23 May 2017
6:07:34 PM
image
Sambad News
ସମ୍ପାଦକୀୟ

ଝିଅଙ୍କ ଚମକ

By Sambad | Date: Aug 20 2016 5:05AM
ଝିଅଙ୍କ ଚମକ

ରିଓ ଅଲିମ୍ପିକ୍ସରେ ଦୁଇ ଭାରତୀୟ ଝିଅଙ୍କ ଚମକପ୍ରଦ ପ୍ରଦର୍ଶନ ଶହେ କୋଟି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛି,  ଅନ୍ୟଥା କ୍ରୀଡ଼ା କ୍ଷେତ୍ରରେ ଦୁର୍ବଳିଆ ଭାରତର ନାମ ଉଜ୍ଜ୍ୱଳ କରିଛି। ଅଲିମ୍ପିକ ଆରମ୍ଭ ହେବାର ଦୁଇ ସପ୍ତାହ ପରେ ଯାଇ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ବିଷାଦ ଯୋଗ କଟିଥିଲା, ଯେତେବେଳେ ହରିଆନା ଲଳନା ସାକ୍ଷୀ ମଲ୍ଲିକ ଦେଶ ପାଇଁ ପ୍ରଥମ ପଦକ ଜିଣିଥିଲେ। ତେଇଶ ବର୍ଷୀୟା ସାକ୍ଷୀ ‘ରିପିଚେଜ୍‌’ ସୁଯୋଗର ପୂରା ଫାଇଦା ଉଠାଇ ୫୮ କିଲୋଗ୍ରାମ ବର୍ଗର ମହିଳା କୁସ୍ତିରେ କିର୍‌ଗିଜିସ୍ତାନର ତିନିବେକୋଭାଙ୍କୁ ପରାସ୍ତ କରି କାଂସ୍ୟ ଜିଣି ଭାରତ ପାଇଁ ଗୌରବ ଆଣିଥିଲେ। ଏହାର ଚବିଶ ଘଣ୍ଟା ପରେ ହାଇଦ୍ରାବାଦ ଝିଅ ପି.ଭି. ସିନ୍ଧୁ ବ୍ୟାଡମିଣ୍ଟନରେ ଫାଇନାଲକୁ ପ୍ରବେଶ କରି ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି। ଉଭୟ ସାକ୍ଷୀ ଏବଂ ସିନ୍ଧୁଙ୍କ ବିଜୟ ଐତିହାସିକ ମଧ୍ୟ। ସାକ୍ଷୀଙ୍କ କାଂସ୍ୟ ପଦକ ବିଜୟ ଐତିହାସିକ ଏଥିପାଇଁ ଯେ, ମହିଳା କୁସ୍ତିରେ ପଦକ ଜିଣିବାର ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ମଲ୍ଲ। ଏହା ପୂର୍ବରୁ ମହିଳା କୁସ୍ତିରେ କେହି ଭାରତୀୟ ପଦକ ସଫଳତା ପାଇନଥିଲେ। ଅଲିମ୍ପିକ୍‌ ପଦକ ଜିଣିବାରେ ସାକ୍ଷୀ ହେଉଛନ୍ତି ଚତୁର୍ଥ ଭାରତୀୟ ମହିଳା। ପୂର୍ବରୁ ମାଲେଶ୍ୱରୀ, ମେରିକମ୍‌ ଏବଂ ସାଇନା ନେଓ୍ଵାଲ ଯଥାକ୍ରମେ ଭାର ଉତ୍ତୋଳନ, ବକ୍ସିଂ ଏବଂ ବ୍ୟାଡମିଣ୍ଟନରେ ଭାରତ ପାଇଁ ଅଲିମ୍ପିକ ବ୍ରୋଞ୍ଚ୍‌ ପାଇଛନ୍ତି। ଅଲିମ୍ପିକ ପଦକ ପାଇବାରେ ପଞ୍ଚମ ଭାରତୀୟ ମହିଳା ଖେଳାଳି ଭାବେ ନିଜ ସ୍ଥାନ ସୁନିଶ୍ଚିତ କରିଥିବା ସିନ୍ଧୁଙ୍କ ପ୍ରଦର୍ଶନ ମଧ୍ୟ ଐତିହାସିକ ଏଥିପାଇଁ ଯେ, ସେ ପ୍ରଥମ ଭାରତୀୟ ଭାବେ ମହିଳା ଅଲିମ୍ପିକ ବ୍ୟାଡମିଣ୍ଟନର ଫାଇନାଲରେ ପ୍ରବେଶ କରିବାର ଗୌରବ ଅର୍ଜନ କରିଛନ୍ତି। ପୁଣି ଫାଇନାଲର ହାରଜିତ ନିର୍ବିଶେଷରେ ସିନ୍ଧୁ ଅଲିମ୍ପିକ୍‌ର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକ ପାଇବାରେ ହେବେ ପ୍ରଥମ ଭାରତୀୟ ମହିଳା। ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ ପଦକ ଜିଣିଥିବା ଚାରିଜଣଯାକ ମହିଳା କାଂସ୍ୟ ପାଇଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସାଇନା ବ୍ୟାଡ଼ମିଣ୍ଟନରେ ବ୍ରୋଞ୍ଜ୍‌ ପାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କେହି ମହିଳା ଭାରତୀୟ ଖେଳାଳି ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପାଇ ନାହାନ୍ତି। ଯଦି ସିନ୍ଧୁ ସ୍ୱର୍ଣ୍ଣ ପଦକ ପାଆନ୍ତି, ତେବେ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିଣିବାରେ ଅଭିନବ ବିନ୍ଦ୍ରାଙ୍କ ପରେ ସେ ହେବେ ଦ୍ୱିତୀୟ ଭାରତୀୟ।
 
ତେବେ ଅଲିମ୍ପିକ ପଦକ ସହ ଭାରତକୁ ଗୌରବ ମଣ୍ଡିତ କରିଥିବା ସାକ୍ଷୀ ଏବଂ ସିନ୍ଧୁଙ୍କ ବିଜୟ କେବଳ କ୍ରୀଡ଼ା କ୍ଷେତ୍ରରେ ସୀମିତ ନୁହେଁ। ଏହି ଦୁଇ ଭାରତୀୟ ଝିଅଙ୍କ ସଫଳତା ସମାଜରେ କନ୍ୟା ସନ୍ତାନଙ୍କ ବିଜୟର ମଧ୍ୟ ବାର୍ତ୍ତା ଦେଉଛି। ସାକ୍ଷୀ ଏବଂ ସିନ୍ଧୁଙ୍କ ପଦକ କେବଳ ମାତ୍ର କ୍ରୀଡ଼ାରେ ବିଜୟର ପ୍ରତୀକ ନୁହେଁ, ସେମାନଙ୍କ ଅଲିମ୍ପିକ ପଦକ ଭାରତୀୟ ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ରହିଥିବା ବିଦ୍ୱେଷାତ୍ମକ ମାନସିକତା ତଥା କନ୍ୟା ସନ୍ତାନ ବିରୋଧୀ ସାମାଜିକ ବ୍ୟବସ୍ଥା ବିରୋଧରେ ମଧ୍ୟ ବିଜୟର ପ୍ରତୀକ। ବିଶେଷକରି ହରିଆନାର ରୋହତକ ଜିଲ୍ଲାର ମଫସଲ ଝିଅ ସାକ୍ଷୀଙ୍କ କୃତିତ୍ୱ ଏହାର ଉଜ୍ଜ୍ୱଳ ପ୍ରମାଣ ଯେ, ସୁଯୋଗ ମିଳିଲେ କନ୍ୟା ସନ୍ତାନ ମାନଙ୍କ ପାଖରେ ମଧ୍ୟ ଅସାଧ୍ୟ ସାଧନ ଲାଗି ଦୃଢ଼ ଇଚ୍ଛାଶକ୍ତିର ଅଭାବ ନାହିଁ। ସେମାନେ ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ନୂଆ ଇତିହାସ ସୃଷ୍ଟି କରିବାକୁ ସକ୍ଷମ। ବାରବର୍ଷ ତଳେ ସାକ୍ଷୀ ଜଣେ ମହିଳା କୁସ୍ତିବାଜ୍‌ ହେବାର ସ୍ୱପ୍ନ ନେଇ ଗାଁ ଆଖଡ଼ାରେ ଅଭ୍ୟାସ ଆରମ୍ଭ କଲେ। କିନ୍ତୁ ପୁରୁଷ ପ୍ରଧାନ ହରିଆନାର ଗ୍ରାମୀଣ କ୍ଷେତ୍ରରେ ଅନେକଙ୍କ ବିଚାରରେ ସାକ୍ଷୀଙ୍କ ସ୍ୱପ୍ନ ଥିଲା ଏକ ଦୁଃସ୍ୱପ୍ନ। କୁସ୍ତି ପ୍ରତି ମୋହ ଯୋଗୁଁ ସାକ୍ଷୀ ଓ ତାଙ୍କ ପରିବାର ବର୍ଗଙ୍କୁ ଅନେକ ଟାହିଟାପରା, ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଏସବୁକୁ ଖାତିର ନ କରି ସାକ୍ଷୀ ନିଜ ସ୍ୱପ୍ନକୁ ସାକାର କରିବା ଲାଗି ମନ ପ୍ରାଣ ଲଗାଇ ଦେଇଥିଲେ। ତା’ର ସୁଫଳ ମିଳିଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ଉତ୍ସବରେ ପଦକ ବିଜୟୀ ହୋଇଛନ୍ତି। ସେଦିନ ସାକ୍ଷୀ ଯଦି ସମାଲୋଚନାର ଚାପରେ କୁସ୍ତି ଛାଡ଼ି ଦେଇଥାନ୍ତେ, ତେବେ ଆଜି ତାଙ୍କୁ ପ୍ରଥମ ମହିଳା ଭାରତୀୟ ଭାବେ ଅଲିମ୍ପିକ ପଦକ ଜିଣିବାର ସୌଭାଗ୍ୟ ହାସଲ ହୋଇନଥାନ୍ତା କି ଶହେ କୋଟି ଭାରତୀୟଙ୍କୁ ଗର୍ବ କରିବାର ଅବକାଶ ଆସିନଥାନ୍ତା। ବାରବର୍ଷ ତଳେ ଯେଉଁମାନେ ସାକ୍ଷୀଙ୍କୁ ସମାଲୋଚନା କରୁଥିଲେ ଆଜି ସେମାନେ ସାକ୍ଷୀଙ୍କ ପ୍ରଶଂସାରେ ଶତମୁଖ। ନିଜର ଦୃଢ଼ ମନୋବଳ, ଏକାଗ୍ରତା ଓ କଠୋର ପରିଶ୍ରମ ବଳରେ ସାକ୍ଷୀ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଫଳତା ପଛରେ ପରିବାରର ସମର୍ଥନ, ସହଯୋଗ ଓ ଉତ୍ସାହ ମଧ୍ୟ ରହିଛି। ପୂର୍ବରୁ ସାକ୍ଷୀ ଭଳି ସମାନ ପ୍ରତିକୂଳତାକୁ ଅତିକ୍ରମ କରି ମାଲେଶ୍ୱରୀ, ମେରିକମ୍‌ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚି ମହିଳା ଶକ୍ତିର ପରାକ୍ରମର ପରିଚୟ ଦେଇଛନ୍ତି। ହରିଆନାର ସାକ୍ଷୀଙ୍କ ଭଳି ରିଓରେ ମହିଳା ଜିମ୍‌ନାଷ୍ଟିକ୍‌ରେ ଚତୁର୍ଥ ସ୍ଥାନ ପାଇଥିବା ତ୍ରିପୁରାର ଦୀପା କର୍ମାକର ମଧ୍ୟ  ଆଉ ଏକ ଉଜ୍ଜ୍ୱଳ ଉଦାହରଣ। ସାକ୍ଷୀ ଓ ଦୀପାଙ୍କ ଭଳି ଏ ଦେଶର ଅଗଣିତ କିଶୋରୀଙ୍କ ମନରେ ମଧ୍ୟ ସ୍ୱପ୍ନ ରହିଛି, କିନ୍ତୁ ସାମାଜିକ ଶୃଙ୍ଖଳ, ବ୍ୟବସ୍ଥାର ଚାପରେ ତାହା ମରିଯାଉଛି। ସେହି କିଶୋରୀମାନଙ୍କ ପାଇଁ ସାକ୍ଷୀ, ଦୀପା, ମେରିକମ୍‌ ନିଶ୍ଚୟ ପ୍ରେରଣାର ଉତ୍ସ ହେବେ। ଆଶା, ସାକ୍ଷୀ ଓ ଦୀପାଙ୍କ ସଫଳତା କ୍ରୀଡ଼ରେ ଝିଅଙ୍କ ଅଂଶଗ୍ରହଣ ନେଇ ସମାଜ ତଥା ଅଭିଭାବକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବ ଏବଂ ଆଗାମୀ ଦିନରେ ଏ ଦେଶରୁ ଆହୁରି ଅନେକ ସାକ୍ଷୀ, ଦୀପା ଓ ମେରିକମ୍‌ ବାହାରିବେ।
 
ଭାରତୀୟ ଝିଅଙ୍କ ସଫଳତା ଓ ସମ୍ଭାବନା ବିଷୟ ଆଲୋଚନା କଲାବେଳେ ଅଲିମ୍ପିକରେ ସାମଗ୍ରିକ ଭାବେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ବିଷୟ ପ୍ରତି ଅଣଦେଖା କରାଯାଇ ନ ପାରେ। ଅଲିମ୍ପିକ୍ସରେ ଯୁକ୍ତରାଷ୍ଟ୍ର ଆମେରିକା ପାଇଥିବା କେବଳ ସ୍ୱର୍ଣ୍ଣ ପଦକ ସଂଖ୍ୟା ହଜାରେ ଟପିଲାଣି। ଅଥଚ ଶହେ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତର ମୋଟ ପଦକ (ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ) ସଂଖ୍ୟା ୨୮ (ସିନ୍ଧୁଙ୍କ ସମ୍ଭାବ୍ୟ ପଦକକୁ ମିଶାଇ)। ଏହା ନିଶ୍ଚିତ ଭାବେ ନିରାଶାଜନକ। ଅଲିମ୍ପିକ୍ସରେ ଭାରତର ନିରାଶାଜନକ ପ୍ରଦର୍ଶନ ପାଇର୍ ସାଧାରଣତଃ ଦେଶର ଦାରିଦ୍ର୍ୟ, ଦୁର୍ବଳ ଆର୍ଥିକ ଅବସ୍ଥା, କ୍ରୀଡ଼ା ଭିତ୍ତିଭୂମିର ଅଭାବକୁ ଦାୟୀ କରାଯାଏ। ତେବେ ଏ କ୍ଷେତ୍ରରେ କେନିଆ, ଇଥିଓପିଆ ଓ ଜାମାଇକା ଭଳି ଆଫ୍ରିକୀୟ ଓ କ୍ୟାରିବିୟାନ୍‌ ଦ୍ୱୀପ ରାଷ୍ଟ୍ରଙ୍କ ସ୍ଥିତି କ’ଣ ଭାରତ ଠାରୁ ଭଲ? ତଥାପି କାହିଁକି ସେ ସବୁ ଦେଶର ଖେଳାଳିମାନେ ଭାରତୀୟଙ୍କଠାରୁ ଅଧିକ ସଫଳତାର ଅଧିକାରୀ? ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀ ଅଭିନବ ବିନ୍ଦ୍ରା ପ୍ରସ୍ତାବ ଦେଇଛନ୍ତି ଯେ, ଭାରତ ଗୋଟିଏ ଅଲିମ୍ପିକ ପଦକ ପାଇଁ ଅତିକମ୍‌ରେ ୪୮ କୋଟି ବିନିଯୋଗ କରୁ। ତେବେ ଖାଲି ଟଙ୍କା ଖର୍ଚ୍ଚ କରିଦେଲେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନ ଭଲ ହେବ ନାହିଁ କି ପଦକ ଜିଣି ହେବ ନାହିଁ। ଏଥିପାଇଁ ମୌଳିକ ଆବଶ୍ୟକତା କ୍ରୀଡ଼ା ପ୍ରତିଭାଙ୍କ ଚିହ୍ନଟ ଏବଂ ପ୍ରତିଭାଙ୍କ ବିକାଶ ପାଇଁ ଉପଯୁକ୍ତ ପରିବେଶ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ। ଏ କ୍ଷେତ୍ରରେ କିଛି ହେଉନାହିଁ ବୋଲି କହିବା ଭଲ ହେବ। ବିଗତ କିଛି ବର୍ଷ ମଧ୍ୟରେ ନିଶ୍ଚୟ କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ ହୋଇଛି। ଫଳସ୍ୱରୂପ ଅଧିକ ସଂଖ୍ୟକ ଭାରତୀୟ କ୍ରୀଡ଼ାବିତ୍‌ ଅଲିମ୍ପିକ ଯୋଗ୍ୟତା ହାସଲ କରୁଛନ୍ତି। କିନ୍ତୁ ଏତିକି ଯଥେଷ୍ଟ  ନୁହେଁ। ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ପାଇଁ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଲାଗି ପ୍ରତିଭା ଚିହ୍ନଟ ପ୍ରକ୍ରିୟାକୁ ଆହୁରି ବ୍ୟାପକ ଏବଂ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ଉନ୍ନତ ଓ ସଂଗଠିତ କରିବାକୁ ପଡ଼ିବ। କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବା ଦରକାର। ଏ କ୍ଷେତ୍ରରେ କ୍ରୀଡ଼ା ସଂଘ ଓ ସରକାରଙ୍କ କାର୍ଯ୍ୟ ଆଦୌ ସନ୍ତୋଷଜନକ ନୁହେଁ। ପ୍ରିୟାପ୍ରୀତିତୋଷଣ ଏବଂ ଦୁର୍ନୀତି କ୍ରୀଡ଼ାର ବିକାଶରେ ଆଉ ଏକ ବାଧକ। ଅବଶ୍ୟ କ୍ରୀଡ଼ାର ବିକାଶ ଲାଗି କେବଳ କ୍ରୀଡ଼ା ସଂଘ ଓ ସରକାରଙ୍କ ଭୂମିକା ଯଥେଷ୍ଟ ନୁହେଁ, ସାମଗ୍ରିକ ଭାବେ ସମାଜର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
 

image