27 April 2017
2:57:45 AM
image
Sambad News
ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ରର ଜନକ

ଶ୍ରାଦ୍ଧବାର୍ଷିକୀ

By Sambad | Date: Jan 11 2017 1:03PM
ଓଡ଼ିଆ ଚଳଚ୍ଚିତ୍ରର ଜନକ

ଓଡ଼ିଆ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହେବାର ବହୁ ପୂର୍ବରୁ ଆମ ରାଜ୍ୟରେ ସିନେମା ପ୍ରଦର୍ଶନ ନିମନ୍ତେ ପ୍ରେକ୍ଷାଳୟମାନ ଖୋଲିସାରିଥିଲା। ୧୯୨୭ରେ ବ୍ରହ୍ମପୁରରେ ନିର୍ମିତ ‘ଶ୍ରୀ ସୀତାରାମ ବିଳାସ ଟକିଜ୍‌’ ସଂକ୍ଷେପରେ ‘ଏସ୍‌ଏସ୍‌ଭିଟି’ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ପ୍ରେକ୍ଷାଳୟ। ୧୯୩୪ରେ ପୁରୀରେ ଖୋଲିଥିଲା ‘ଲକ୍ଷ୍ମୀ ଟକିଜ୍‌’। ଏହି ପ୍ରେକ୍ଷାଳୟରେ ୧୯୩୬ ଏପ୍ରିଲ୍‌ ୨୮ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। କଳା-ଧଳା ଚଳଚ୍ଚିତ୍ରଟି ଥିଲା ସବାକ୍‌। ଉଲ୍ଲେଖଯୋଗ୍ୟ ଯେ, ଆମ ରାଜ୍ୟରେ ନିର୍ବାକ୍‌ ଚଳଚ୍ଚିତ୍ର ଆଦୌ ନିର୍ମିତ ହୋଇ ନ ଥିଲା।

ଆଉ ଓଡ଼ିଶାବାସୀଙ୍କୁ ପ୍ରଥମ ଚଳଚ୍ଚିତ୍ରର ସ୍ୱାଦ ଚଖାଇଥିଲେ ମୋହନସୁନ୍ଦର ଦେବ ଗୋସ୍ୱାମୀ। ତାଙ୍କୁ ‘ଓଡ଼ିଆ ଚଳଚ୍ଚିତ୍ରର ଜନକ’ କହାଯାଏ। ସେ ‘ସୀତା ବିବାହ’ର ପ୍ରଯୋଜକ ଓ ନିର୍ଦେଶକ। ସେଥିରେ ଥିବା ଚଉଦଟି ଗୀତ ମଧ୍ୟରୁ ବାରଟି ସେ ରଚନା କରିବା ସହ ‘ବିଶ୍ୱାମିତ୍ର’ ଭୂମିକାରେ ଅଭିନୟ ମଧ୍ୟ କରିଥିଲେ। ୧୯୩୫ ପ୍ରଥମ ଭାଗରେ ପୁରୀରେ କଳାକାରମାନେ ଅଭିନୟ ଅଭ୍ୟାସ କରିଥିଲେ। ସେହି ବର୍ଷ ଜୁଲାଇ ୨୯ରେ ମୋହନସୁନ୍ଦର ସମସ୍ତଙ୍କୁ ଧରି କଲକାତା ଯାତ୍ରା କରିଥିଲେ। ସେପ୍‌ଟେମ୍ବର୍‌ ୧୯ରେ କଲକାତାରେ ହିଁ ଚିତ୍ରଗ୍ରହଣ ଆରମ୍ଭ ହୋଇଥିଲା। ନିର୍ମାଣ ଶେଷ ହୋଇଥିଲା ୨୩ ମାଚ୍‌ର୍ ୧୯୩୬ରେ।

ମାସକ ପରେ ଦର୍ଶକେ ଦେଖିଥିଲେ। ନିର୍ମାଣ ବାବଦରେ ଖର୍ଚ୍ଚ ହୋଇଥିଲା ୨୯,୭୮୧ ଟଙ୍କା ୧୦ ଅଣା। ମୋହନସୁନ୍ଦର ଥିଲେ ସଂସ୍କୃତିପ୍ରେମୀ। ଚଳଚ୍ଚିତ୍ର ନିର୍ମାଣରେ ପାଦ ଦେବା ପୂର୍ବରୁ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, କଳା-ସଂସ୍କୃତିର ପ୍ରସାର କରିଥିଲେ। ତାଙ୍କର ଜନ୍ମ ପୁରୀ ସହରରେ। ସେ ସୁମଧୁର କଣ୍ଠରେ ଗୀତ ଗାଇବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ। ତାଙ୍କ ରାସ ଦଳର ସୁଖ୍ୟାତି ରାଜ୍ୟ ବାହାରକୁ ମଧ୍ୟ ବ୍ୟାପିଯାଇଥିଲା। ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ ମୁକ୍ତିଲାଭ କରିବା ପୂର୍ବରୁ ୧୯୪୮ ଜାନୁଆରି ଆଜିର ଦିନରେ ମୋହନସୁନ୍ଦରଙ୍କର ଦେହାନ୍ତ ହୋଇଥିଲା।

image