22 February 2017
11:42:42 AM
Sambad News
ଗଜପତି

ଗଜପତି ଜିଲ୍ଲାପାଳଙ୍କ ଅଭିନବ ଯୋଜନା

ସବୁ ବ୍ଲକରେ ସହରାଞ୍ଚଳ ଭଳି ବ୍ୟବସ୍ଥା

By Sambad | Date: Dec 29 2016 11:46AM
ଗଜପତି ଜିଲ୍ଲାପାଳଙ୍କ ଅଭିନବ ଯୋଜନା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ସମସ୍ତ ବ୍ଲକ ସଦର ମହକୁମାକୁ ଆଧୁନିକୀକରଣ କରାଯିବା ସହ ସେଠାରେ ସହରାଂଚଳର ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଅଭିନବ ଯୋଜନାର ରୂପରେଖ ଆଜି ଜିଲ୍ଲାପାଳ ସୁଧାଂଶୁମୋହନ ସାମଲ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାକୁ ଏକ ଆଦର୍ଶ ଏବଂ ସୁନ୍ଦର ଜିଲ୍ଲାରେ ପରିବର୍ତ୍ତନ ପାଇଁ ସେ ପରିକଳ୍ପନା କରିଛନ୍ତି। ଜିଲ୍ଲାର ସାତଗୋଟି ବ୍ଲକରେ ଜନସାଧାରଣଙ୍କ ମନୋରଂଜନ ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବ । ପ୍ରତି ବ୍ଲକ ମୁଖ୍ୟାଳୟରେ ଗୋଟିଏ  ଆଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ । କଲ୍ୟାଣ ମଣ୍ଡପ ସହ ବହୁମୁଖୀ କାଯ୍ୟର୍ରେ ବିନିଯୋଗ ହୋଇପାରୁଥିବା ବୃହତ କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ମଧ୍ୟ ଯୋଜନା ହେଉଛି ।

ବ୍ଲକ ମୁଖ୍ୟାଳୟ ନିକଟରେ ଥିବା ସରକାରୀ ପୋଖରୀ ବା ବନ୍ଧର ପୁନରୁଦ୍ଧାର ହେବ । ଏହାର ଚାରିପଟ ହୁଡ଼ାରେ ବିଭିନ୍ନ ଫୁଲଗଛ ଲଗାଯିବା ସହିତ ଲୋକମାନଙ୍କ ବସିବା ପାଇଁ ସିମେଣ୍ଟ ବେଂଚ ହେବ । ରାସ୍ତାରେ ଉଜ୍ଜଳ ଆଲୋକ ଲଗାହେବ ଅନ୍ୟୁନ ତିନିଚାରିଗୋଟି ସର୍ବସାଧାରଣ ଶୌଚାଳୟ ନିର୍ମାଣ ହେବ ।  ରାସ୍ତାକଡମାନଙ୍କରେ ପାନୀୟ ଜଳ ପଏଣ୍ଟ ରହିବ । ପାର୍କ ନିର୍ମାଣ ସହିତ ସେଠାରେ ପିଲାମାନଙ୍କ ଖେଳ ସାମଗ୍ରୀର ବ୍ୟବସ୍ଥା ହେବ । ଗୁମ୍ମା ଏବଂ ମୋହନାର ରାସ୍ତା ପ୍ରଶସ୍ତୀକରଣ ହେବା ସହିତ ଉଭୟ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ ରହିବ । ବସ୍‌ଷ୍ଟାଣ୍ଡ ପାଇଁ  ୨୦ରୁ୨୫ ଲକ୍ଷ ଟଙ୍କା ବ୍ୟୟ ହେବ ।

କଲ୍ୟାଣ ମଣ୍ଡପ ପାଇଁ ୩୦ରୁ୩୫ ଲକ୍ଷ, ଷ୍ଟ୍ରିଟ ଲାଇଟ ପାଇଁ ୪ରୁ ୧୦ ଲକ୍ଷ ଏବଂ  ପାନୀୟ ଜଳ ପାଇଁ ୫ରୁ ୭ଲକ୍ଷ, ବନ୍ଧ ପୁନରୁଦ୍ଧାର ପାଇଁ ୫ରୁ୭ ଲକ୍ଷ ଟଙ୍କା ବ୍ୟୟ ହେବ  । ରା.ଉଦୟଗିରିରେ ୫ ଲକ୍ଷ ଏବଂ ମୋହନାରେ ୩୫ ଲକ୍ଷ  ଟଙ୍କା ବ୍ୟୟରେ ପାର୍କ କାମ ଆଗେଇ ଚାଲିଛି । ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବି.ଆର୍‌.ଜି.ଏଫ୍‌ , ବିଜୁ କନ୍ଧମାଳ - ଗଜପତି ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଆଇ.ଏ.ପି ପ୍ରଭୂତି ଯୋଜନାର ଅର୍ଥ ସମ୍ମିଳିତ ଭାବେ ଏହି କାଯ୍ୟର୍ରେ ବିନିଯୋଗ କରାଯିବ ବୋଲି ସେ କହିଛନ୍ତି ।