18 January 2017
7:35:38 PM
Sambad News
ଗଞ୍ଜାମ

ଘରେ ପଶି ଯୁବତୀଙ୍କୁ ଗଣଦୁଷ୍କର୍ମ : ୬ ଅଭିଯୁକ୍ତ ଅଟକ

By Sambad | Date: Jan 6 2017 1:51AM
ଘରେ ପଶି ଯୁବତୀଙ୍କୁ ଗଣଦୁଷ୍କର୍ମ : ୬ ଅଭିଯୁକ୍ତ ଅଟକ
Photo by : timesofindia.indiatimes.com

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ମଲାଡ଼ ଗ୍ରାମରେ ଜଣେ ଯୁବତୀଙ୍କୁ ତାଙ୍କ ଘରେ ପଶି ଜବରଦସ୍ତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀଙ୍କ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ ସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। 
 
ଏତଲା ଅନୁସାରେ, ଗତ ୩୧ ତାରିଖରେ ଗ୍ରାମର କିଛି ଯୁବକ ଠାକୁରାଣୀ ମନ୍ଦିରରେ ଜିରୋ ନାଇଟ୍‌ ଭୋଜି କରିଥିଲେ। ରାତି ପ୍ରାୟ ୧୧ଟାରେ ୬ଜଣ ଯୁବକ ଉକ୍ତ ଯୁବତୀଙ୍କ ଘର କବାଟ ବାଡ଼େଇଥିଲେ। ପରିବାର ଲୋକେ କବାଟ ଖୋଲିବା କ୍ଷଣି ଯୁବକମାନେ ଧସେଇ ପଶି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ଲୋକଲଜ୍ଜା ଭୟରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା  ଦିଆଯାଇ ନଥିଲା। 
 
ଧୀରେ ଧୀରେ ଏହି ଘଟଣା ଗାଁରେ ପ୍ରଘଟ ହେବା ପରେ ଗତ ୨ ତାରିଖରେ ଆପୋଷ ସମାଧାନ ପାଇଁ କୁଳ ବୈଠକ ଡକାଯାଇଥିଲା। ମାମଲାକୁ ରଫାଦଫା କରିବା ସହ ଯୁବତୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ହେଲେ ଯୁବତୀଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। କିଛି ଗ୍ରାମବାସୀ ଯୁବତୀଙ୍କ ପରିବାର ଲୋକଙ୍କୁ ସମର୍ଥନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୬ରୁ ୭ଜଣ ଯୁବକ ଗତକାଲି ପୁଣି ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକଚମକ ଦେଇଥିଲେ। ଏହା ପରେ ରାତି ପ୍ରାୟ ୮ରେ ସଂପୃକ୍ତ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ। ରାତାରାତି ପୁଲିସ ଚଢ଼ଉ କରି ୬ଜଣଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କୁ ବର୍ତମାନ ଅଟକ ରଖି ପଚରାଉଚରା କରାଯାଉଛି। ଏହି ଘଟଣାକୁ ନେଇ ଆଜି ଗାଁରେ ସାରାଦିନ ଚାପା ଉତ୍ତେଜନା ଲାଗି ରହିଛି।