23 February 2017
5:50:17 AM
Sambad News
ଗଞ୍ଜାମ

ଝିଅକୁ ନିର୍ଯାତନା ଅଭିଯୋଗରେ ଜ୍ୱାଇଁଙ୍କୁ ହତ୍ୟା

ବେକରେ ଗାମୁଛା ଭିଡ଼ି, ଅଣ୍ଡକୋଷକୁ ଗୋଇଠା ମାରିଲେ

By Sambad | Date: Jan 7 2017 11:42PM
ଝିଅକୁ ନିର୍ଯାତନା ଅଭିଯୋଗରେ ଜ୍ୱାଇଁଙ୍କୁ ହତ୍ୟା

ବୁଗୁଡ଼ା : ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିବା ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗୋଲିଆ ପଞ୍ଚାୟତ ଅଧୀନ ଚିରିକିପଡ଼ା ଗ୍ରାମର ବସନ୍ତ ନାହାକ (୨୬)ଙ୍କ ବେକରେ ଶ୍ୱଶୁର ଘର ଲୋକେ ଗାମୁଛା ଗୁଡ଼ାଇ ଶ୍ୱାସରୁଦ୍ଧ କରିବା ସହ ଅଣ୍ଡକୋଷକୁ ଗୋଇଠା ମାରି ମାରି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବସନ୍ତଙ୍କ ଶ୍ୱଶୁର ବିପ୍ର ପାତ୍ର, ଶାଶୂ ଏବଂ ଦୁଇ ଶଳା ବାବୁଲା ଓ ରାମକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। 

 
ସୂଚନାନୁସାରେ, ଶଶିଭୂଷଣ ନାୟକଙ୍କ ପୁଅ ବସନ୍ତ ସେହି ଗ୍ରାମର ବିପ୍ର ପାତ୍ରଙ୍କ ଝିଅ ଲକ୍ଷ୍ମୀଙ୍କୁ ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଲକ୍ଷ୍ମୀ ଅନ୍ୟ ଜାତିର ହୋଇଥିବାରୁ ବସନ୍ତ ତାଙ୍କ ଘରୁ ଅଲଗା ହୋଇ ଗାଁର ଶେଷ ଭାଗରେ ରହୁଥିଲେ। ଏକ ବର୍ଷ ଧରି ଦାମ୍ପତ୍ୟ ଜୀବନ ଖୁସିରେ କଟିବା ପରେ ମଦ ପିଇ ବସନ୍ତ ପତ୍ନୀ ଲକ୍ଷ୍ମୀଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ନିର୍ଯାତନା ଅସହ୍ୟ ହେବା ପରେ ୧୦ ଦିନ ତଳେ ଲକ୍ଷ୍ମୀ ବର୍ଷକର ପୁଅକୁ ଧରି ବାପଘରକୁ ଚାଲି ଆସିଥିଲେ। ବସନ୍ତ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ୱଶୁର ଓ ଦୁଇ ଶଳାଙ୍କୁ ରାସ୍ତାଘାଟରେ ଦେଖି ଗାଳିଗୁଲଜ କରୁଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଲକ୍ଷ୍ମୀଙ୍କ ବାପା ବିପ୍ର ଏବଂ  ଦୁଇ ଭାଇ ବାବୁଲା ଏବଂ ରାମ ବସନ୍ତଙ୍କ କୁଡ଼ିଆରେ ପହଞ୍ଚିଥିଲେ। ବସନ୍ତ ନିଶାସକ୍ତ ଅବସ୍ଥାରେ ଥିବା ଦେଖି ସେମାନେ ତାଙ୍କ ବେକରେ ଗାମୁଛା ଗୁଡ଼ାଇ ଶ୍ୱାସରୁଦ୍ଧ କରିଥିଲେ। ଏହାପରେ ଅଣ୍ଡକୋଷକୁ ଗୋଇଠା ମାରିବାରୁ ଘଟଣାସ୍ଥଳରେ ହିଁ ବସନ୍ତଙ୍କର ମୃତ୍ୟୁ ହୋଇଥିଲା।
 
ବସନ୍ତଙ୍କ ବାପା ଶଶିଭୂଷଣ ବୁଗୁଡ଼ା ଥାନାରେ ଏତଲା ଦେବା ପରେ ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ। ମୃତ ବସନ୍ତଙ୍କ ବେକରରେ ଦାଗ ରହିଥିବା ବେଳେ ଅଣ୍ଡକୋଷ ଫାଟି ରକ୍ତସ୍ରାବ ଦେଖିବାକୁ ମିଳିଛି।