21 January 2017
3:37:05 AM
image
Sambad News
ରାଜ୍ୟ

ବେଳାଭୂମିରେ ଶତାଧିକ ମୃତ ଅଲିଭ୍‌ ରିଡ୍‌ଲେ

ପାଲଟିଛି କୁକୁରଙ୍କ ଆହାର, ସୁରକ୍ଷାରେ ପ୍ରଶ୍ନବାଚୀ

By Sambad | Date: Jan 10 2017 2:00AM
ବେଳାଭୂମିରେ ଶତାଧିକ ମୃତ ଅଲିଭ୍‌ ରିଡ୍‌ଲେ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ସୋନପୁର ବେଳାଭୂମିରେ ଶତାଧିକ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଶବ ପଡ଼ିଥିବା ସହ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ୫୦ରୁ ଅଧିକ ମୃତ କଇଁଛ ଠାବ କରିଛନ୍ତି। ଏ ଘଟଣା ନଜରକୁ ଆସିବା ପରେ ବେଳାଭୂମିରେ ଏହି ବିରଳ କଇଁଛଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ,  ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ଦଳ ସେଠାରେ ପହଞ୍ଚିଥିବା ବ୍ରହ୍ମପୁର ଡିଏଫ୍‌ଓ ଆଶିଷ କୁମାର ବେହେରା ସୂଚନା ଦେଇଛନ୍ତି।
 

ଉଲ୍ଲେଖଯୋଗ୍ୟ, ଡିିସେମ୍ବର ମାସଠୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ସମୟ। ଏଥିପାଇଁ ସୋନପୁରଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ୫୪ କିଲୋମିଟର ବ୍ୟାପୀ ବେଳାଭୂମିରେ ବନବିଭାଗ ପକ୍ଷରୁ ମୋଟ ୯ଟି କ୍ୟାମ୍ପ୍‌ ହୋଇଛି। ସେଥିରୁ ସୋନପୁରରେ ଗୋଟିଏ କ୍ୟାମ୍ପ୍‌ ଥିବା ବେଳେ ସେଠାରେ କୌଣସି କର୍ମଚାରୀ ରହୁନଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ସୋନପୁର ମୁହାଣରେ ଗୋଟିଏରୁ ଦୁଇଟି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳୁଥିଲା। ମାତ୍ର ଆଜି ସକାଳେ ହଠାତ୍‌ ଶତାଧିକ ମୃତ କଇଁଛ ଦେଖି ପର୍ଯ୍ୟଟକମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ତେବେ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଟ୍ରଲର୍‌ ବାଜି ଓ ବଡ଼ଜାଲରେ ପଡ଼ିବା ପରେ ଏହି କଇଁଛଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଟ୍ରଲର୍‌ ଓ ମୋଟର ଡଙ୍ଗା ବ୍ୟବହାର ଉପରେ ଅଙ୍କୁଶ ଜାରି କରିବାକୁ ଦାବି ହୋଇଛି।