20 July 2017
6:08:14 PM
image
Sambad News
ମନୋରଞ୍ଜନ

ପ୍ରଯୋଜନାରେ ବାବୁସାନ୍‌, ଫିଲ୍ମର ନାଁ ‘ସୁନାପିଲା ହେଲେ ସ୍କ୍ରୃ ଢ଼ିଲା’

By Sambad | Date: Jan 12 2017 9:32AM
ପ୍ରଯୋଜନାରେ ବାବୁସାନ୍‌, ଫିଲ୍ମର ନାଁ ‘ସୁନାପିଲା ହେଲେ ସ୍କ୍ରୃ ଢ଼ିଲା’
Photo : Twitter

କଟକ: ଓଲିଉଡ୍‌ର ସେଲେବଲ୍‌ ଷ୍ଟାର୍‌ ବାବୁସାନ୍‌ ଏବେ ଏକ ନୂଆ କାମରେ ହାତ ଦେଇଛନ୍ତି। ସେ ତ ଜଣେ ଲୋକପ୍ରିୟ ନାୟକ। ଅଭିନୟ ତାଙ୍କର ନିଶା ଓ ପେସା। ହିଁ, ଅବଶ୍ୟ ସେ ଭଲ ଗୀତ ବି ଗାଆନ୍ତି ଆଉ ଗାୟକ ଭାବେ ଲୋକପ୍ରିୟତା ବି ହାସଲ କରିଛନ୍ତି। ହେଲେ ଆପଣମାନେ ଭାବୁଥିବେ ଯେ ସେ ପୁଣି ଅନ୍ୟ କେଉଁ କାମରେ ହାତ ଦେଲେ।

 
ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା ବି ସିନେମା ସମ୍ପର୍କିତ କାମ। ବାବୁସାନ ଏବେ ପ୍ରଯୋଜନାରେ ପାଦ ଦେଇଛନ୍ତି। ସେ ବନିଛନ୍ତି ପ୍ରଯୋଜକ। ଆଉ ତାଙ୍କ ପ୍ରଯୋଜନା ସଂସ୍ଥାର ନାମ ରହିଛି ବାବୁସାନ୍‌ ପ୍ରଡକସନ୍‌। ଏହି ବ୍ୟାନରରେ ଏକ ରୋମାଣ୍ଟିକ କମେଡି ଫିଲ୍ମ ନିର୍ମାଣ କରୁଛନ୍ତି। ଏହାର ଟାଇଟଲ ବି ରହିଛି ଟିକେ ହଟ୍‌କେ- ‘ସୁନାପିଲା ହେଲେ ସ୍କ୍ରୃ ଢ଼ିଲା’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ, ଯାହାଙ୍କ ସହିତ ବାବୁସାନ ପୂର୍ବରୁ ଡାହା ବାଳୁଙ୍ଗା’ ଏବଂ ‘ପ୍ରେମ ଅଢ଼େଇ ଅକ୍ଷର’‘ ଫିଲ୍ମରେ କାମ କରି ସାରିଛନ୍ତି। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ୍‌ ମଜୁମଦାର ଏବଂ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ପ୍ରାପ୍ତ ସୂଚନା ଅନୁଯାୟୀ ଇତି ମଧ୍ୟରେ ‘ସୁନା ପିଲା ହେଲେ ସ୍କ୍ରୁ ଢ଼ିଲା’ର ମ୍ୟୁଜିକ୍‌ କାମ ଶେଷ ହୋଇ ଯାଇଛି। ଏଥିରେ ହାସ୍ୟାଭିନେତା ପପୁ ପମ୍‌ପମ୍‌ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ।
 
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ବି ଅତୀତରେ ‘ଲଭ୍‌ମାଷ୍ଟର’ ଟାଇଟଲରେ ଏକ ଓଡ଼ିଆ ଛବି ନିର୍ମାଣ କରିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାବୁସାନଙ୍କ ପୂର୍ବରୁ ହିରୋ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ ମଧ୍ୟ ତାଙ୍କର ହୋମ ପ୍ରଡକସନ୍‌ରେ ଫିଲ୍ମ ନିର୍ମାଣ କରି ପ୍ରଯୋଜକ ତାଲିକା ନିଜର ନାମ ଲେଖାଇ ସାରିଛନ୍ତି। ବାବୁସାନ୍‌- ଅଲ୍‌ ଦି ବେଷ୍ଟ୍‍।