26 April 2017
1:32:45 PM
image
Sambad News
ଗଞ୍ଜାମ

ଯୁବତୀଙ୍କୁ ଗଣଦୁଷ୍କର୍ମ: ୪ ଗିରଫ

ଥାନାରେ ଟିଆଇ ପ୍ୟାରେଡ୍‌ରେ ଚିହ୍ନଟ, ନିରପେକ୍ଷ ତଦନ୍ତ ଦାବିରେ ଥାନା ଘେରାଉ

By Sambad | Date: Jan 7 2017 12:19AM
ଯୁବତୀଙ୍କୁ ଗଣଦୁଷ୍କର୍ମ: ୪ ଗିରଫ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ମଲାଡ଼ ଗ୍ରାମରେ ଗତ ୩୧ ତାରିଖ ମଧ୍ୟରାତ୍ରିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଗତକାଲି ଏହି ମାମଲାରେ ପୁଲିସ ପୀଡ଼ିତାଙ୍କ ଏତଲା ଆଧାରରେ ୬ ଜଣଙ୍କୁ ଅଟକ ରଖିଥିଲା। ଅପରପକ୍ଷେ, ନିରପେକ୍ଷ ତଦନ୍ତ ଦାବିରେ ଆଜି ସକାଳୁ ଶତାଧିକ ଗ୍ରାମବାସୀ ଗଞ୍ଜାମ ଥାନା ଘେରାଉ କରିଥିଲେ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଦୋଷଙ୍କୁ ଛାଡ଼ିଦେବାକୁ ସେମାନେ ଅଡ଼ି ବସିଥିଲେ। 
 
ଆଜି ଥାନାରେ ତଦନ୍ତ ଅଧିକାରୀ, ମାଜିଷ୍ଟ୍ରେଟ୍‌ ଓ ବରଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଟିଆଇ ପରେଡ୍‌ରେ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ ଅଭିଯୁକ୍ତ ଆର୍‌. କେଶବ, ଡି. ବୃଲେୟା, ଆର୍‌. ଚିତି ଓ ଆର୍‌. ତ୍ରିଲୋଚନଙ୍କୁ ଡାକ୍ତରୀମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପଠାଇଥିଲା। ଗତକାଲି ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଥିଲା। ଡାକ୍ତରୀ ମାଇନା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ଯେଉଁମାନେ ଅଭିଯୁକ୍ତମାମନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ପୀଡ଼ିତା ସମେତ ତାଙ୍କ ପରିବାରକୁ ଧମକ ଚମକ ଦେଇଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଗଞ୍ଜାମ ଅତିରିକ୍ତ ଏସ୍‌ପି ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି। 
 
ଅନ୍ୟପକ୍ଷରେ, ଥାନା ଆଗରେ ଉତ୍ତେଜିତ ଗ୍ରାମବାସୀଙ୍କୁ ନିୟନ୍ତ୍ରଣ ଲାଗି ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ କରା ଯାଇଥିଲା। ଥାନାରେ ଏସ୍‌ପି ଶ୍ରୀ ସ୍ୱାଇଁ, ଏସ୍‌ଡିପିଓ ରମେଶ ସେଠୀ, ଗଞ୍ଜାମ ତହସିଲଦାର ଶକ୍ତିକାନ୍ତ ରାଏ, ଛତ୍ରପୁର ଥାନାଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର, ଗଞ୍ଜାମ ବିଡିଓ ଜ୍ୟୋତି ରଞ୍ଜନ ନାୟକ ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚ ଟି. ଜୟନ୍ତୀ, ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା ପରେ ଗ୍ରାମବାସୀ ଘେରାଉରୁ ଓହରିଥିଲେ। ଘଟଣାସ୍ଥଳକୁ ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସୁରଥ ପାହାନଙ୍କ ସମେତ ରାଜ୍ୟ ମହିଳା ସୁରକ୍ଷା ସମିତି ସଭାପତି ସସ୍ମିତା ଦାସଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ମହିଳା ପ୍ରତିନିଧି ଦଳ ଗଞ୍ଜାମ ଥାନାରେ ପହଞ୍ଚି ପୀଡ଼ିତା ଏବଂ ତାଙ୍କର ମାଆଙ୍କୁ ପଚରାଉଚରା କରିଥିଲେ।

image