22 January 2017
5:44:03 PM
image
Sambad News
ସମ୍ପାଦକୀୟ

କଣା ଟାୟାର

By Sambad | Date: Jan 12 2017 4:53AM
କଣା ଟାୟାର

୨୦୧୬ ନଭେମ୍ବର ୮ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଚମକାଇ ଦେଇ ତାଙ୍କର ବିମୁଦ୍ରୀକରଣ ନିଷ୍ପତ୍ତି ଘୋଷଣା କରିବା ପରେ ପରେ ଖ୍ୟାତନାମା ବେଲ୍‌ଜିଅମ୍‌ ଜନ୍ମିତ ଭାରତୀୟ ଉନ୍ନୟନ ଅର୍ଥନୀତିଜ୍ଞ ଜାଁ ଡ୍ରେଜେ ଏହି ଶବ୍ଦରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ: ‘‘ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ସର୍ବବ୍ୟାପୀ ବିମୁଦ୍ରୀକରଣ ହେଉଛି ଏକ ଦ୍ରୁତ ବେଗରେ ଗତି କରୁଥିବା କାର୍‌ର ଟାୟାର ଉପରେ ଗୁଳିମାଡ଼ କରିବା ଭଳି।’’ ବିମୁଦ୍ରୀକରଣ ଭଳି ଅନୁରୂପ ଚମକପ୍ରଦ ଏହି ରେସିଙ୍ଗ୍‌ କାର୍‌, ଗୁଳି, ବନ୍ଧୁକ ଆଦିକୁ ନେଇ ଗଠିତ ରୂପକ ମାଧ୍ୟମରେ ଡ୍ରେଜେ ଯାହା କହିବାକୁ ଚାହାନ୍ତି ତାହା ହେଲା ବିମୁଦ୍ରୀକରଣ ଯୋଗୁଁ ଦ୍ରୁତ ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଚାଲିଥିବା ଭାରତୀୟ ଅର୍ଥନୀତିର ଗତି ଶିଥିଳ ହୋଇଯିବ। ଅର୍ଥନୈତିକ ଅଭିବୃଦ୍ଧି ପଥରେ ଏମିତି ଅସଂଖ୍ୟ ଅନିଚ୍ଛାକୃତ ପ୍ରତିବନ୍ଧ ରହିଥିବା ବେଳେ, ବିମୁଦ୍ରୀକରଣ ଭଳି ଏକ ଇଚ୍ଛାକୃତ ପ୍ରତିବନ୍ଧ ସୃଷ୍ଟି କେବଳ ଡ୍ରେଜେ ନୁହନ୍ତି, ଦେଶ ବିଦେଶର ଅଧିକାଂଶ ପ୍ରଖ୍ୟାତ ଅର୍ଥନୀତିଜ୍ଞମାନଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରି ଦେଇଛି।
 
ଏମାନଙ୍କର ଆଶଙ୍କା ଯଥାର୍ଥ କିମ୍ବା ଅମୂଳକ ତାହା ସମୟ କ୍ରମେ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ପ୍ରକାଶ ପାଇଥିବା କେତେକ ସୂଚନା ଉପରେ ଦୃଷ୍ଟିପାତ କଲେ ଏହି ଆଶଙ୍କା ଯେ ସମ୍ପୂର୍ଣ୍ଣ ଅମୂଳକ ସେପରି ଧାରଣା ସୃଷ୍ଟି ହୁଏ ନାହିଁ। ଭାରତରେ ଶିଳ୍ପଜାତ ଦ୍ରବ୍ୟ ନିର୍ମାତାମାନଙ୍କର ସଂଘ ‘ଅଲ୍‌ ଇଣ୍ଡିଆ ମାନୁଫାକ୍‌ଚରର୍‌ସ୍‌ ଅର୍ଗାନାଇଜେସନ୍‌’ (‘ଏଆଇଏମ୍‌ଓ’) ଦ୍ୱାରା କରାଯାଇଥିବା ଏକ ସଦ୍ୟ ପ୍ରକାଶିତ ଅନୁଶୀଳନରୁ ଜଣାପଡ଼ିଛି ଯେ ବିମୁଦ୍ରୀକରଣର ପ୍ରଥମ ୩୪ ଦିନ ମଧ୍ୟରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଶିଳ୍ପାନୁଷ୍ଠାନ ମାନଙ୍କରେ ନିଯୁକ୍ତି ସଂଖ୍ୟାରେ ୩୫% ହ୍ରାସ ଘଟି ଥିଲା ଏବଂ ଆୟରେ ୫୦% ସ୍ଖଳନ ଘଟିଥିଲା। ଏହି ଅନୁଶୀଳନରେ କୁହାଯାଇଛି ଯେ ୨୦୧୭ ମାର୍ଚ୍ଚ ସୁଦ୍ଧା ନିଯୁକ୍ତିରେ ସଂକୋଚନ ୬୦%କୁ ବୃଦ୍ଧି ପାଇବ ଏବଂ ଆୟରେ କ୍ଷୟ ୫୫% ଛୁଇଁବ। ‘ଏଆଇଏମ୍‌ଓ’ର ସଭାପତି ପ୍ରକାଶ କରିଛନ୍ତି ଯେ ଦୁଇ ଶିଳ୍ପ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଓ ତାମିଲନାଡୁ ହେଉଛନ୍ତି ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ଦ୍ୱୟ। ସେ ମଧ୍ୟ କହିଛନ୍ତି ଯେ ତାଙ୍କ ସଂଗଠନ ଇତି ମଧ୍ୟରେ ତିନିଥର (ନଭେମ୍ବର ୧୨, ନଭେମ୍ବର ୨୫ ଏବଂ ଡିସେମ୍ବର ୧୨) ସରକାରଙ୍କର ବିତ୍ତ ମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ସାମୟିକ ରିପୋର୍ଟ ପଠାଇଥିଲେ ମଧ୍ୟ ସେମାନେ ଉତ୍ତର ଦେବା ଦୂରେ ଥାଉ, ପ୍ରାପ୍ତି ସ୍ୱୀକାର ମଧ୍ୟ କରି ନାହାନ୍ତି। ଅର୍ଥାତ୍‌ ଟାୟାରକୁ ଗୁଳି ଚଳାଇଥିବା ବନ୍ଧୁକଧାରୀ ତାଙ୍କୁ ଏଥିରୁ ନିବୃତ୍ତ କରିବା ଭଳି କାହାରି ବାସ୍ତବବାଦୀ ଉପଦେଶ ଶୁଣିବାକୁ ମଧ୍ୟ ରାଜି ନୁହନ୍ତି। ଅପରପକ୍ଷେ ବିମୁଦ୍ରୀକରଣର ରଚୟିତା ଓ ତାଙ୍କର ଅନୁଗାମୀମାନେ ‘ଆଖି କାନ ବନ୍ଦ କରି ନିଜ ପିଠି ନିଜେ ଥାପୁଡ଼ାଇବାରେ ଲାଗିଛନ୍ତି’ ବୋଲି ‘ଏଆଇଏମ୍‌ଓ’ର ସଭାପତି କ୍ଷୋଭ ପ୍ରକାଶ କରିଛନ୍ତି।
 
ଇତିମଧ୍ୟରେ ସରକାରଙ୍କର ପରିସଂଖ୍ୟାନ ପ୍ରସ୍ତୁତକାରୀ ସଂସ୍ଥା ‘ସେଣ୍ଟ୍ରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌’ (ସିଏସ୍‌ଓ) ତରବରିଆ ଭାବରେ ଜାନୁଆରି ୬ ତାରିଖରେ ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି)ରେ ବୃଦ୍ଧି ସମ୍ପର୍କରେ ଏକ ପୂର୍ବାନୁମାନ ପ୍ରକାଶ କରିବା ଦେଖାଯାଇଛି। ସାଧାରଣତଃ ‘ସିଏସ୍‌ଓ’ ଯେଉଁ ସମୟରେ ଏହି ପୂର୍ବାନୁମାନ ପ୍ରକାଶ କରିଥାଏ ତାହାର ପ୍ରାୟ ଏକ ମାସ ପୂର୍ବରୁ ଏହା ପ୍ରକାଶିତ ହୋଇଛି। ଏହି ପୂର୍ବାନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍‌ ମାର୍ଚ୍ଚ ୩୧ ସୁଦ୍ଧା ଜିଡିପିରେ ୭.୧% ହାରରେ ବୃଦ୍ଧି ଘଟିବ। ପୂର୍ବ ଆର୍ଥିକ ବର୍ଷରେ ହାସଲ ହୋଇଥିବା ୭.୬% ବୃଦ୍ଧି ହାର ଠାରୁ ଏହା ୦.୫% କମ୍‌। ଏହି ହ୍ରାସର କାରଣ କିନ୍ତୁ ବିମୁଦ୍ରୀକରଣ ନୁହେଁ ବୋଲି ‘ସିଏସ୍‌ଓ’ ସ୍ପଷ୍ଟ କରି ଦେଇଛି। ବସ୍ତୁତଃ ଆନ୍ତର୍ଜାତିକ ପରିସ୍ଥିତି (ତୈଳ ଦର ବୃଦ୍ଧି, ଡଲାର୍‌ର ବିନିମୟ ମୂଲ୍ୟ ବୃଦ୍ଧି, ଆମେରିକୀୟ ସୁଧ ହାରରେ ବୃଦ୍ଧି ଇତ୍ୟାଦି) ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାରରେ ସାମାନ୍ୟ ଶିଥିଳତା ଦେଖା ଦେଇଛି ଏବଂ ଏଥି ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ପୃଥିବୀର ବୃହତ୍‌ ଦେଶମାନଙ୍କ ମଧ୍ୟରେ ତଥାପି ସର୍ବୋଚ୍ଚ ରହିଥିବାରୁ ଏଥିପାଇଁ ସରକାର ପ୍ରଶଂସାଭାଜନ ବୋଲି ଏକ ଧାରଣା ସୃଷ୍ଟି କରାଯାଇଛି। ‘ସିଏସ୍‌ଓ’ ତରଫରୁ କିନ୍ତୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ପୂର୍ବାନୁମାନ ପ୍ରସ୍ତୁତ କରିବାରେ ବିମୁଦ୍ରୀକରଣର ସମ୍ଭାବ୍ୟ ପ୍ରଭାବକୁ ହିସାବକୁ ନିଆଯାଇ ନାହିଁ। ସରକାରଙ୍କର ମୁଖ୍ୟ ପରିସଂଖ୍ୟକ ଟିସିଏ ଅନନ୍ତ କହିଛନ୍ତି ଯେ ସାରା ବର୍ଷର ପରିପ୍ରେକ୍ଷୀରେ ବିମୁଦ୍ରୀକରଣର ପ୍ରଭାବ କିଭଳି ହେବ ତାହା ହେଉଛି ଏକ ଅତ୍ୟନ୍ତ ଜଟିଳ କାହାଣୀ।
 
କିନ୍ତୁ ଏଭଳି ପୂର୍ବାନୁମାନ ପ୍ରକାଶ କରିବାରେ ‘ସିଏସ୍‌ଓ’ ଏକମାତ୍ର ବିଶେଷଜ୍ଞ ସଂସ୍ଥା ନୁହେଁ। ଘରୋଇ କ୍ଷେତ୍ରରେ ମଧ୍ୟ ଏଭଳି ପୂର୍ବାନୁମାନ ପ୍ରସ୍ତୁତ କରିବା ପାଇଁ କେତେକ ବେଶ୍‌ ବିଶ୍ୱସନୀୟ ସଂସ୍ଥା କାର୍ଯ୍ୟ କରିଥାନ୍ତି। ଏପରି ଏକ ସଂସ୍ଥା ‘କ୍ରିସିଲ୍‌’ର ପୂର୍ବାନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ଅଭିବୃଦ୍ଧି ହାର ହେବ ୬.୮%। ଜିଡିପିରେ ଅଭିବୃଦ୍ଧି ହାର ବିମୁଦ୍ରୀକରଣର ଅର୍ଥନୈତିକ ପ୍ରଭାବର ଏକମାତ୍ର ସୂଚକ ନୁହେଁ। ଅନ୍ୟ ଏକ ଶକ୍ତିଶାଳୀ ସୂଚକ ହେଉଛି ନିର୍ମାତା ସଂସ୍ଥାମାନଙ୍କର କ୍ରୟ ପରିଚାଳକ (ପର୍ଚେଜିଙ୍ଗ୍‌ ମ୍ୟାନେଜର) ମାନଙ୍କର ସୂଚକ। ଏଥିରୁ ଏହି ସଂଗଠନମାନଙ୍କରେ ଘଟିଥିବା ନୂତନ କ୍ରୟ ଆଦେଶ, ମହଜୁଦ  ଥିବା ମାଲ୍‌ (ଇନ୍‌ଭେଣ୍ଟରି) ସ୍ତର, ଉତ୍ପାଦନ, ମାଲପ୍ରେରଣ (ଡେଲିଭରି)ଏବଂ ନିଯୁକ୍ତି ସମ୍ବନ୍ଧରେ ସୂଚନା ମିଳିଥାଏ। ଡିସେମ୍ବରରେ ପ୍ରଥମ ଥର ପାଇଁ ଏହି ପର୍ଚେଜିଙ୍ଗ୍‌ ମ୍ୟାନେଜର୍‌ସ ଇଣ୍ଡେକ୍ସରେ ସ୍ଖଳନ ଘଟିବା ଦେଖାଯାଇଛି। ସେବା (ସର୍ଭିସେସ୍‌) କ୍ଷେତ୍ରରେ ଅନୁରୂପ ପର୍ଚେଜିଙ୍ଗ ମ୍ୟାନେଜର୍‌ସ ଇଣ୍ଡେକ୍‌ସରେ ମଧ୍ୟ ଏକ ତୀବ୍ର ସ୍ଖଳନ ଘଟିବା ଦେଖାଯାଇଛି। ଏଥିରେ ବୋଧହୁଏ କେହି ଦ୍ୱିମତ ହେବାର ଅବକାଶ ନାହିଁ ଯେ ଏହି ସ୍ଖଳନର କାରଣ ହେଉଛି ବିମୁଦ୍ରୀକରଣ।
 
ବିମୁଦ୍ରୀକରଣ ପରବର୍ତ୍ତୀ ଅର୍ଥନୀତିର ବାସ୍ତବ ଚିତ୍ର ହେଉଛି ଖାଉଟି ବ୍ୟୟ ଅର୍ଥାତ୍‌ ବଜାର ଚାହିଦାରେ ସଂକୋଚନ, ଖାଉଟିମାନଙ୍କର ବିଶ୍ୱାସ ଭଙ୍ଗ, ମାନ୍ଦା ବେପାର ବଣିଜ, ଗ୍ରାମାଞ୍ଚଳ ଅର୍ଥନୀତିରେ ହତାଶା ଏବଂ କର୍ପୋରେଟ୍‌ କ୍ଷେତ୍ରରେ ଅନିଶ୍ଚିତତା। ଅର୍ଥନୀତିରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ କେତେକ କ୍ଷେତ୍ର ସ୍ଥାଣୁ ପ୍ରାୟ ହୋଇଯିବା ଦେଖାଯାଇଛି। ରିଅଲ୍‌ ଇଷ୍ଟେଟ୍‌ ଓ ଅଳଙ୍କାର ବ୍ୟବସାୟ ପ୍ରାୟ ବନ୍ଦ ହେବା ଅବସ୍ଥାକୁ ଆସି ଯାଇଥିବା ବେଳେ ପର୍ଯ୍ୟଟନ, ଭିତ୍ତିଭୂମି, ମଟର ଗାଡ଼ି, ମିଡ଼ିଆ, ଦ୍ରୁତ ବିକ୍ରୟଶୀଳ ଖାଉଟିଦ୍ରବ୍ୟ ଓ ପରିବହନ ଆଦି ଶିଳ୍ପ କ୍ଷେତ୍ରରେ ଭୀଷଣ ମାନ୍ଦାଅବସ୍ଥା ଦେଖା ଦେଇଛି। ଏକ ଉତ୍ତମ ମୌସୁମୀ ଜନିତ ଲାଭ ସଂଗ୍ରହ କରିବାକୁ ଅପେକ୍ଷା କରିଥିବା କୃଷି କ୍ଷେତ୍ରରେ ଯାହା ଦେଖିବାକୁ ମିଳୁଛି ତାହା ହେଲା ଦେଶସାରା ପିଆଜ, ଟମାଟୋ, କୋବି, ଆଳୁ ଏବଂ ଅନ୍ୟାନ୍ୟ ଫସଲର ବିକଳ ବିକ୍ରୟ। ଅର୍ଥମନ୍ତ୍ରୀ ଆଉ ଦିନ କେଇଟାରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ସେ ‘ସିଏସ୍‌ଓ’ର ପୂର୍ବାନୁମାନ ଉପରେ ନିର୍ଭର ନ କରି ଏସବୁ ବାସ୍ତବ କଠୋର ସତ୍ୟକୁ ସ୍ୱୀକାର କରି ବଜେଟ୍‌ ମାଧ୍ୟମରେ ଗୁଳି ମାଡ଼ରେ କଣା ହୋଇଥିବା ଟାୟାରର ମରାମତି କରନ୍ତୁ, ଯେମିତି ଗାଡ଼ି ତାର ପୂର୍ବ ବେଗ ଫେରି ପାଇବ।