21 January 2017
11:45:40 AM
image
Sambad News
ଗଜପତି

ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ରା.ଉଦୟଗିରି ବନ୍ଦ

By Sambad | Date: Dec 14 2016 1:32AM
ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ରା.ଉଦୟଗିରି ବନ୍ଦ


ରା.ଉଦୟଗିରି: ବିଭିନ୍ନ ଗ୍ରାମରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ (ପାଣ ଖ୍ରୀଷ୍ଟିଆନ) ପକ୍ଷରୁ ଆଜି ସାମାଜିକ ଉନ୍ନତି ଓ ବିଭିନ୍ନ ଦାବି ନେଇ ରା.ଉଦୟଗିରି ବ୍ଲକରେ ବନ୍ଦ ପାଳନ କରିଛନ୍ତି । ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ୧୫ଦଫା ଦାବି ପୂରଣ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
   

 ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ମଧ୍ୟାହ୍ନ ୨ଟା ପଯ୍ୟର୍ନ୍ତ ଚାଲିଥିଲା। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାଶରଥୀ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ, ଯୁଦ୍ଧିଷ୍ଠିର ବଡ଼ମୁଣ୍ଡି, ସଂଖ୍ୟାଲଘୁ ସଂପ୍ରଦାୟ ଉପସଭାପତି ଜୁଏଲ ମାଳି, ସଂପାଦକ ଜୁନେଶ ପାଣି, ଇସ୍ରାଏଲ ମାଳି, ଅଜିତ ଦଣ୍ଡସେନା, ସୁବଲଡ଼ା ସମିତି ସଭ୍ୟ ଗୋପାଳ ଦଳେଇ, ଛେଳିଗଡ଼ ସରପଞ୍ଚ ଜାକବ ମାଝିଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ କଲେଜ ଛକରୁ ଏକ ବିରାଟ ପଟୁଆରରେ ରାଲି ବାହାରିଥିଲା ।

ସରକାର ବିରୋଧୀ ଧ୍ୱନୀ ଦେଇ ସେମାନେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସାମାଜିକ ସୁରକ୍ଷା ସହ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ ଦାବି କରିଥିଲେ। କେନ୍ଦ୍ରରେ ମନମୋହନ ସିଂ ସରକାର ଥିବା ସମୟରେ ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ଯାହା କରାଯାଇଥିଲା ତାହା ବନ୍ଦ ହୋଇ ଯାଇଥିବାରୁ ଏହାକୁ ତ୍ରୀବ୍ର ବିରୋଧ କରାଯାଇଥିଲା । ପରେ, ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସର ବ୍ୟବସ୍ଥା, ଷ୍ଟାଇପେଣ୍ଡ ପ୍ରଦାନ, ଚାକିରୀ କ୍ଷେତ୍ରରେ ୨୨ ପ୍ରତିଶତ ସ୍ଥାନ ସଂରକ୍ଷଣ, ମହିଳାଙ୍କୁ ସାମାଜିକ ସୁରକ୍ଷା, ଆର୍ଥିକ ସୁରକ୍ଷା, ଏମ୍‌ଏସ୍‌ଡିପି ଯୋଜନାରେ ଗୃହହୀନଙ୍କୁ ଇନ୍ଦିରା ଆବାସ ଯୋଗାଣ ସହ ସମସ୍ତ ସରକାରୀ ସୁବିଧା ଉପଲବ୍ଧ, ଆର୍ଥିକ ପରିବାରଙ୍କୁ ଋଣ ଯୋଗାଣ ଆଦି ୧୫ ଦଫା ଦାବିଗୁଡ଼ିକୁ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
   

ଆଜିର ଆନ୍ଦୋଳନ କେବଳ ପ୍ରତୀକାତ୍ମକ ଥିଲା। ଯଦି ଦାବିଗୁଡିକ ପୂରଣ କରାନଯାଏ ତେବେ ଆଗାମୀ ଦିନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ମକର୍ତ୍ତାଗଣ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ବଣିକ ସଂଘ ଏହି ବନ୍ଦକୁ ସମର୍ଥନ କରିଥିବା ବେଳେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଥିଲା। ଛେଳିଗଡ ଓ ମହେନ୍ଦ୍ରଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ପଡିଥିବା ବେଳେ ରାମଗିରିରେ ଏହାର ପ୍ରଭାବ ଆଂଶିକ ଥିଲା। ସ୍ଥାନୀୟ ପୁଲିସ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ ।