29 March 2017
10:51:54 AM
Sambad News
ରାଜ୍ୟ

ଚାଷୀଙ୍କ ଶବ ନେବାକୁ ମିଳିଲାନି ଗାଡ଼ି : ଦୋଳାରେ ନେଇ ରାସ୍ତାରୋକ

By Sambad | Date: Jan 3 2017 5:58AM
ଚାଷୀଙ୍କ ଶବ ନେବାକୁ ମିଳିଲାନି ଗାଡ଼ି : ଦୋଳାରେ ନେଇ ରାସ୍ତାରୋକ

ସୋରଡ଼ା : ଚାଷୀଙ୍କ ଶବ ନେବା ପାଇଁ ଶବବୁହା ଗାଡ଼ି ନମିଳିବା ଓ ପରିବାର ଲୋକେ ଦୋଳା କରି  ଏହାକୁ ବୋହି ନେବା ଘଟଣାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଉତ୍ତେଜନା ଦେଖାଦେଇଛି। ବିଜେପି କର୍ମୀଙ୍କ ସମେତ ଶତାଧିକ ଲୋକ ଆଜି ସକାଳ ୧୧ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ସୋରଡ଼ା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିିଡିଓ ସଦାନନ୍ଦ ସେଠୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ୧୦୨ ଆମ୍ବୁଲାନସ ଯୋଗେ ମରଶରୀରକୁ ଗ୍ରାମକୁ ନେବା ପାଇଁ ବ୍ୟବସ୍ଥା କରାଯିବା ପରେ ଅବରୋଧ ହଟିଥିଲା। 
 
ସୋରଡ଼ାଠୁ ୩ କିଲୋମିଟର ଦୂର ହୁକୁମା ଗ୍ରାମର ଚାଷୀ ବିପିନ ଦାସ (୬୦) ଆଜି ବିଲରେ ହଳ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତର ବିପିନଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଶବକୁ ନେବା ପାଇଁ ଡାକ୍ତରଖାନାରେ ବ୍ୟବହୃତ ହେଉଥିବା ଏକ ଆମ୍ବୁଲାନ୍ସ ମଗାଯାଇଥିଲା। ହେଲେ ଶବ ନେବାକୁ ଆମ୍ବୁଲାନ୍ସ ସୁବିଧା ନଥିବା ଡାକ୍ତର କହିବା ପରେ ପରିବାର ଲୋକେ କୌଣସି ଉପାୟ ନପାଇ ଦୋଳା କରି ଶବକୁ ପାଖାପାଖି ଗୋଟିଏ କିଲୋମିଟର ନେବାକୁ ବାଧ୍ୟ ହୋଇଥିଲେ। ତେବେ ସୋରଡ଼ା ଅଞ୍ଚଳବାସୀ ଏଭଳି ଦୃଶ୍ୟ ଦେଖି ତାଜୁବ୍‌ ହୋଇଯାଇଥିଲେ। ଅଧାବାଟରୁ କିଛି ସ୍ଥାନୀୟ ଲୋକ ଓ ବିଜେପି କର୍ମୀ ଶବକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଖକୁ ଫେରାଇ ନେଇଥିଲେ। 
 
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡାଙ୍କ ନେତୃତ୍ୱରେ କର୍ମୀମାନେ ସୋରଡ଼ା-ବ୍ରହ୍ମପୁର ରାସ୍ତା ଉପରେ ଶବ ରଖି ଅବରୋଧ କରିଥିଲେ। ଆମ୍ବୁଲାନ୍ସ ନମିଳିବା ପର୍ଯ୍ୟନ୍ତ ଅବରୋଧ ହଟିବନି ବୋଲି ଜିଦ୍‌ରେ ଅଡ଼ି ବସିବାରୁ ପରିସ୍ଥିତି ଅଶାନ୍ତ ହୋଇ ଉଠିଥିଲା। ଉଭୟ ପାର୍ଶ୍ୱରୁ ବସ୍‌ ଓ ବିଭିନ୍ନ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ବିଡିଓ ସେଠାରେ ପହଞ୍ଚି ଶବ ନେବାକୁ ୧୦୨ ଆମ୍ବୁଲାନ୍ସର ସୁବିଧା କରିବା ପରେ ଅବରୋଧ ହଟିଥିଲା। ଏନେଇ ଆଜି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ୧୦୮ ଓ ୧୦୨ ଆମ୍ବୁଲାନସରେ ଶବ ନିଆଯାଇପାରିବ ନାହିଁ। ଏହା କେବଳ ରୋଗୀ ସେବା ପାଇଁ ଉର୍ଦ୍ଦିଷ୍ଟ। ତେବେ ସାଂପ୍ରତିକ ସ୍ଥିତିରେ କିଛି ଜାଗାରେ ଶବ ନେବାରେ ସମସ୍ୟା ଉପୁଜିଛି। ଏଥିପାଇଁ କିଛି ସମ୍ବେଦନଶୀଳ ବ୍ଲକ୍‌ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଯୋଜନା ଗାଡ଼ିର ଆବଶ୍ୟକତା ରହିଛି। ବର୍ତମାନ କେବଳ ବ୍ରହ୍ମପୁର ବଡ଼ମେଡିକାଲରେ ୨ଟି ଓ ଭଞ୍ଜନଗର ଉପଖଣ୍ଡ ଡାାକ୍ତରଖାନାରେ ଗୋଟିଏ ମହାପ୍ରୟାଣ ଶବବୁହା ଗାଡ଼ି ରହିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ।