28 March 2017
6:00:50 AM
Sambad News
ରାଜ୍ୟ

‘ସମ୍ବାଦ’ର ପାଠକ ମଞ୍ଚରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ନବୀନଙ୍କ ବିରୋଧରେ ପଦେ ବି ଶୁଣିବାକୁ ନାରାଜ

By Sambad | Date: Jan 6 2017 2:12AM
‘ସମ୍ବାଦ’ର ପାଠକ ମଞ୍ଚରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ବ୍ରହ୍ମପୁର : ନବୀନ ବାବୁଙ୍କ ବିରୋଧରେ ପଦେ କହିପାରିବ ନାହିଁ..କ୍ଷମା ମାଗ..।  ଆଜି ଏଠାରେ ଏକ ପାଠକ ମଞ୍ଚ କାର୍ଯ୍ୟକ୍ରମରେ ଏଭଳି ଦାବି କରିଥିଲେ ବିଜେଡିର କେତେକ ଉତ୍ତ୍ୟକ୍ତ ଛାମୁଆ ନେତା ଓ କର୍ମୀ। ନବୀନ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍‌ କରିନେଉଛନ୍ତି ବୋଲି ଜଣେ ବିଜେପି ନେତା ଅଭିଯୋଗ କରିବା କ୍ଷଣି ବିଜେଡି କର୍ମୀମାନେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ। ପରୋକ୍ଷରେ ସେମାନେ ଜଣାଇ ଦେଇଥିଲେ ଯେ ନବୀନଙ୍କ ବିରୋଧରେ ସେମାନେ ପଦେ କଥା ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। 
 
‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ସ୍ୱନକ୍ଷତ୍ର ଦିବସରେ ଆଜି ଏହି ପାଠକ ମଞ୍ଚ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସଙ୍ଗ ଥିଲା ‘ଗଞ୍ଜାମ, ନେତୃତ୍ୱରେ ଆଗୁଆ, ବିକାଶରେ ପଛୁଆ’। ଏହି କାର୍ଯ୍ୟକ୍ରମରେ ମତ ରଖିବା ପାଇଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ମହିଳା ସବୁ ବର୍ଗର ସଚେତନ ପାଠକ ନିମନ୍ତ୍ରିତ ଥିଲେ। ପାଠକ ମଞ୍ଚର ଶେଷ ଅଧିବେଶନରେ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପରେ ବରିଷ୍ଠ ବିଜେଡି ନେତା ଗୋପାଳ ଶତପଥୀ କେନ୍ଦ୍ରୀୟ ଅବହେଳା ପ୍ରଶ୍ନ ଉଠାଇଥିଲେ। ଆଲୋଚନା ଭାବେ ବିଜେପିରୁ ଯୋଗ ଦେଇଥିବା ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ଏହାର ଉତ୍ତର ରଖି ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍‌ କରି ନିଜର ପ୍ରଚାର କରି ଚାଲିଛନ୍ତି ବୋଲି କହିଥିଲେ। ସେ ଟଙ୍କିକିଆ ଚାଉଳ ପ୍ରସଙ୍ଗ ଉଠାଇବା କ୍ଷଣି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ମଞ୍ଚ ତଳେ ବସିଥିବା ବିଜେଡିର କେତେକ ଛାମୁଆ ନେତା ଓ କର୍ମୀ। ନବୀନ ବାବୁଙ୍କ ବିରୋଧରେ ପଦେ କହିପାରିବ ନାହିଁ..କ୍ଷମା ମାଗ.., ନବୀନ ବାବୁ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦେଇ ମାଡ଼ି ଆସିଥିଲେ ମଞ୍ଚ ଆଡ଼କୁ। ଏହାର ପ୍ରତିବାଦ କରି ମୁହାଁମୁହିଁ ହୋଇଥିଲେ ବିଜେପି ସମର୍ଥକ। ଶେଷରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ କାର୍ଯ୍ୟକ୍ରମକୁ ସେହିଠାରେ ବନ୍ଦ କରି ଦିଆଯାଇଥିଲା ।
 
ପାଠକ ମଞ୍ଚରେ ଏଭଳି ଅଭବାନୀୟ ଘଟଣା ନେଇ ଆଜି ସାରା ଜିଲ୍ଲାରେ ଚର୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦେ କଥା ଯେ ଦଳର ନେତା ଓ କର୍ମୀଙ୍କ ବରଦାସ୍ତ ବାହାରେ ଏହାର ପ୍ରମାଣ ମିଳିଥିଲା ଆଜିର ଘଟଣାରୁ।
 
ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ୍‌ ହଲରେ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ୨୭ତମ ସ୍ୱନକ୍ଷତ୍ର ଦିବସ ଅବସରରେ ପାଠକ ମଞ୍ଚର ଆୟୋଜନ କରାଯାଇଥିଲା। ‘ସମ୍ବାଦ’ର ସମ୍ପାଦକ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ପାଠକ ମଞ୍ଚରେ ଆଲୋଚକ ଭାବେ ବିଜେଡି ମୁଖପାତ୍ର ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ, ବିଜେପି ରାଜ୍ୟ ସମ୍ପାଦକ ବିଭୂତି ଜେନା, ସିପିଆଇର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ଭାଗବତ ପାତ୍ର ଯୋଗ ଦେଇଥିଲେ।
 
ଶ୍ରୀ ପଟ୍ଟନାୟକ ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ ପାଠକ ମଞ୍ଚ ଉଦ୍ଦେଶ୍ୟରେ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ବେଳେ ରାଜନୀତି କ୍ଷେତ୍ରରେ ଦକ୍ଷ ନେତୃତ୍ୱ ମିଳିଛି। ଗଞ୍ଜାମ ଜିଲ୍ଲା ସବୁ ସମୟରେ କେନ୍ଦ୍ର ଓ ରାଜ୍ୟର ନେତୃତ୍ୱ ନେଇଛି। କିନ୍ତୁ ବର୍ତ୍ତମାନର ସମସ୍ୟାକୁ ଦେଖି ମନରେ ଆନ୍ଦୋଳନ ସୃଷ୍ଟି ହେଉଛି। ତେଣୁ ଜିଲ୍ଲାର ଉନ୍ନତି ପାଇଁ ମନରେ ଉତ୍ତେଜନା ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ଚାଷୀ, ଜଳସେଚନ, ଶିଳ୍ପ ଭଳି ବହୁ ସମସ୍ୟା ରହିଛି। ଚିଟ୍‌ଫଣ୍ଡ କମ୍ପାନି ଦ୍ୱାରା ବହୁ ଲୋକ ଠକେଇର ଶିକାର ହୋଇଛନ୍ତି। ଏହା କଣ ସମସ୍ୟା ନୁହେଁ। ଏହି ସମସ୍ୟା ଦୂର କରିବାରେ ଜିଲ୍ଲାର ବିକାଶଧାରାର ମଙ୍ଗ ଧରିଥିବା ନେତୃତ୍ୱ ବ୍ୟକ୍ତି ନିଜ ନିଜ ବକ୍ତବ୍ୟ ରଖିବେ ବୋଲି କହିଥିଲେ। 
 
ପ୍ରଥମ ବକ୍ତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ଭାଗବତ ପାତ୍ର କହିଥିଲେ, ଗଞ୍ଜାମ ଜିଲ୍ଲାରେ ନେତୃତ୍ୱ ରହିଛି ରହିବ। କିନ୍ତୁ ବିକାଶ କଥା ଉଠିଲେ ପ୍ରଥମେ ଚିନ୍ତା କରିବା ଦରକାର ଯେ ରାଜନୈତିକ ନେତୃତ୍ୱରେ ବିକାଶର ସୁଯୋଗ ସୃଷ୍ଟି କରାଯାଇ ପାରିବ କି? ଓଡ଼ିଶାର ଶାସନ ଏବେ ପ୍ରଶାସନିକ ଶାସନ। ସେହି ପ୍ରଶାସନିକ କଳ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲା। ଯଦି ରାଜ୍ୟରେ ୨ଶହ ଆଇଏଏସ୍‌ ଥିବେ ଗଞ୍ଜାମ ଜିଲ୍ଲା ପାଇଁ ମାତ୍ର ୩ଜଣ ରହିଛନ୍ତି। ତେବେ ମାତ୍ର ୩ଜଣ ଆଇଏଏସ୍‌ଙ୍କୁ ନେଇ ବିକାଶ କଥା ଚିନ୍ତା କରାଯାଇ ପାରିବ କି? ପୁଣି ଅନ୍ୟ କେତେକ ଜିଲ୍ଲାରେ ୪/୫ଜଣ ଆଇଏଏସ୍‌ ଅଧିକାରୀ ରହିଛନ୍ତି। ଯାହା କିଛି ବିକାଶ ହେଉଛି ତାହା କେନ୍ଦ୍ରୀଭୂତ ହୋଇ ରହି ଯାଉଛି। ବିକାଶର ବିକେନ୍ଦ୍ରୀକରଣ କରିବା ଆବଶ୍ୟକତା ରହିଛି। ପ୍ରଶାସନିକ ଶାସନ ଯୋଗୁଁ ନେତୃତ୍ୱର କ୍ଷମତା ହ୍ରାସ ପାଇଛି। ଅର୍ଥନୀତିକୁ ପ୍ରଶାସନିକ କଳ ହାଇଜାକ୍‌ କରି ନେଉଛି। ତେଣୁ ବିକାଶ ଧାରା ଧିମେଇ ଯାଇଛି। ବିକାଶ ଚାରିଆଡ଼େ ଖେଳେଇ ହୋଇ ରହିବା ଦରକାର ବୋଲି ମତ ଦେଇଥିଲେ।
 
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମହାପାତ୍ର କହିଲେ ଗଞ୍ଜାମ ଜିଲ୍ଲାକୁ ଉଚିତ ନେତୃତ୍ୱ ମିଳିଛି। ସ୍ୱତନ୍ତ୍ର ଓଡ଼ିଶା ଗଠନ ଠାରୁ ଆରମ୍ଭ କରି କଂଗ୍ରେସର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୫ବର୍ଷ ଶାସନକାଳ ହେଉ କି ବିଜେଡିର ନବୀନ ବାବୁଙ୍କ ୧୬ବର୍ଷ ଶାସନକାଳ ହେଉ, ଜିଲ୍ଲାକୁ ଦକ୍ଷ ପ୍ରତିନିଧିତ୍ୱ ମିଳିଛି। କେବଳ ଓଡ଼ିଶାରେ ନୁହେଁ ସବୁ ରାଜ୍ୟରେ ପ୍ରଶାସନିକ ଅଧିକାରୀ ଶାସନ କ୍ଷମତାରେ ରହିଛନ୍ତି। ତେଣୁ ପ୍ରଶାସନିକ ଅଧିକାରୀ ଶାସନ କରିବା କଥାରେ ଏକମତ ହୋଇ ନଥିଲେ। ଅନ୍ୟ ରାଜ୍ୟରେ ବିକାଶଧାରା ବଜାୟ ରହିଥିବା ବେଳେ ଓଡ଼ିଶାରେ କାହିଁକି ନୁହେଁ ବୋଲି ପ୍ରଫେସର ମହାପାତ୍ର ପ୍ରଶ୍ନ କରିଥିଲେ। 
 
ବିଜେଡି ମୁଖପାତ୍ର ବିଧାୟକ ଶ୍ରୀ ପାତ୍ର କହିଲେ, ଯେ କୌଣସି ଦଳ କ୍ଷମତାକୁ ଆସିଲେ ମଧ୍ୟ ସେ ବିକାଶ କଥା ଚିନ୍ତା କରିବ। ବିକାଶ କେଉଁ ଧାରାରେ ହେବ ତାହା ସମ୍ପୃକ୍ତ ନେତାଙ୍କ ମାସିକତା ଉପରେ ନିର୍ଭର କରେ। ରାଜ୍ୟରେ ପ୍ରଶାସନିକ ଶାସନ ଚାଲିଥିବା କଥାକୁ ସେ ଖଣ୍ଡନ କରିଥିଲେ। ଦକ୍ଷିଣ ଓଡ଼ିଶା ଆଦିବାସୀ ବହୁଳ ଅଞ୍ଚଳ। ୧୫ବର୍ଷ ତଳେ ପରିସ୍ଥିତି ଯାହା ଥିଲା ସେଥିରେ ଢେର ପରିବର୍ତ୍ତନ ଆସିଛି। ତେଣୁ ନେତା ବି ଆଗୁଆ ଜିଲ୍ଲା ବି ଆଗୁଆ। ଗଞ୍ଜାମ ଜିଲ୍ଲାରେ ଆଇଆର୍‌ଇ, ଟିଟାଟିୟମ ପ୍ଲାଣ୍ଟ, ଆସିକା ଚିନି ଶିଳ୍ପ, ଜୟଶ୍ରୀ କେମିକାଲ ଭଳି ଶିଳ୍ପ ରହିଛି। କୋଇଲା ଓ ଖଣିଜ ପଥର ନଥିବାରୁ ଜିଲ୍ଲାରେ ଅନ୍ୟ ବୃହତ ଶିଳ୍ପ ପ୍ରତିଷ୍ଠା ହୋଇପାରୁ ନାହିଁ।
 
ବିଜେପି ରାଜ୍ୟ ସଂପାଦକ ଶ୍ରୀ ଜେନା କହିଲେ, ରାଜ୍ୟର ୪ଟି ବିକଶିତ ଜିଲ୍ଲାରେ ଗଞ୍ଜାମ ସ୍ଥାନ ପାଇ ନାହିଁ। ଗଞ୍ଜାମ ଏକ ବୃହତ ଜିଲ୍ଲା ହୋଇଥିବା ବେଳେ ନେତୃତ୍ୱରେ ମଧ୍ୟ କିଛି ଅଭାବ ନାହିଁ। ତଥାପି ବିକଶିତ ଜିଲ୍ଲାରେ ପରିଣତ ହୋଇପାରି ନାହିଁ। ଜିଲ୍ଲାରେ ନା ବୃହତ ଶିଳ୍ପ ଅଛି ନା କୃଷିର ବିକାଶ ହୋଇଛି। ସେପଟେ ଯାହା ସବୁ ପୁରୁଣା ପ୍ରକଳ୍ପ ରହିଥିଲା ତାହା ଏବେ ବି ରହିଛି। ଜିଲ୍ଲାର ସର୍ବବୃତ ଋଷିକୁଲ୍ୟା ଜଳ ଯୋଗାଣ ପ୍ରକଳ୍ପ ଏବେ ବି ସେହି ସ୍ଥିତିରେ ରହିଛି। ଜିଲ୍ଲା ଆଇଜର୍‌ ପ୍ରତିଷ୍ଠା ହେଲା। କିନ୍ତୁ ରାଜ୍ୟ ସରକାର ଜମି ହସ୍ତାନ୍ତର କରିପାରୁ ନଥିବାରୁ କ୍ୟାମ୍ପସ୍‌ ତିଆରି ହୋଇପାରୁ ନାହିଁ। ରେଳ ଡବା କାରଖାନା ପ୍ରତିଷ୍ଠା ସ୍ୱପ୍ନ ହୋଇ ରହି ଯାଇଛି।
 
ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡି କହିଲେ, ବିକାଶ କେବଳ ସ୍ଲୋଗାନ୍‌ରେ ରହି ଯାଇଛି। ପୂର୍ବରୁ ଯେଉଁ ନେତୃତ୍ୱ ଥିଲା ଏବେ ତାହା ନାହିଁ। ଏବେ କେବଳ ଭୋଟ୍‌ ଦେଲେ ପାର୍ଲାମେଣ୍ଟକୁ ଯିବାର ସୁଯୋଗ ମିଳୁଛି। ତେଣୁ ନୋଟ୍‌ ଦେଇ ଭୋଟ୍‌ କିଣାଯାଉଛି ବୋଲି କହିଥିଲେ। 
 
ଶେଷ ବକ୍ତା କେନ୍ଦ୍ରମନ୍ତ୍ରୀ ଶ୍ରୀ ସାହୁ କହିଲେ, ବର୍ତ୍ତମାନ ବିକାଶର ସଂଜ୍ଞା ବଦଳିଛି। ଟାଟା ପ୍ରକଳ୍ପ କଥା ଉଠାଇ ଏସ୍‌ଇଜେଡ୍‌ ନାଁରେ ଲୋକଙ୍କୁ ଲଲିପପ୍‌ ଦିଆଯାଇଛି। ୧୯୭୦ରୁ ୧୯୯୦ ମଧ୍ୟରେ ବିକାଶ ହୋଇଥିଲା । ଏବେ ସେଭଳି ବିକାଶ ନାହିଁ। ଯେଉଁ ବିକାଶ ହୋଇଛି ତାହା ନେତୃତ୍ୱ ତୁଳନାରେ କିଛି ନୁହେଁ। ଜିଲ୍ଲାର ବିକାଶ କ୍ଷେତ୍ରରେ ରାଜନୈତିକ ନେତା ଭାବରେ ଆମେ ମଧ୍ୟ ନିଜକୁ ଦୋଷୀ ବୋଲି ସ୍ୱୀକାର କରିବା ଉଚିତ। ତେଣୁ ସବୁ ଦଳ ମିଳିମିଶି ଏକାଠି ନେତୃତ୍ୱ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।
 
ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନଜୀବୀ ଗୋପାଳ ଶତପଥୀ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନରେ କେନ୍ଦ୍ରର ବୈମାତୃକ ମନୋଭାବ ନେଇ ଶ୍ରୀ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ଶ୍ରୀ ଜେନା ତାଙ୍କ ଉତ୍ତରରେ କେନ୍ଦ୍ର ରାଜ୍ୟକୁ ସବୁ ପ୍ରକାର ସହାୟତା ଦେଉଛି। ଏମିତିକି ୨୯ଟଙ୍କାରେ କେନ୍ଦ୍ର ରାଜ୍ୟକୁ ଚାଉଳ ଯୋଗାଇ ଦେଉଛି। ଯାହାକୁ ରାଜ୍ୟ ବିଜେଡି ମାତ୍ର ୧ଟଙ୍କାରେ ଲୋକଙ୍କୁ ଦେଇ ବାହାବା ନେଉଛି ବୋଲି କହିଲେ। ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ। କଥା କଟାକଟି ଜୋର୍‌ ହେବାରୁ ପ୍ରଶ୍ନକାଳକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା।
 
ଏଥିରେ ପାଠକ ମଞ୍ଚରେ ପୌରୋହିତ୍ୟ କରୁଥିବା ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ, ଯଦି ଜଣଙ୍କର ଶୁଣିବାର ଧୈର୍ଯ୍ୟ ନାହିଁ, ତେବେ ତାଙ୍କର କହିବାର ବି ଅଧିକାର ନାହିଁ। ଧୈର୍ଯ୍ୟ ନଥିଲେ ନେତୃତ୍ୱ ଆସିବ କେମିତି ବୋଲି କହିଥିଲେ। ସେଥିରେ ବିକାଶର କଥାକୁ କେମିତି ଦେଖିବା ବୋଲି କହି ସଭା ସାଂଗ ଘୋଷଣା କରିଥିଲେ।
‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ସଂଯୋଜକ ନବୀନ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।