24 July 2017
8:15:48 AM
image
Sambad News
ଗଜପତି

ବାରଣ୍ଡାରେ ଲୋଟିଲା ମମତା

ଡାକ୍ତର ନର୍ସ ଶୁଣିଲେନି, ଆଖି ବୁଜିଲା ନବଜାତ

By Sambad | Date: Dec 12 2016 12:00PM
ବାରଣ୍ଡାରେ ଲୋଟିଲା ମମତା


ତୁମୁଡ଼ିବନ୍ଧ: ସରକାର ଗର୍ଭବତୀ ଓ ନବଜାତକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ସେସବୁର ଫାଇଦା ହିତାଧିକାରୀଙ୍କୁ ମିଳୁନଥିବାର ନଜିର୍‌ ପୁଣି ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅଣଦେଖାରୁ ଜଣେ ପ୍ରସୂତି ବାରଣ୍ଡାରେ ଛୁଆ ପ୍ରସବ କରିବା ଏବଂ ପରେ ଚିକିତ୍ସା ସୁବିଧା ନପାଇ ନବଜାତର ମୃତ୍ୟୁ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
 

ତୁମୁଡ଼ିବନ୍ଧ ବ୍ଲକ୍‌ କୁର୍ତ୍ତମଗଡ଼ ପଞ୍ଚାୟତର ବୁଦୁଲିପଦର ନିକଟ ସିନେମିଲା ଗ୍ରାମର ଅନୀଲ ଦିଗାଲଙ୍କ ଗର୍ଭବତୀ ପତ୍ନୀ ମିତା ଦିଗାଲ ଗତ ୯ ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାଁଠାରୁ ୨୫ କିମି ଦୂର ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେହି ସମୟରେ ଡାକ୍ତର ତାଙ୍କୁ ଉଚ୍ଚ ରକ୍ତଚାପ ଥିବା କହି ଔଷଧ ଦେଇଥିଲେ। ଔଷଧ ଖାଇବା ପରେ ତା’ ପରଦିନ ଚେକ୍‌ଅପ୍‌ ସମୟରେ ସ୍ଥିତି ସୁଧୁରିଛି ବୋଲି ଆଶ୍ୱାସନା ଦେବା ସହ ଆହୁରି ୧୫ରୁ ୨୦ଦିନ ପ୍ରସବ ସମୟ ରହିଥିବା କହି ଘରକୁ ଫେରାଇ ଦେଇଥିଲେ।  କିନ୍ତୁ ଗତକାଲି ଘରକୁ ଫେରିବା ପରେ ମିତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ୧୦୨ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ

ଆମ୍ବୁଲାନସ ଆସିବାରେ ଡେରି କରିଥିଲା। ଏହା ଭିତରେ ପରିବାର ଲୋକେ ଅନ୍ୟ ଗାଡ଼ି ଓ ଅଟୋ ବି ପାଇ ନଥିଲେ। ତେବେ ଦୁଇ ଘଣ୍ଟା ପରେ ରାତି ୧୦ଟାରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଏବଂ ମିତାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ରାତି ପ୍ରାୟ ୧୧ଟାରେ ବାରଣ୍ଡାରେ ଛାଡ଼ିି ଦେଇ ଚାଲିଯାଇଥିଲା।
 

ଏହି ସମୟରେ ଡାକ୍ତରଖାନାରେ କେହି ନଥିଲେ। ମିତାଙ୍କ  ସହିତ ସ୍ୱାମୀ ଅନୀଲ ଓ ମା’ ରହିଥିଲେ। ସେମାନେ ମେଡିକାଲ ଭିତରେ ଗୋଟିଏ ଦୁଇଟି ଘରକୁ ଯାଇ କବାଟ ବାଡ଼େଇଥିଲେ ବି କେହି ଶୁଣିନଥିଲେ। ଏପରିକି ଜଣେ ନର୍ସଙ୍କ ଘରକୁ ଯାଇ କବାଟ ବାଡ଼େଇଲେ। ତେବେ ନର୍ସ ଜଣଙ୍କ ଡ୍ୟୁଟି ନାହିଁ କହି କବାଟ ଖୋଲିନଥିଲେ। ଏତିକି ବେଳେ ମିତା ବାରଣ୍ଡାରେ ହିଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ଜଣେ ସ୍ୱିପର ଆସି ବାରଣ୍ଡାରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ମିତାଙ୍କୁ ଭିତରକୁ ନେଇଥିଲେ। ଏହାର କିଛି ସମୟ ପରେ ନବଜାତକର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଷ୍ଟାଫ୍‌ ନର୍ସ ରମା ସୁନ୍ଦରୀ ବାଡ଼ିଆ ଆସି ମିତାର ଚିକିତ୍ସା କରିବା ସହ ଡାକ୍ତରଖାନାରେ କୌଣସି ଡାକ୍ତର ନଥିବା କହିଥିଲେ। ତେବେ ମିତାଙ୍କ ଚିକିତ୍ସାରେ ଏପରି ଉପେକ୍ଷା ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।
 

ଅପରପକ୍ଷେ, ଏହି ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ୍‌ କହିିଛନ୍ତି। ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକଙ୍କୁ ଠିକ୍‌ ଭାବେ ସ୍ୱାସ୍ଥ୍ୟସେବା ମିଳୁନାହିଁ। କୁର୍ତ୍ତମଗଡ଼ରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ତାହା ମଧ୍ୟ ଉଦ୍‌ଘାଟନ ନ ହୋଇଥିବାରୁ ଲୋକଙ୍କ ସେବାରେ ଲାଗୁନି। କେନ୍ଦ୍ର ଯୋଜନାରୁ ଆସୁଥିବା କୋଟି କୋଟି ଟଙ୍କା ଠିକ୍‌ ଭାବରେ ଖର୍ଚ୍ଚ କରାଯାଉନାହିଁ। ଫଳରେ ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳରେ ମା’ ଓ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ରହିଛି । ଯଦି ସରକାର ଏବେଠାରୁ ପଦକ୍ଷେପ ନ ନିଅନ୍ତି କନ୍ଧମାଳର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ଓ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସି ରାଜ୍ୟ ସରକାରଙ୍କର ବିଫଳତା ଉପରେ ବଖାଣିବ ବୋଲି ସେ କହିଛନ୍ତି।