20 August 2017
11:20:04 AM
Sambad News
ଗଜପତି

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ମେଡିକାଲରେ ହୋହଲ୍ଲା, ଡାକ୍ତର ନିଯୁକ୍ତି ଦାବି

By Sambad | Date: Dec 15 2016 11:23AM
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ


ଖଜୁରୀପଡା: ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ପ୍ରସବ ବେଳେ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ମାନେ ମେଡିକାଲରେ ହୋହଲ୍ଲା କରିଥିଲେ। ଖବରପାଇ ଖଜୁରୀପଡା ଥାନା ଅଧିକାରୀ ସନ୍ତୋଷ କୁମାର ଘଡେଇ ପହଞ୍ଚି ରୋଗୀ ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଗୁରୁତର ପ୍ରସୂତି ବିମଳା ଦିଗାଲଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଆଡମିଶନ କରାଯାଇଛି। ମେଡିକାଲରେ ପ୍ରସୂତି ବିଶେଷଜ୍ଞ ଡାକ୍ତର ସମେତ ବହୁ ଡାକ୍ତର ଅଭାବରୁ ଏଭଳି ଅସୁବିଧା ଦେଖାଦେଇଛି।

ଅତିଶୀଘ୍ର ନୂତନ ଡାକ୍ତର ନିଯୁକ୍ତି ସହ ମେଡିକାଲ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସବୁବେଳେ ରହିବାକୁ ଦାବି କରିଛନ୍ତି।
 

ଆଜି ଦିନ ସାଢ଼େ ୧୦ଟାରେ ପାପଲାପଡା ଗ୍ରାମର ବିମଳା ଦିଗାଲ ଗର୍ଭ ଯନ୍ତ୍ରଣା ହେଉଥିବା ହେତୁ ଖଜୁରୀପଡା ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଏହି ସମୟରେ ମେଡିକାଲ ଦାୟିତ୍ୱରେ ଥିବା ଡାକ୍ତର ତଥା ମେଡିସିନ ସ୍ପେଶାଲିଷ୍ଟ ମନୋଜ କୁମାର ପାଢ଼ୀ ଛୁଟିରେ ଥିଲେ। ଅନ୍ୟ ପ୍ରସୂତି ବିଶେଷଜ୍ଞ ନଥିବାରୁ ଜଣେ ଜୁନିଅର ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ହୋଇଥିଲା। କିନ୍ତୁ ଦୀର୍ଘ ସମୟ ଧରି ମେଡିକାଲ ବେଡ୍‌ରେ ଛଟପଟ ହେବା ପରେ ଗର୍ଭସ୍ଥ ଶିଶୁ ଜନ୍ମ ବେଳେ ମୃତ୍ୟୁ ଘଟିଥିବା ଡାକ୍ତର ପ୍ରକାଶ କରିଥିଲେ। ଏହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ହୋହଲ୍ଲା କରିବା ସହ ପାଟିତୁଣ୍ଡ କରିଥିଲେ।

ଥାନା ଅଧିକାରୀ ଶ୍ରୀ ଘଡେଇ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୂର୍ବରୁ ଏଠାରେ ସମସ୍ତ ଡାକ୍ତର ପଦବୀ ପୂରଣ ସହ ଅନ୍ୟାନ୍ୟ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲାପାଳ, ସିଡିଏମଓଙ୍କ ନିକଟରେ ଅଭିଯୋଗ ହୋଇଛି। ଏଠାରେ ଦାୟିତ୍ୱରେ ଥିବା ମେଡିକାଲ ଅଧିକାରୀ ବାରମ୍ବାର ଛୁଟିରେ ରହୁଥିବା ବି ଅଭିଯୋଗ ହେଉଛି। ଗତ ୧ମାସ ମଧ୍ୟରେ ୫ଦିନ ଛୁଟିରେ ରହିବାରୁ ଏଭଳି ସମସ୍ୟା ଦେଖାଦେଉଛି। ଏଣୁ ଏଠାରେ ସବୁଦିନିଆ ମେଡିକାଲ ଅଧିକାରୀ ନିଯୁକ୍ତି ଦାବି କରାଯାଇଛି। ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ବ୍ଲକ ବିଜେପି ସଭାପତି ଅନନ୍ତ ଦିଗାଲ ପ୍ରକାଶ କରିଛନ୍ତି।