21 January 2017
10:56:15 PM
image
Sambad News
ଗଜପତି

ବିମୁଦ୍ରାକରଣକୁ ମାସେ, ସୁଧୁରୁନି ସମସ୍ୟା

By Sambad | Date: Dec 9 2016 11:44AM
ବିମୁଦ୍ରାକରଣକୁ ମାସେ, ସୁଧୁରୁନି ସମସ୍ୟା


ପାରଳାଖେମୁଣ୍ଡି/ଆର.ଉଦୟଗିରି:  ୫ଶହ ଓ ହଜାରେ ଟଙ୍କିଆ ନୋଟ୍‌ ବିମୁଦ୍ରାକରଣର ୩୦ ଦିନ ପରେ ମଧ୍ୟ ପାରଳାଖେମୁଣ୍ଡି ତଥା ଆର.ଉଦୟଗିରିରେ ସ୍ଥିତି ବଦଳିନି। ଅବଶ୍ୟ ଏଟିଏମ୍‌ରେ ଲମ୍ବା ଧାଡି କମିଛି। ସହରର ବିଭିନ୍ନ ବ୍ୟାଙ୍କ ଗୁଡିକର ଏଟିଏମ୍‌ରେ ଟଙ୍କାର ଅଭାବ ସହ ଖୁଚୁରାର ଅଭାବ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଯେଉଁ ସାଧାରଣ ଲୋକ ଓ ବ୍ୟବସାୟୀ ପ୍ରଧାନମନ୍ତ୍ରୀଙ୍କୁ କଳାଧନ ଧରିବା ପାଇଁ ବିମୁଦ୍ରାକରଣ ଯୋଜନାକୁ ସହଯୋଗର ହାତ ବଢାଇଥିଲେ, ସେମାନେ ଏହି ଯୋଜନାର ସଫଳତାକୁ ନେଇ ଦ୍ୱନ୍ଦରେ ଫସିଗଲେଣି । ବିଶେଷ କରି ଖୁଚୁରା ବ୍ୟବସାୟୀମାନେ ବାରମ୍ବାର ବ୍ୟାଙ୍କ ଯିବା ପାଇଁ ବାଧ୍ୟ ହେଉଛନ୍ତି।

  ବିନା ନଗଦ କାରବାର (କ୍ୟାସ୍‌ଲେସ୍‌)କୁ କାର୍ଯ୍ୟକାରୀ କରିବା ପାଇଁ ଅସଫଳ ହେଉଛନ୍ତି । ସ୍ୱାଇପ୍‌ ମେସିନ୍‌ ମାଧ୍ୟମରେ ଏଟିଏମ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ବ୍ୟବହାର କରିବାର ଅଭ୍ୟାସ ସାଧାରଣ ଲୋକ ଅବଗତ ନ ଥିବା ଯୋଗୁଁ ଏହା ମଧ୍ୟ ବେପାର ଉପରେ ପ୍ରଭାବ ପକାଇଛି । କିଛି ଦୋକାନୀ କ୍ୟାସ୍‌ଲେସ୍‌ ପିଓଏସ ସେଣ୍ଟର ଖୋଲିଥିଲେ ମଧ୍ୟ ସାଧାରଣ ଗ୍ରାହକଙ୍କ ପାଖରେ ଏଟିଏମ୍‌ କାର୍ଡ ନଥିବାରୁ କାରବାର କରିବା ମୁସ୍କିଲ ହୋଇଛି। ଖୁଚୁରା ଅଭାବ ଏବଂ ପ୍ଲାଷ୍ଟିକ ମନି(ଏଟିଏମ୍‌ କାର୍ଡ)ର ଅଭାବ ବଜାରକୁ ମାନ୍ଦା କରିଦେଇଛି।  ଆଗକୁ ଖ୍ରୀଷ୍ଟ୍‍ମାସ । ଗୁମ୍ମା ବ୍ଲକ ବାସିନ୍ଦାମାନେ ବଡଦିନ ପାଳନକୁ ନେଇ ଚିନ୍ତାରେ ।

ଉକ୍ତ ବ୍ଲକର ଗୋଟିଏ ଏଟିଏମ୍‌ରେ ସବୁବେଳେ ଟଙ୍କାର ଅଭାବ ଥିବା ବେଳେ ସ୍ଥାନୀୟ ଦୁଇଟି ବ୍ୟାଙ୍କରେ ଖୁଚୁରା ଟଙ୍କାର ଅଭାବ । ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇଲେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍‌ ଗ୍ରାହକଙ୍କୁ ଦିଆଯାଉଥିବା ଯୋଗୁଁ ଏହାକୁ ସେମାନେ ପୁନର୍ବାର ସହରକୁ ଆଣି ହିଁ ଖର୍ଚ କରୁଛନ୍ତି । ପାରଳାଖେମୁଣ୍ଡିରେ ବିଭିନ୍ନ ବାହାଘରରେ ଆୟୋଜକ ମାନେ ଖୁଚୁରା ଟଙ୍କାର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାରେ । ଏହା ସହ ବ୍ୟାଙ୍କ ଜରିଆରେ ଅଧିକ ଟଙ୍କା ଜମା କରି ଖର୍ଚ କରିବା ପାଇଁ ସାହାସ କରିପାରୁନାହାନ୍ତି ମଧ୍ୟବିତ୍ତ ପରିବାର ସଦସ୍ୟମାନେ ।

ଏମାନେ ଭୟଭୀତ  କି ଏହି ଟଙ୍କା ବିଷୟରେ ତଥ୍ୟ ବ୍ୟାଙ୍କ ଜରିଆରେ ଆୟକର ବିଭାଗ ନିକଟରେ ପହଂଚିଲେ ସେମାନେ ଅସୁବିଧାରେ ପଡିବେ । ବାହାଘର ପାଇଁ ସୁନା ଓ ରୁପା କ୍ରୟ କରିବା ପାଇଁ ଭୟଭୀତ  ହେଉଛନ୍ତି ସାଧାରଣ ଲୋକ। କାରଣ ଏହାକୁ ବିକ୍ରୟ କରୁଥିବା ଦୋକାନୀ ମାନେ ବିଭିନ୍ନ ତଥ୍ୟ ଗ୍ରାହକଙ୍କର ମାଗୁଛନ୍ତି । ରାଜ୍ୟ ସରକାରଙ୍କର ବାରମ୍ବାର ନିବେଦନ ସତ୍ତ୍ୱେ ସମବାୟ ବ୍ୟାଙ୍କ ଗୁଡିକରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍‌ ଗ୍ରହଣ ହୋଇପାରୁନଥିବା ଯୋଗୁଁ ଉକ୍ତ ବ୍ୟାଙ୍କ ଗୁଡିକରେ ଲୋକଙ୍କ ଜମା ବିଶେଷ କରି ଋଣ ପୈଠ ଗୁଡିକ ୯୦ ପ୍ରତିଶତ ହ୍ରାସ ପାଇଛି ବୋଲି ଅର୍ବାନ ବ୍ୟାଙ୍କର ସଂପାଦକ ସୂଚନା ଦେଇଛନ୍ତି।

ନୂତନ ୫୦୦ ଟଙ୍କିଆ ନୋଟର ସଂଚାଳନ ଏବଂ ଏହା ଆବଶ୍ୟକ ପରିମାଣରେ ପାରଳାଖେମୁଣ୍ଡି ବ୍ୟାଙ୍କ ଗୁଡିକରେ ହୋଇପାରିନଥିବା ଯୋଗୁଁ ବ୍ୟାଙ୍କ ଗୁଡିକ ଉପରେ ଅନାବଶ୍ୟକ ଚାପ ସୃଷ୍ଟି ହେଉଛି । ଡିସେମ୍ବର ୩୦ ସୁଦ୍ଧା  ଏହି ସମସ୍ୟା ଗୁଡିକର ସମାଧାନ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା ଭରସାରେ ବ୍ୟବସାୟୀ ଓ ସାଧାରଣ ଲୋକ  ।