29 April 2017
6:57:50 PM
image
Sambad News
ଦେଶ- ବିଦେଶ

ଫ୍ଲାଏଓଭର୍‌ରେ ମିନି ଭ୍ୟାନ୍‌ ଓଲଟି ୩୭, ୦୦୦ ଅଣ୍ଡା ନଷ୍ଟ

By Sambad | Date: Jan 12 2017 1:32PM
ଫ୍ଲାଏଓଭର୍‌ରେ ମିନି ଭ୍ୟାନ୍‌ ଓଲଟି ୩୭, ୦୦୦ ଅଣ୍ଡା ନଷ୍ଟ
Representative image

ଚେନ୍ନାଇ: ମଙ୍ଗଳବାର ଦିନ ପାହାନ୍ତିଆ ସମୟରେ ୩୫ ହଜାର ଅଣ୍ଡା ନେଇ ଯାଉଥିବା ଏକ ମିନି ଭ୍ୟାନ୍‌ ଓଲଟି ପଡ଼ିବାରୁ ଗୁଇଣ୍ଡିସ୍ଥିତ କାଥିଆପଡ଼ା ଫ୍ଲାଏଓଭର୍‌ର ବହୁଳାଂଶରେ ଅଣ୍ଡାକେଶର ବୋଳି ହୋଇଯାଇଥିଲା।
 
ଲାଳୁଆ କେଶର ଲାଗି ରାସ୍ତା ଖସରା ହୋଇଯିବାରୁ ଦୁଇଚକିଆ ଯାନ ନେଇ ଯାଉଥିବା ଲୋକେ ଅଡୁଆରେ ପଡ଼ିଥିଲେ ଓ ସେମାନଙ୍କୁ ବୁଲାଣି ରାସ୍ତା ଖୋଜିବାକୁ ପଡ଼ିଥିଲା। ଓଭରବ୍ରିଜ୍‌କୁ କର୍ଡନ୍‌ କରି ପୁଲିସ ଗ୍ରେଟର୍‌ ଚେନ୍ନାଇ କର୍ପୋରେସନ୍‌ର ଅଳ୍ପ କେତେକ ଲୋକଙ୍କ ସହଯୋଗରେ ଅଣ୍ଡାଲାଳ ଉପରେ ବାଲି ପକାଇଥିଲା।
 
ଦୁର୍ଘଟଣା ରାତି ୨. ୪୫ରେ ଘଟିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମିନି ଭ୍ୟାନ୍‌ ଚାଳକ କୃଷ୍ଣକୁମାର ବୋଧହୁଏ ଢୁଳାଇ ପଡ଼ିବାରୁ ଏମିତି ଘଟିଥିବା ସନ୍ଦେହ କରାଯାଉଛି। ଏମ୍‌ଜିଆର୍‌ ନଗର ହୋଲ୍‌ସେଲ୍‌ ଗୋଦାମରୁ ୨୬ ବର୍ଷିୟ ଚାଳକ ୩୭ ହଜାର ଅଣ୍ଡା ନେଇ ଡେଲିଭରି ନିମନ୍ତେ ନାଙ୍ଗାନାଲୁର୍‌ ଅଭିମୁଖେ ଯାଉଥିଲା।
 
କାଥିଆପଡ଼ା ଫ୍ଲାଏଓଭର୍‌ରେ ଚଢ଼ି ସେ ବାଙ୍କରେ ଗାଡ଼ି ବୁଲାଉଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ମଝିବାଡ଼ାରେ ପିଟିହୋଇଯାଇଥିଲା। ଫଳରେ ଗାଡ଼ି ବାମପଟକୁ ଓଲଟି ପଡ଼ିଥିଲା। ପଛ କବାଟ ଖୋଲି ଯିବାରୁ ର‍୍ୟାକ୍‌ ସହ ଅଣ୍ଡା ସବୁ ବାହାରି ଆସି ଫାଟି ଯାଇଥିଲା। 
 
ସେ ବାଟେ ଯାଉଥିବା ଅଳ୍ପ କେତେକ ଗାଡ଼ିବାଲା ଏବଂ ଅନ୍ୟମାନେ ଧାଇଁଯାଇଥିଲେ। ଚାଳକ କ୍ୟାବିନ୍‌ର କବାଟ ଭାଙ୍ଗି ସେମାନେ କୃଷ୍ଣଙ୍କୁ ପଦାକୁ ଆଣି ପୁଲିସକୁ ଖବର ଦେଇଥିଲେ। ସେଣ୍ଟ୍‌ ଟୋମାସ୍‌ ଟ୍ରାଫିକ୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ର ଦଳେ ପୁଲିସ୍‌ ଆସି ଜଖମ ଚାଳକକୁ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ପ୍ରକାଶ। 
 
ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

image