ। ‘ସର୍ଭିସ୍‌ ଚାର୍ଜ୍‌’ ଅପର ପକ୍ଷେ ଏକ କର ନୁହେଁ କି ଏହାକୁ ସରକାର ବସାଇ ନଥାନ୍ତି। ସମ୍ପୃକ୍ତ ହୋଟେଲ ବା ରେଷ୍ଟୁରାଣ୍ଟ ହିଁ ଖାଦ୍ୟ ବିଲ୍‌ ଉପରେ ଏହି ‘ସର୍ଭିସ୍‌ ଚାର୍ଜ୍‌’ ମିଶାଇଥାନ୍ତି। ଏହାର ସରଳ ଯୁକ୍ତି ହେଲା ଗ୍ରାହକକୁ ହୋଟେଲରେ ଦୁଇ ପ୍ରକାର ଦାମ୍‌ ଦେବାକୁ ପଡ଼ିବ: ଖାଦ୍ୟ ପାଇଁ ଏବଂ ଖାଦ୍ୟ ପରଶା ହେବା ପାଇଁ। ଅର୍ଥାତ୍‌ ଗ୍ରାହକ ଯଦି କେବଳ ‘ଦ୍ରବ୍ୟ’ (ଖାଦ୍ୟ)ର ଦାମ୍‌ ଦିଏ ସେ ‘ସେବା’ (ପରଶା) ପାଇବା ପାଇଁ ମଧ୍ୟ ଆପଣାଛାଏଁ ହକ୍‌ଦାର ହୋଇ ଯାଏ ନାହିଁ; ତାକୁ ମଧ୍ୟ ସେବା କ୍ରୟ କରିବାକୁ ହେବ ବା ସେ ଖାଦ୍ୟ କିଣି ଆଣି ଘରକୁ ନେଇ ଆସି ଖାଇପାରେ।
ଯେହେତୁ ଆମେ ଏଠାରେ ଅତୀତରେ ‘ସର୍ଭିସ୍‌ ଚାର୍ଜ୍‌’ ଭଳି ଏକ ଦେୟ  ସହିତ ପରିଚିତ ନଥିଲୁ, ଅନେକଙ୍କୁ ଉପରଲିଖିତ ଯୁକ୍ତି ଉଦ୍ଭଟ ଲାଗିଥାଏ।

ସେମାନେ ବିଶ୍ୱାସ କରନ୍ତି ହୋଟେଲ୍‌ର କାର୍ଯ୍ୟ ହେଉଛି ଗ୍ରାହକମାନଙ୍କୁ ଖାଦ୍ୟ ଟେବୁଲରେ ପରଶିବା; ତେଣୁ ‘ଦ୍ରବ୍ୟ’ ଓ ‘ସେବା’ ମଧ୍ୟରେ ଏଭଳି ବିଭାଜନ ହେଉଛି  ସମ୍ପୂର୍ଣ୍ଣ କୃତ୍ରିମ ଓ ଅଯୌକ୍ତିକ। ହୋଟେଲ, ରେଷ୍ଟୁରାଣ୍ଟମାନଙ୍କ ଦ୍ୱାରା ସର୍ଭିସ୍‌ ଚାର୍ଜ୍‌ ଆଦାୟ ତେଣୁ ଅନେକ ସମୟରେ ଗ୍ରାହକମାନଙ୍କ ତରଫରୁ ପ୍ରତିରୋଧର ସମ୍ମୁଖୀନ ହେବା ଏବଂ ଏଥିରୁ କଳହର ସୂତ୍ରପାତ ହେବା ଦେଖା ଯାଇଥାଏ। ଉଦାହରଣ ସ୍ୱରୂପ ପ୍ରାୟ ଦେଢ଼ ବର୍ଷ ତଳେ ମୁମ୍ବାଇରେ ଜଣେ ଓକିଲ ପୁଲିସ୍‌ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ ଯେ ସେ ଯାଇଥିବା ଏକ ରେଷ୍ଟୁରାଣ୍ଟ ଏକ ଆପରାଧିକ କାର୍ଯ୍ୟ କରିଛି, କାରଣ ତାଙ୍କ ବିଲ୍‌ରେ ‘ସର୍ଭିସ୍‌ ଚାର୍ଜ୍‌’ ନାମକ ଏକ ଅବୈଧ ଦେୟ ଲଗାଇଛି। କହିବା ବାହୁଲ୍ୟ ମୁମ୍ବାଇ ପୁଲିସ୍‌ ମଧ୍ୟ ପ୍ରଥମେ ଏହାକୁ ‘ସର୍ଭିସ୍‌ ଟ୍ୟାକ୍ସ’ ବୋଲି ବିଚାର କରିଥିଲା। କିନ୍ତୁ ସମ୍ପୃକ୍ତ ହୋଟେଲ୍‌ର ମାଲିକ ସେମାନଙ୍କର ସନ୍ଦେହ ମୋଚନ କରି ବୁଝାଇ ଦେଇଥିଲେ ଯେ ‘ସର୍ଭିସ୍‌ ଚାର୍ଜ୍‌’ ହେଉଛି ପ୍ରଦତ୍ତ ସେବାର ମୂଲ୍ୟ ଯାହା ଆଦାୟ ହେବା ପରେ ହୋଟେଳ୍‌ର ସେବା ପ୍ରଦାନକାରୀ କର୍ମଚାରୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ଅବଶ୍ୟ ହୋଟେଲ ମାଲିକ ଏହି ସେବା ମାହାସୁଲ କେଉଁ ହାରରେ ଆଦାୟ କରାଯାଏ ତାହା ସ୍ପଷ୍ଟ କରି ନଥିଲେ।
 

ଏହି ଘଟଣାଟି କ’ଣ କିପରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ଏଥିନେଇ ଏକ ବ୍ୟାପକ ‘ସର୍ଭିସ୍‌ ଚାଜ୍‌ର୍’ ବିରୋଧୀ ଜନମତ ସୃଷ୍ଟି ହୋଇଥିଲା। ସେଇ ଅଭିଯାନର ଏକ ପରିଣତି ସ୍ୱରୂପ ବର୍ତ୍ତମାନ ସରକାର ‘ସର୍ଭିସ୍‌ ଚାଜ୍‌ର୍’ ସମ୍ପର୍କିତ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ବିଶ୍ୱାସ କରାଯାଏ।
 

‘ସର୍ଭିସ୍‌ ଚାଜ୍‌ର୍’କୁ ଖାଦ୍ୟ ସେବା ପ୍ରଦାନ କ୍ଷେତ୍ରରେ ଏକ ବିବର୍ତ୍ତନ ପ୍ରକ୍ରିୟାର ସଦ୍ୟତମ ଅବସ୍ଥା ରୂପେ ବିଚାର କରାଯାଇପାରେ। ପାଶ୍ଚାତ୍ୟ ପ୍ରଥାକୁ ଅନୁକରଣ କରି ଅନେକ ଅପେକ୍ଷାକୃତ ଉଚ୍ଚ ଦରର ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ମାନଙ୍କରେ ଗ୍ରାହକ ଭୋଜନ ସମାପ୍ତ କରି ବିଲ୍‌ ପଇଠ କରିବା ସମୟରେ ସମ୍ପୃକ୍ତ ପରିବେଷଣକାରୀଙ୍କୁ ସେ ଦେଇଥିବା ସେବାର ପ୍ରତିଦାନରେ ଏକ ପୁରସ୍କାର ରାଶି (‘ଟିପ୍‌’) ପ୍ରଦାନ କରିଥାନ୍ତି। ବଦଳରେ କେତେକ ସ୍ଥାନରେ ସେ ପରିବେଷଣକାରୀଙ୍କ ଠାରୁ ଛୋଟ ନମସ୍କାରଟିଏ କିମ୍ବା ସ୍ମିତ ହାସ୍ୟଟିଏ ମିଳିଥାଏ। ଯେହେତୁ ହୋଟେଲ୍‌ରେ ସେବା ପ୍ରଦାନ ଶୃଙ୍ଖଳରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କର ଗ୍ରାହକମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତ ହୋଇ ନଥାଏ, ସମସ୍ତେ ଏଥିରୁ ଲାଭ ପାଇ ନଥାନ୍ତି।

ଏହି ବୈଷମ୍ୟ ଦୂର କରିବା ପାଇଁ କେତେକ ହୋଟେଲ୍‌ରେ ସଂଗୃହୀତ ‘ଟିପ୍‌’ ଗୁଡ଼ିକ ଏକାଠି କରି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ଏହାର ଦୁର୍ବଳତା ହେଲା ‘ଟିପ୍‌’ର ଆକାର ନିର୍ଦ୍ଦିଷ୍ଟ ନଥାଏ ଏବଂ ‘ଟିପ୍‌’ ପାଇଥିବା କର୍ମଚାରୀମାନେ ତାହା ହୁଏତ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ନକରିପାରନ୍ତି। ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ  ‘ସର୍ଭିସ୍‌ ଚାଜ୍‌ର୍’ର ପରିକଳ୍ପନା କରାଯାଇଛି। ଯଦି ଏକ ନିର୍ଦ୍ଦିଷ୍ଟ ହାରରେ ସର୍ଭିସ୍‌ ଚାଜ୍‌ର୍ ବିଲ୍‌ରେ ଅନ୍ତର୍ଭୁକ୍ତ ହୋଇ ସଂଗୃହୀତ ହୁଏ ତେବେ ତାହା ଅଧିକ ସ୍ୱଚ୍ଛ ହେବ ଏବଂ କର୍ମଚାରୀମାନେ ସମସ୍ତେ ଏଥିରୁ ନିର୍ଦ୍ଧାରିତ ଭାଗ ପାଇ ପାରିବେ।
 

ସରକାରଙ୍କର ଏ ନିର୍ଦ୍ଦେଶ କିନ୍ତୁ ବର୍ତ୍ତମାନ ହୋଟେଲ୍‌ ମାଲିକ ଓ ଗ୍ରାହକମାନଙ୍କ ମଧ୍ୟରେ ସ୍ଥଳବିଶେଷରେ ଘୋର କନ୍ଦଳ ସୃଷ୍ଟି କରିପାରେ। ଗ୍ରାହକଙ୍କ ସନ୍ତୋଷର କୌଣସି ବାସ୍ତବ ମାପକାଠି ନଥିବାରୁ ଉଭୟ ପକ୍ଷ ଭିନ୍ନମତ ପୋଷଣ କରିପାରନ୍ତି। ଗୋଟିଏ ହୋଟେଲ୍‌ ସଂଘ ସରକାରଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିବା ବେଳେ ଅନ୍ୟ ଏକ ସଂଘ ଏହାର ଘୋର ବିରୋଧ କରିଛି। ଏହା ଜଣାଶୁଣା କଥା ଯେ ଯେଉଁଠାରେ ମୋଟା ଅଙ୍କର ‘ଟିପ୍‌’ ସଂଗ୍ରହ କରାଯାଇଥାଏ ସେଠାରେ ହୋଟେଲ୍‌ ମାଲିକ କର୍ମଚାରୀମାନଙ୍କର ବେତନକୁ ଜାଣି ଜାଣି ଅପେକ୍ଷାକୃତ ନୀଚା ରଖିଥାନ୍ତି। ଟିପ୍‌ ଦେଉଥିବା ଖାଉଟିମାନଙ୍କ ଦୃଷ୍ଟିରୁ ‘ଟିପ୍‌’ ସ୍ଥାନରେ ସର୍ଭିସ୍‌ ଚାଜ୍‌ର୍ ହୁଏତ ଅଧିକ ଅନୁକୂଳ ମନେ ହୋଇପାରେ, କାରଣ ଏହା ‘ଟିପ୍‌’ କେତେ ଦେବା ଉଚିତ ସେ ନେଇ ଅନିଶ୍ଚିତତା ଦୂର କରିଥାଏ।

କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ ନିମ୍ନମାନର ସେବା ମିଳିଲେ ମଧ୍ୟ ଏକ ସେବା ମାହାସୁଲ ଦେବା ମଧ୍ୟ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ହୋଟେଲ୍‌ ମାଲିକମାନେ ସର୍ଭିସ୍‌ ଚାଜ୍‌ର୍ ଆଦାୟ ନକରି ଯଦି ଖାଦ୍ୟ ଦରରେ ଆନୁପାତିକ ବୃଦ୍ଧି ଘଟାଇ ଦିଅନ୍ତେ, ତେବେ ଆଉ ଏ ବିବାଦ ଦେଖିବାକୁ ମିଳନ୍ତା ନାହିଁ। ଖାଦ୍ୟ ଦାମ୍‌ ଏବଂ  ଖାଦ୍ୟ ଓ ସେବାର ମାନ ଅନୁସାରେ ଗ୍ରାହକମାନେ ନିଜ ପୃଷ୍ଠପୋଷକତାର ନିଷ୍ପତ୍ତି ନିଅନ୍ତେ। ଏଣୁ ସେବା ମାହାସୁଲକୁ ଇଚ୍ଛାଧୀନ କରିବା ଅପେକ୍ଷା ଏହାର ଉଚ୍ଛେଦ ହିଁ ହେଉଛି ସମସ୍ୟାର ସମାଧାନ।