22 January 2017
9:47:25 PM
image
Sambad News
ଦେଶ- ବିଦେଶ

ଆତଙ୍କବାଦ ନିୟନ୍ତ୍ରଣ ପାଇଁ ସୀମା ସିଲ୍‌ କରିବ ଚୀନ

By Sambad | Date: Jan 12 2017 12:09AM
ଆତଙ୍କବାଦ ନିୟନ୍ତ୍ରଣ ପାଇଁ ସୀମା ସିଲ୍‌ କରିବ ଚୀନ

ବେଜିଙ୍ଗ: ଚୀନ ପାକିସ୍ଥାନକୁ ପ୍ରତିରକ୍ଷା କ୍ଷେତ୍ରରେ ସହାୟତା ଯୋଗାଇ ଦେଉଥିବା ସତ୍ତ୍ୱେ ଏହାର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଛି। ଫଳରେ ଚୀନ-ପାକିସ୍ଥାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଚୀନର ଜିନ୍‌ଜିଆଙ୍ଗ ସରକାର କହିଥିବା ମଙ୍ଗଳବାର ଜିନ୍‌ହୁଆ ସମ୍ବାଦରେ ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଅବାଧ ଯାତାୟତକୁ ରୋକିବା ପାଇଁ ଚୀନ ଏଭଳି ପଦକ୍ଷେପ ନେଉଥିବା ଜଣାପଡ଼ିଛି। ତେବେ ଚୀନର ଅଶାନ୍ତ ଜିନ୍‌ଜିଆଙ୍ଗ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାରେ ପାକିସ୍ଥାନ ନିଜର ଅସାମର୍ଥ୍ୟ ପ୍ରକାଶ କରିବାରୁ ଏନେଇ ଚୀନ କ୍ଷୁବ୍‌ଧ ହୋଇଛି।

ଭାରତ ବିରୋଧରେ ପାକିସ୍ଥାନର ସମସ୍ତ ପଦକ୍ଷେପକୁ ଚୀନ ସମର୍ଥନ କରୁଥିବା ବେଳେ ଏହାର ସୀମାନ୍ତରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ଥାନ ନୀରବ ରହୁଥିବାରୁ ଚୀନ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟପକ୍ଷରେ ପାକିସ୍ଥାନ ଏବଂ ଆଫଗାନିସ୍ଥାନରେ ଆତଙ୍କବାଦୀମାନେ ତାଲିମ ପାଇ ପରେ ଏହି ପ୍ରଦେଶରେ ଆକ୍ରମଣ କରୁଥିବାରୁ ଜିନ୍‌ଜିଆଙ୍ଗର  କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଡିସେମ୍ବର ୨୮ରେ ହୋତାନ ଠାରେ ଆତଙ୍କବାଦୀ ଆକ୍ରମଣରେ ୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ଖାନତଲାସି କରାଯାଇଥିଲା। ଗତ ରବିବାର ହୋତାନ ସୀମାନ୍ତରେ ତିନି ଜଣ ଆତଙ୍କବାଦୀକୁ ହତ୍ୟା କରାଯାଇଥିବା କୁହାଯାଇଛି। ତେବେ ସଦା ସର୍ବଦା ପରସ୍ପରର ବନ୍ଧୁ ସାଜିଥିବା ଚୀନ ଏବଂ ପାକିସ୍ଥାନର ବିଦେଶ ମନ୍ତ୍ରାଳୟ ଏହି ଘଟଣା ପାଇଁ ଉଦବେଗ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଆତଙ୍କବାଦୀ ପାକିସ୍ଥାନ ଏବଂ ଆଫଗାନିସ୍ଥାନରେ ଥିବା ତାଲିବାନ କ୍ୟାମ୍ପ ସହିତ ଇସଲାମିଷ୍ଟ ଆତଙ୍କବାଦୀ ଦୃଢ଼ ସମ୍ପର୍କ ଯୋଡ଼ିବାକୁ ଟାର୍ଗେଟ କରିଥିବାରୁ ଏହା ଜିନ୍‌ଜିଆଙ୍ଗ ନେତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଫଳରେ ସୀମାରେ ଅବାଧ ଯାତାୟତକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିବା ଜିନ୍‌ଜିଆଙ୍ଗର ସଭାପତି ସୋହରତ ଜାକିର୍‌ ଆଞ୍ଚଳିକ ପିପୁଲ୍‌ସ କଂଗ୍ରେସରେ କହିଛନ୍ତି। ପାକିସ୍ଥାନ ପଟରୁ ଅବାଧ ପ୍ରବେଶକୁ ରୋକିବା ଦିଗରେ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି ପାକିସ୍ଥାନ ସୀମା ନିକଟରେ ଥିବା ଚୀନର କାଶଗର କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ତଥା ଅନ୍ୟ ଅଧିକାରୀମାନେ। ଆତଙ୍କବାଦ ଦମନ କ୍ଷେତ୍ରରେ ଚୀନର ଜିନ୍‌ଜିଆଙ୍ଗ ମୁଖ୍ୟ ରଣଭୂମି ପାଲଟିଥିବା ଜିନ୍‌ହୁଆ ପ୍ରକାଶ କରିଛି।