22 February 2017
11:42:22 AM
Sambad News
ଗଞ୍ଜାମ

ପାରଳା ପାଲେସ୍‌ ଫେରିବାକୁ ଗୋପୀନାଥ ଗଜପତି ଅନିଚ୍ଛୁକ

By Sambad | Date: Jan 5 2017 2:58AM
ପାରଳା ପାଲେସ୍‌ ଫେରିବାକୁ ଗୋପୀନାଥ ଗଜପତି ଅନିଚ୍ଛୁକ

ପାରଳାଖେମୁଣ୍ଡି : ଗତକାଲି ପାରଳା ମହାରାଜା ଗୋପୀନାଥ ଗଜପତି ପାରଳାଖେମୁଣ୍ଡି ଆସିବା ସକାଶେ ସମସ୍ତ ପ୍ରସ୍ତୁତି ସରିଥିଲା। ତେବେ, ଶେଷ ମୂହୁର୍ତ୍ତରେ ଅସୁସ୍ଥତା କାରଣରୁ ଚେନ୍ନାଇ ବିମାନ ବନ୍ଦରରୁ ହିଁ ପିତାଙ୍କୁ ନେଇ ପୁନର୍ବାର ଆପୋଲୋ ହସପିଟାଲକୁ ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ଫେରିବାକୁ ପଡ଼ିଥିଲା। କିନ୍ତୁ, ଗତକାଲି ଚେନ୍ନାଇ ବିମାନ ବନ୍ଦରରେ ସେ ସମୟରେ ଉପସ୍ଥିତ ଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗୋପୀନାଥ ଗଜପତି ପାରଳା ଫେରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ସେ ଅସୁସ୍ଥ ଥିବା ସତ୍ତ୍ୱେ ବିମାନ ବନ୍ଦରରେ ତାଙ୍କୁ ବର୍ତମାନ ପାରଳା କାହିଁକି ନିଆଯାଉଛି ବୋଲି କୁଆଡ଼େ ଇଙ୍ଗିତ କରିଥିଲେ। 

 
ଏଭଳିକି ସେ ରାଗି ଯାଇ ନିଜ ହ୍ଵିଲ ଚେୟାରରୁ ଓହ୍ଲାଇ ପଡ଼ିବା ପାଇଁ ପ୍ରୟାସ କରିଥିଲେ ଯାହାକି ବିମାନ ବନ୍ଦରର ସୁରକ୍ଷା କର୍ମୀଙ୍କ ନଜରକୁ ଆସିଥିଲା। ସ୍ପାଇସ୍‌ ଜେଟ୍‌ ବିମାନରେ ଟିକଟ ସଂରକ୍ଷିତ ହୋଇଥିବା ସତ୍ତ୍ୱେ ଗୋପୀନାଥ ଗଜପତିଙ୍କ ପ୍ରତିବାଦସୂଚକ ପ୍ରତିକ୍ରିୟା କାରଣରୁ ହିଁ ତାଙ୍କୁ ପୁନର୍ବାର ଆପୋଲୋ ହସପିଟାଲକୁ ଫେରାଇ ନିଆ ଯାଇଥିବା ଜଣାପଡ଼ିଛି। ଗଜପତି ବର୍ତ୍ତମାନ ପାରଳାଖେମୁଣ୍ଡି ଆସିବା ପାଇଁ ଅନିଚ୍ଛୁକ ଥିବା ବେଳେ ସେ ଚେନ୍ନାଇରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଏହି ସୂତ୍ରରୁ ପ୍ରକାଶ। ଆସନ୍ତା ୨ଦିନ ମଧ୍ୟରେ ଏହା ଉପରେ ତାଙ୍କ ଝିଅ କଲ୍ୟାଣୀ ନିଷ୍ପତ୍ତି ନେଇପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ।