30 March 2017
8:14:14 AM
Sambad News
ସମ୍ପାଦକୀୟ

ସୌଜନ୍ୟର ସିନ୍ଧୁ

By Sambad | Date: Aug 23 2016 4:51AM
ସୌଜନ୍ୟର ସିନ୍ଧୁ

ଗତ ଶୁକ୍ରବାର ସନ୍ଧ୍ୟାରେ ପାଠକ ପାଠିକାମାନେ ନିଶ୍ଚିତ ରୂପେ ଏ ଦୃଶ୍ୟ ଟେଲିଭିଜନରେ ଦେଖିଥିବେ। ତଥାପି ଏଠାରେ ତାହାର ପୁନରାବୃତ୍ତି ଆବଶ୍ୟକ ହେଉଛି। ଦୃଶ୍ୟଟିର ମୁଖ୍ୟ ଚରିତ୍ର ହେଉଛନ୍ତି ବର୍ତ୍ତମାନ ଭାରତତ ପ୍ରିୟତମ କନ୍ୟା ପୁଷାର୍‌ଲା ଭେଙ୍କଟ ସିନ୍ଧୁ। ଦୃଶ୍ୟଟିର ସମୟ ହେଉଛି ରିଓ ଅଲିମ୍ପିକ୍‌ସରେ ବ୍ୟାଡ୍‌ମିଣ୍ଟନ ଫାଇନାଲ ମ୍ୟାଚ୍‌ରେ ସ୍ପେନ୍‌ର କ୍ୟାରୋଲିନା ମାରିନ୍‌ଙ୍କଠାରୁ ସେ ପରାସ୍ତ ହେବାର ପରମୁହୂର୍ତ୍ତ। ସିନ୍ଧୁଙ୍କଠାରୁ ପରାସ୍ତ ହେବାର ଆତଙ୍କକୁ ଶେଷରେ ଅତିକ୍ରମ କରି ବିଜୟ ହାସଲ କରିବାର ଭାବାବେଗକୁ ନିୟନ୍ତ୍ରଣ କରି ନ ପାରି ମାରିନ୍‌ କୋର୍ଟରେ ମୁହଁ ମାଡ଼ି ପଡ଼ିରହି ଗୁମୁରି ଗୁମୁରି କାନ୍ଦିବାକୁ ଲାଗିଲେ। ତାଙ୍କର ର‍୍ୟାକେଟ୍‌ଟି ତଳେ ପଡ଼ିଥାଏ।
 
ମ୍ୟାଚ୍‌ ହାରିଥିବା ସିନ୍ଧୁ କିନ୍ତୁ ହସ ହସ ମୁହଁରେ ମାରିନ୍‌ଙ୍କ ନିକଟକୁ ଯାଇ ତାଙ୍କୁ କୁଣ୍ଢାଇ ତଳୁ ଉଠାଇଲେ। ଶାନ୍ତ ଅବିଚଳିତ ସିନ୍ଧୁ ଏବଂ ତଥାପି କୋହ ଚାପି ପାରୁ ନଥିବା ମାରିନ୍‌ ପରସ୍ପର ଆଲିଙ୍ଗନରେ ବେଶ୍‌ କିଛି ସମୟ ବିତାଇବା ପରେ ମାରିନ୍‌ କୋଚ୍‌ଙ୍କ ପାଖକୁ ଅଗ୍ରସର ହେଲେ। ମାରିନ୍‌ଙ୍କ ର‍୍ୟାକେଟ୍‌ଟି ସେମିତି ତଳେ ପଡ଼ିଥାଏ। ସିନ୍ଧୁ ଧୀରସ୍ଥିର ଭାବରେ ଚୁପ୍‌ଚାପ୍‌ ମାରିନ୍‌ଙ୍କ ର‍୍ୟାକେଟ୍‌ଟିକୁ ତଳୁ ଉଠାଇଲେ ଏବଂ ତାହାକୁ ନେଇ ସସମ୍ମାନେ ମାରିନ୍‌ଙ୍କ ବ୍ୟାଗ ପାଖରେ ରଖିଦେଲେ। ଯେଉଁ ଅସ୍ତ୍ର ବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଲାଭରୁ ବଞ୍ଚିତ କରିଥିଲେ, ସେଇ ର‍୍ୟାକେଟ୍‌ ରୂପକ ଅସ୍ତ୍ର ପ୍ରତି ସିନ୍ଧୁଙ୍କର ଏଭଳି ସମ୍ମାନ ପ୍ରଦର୍ଶନ ଥିଲା ପ୍ରତିଯୋଗିତା ଶେଷରେ ସିନ୍ଧୁଙ୍କର ସୁସ୍ଥ ଖେଳୁଆଡ଼ ଆଚରଣ ପ୍ରଦର୍ଶନର ଦ୍ୱିତୀୟ ଉଦାହରଣ। ଏହା ନିଶ୍ଚିତ ରୂପେ ଏକ ବିରଳ ଘଟଣା ଥିଲା।
 
ଏ ଘଟଣାର ତାତ୍ପର୍ଯ୍ୟ କିନ୍ତୁ କେବଳ ଏହାର ବିରଳତ୍ୱ ମଧ୍ୟରେ ସୀମିତ ନୁହେଁ। ଅଧିକ ଉଲ୍ଲେଖନୀୟ କଥା ହେଲା ଏହା ମାଧ୍ୟମରେ ସିନ୍ଧୁ ନିଜକୁ ଏକ ଗବେଷଣାସିଦ୍ଧ ତତ୍ତ୍ୱର ବ୍ୟତିକ୍ରମ ରୂପେ ପ୍ରମାଣିତ କରିଛନ୍ତି। ହାର୍ଭାର୍ଡ୍‌ ବିଶ୍ୱବିଦ୍ୟାଳୟର ଦୁଇ ଗବେଷକ ଜଏସ୍‌ ବେନେନ୍‌ସନ୍‌ ଏବଂ ରିଚାର୍ଡଁ ରାଙ୍ଗ୍‌ହାମ୍‌ଙ୍କ ଦ୍ୱାରା ନିକଟରେ ବହୁ ପରୀକ୍ଷା ନିରୀକ୍ଷା ପରେ ସାବ୍ୟସ୍ତ ଏବଂ ମର୍ଯ୍ୟାଦାଜନକ ଗବେଷଣା ପତ୍ରିକା ‘କରେଣ୍ଟ୍‌ ବାୟୋଲୋଜି’ରେ ସଦ୍ୟ ପ୍ରକାଶିତ ଏହି ତତ୍ତ୍ୱ ଅନୁସାରେ ଏକ ତୀବ୍ର ଦୈହିକ ସଂଘର୍ଷ ପରେ ପ୍ରତିଦ୍ୱନ୍ଦ୍ୱୀ ସହିତ ପୁଣି ମିଳାମିଶା ପାଇଁ ପୁରୁଷମାନେ ନାରୀମାନଙ୍କଠାରୁ ଅଧିକ ଆଗ୍ରହ ଦେଖାଇଥାନ୍ତି। ଅନ୍ୟପ୍ରକାରେ କହିଲେ କୌଣସି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ନାରୀମାନେ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ପୁରୁଷମାନଙ୍କ ଅପେକ୍ଷା ମନରେ ଅଧିକ କାଳ ଅସୂୟା ବହନ କରିଥାନ୍ତି।
ଏହି ଧାରଣାର ସତ୍ୟତା ପରୀକ୍ଷା କରିବା ନିମିତ୍ତ ଗବେଷକ ଦ୍ୱୟ ବ୍ୟାଡ୍‌ମିଣ୍ଟନ୍‌, ଟେନିସ୍‌, ଟେବଲଟେନିସ୍‌ ଏବଂ ବକ୍ସିଂ- ଏହି ଚାରିଟି କ୍ରୀଡ଼ାରେ ଅନୁଷ୍ଠିତ ହୋଇଥିବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟମାନଙ୍କର ଭିଡିଓ ରେକର୍ଡିଂମାନ ସଂଗ୍ରହ କରି ଅନୁଶୀଳନ କରିଛନ୍ତି। ସେମାନେ ସଂଗ୍ରହ କରିଥିବା ଭିଡିଓସବୁ ମଧ୍ୟରେ ୯୨ଟି ଥିଲା ପୁରୁଷ ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟର ଏବଂ ୮୮ଟି ଥିଲା ମହିଳା ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟର। ଏହି ଭିଡିଓ ମାନଙ୍କରେ ୪୪ଟି ଦେଶର ଖେଳାଳିମାନଙ୍କର ଆଚରଣ ରେକର୍ଡ ହୋଇ ରହିଥିଲା। ପ୍ରଥା ଅନୁସାରେ ଉପରୋକ୍ତ ଚାରିଟିଯାକ କ୍ରୀଡ଼ାରେ ପ୍ରତିଯୋଗିତା ଶେଷରେ ପ୍ରତିଦ୍ୱନ୍ଦ୍ୱୀମାନେ ପରସ୍ପର ମଧ୍ୟରେ ଶାରୀରିକ ସଂସ୍ପର୍ଶ ସ୍ଥାପନ କରିବା ଆଶା କରାଯାଏ। ବ୍ୟାଡ୍‌ମିଣ୍ଟନ, ଟେନିସ୍‌ ଓ ଟେବଲଟେନିସ୍‌ରେ କରମର୍ଦ୍ଦନ ମାଧ୍ୟମରେ ଏହି ଶାରୀରିକ ସଂସ୍ପର୍ଶ ପ୍ରତିଷ୍ଠା କରା ହେଉଥିବା ବେଳେ ବକ୍ସିଂ ପ୍ରତିଯୋଗିତା ପରେ ପରସ୍ପର ଆଲିଙ୍ଗନ ମାଧ୍ୟମରେ ଏହା ସାଧିତ ହୋଇଥାଏ। ଗବେଷକ ଦ୍ୱୟ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ସ୍ଥାପିତ ଶାରୀରିକ ସଂସ୍ପର୍ଶର ଅବଧିକୁ ସେମାନଙ୍କର ପରସ୍ପର ପ୍ରତି ମନୋଭାବର ପରିଚାୟକ ରୂପେ ଗ୍ରହଣ କରିଥିଲେ। ଅପେକ୍ଷାକୃତ ଦୀର୍ଘସ୍ଥାୟୀ ସଂସ୍ପର୍ଶ ଅଧିକ ବନ୍ଧୁଭାବାପନ୍ନ ଆଚରଣ ରୂପେ ବିବେଚିତ ହୋଇଥାଏ; ଅପେକ୍ଷାକୃତ କ୍ଷଣସ୍ଥାୟୀ ସଂସ୍ପର୍ଶ ଏହାର ବିପରୀତ ଆଚରଣ ସୂଚାଇଥାଏ। ଗବେଷକମାନେ ତେଣୁ ପ୍ରତ୍ୟେକ ପ୍ରତିଯୋଗିତା ପରବର୍ତ୍ତୀ ଏହି ଶାରୀରିକ ସଂସ୍ପର୍ଶର ଅବଧି ଯତ୍ନ ସହକାରେ ମାପି ରେକର୍ଡ କଲେ। ସେମାନେ ମଧ୍ୟ ଏହି ପାରମ୍ପରିକ ସଂସ୍ପର୍ଶକୁ ଅତିକ୍ରମ କରି ଘଟୁଥିବା ଆଲିଙ୍ଗନ, ବାହୁସ୍ପର୍ଶ, ପିଠି ଥାପୁଡ଼ା ଆଦି ଆଚରଣ ଉପରେ ନଜର ରଖିଲେ।
 
ଏହି ସମସ୍ତ ତଥ୍ୟ ଅନୁଶୀଳନ କଲା ପରେ ଯେଉଁ ସତ୍ୟ ସାବ୍ୟସ୍ତ ହେଲା ତାହା ହେଲା ସମସ୍ତ ଚାରିଟିଯାକ କ୍ରୀଡ଼ାରେ ପ୍ରତିଯୋଗିତା ପରେ ପୁରୁଷ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଶାରୀରିକ ସଂସ୍ପର୍ଶର ଅବଧି ମହିଳା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଅନୁରୂପ ସଂସ୍ପର୍ଶର ଅବଧିଠାରୁ ଦୀର୍ଘତର ହୋଇଥାଏ। ପୁରୁଷ ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ଔପଚାରିକ ସଂସ୍ପର୍ଶକୁ ଅତିକ୍ରମ କରି ମହିଳା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଅପେକ୍ଷା ପରସ୍ପର ମଧ୍ୟରେ ଅଧିକ ଘନିଷ୍ଠତା ପ୍ରଦର୍ଶନ କରିଥାନ୍ତି। ଟେନସ୍‌ରେ ପୁରୁଷମାନଙ୍କ ମଧ୍ୟରେ ସଂସ୍ପର୍ଶର ହାରାହାରି (ମେଡିଆନ୍‌) ଅବଧି ୧.୪ ସେକେଣ୍ଡ୍‌ ହୋଇଥିବା ବେଳେ ମହିଳା ସଂସ୍ପର୍ଶର ହାରାହାରି ଅବଧି ୦.୮ ସେକେଣ୍ଡ ହୋଇଥିବା ଦେଖା ଯାଇଥିଲା। ବ୍ୟାଡ୍‌ମିଣ୍ଟନ୍‌ (ସିନ୍ଧୁଙ୍କ କ୍ରୀଡ଼ା)ରେ ପୁରୁଷ ପ୍ରତିଯୋଗୀମାନେ ପ୍ରତିଯୋଗିତା ପରେ ପରସ୍ପରକୁ ଛୁଇଁବାରେ ହାରାହାରି ୧.୧ ସେକେଣ୍ଡ ବିତାଇଥିବା ବେଳେ ମହିଳା ପ୍ରତିଯୋଗୀମାନେ ଏଥିପାଇଁ ମାତ୍ର ୦.୮ ସେକେଣ୍ଡ ପ୍ରଦାନ କରିଥିଲେ। ଟେବଲଟେନିସ୍‌ରେ ପୁରୁଷ ପ୍ରତିଯୋଗୀମାନଙ୍କ ପାଇଁ ଏହି ପରିସଂଖ୍ୟାନ ୦.୬ ସେକେଣ୍ଡ ହୋଇଥିବା ଦେଖାଯାଇଥିବା ବେଳେ ମହିଳା ପ୍ରତିଯୋଗୀମାନଙ୍କ ପାଇଁ ଏହା ଠିକ୍‌ ଅଧା ଅର୍ଥାତ୍‌ ୦.୩ ସେକେଣ୍ଡ୍‌ ହୋଇଥିଲା। ବକ୍ସିଂ ବା ମୁଷ୍ଟିଯୁଦ୍ଧକୁ କ୍ରୀଡ଼ା ଜଗତ୍‌ରେ ବାସ୍ତବ ଶାରୀରିକ ସଂଘର୍ଷର ନିକଟତମ ପ୍ରତିଯୋଗିତା ରୂପେ ବିଚାର କରାଯାଇଥାଏ। ଏହି ପ୍ରକୃତ ଲଢ଼େଇ ପରେ ତେଣୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଉପରୋକ୍ତ ସଂସ୍ପର୍ଶର ଅବଧି ସ୍ୱାଭାବିକ ଭାବରେ ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ଦେଖା ଯାଇଥିଲା ଯେ ଲଢ଼େଇ ପରେ ପୁରୁଷ ମୁଷ୍ଟି ଯୋଦ୍ଧାମାନେ ପରସ୍ପର ସହିତ ଶାରୀରିକ ସଂସ୍ପର୍ଶରେ ହାରାହାରି ୬.୩ ସେକେଣ୍ଡ ବିତାଇଥିବା ବେଳେ ମହିଳା ମୁଷ୍ଟିଯୋଦ୍ଧାମାନେ ଏଥିରେ ମାତ୍ର ୨.୮ ସେକେଣ୍ଡ ବିତାଇଥିଲେ- ଅଧାରୁ ବି କମ୍‌ ସମୟ।
 
ଏହାବ୍ୟତୀତ ଔପଚାରିକ କରମର୍ଦ୍ଦନ ବା ଆଲିଙ୍ଗନ ପରେ ପରସ୍ପରକୁ ଆହୁରି ଅଧିକ ସ୍ପର୍ଶ କରିବାରେ ପୁରୁଷମାନେ ମହିଳାମାନଙ୍କଠାରୁ ଅଧିକ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା। ଟେନିସ୍‌ରେ ୪୨.୫% ପ୍ରତିଯୋଗିତାମାନଙ୍କରେ ପୁରୁଷ ଖେଳାଳି ଏଭଳି ଆଚରଣ ପ୍ରଦର୍ଶନ କରିଥିବା ବେଳେ ମାତ୍ର ୧୨.୫% ପ୍ରତିଯୋଗିତାରେ ମହିଳା ଖେଳାଳିମାନଙ୍କଠାରେ ଏହା ଦେଖାଯାଉଥିଲା। ଟେବଲ ଟେନିସ୍‌ର ୩୩% ପ୍ରତିଯୋଗିତାରେ ପୁରୁଷ ପ୍ରତିଦ୍ୱନ୍ଦ୍ୱୀମାନେ ପରସ୍ପର ପ୍ରତି ଏପରି ସୌଜନ୍ୟ ପ୍ରକାଶ କରିଥିବା ବେଳେ ମହିଳା ଖେଳାଳିମାନଙ୍କଠାରେ କୌଣସି ପ୍ରତିଯୋଗିତାରେ ଏଭଳି ସୌଜନ୍ୟ ପରିଲକ୍ଷିତ ହୋଇ ନଥିଲା। ବ୍ୟାଡମିଣ୍ଟନରେ ବ୍ୟବହୃତ ଉଚ୍ଚା ନେଟ୍‌ ଯୋଗୁଁ ଏବଂ ବକ୍ସିଂରେ ସୃଷ୍ଟି ହେଉଥିବା ମ୍ୟାଚ୍‌ ପରବର୍ତ୍ତୀ ଗହଳି ଯୋଗୁଁ ସେ ଦୁଇ କ୍ରୀଡ଼ାରେ କରମର୍ଦ୍ଦନୋତ୍ତର ସଂସ୍ପର୍ଶ ସମ୍ବନ୍ଧରେ ଭିଡିଓରୁ ସ୍ପଷ୍ଟ ଚିତ୍ର ମିଳିପାରି ନଥିଲେ ହେଁ ଏ ଉଭୟ କ୍ରୀଡ଼ାରେ ମଧ୍ୟ ମହିଳା ଖେଳାଳିମାନଙ୍କର ପରସ୍ପର ପ୍ରତି ସଂକୀର୍ଣ୍ଣ ମାନସିକତା ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବାର ସମ୍ଭାବନା କ୍ଷୀଣ। ଏହି ଗବେଷଣା ପରିପ୍ରେକ୍ଷୀରେ ବିଚାର କଲେ ସ୍ୱୀକାର କରିବାକୁ ହେବ ଯେ ରିଓଠାରେ ପ୍ରତିଯୋଗିତା ପରେ ସିନ୍ଧୁ ଯେଉଁଭଳି ସୌଜନ୍ୟ, ଉଦାରତା ଓ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା କେବଳ ଉପରୋକ୍ତ ଗବେଷଣା ଅନ୍ତର୍ଭୁକ୍ତ ସମସ୍ତ ମହିଳା ଖେଳାଳିମାନଙ୍କଠାରୁ ନୁହେଁ, ସମସ୍ତ ପୁରୁଷ ଖେଳାଳି ମାନଙ୍କଠାରୁ ମଧ୍ୟ ବହୁଗୁଣ ଅଧିକ। ଭାରତୀୟ ଭାବେ ଆମେ ସିନ୍ଧୁଙ୍କୁ ନେଇ ଗର୍ବ କରିବାର ଏକମାତ୍ର କାରଣ ତାଙ୍କର ରୌପ୍ୟ ପଦକ ନୁହେଁ।