21 January 2017
3:29:35 AM
image
Sambad News
ଗଜପତି

ବିମୁଦ୍ରୀକରଣର ୩୧ ଦିନ ପରେ...

ବ୍ୟାଙ୍କ ଓ ଏଟିଏମ୍‌ରେ ଧାଡ଼ି କମୁନି

By Sambad | Date: Dec 10 2016 11:47AM
ବିମୁଦ୍ରୀକରଣର ୩୧ ଦିନ ପରେ...



ପାରଳାଖେମୁଣ୍ଡି : ବିମୁଦ୍ରୀକରଣର ୩୧ ଦିନ ପରେ ମଧ୍ୟ ଗଜପତି ବ୍ୟାଙ୍କ ଏବଂ ଏଟିଏମ୍‌ଗୁଡ଼ିକରୁ ଲୋକଙ୍କ ଭିଡ଼ କମି ନାହିଁ । ଲୋକେ ସେମିତି ଧାଡ଼ି ହୋଇ ବହୁ ସମୟ ଧରି ଛିଡ଼ା ହେବା ପରେ ଯାଇ ଆବଶ୍ୟକୀୟ ଟଙ୍କା ନେଇ ଫେରୁଥିବା ଦେଖାଯାଇଛି । ମାସେ ପୂରିଯିବା ପରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଟଙ୍କାର ଅଭାବ ଲାଗିରହଥିବା ଆଜି ଦୁଇଟି ଏଟିଏମ୍‌ ସମ୍ମୁଖରେ ଲମ୍ବା ଲାଇନରୁ ଜଣାପଡ଼ିଛି । ଆଜି ମଧ୍ୟାହ୍ନ ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ସନ୍ଧ୍ୟା ସମୟରେ ୟୁନିଅନ ବ୍ୟାଙ୍କ ପକ୍ଷରୁ ଟଙ୍କା ଜମା ହେବା ପରେ ସେହି ଟଙ୍କାକୁ ଉଠାଇବା ପଇଁ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳଥିଲା ।
   

ପାରଳ ପୌରପାଳିକାରେ ପ୍ରାୟ ୨୪ଟି ସରକାରୀ ଓ ଘରୋଇ ବ୍ୟାଙ୍କ ରହିଥିବା ବେଳେ  ୫ଟି ସମବାୟ ବ୍ୟାଙ୍କ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏ.ଟି.ଏମ୍‌ରେ ଟଙ୍କା ବାହାର କରିବା ପାଇଁ ଦିନ ରାତି ଭିଡ଼ ଜମୁଥିବା ବେଳେ ଏ.ଟି.ଏମ୍‌ ମ୍ୟାସିନରେ ଟଙ୍କା ଜମା ହେବା ମାତ୍ରେ ଘଣ୍ଟାକରୁ ଦୁଇ ଘଣ୍ଟା ମଧ୍ୟରେ ସରିଯାଉଛି । ଗ୍ରାମାଞ୍ଚଳରୁ ବିଶେଷ କରି ରାୟଗଡ଼, ଗୋଷାଣୀ, ଗୁମ୍ମା ଏବଂ କାଶୀନଗର ବ୍ଲକରୁ ବହୁ ସଂଖ୍ୟାରେ ବ୍ୟବସାୟୀ, ଛାତ୍ରଛାତ୍ରୀ, ଚାଷୀ, ଗୃହିଣୀ ଏ.ଟି.ଏମ୍‌ଗୁଡ଼ିକ  ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟଙ୍କା ଉଠାଉଥିବା ଦେଖାଯାଇଛି ।

 

ବ୍ଲକ ଗୁଡିକରେ ମାତ୍ର ଗୋଟିଏ କିମ୍ବା ଦୁଇଟି ଏ.ଟି.ଏମ୍‌ ସ୍ଥାପନ କରାଯାଇଥିବା ବେଳେ ବ୍ୟାଙ୍କର ସଂଖ୍ୟା ମଧ୍ୟ ୧ କିମ୍ବା ୨ । ହାତଋଣ ଉପରେ ନିର୍ଭର କରୁଥିବା ଗରିବ ଲୋକମାନେ ସାହୁକାରମାନଙ୍କ ଠାରୁ ଋଣ ବାବଦରେ ୫୦୦ ଟଙ୍କା ନୋଟ ପାଉଛନ୍ତି ।  ଏଭଳି ୪ଟି ୫୦୦ ଟଙ୍କିଆ ନୋଟ ଧରି ପାରଳା ମୁଖ୍ୟ ଚିକିତ୍ସାଳୟକୁ  ଶିଶୁର ଚିକିତ୍ସା ପାଇଁ କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତର ଗାଲି. ଶ୍ରୀରାମୁଲୁ  ପହଞ୍ଚିଥିଲେ । ଡାକ୍ତରଖାନାରେ  ମାଗଣା ଚିକିତ୍ସା ସତ୍ୱେ  ଅନ୍ୟ ଖର୍ଚ୍ଚ ପାଇଁ ତାଙ୍କର ଏକ ମାତ୍ର ସାହାରା ଥିଲା ଏହି ୫୦୦ ଟଙ୍କିଆ ନୋଟ । ପାରଳାଖେମୁଣ୍ଡିରେ ରାମୁଲୁଙ୍କ ବ୍ୟାଙ୍କ ଜମା ଖାତା ନଥିବା ବେଳେ ଏହାକୁ ବଦଳାଇବା ପାଇଁ ଏକମାତ୍ର ସାହାରା ହୋଇଥିଲା ସ୍ଥାନୀୟ ଔଷଧ ଦୋକାନ । 
   

ରାମୁଲୁଙ୍କ ପରି ବହୁ ସଂଖ୍ୟାରେ ଗରିବ ଓ ଦିନ ମଜୁରିଆ ଏଭଳି ଅବସ୍ଥାରେ ଟଙ୍କା ଜମା କରିବା ପରେ ମଧ୍ୟ ବ୍ୟାଙ୍କରୁ ନିଜ ଟଙ୍କା ଉଠାଇ ପାରୁନାହାନ୍ତି। ସେହିଭଳି, ପାରଳାଖେମୁଣ୍ଡିରେ ବିଭିନ୍ନ ଛାତ୍ରାବାସର ଛାତ୍ରଛାତ୍ରୀମାନେ ମଧ୍ୟ ସମସ୍ୟାରେ ଜର୍ଜ୍ଜରିତ ହୋଇ ପଡ଼ିଛନ୍ତି । ଘରୁ ଟଙ୍କା ଆସି ବ୍ୟାଙ୍କରେ ଜମା ଥିବା ବେଳେ ସେମାନେ ଉଠାଇବା ପାଇଁ ଏ.ଟି.ଏମ୍‌ ଉପରେ ନିର୍ଭର କରୁଛନ୍ତି। ହେଲେ, ଧାଡ଼ି ଲମ୍ବା ଥିବାରୁ ସେମାନଙ୍କର ବହୁ ସମୟ ନଷ୍ଟ ହୋଇଯାଇଛି । ଏପଟେ ଚାଷୀମାନେ ନିଜ ଧାନ କିଛି ବେସରକାରୀ ମିଲରମାନଙ୍କୁ ବିକ୍ରୟ କରିବା ପରେ ବିମୁଦ୍ରୀକରଣ ପ୍ରଭାବରୁ ଟଙ୍କା ପାଇପାରୁନଥିବା ଜଣାପଡ଼ିଛି ।