28 March 2017
5:59:49 AM
Sambad News
ରାଜ୍ୟ

ପ୍ରାକ୍ଟିକାଲ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ : ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ନିର୍ଦେଶିକା ଧମକ ଦେଉଥିବା ନେଇ ଅଭିଯୋଗ

By Sambad | Date: Jan 12 2017 6:25AM
ପ୍ରାକ୍ଟିକାଲ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ : ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ପ୍ରାଶାସନିକ ଭବନ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଆଜି ଆସିବେ ଓୟୁଏଟି କୁଳସଚିବ
 
ଗୋପାଳପୁର : ଗଞ୍ଜାମ ଜିଲ୍ଲା ରଂଗେଇଲୁଣ୍ଡା ଓୟୁଏଟି ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଛାତ୍ର ଉତ୍ତେଜନା, ଆନ୍ଦୋଳନ ଉଗ୍ର ରୂପ ନେଇଛି। ଚତୁର୍ଥ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଏବଂ ଏହି କାରଣରୁ ମାର୍କ କମିଥିବା ନେଇ ଉତ୍ତେଜନା ଦେଖା ଦେଇଛି। ଆଜି ଶତାଧିକ ଛାତ୍ରଛାତ୍ରୀ ପ୍ରାଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏଥିସହ ମହାବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ପରୀକ୍ଷାର୍ଥୀ ଏହାକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେବାରୁ ଉତ୍ତେଜନା ବଢ଼ିଥିଲା। 
 
ସେହିପରି ନିର୍ଦ୍ଦେଶିକା ଶ୍ୟାମା କୁମାରୀ ମିଶ୍ର ଧମକଚମକ ଦେଉଥିବା ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ପରେ ଗୋପାଳପୁର ଥାନାଧିକାରୀ ପ୍ରଜ୍ଞା ପରମିତା ଜେନା ଓ ସଦର ଏସ୍‌ଡିପିଓ ଅଶୋକ ମହାନ୍ତି ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଥାନାଧିକାରୀ ନିର୍ଦ୍ଦେଶିକା ଶ୍ୟାମା କୁମାରୀ ମିଶ୍ରଙ୍କ ସହ ଆଲୋଚନା କରି ଓୟୁଏଟିର କୁଳପତିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଆସନ୍ତା କାଲି ଓୟୁଏଟି ପକ୍ଷରୁ କୁଳସଚିବଙ୍କ ନେତୃତ୍ୱରେ ଏକ ଟିମ୍‌ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।  ଏ ନେଇ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଏ ବାବଦରେ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବେ ନାହିଁ। କିନ୍ତୁ ତ୍ରୁଟି ନ ସୁଧାରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ରବି ନାରାୟଣ ସାହୁ ପ୍ରକାଶ କରିଛନ୍ତି ।
 
ବର୍ତ୍ତମାନ ମହାବିଦ୍ୟାଳୟରେ ମୋଟ ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିମଧ୍ୟରୁ ମହାବିଦ୍ୟାଳୟରେ ଦୁଇଟି ବିଭାଗ ଯଥା ଯାଅାଁଳା ଉତ୍ପାଦନ  ଓ ପ୍ରୋସେସିଂ ବିଭାଗରେ ମୋଟ ୪୩ ଜଣ  ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଯାଅାଁଳା ଉତ୍ପାଦନ ବିଭାଗର ଛାତ୍ରଛାତ୍ରୀଙ୍କ ଏକ୍ସପ୍ରିନ୍ସସିଆଲି ଲର୍ନିଙ୍ଗ୍‌ ନାମକ ଏକ ପ୍ରାକ୍ଟିକାଲ ପରୀକ୍ଷା ହୋଇଥିଲା । ଯାହାର ଫଳାଫଳ ଗତ ୬ ତାରିଖରେ ପ୍ରକାଶ ପାଇଥିଲା । କିନ୍ତୁ ଏହି ପରୀକ୍ଷାଫଳ ଆଶାନୁରୂପ ନଥିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯେଉଁଥିରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରିବା ପାଇଁ  ମାର୍କ କାଟି ଦେଇ ଥିବା ନେଇ ଅଭିଯୋଗ କରିଥିଲେ । 
 
ଗତ ଚାରି ବର୍ଷ ଧରି ସଠିକ୍‌ ଭାବେ ମାର୍କ ଦିଆଯାଉଥିବା ବେଳେ ଚଳିତ ବର୍ଷ ଜାଣିଶୁଣି ଏଭଳି କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।  ଏଣୁ ଏଥିରେ ସୁଧାର ଆଣିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ । କିନ୍ତୁ ମହାବିଦ୍ୟାଳୟ କର୍ତୃପକ୍ଷ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଯଦ୍ୱାରା ଛାତ୍ରଛାତ୍ରୀମାନେ ଗତ ୬ ତାରିଖରୁ ମହାବିଦ୍ୟାଳୟର ପ୍ରାଶାସିନିକ କୋଠାରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ କୌଣସି ସମାଧାନ ନହେବାରୁ ଆଜି ପୂର୍ବାହ୍ନରୁ ଛାତ୍ରଛାତ୍ରୀ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ଏହାସହ ପ୍ରାଶାସନିକ କୋଠାରେ ତାଲା ପକାଇଛନ୍ତି। 
 
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ବାହାର କରିଦେଇଥିଲା। ଫଳରେ ପରିସ୍ଥିତି ଅଶାନ୍ତ ହୋଇଥିଲା। ନିର୍ଦ୍ଦେଶିକାଙ୍କ ପକ୍ଷରୁ ସେମାନଙ୍କ ଅଭିଯୋଗ ବିଷୟରେ ଓୟୁଏଟିର କୁଳପତିଙ୍କୁ ମଧ୍ୟ କୌଣସି ଲିଖିତ ପତ୍ର ଦିଆଯାଇନଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି । ଆଜି ଦିନ ତମାମ ମହାବିଦ୍ୟାଳୟ ପରିସର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଖବର ମିଳିବା ସୁଦ୍ଧା ଆନ୍ଦୋଳନ ଜାରି ରହିଛି।