19 August 2017
5:31:43 AM
Sambad News
ଦେଶ- ବିଦେଶ

୧୨ ବର୍ଷ ପରେ କଶ୍ମୀରରେ ବିଏସ୍‌ଏଫ୍‌ ମୁତୟନ

ସୀମିତ ଅଂଚଳରୁ କର୍ଫ୍ୟୁ ହଟିଲା ରାଜନାଥଙ୍କ ଗସ୍ତ ଆଜି

By Sambad | Date: Aug 23 2016 9:16PM
୧୨ ବର୍ଷ ପରେ କଶ୍ମୀରରେ ବିଏସ୍‌ଏଫ୍‌ ମୁତୟନ

 ଶ୍ରୀନଗର:  କଶ୍ମୀର ହିିଂସାକୁ ନିୟନ୍ତ୍ରଣ କରିବା ପାଇଁ  କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୀର୍ଘ ୧୨ ବର୍ଷ ପରେ ସୀମା ସୁରକ୍ଷା ବାହିନୀ(ବିଏସ୍‌୍‌ଏଫ୍‌୍‌)କୁ ଜମ୍ମୁ କଶ୍ମୀରରେ ପୁଣି ମୁତୟନ କରାଯାଇଛି । ଶ୍ରୀନଗର ଲାଲ ଚୌକ ଏବଂ ଆଖପାଖ ଅଂଚଳରେ  ଏବେ ବିଏସ୍‌ଏଫ୍‌ ଯବାନ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୨ ବର୍ଷ ପରେ ଶ୍ରୀନଗର ସହରରେ  ବିଏସ୍‌୍‌ଏଫ୍‌୍‌ ଯବାନ ଆଜି ଫ୍ଲାଗ୍‌ ମାର୍ଚ୍ଚ କରିବା ସହ ଶାନ୍ତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଆତଙ୍କବାଦୀ ବୁରହନ ଓ୍ଵାନିର ମୃତ୍ୟୁ ପରେ କଶ୍ମୀରରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି ଏବଂ ବ୍ୟାପକ ହିଂସାରେ  ୭୦ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୫ ହଜାର ଆହତ ହୋଇଛନ୍ତି। 

ବିଏସ୍‌୍‌ଏଫ୍‌ ଯବାନ ମୁତୟନ ପରେ ଆଜି ଶ୍ରୀନଗରର କେତେକ ଅଂଚଳରେ କର୍ଫ୍ୟୁ ହଟାଇ ଦିଆଯାଇଛି। ପରିସ୍ଥିତିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ  ବିଏସ୍‌୍‌ଏଫ୍‌୍‌ର ମୋଟ ୫୬ଟି କମ୍ପାନି ସେଠାରେ ନିୟୋଜିତ ହେବେ। ପ୍ରଥମ ପର୍ଯ୍ୟାୟରେ ୨୬ ଶହ ଯବାନ ଆଜି ଶ୍ରୀନଗର ଏବଂ ଅନନ୍ତନାଗରେ ମୁତୟନ ହୋଇଛନ୍ତି। ନେଇଛନ୍ତି। ଅନ୍ୟପକ୍ଷରେ  ୨ ହଜାରରୁ ଅଧିକ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆଜି ଦକ୍ଷିଣ କଶ୍ମୀରର ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି। ତେବେ କଶ୍ମୀର ବାସିନ୍ଦା ପୂର୍ବରୁ  ବିଏସ୍‌୍‌ଏଫ୍‌ ଯବାନଙ୍କ ମୁତୟନକୁ ବିରୋଧ କରି ଆସୁଥିଲେ। ସେମାନଙ୍କ ମତରେ ସୀମା ସୁରକ୍ଷା ବାହିନୀ  ଅଧିକ ଆକ୍ରୋଶମୂଳକ ଭାବେ କାର୍ଯ୍ୟ କରୁଛି । ୧୨ ବର୍ଷ ତଳେ ବିରୋଧ ଯୋଗୁଁ କଶ୍ମୀରରୁ ବିଏସ୍‌୍‌ଏଫ୍‌ ପ୍ରତ୍ୟାହାର କରାଯାଇଥିଲା। ୧୯୯୦ରୁ ୨୦୦୪ ପର୍ଯ୍ୟନ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଦିଗରେ ବିଏସ୍‌୍‌ଏଫ୍‌୍‌ ଉଲ୍ଲେଖନୀୟ ଭୂମିକା ନେଇଥିଲା। ତେବେ୨୦୦୪ ପରଠାରୁ ବିଏସ୍‌ଏଫ୍‌୍‌ର ସ୍ଥାନ ସିଆର୍‌୍‌ପିଏଫ୍‌ ନେଇଥିଲା।
 ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଉଛନ୍ତି। କଶ୍ମୀରରେ କର୍ଫ୍ୟୁ ଆଜି ୪୬ ଦିନରେ ପହଞ୍ଚିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି  ଶ୍ରୀନଗରର କିଛି ସୀମିତ ଅଂଚଳରୁ କର୍ଫ୍ୟୁ ହଟାଯାଇଥିଲେ ମଧ୍ୟ ପ୍ରମୁଖ ଅଂଚଳଗୁଡ଼ିକରେ ବଳବତ୍ତର ରହିଛି। ବିଚ୍ଛିନ୍ନତାବାଦୀମାନେ କଶ୍ମୀରରେ ହିଂସା ଜାରି ରଖିବାକୁ ଲଗାତାର ପ୍ରୟାସ କରୁଥିବାରୁ ରାଜନାଥ ନାଗରିକ ସମାଜ ସହିତ ପୁଣି କଥାବାର୍ତ୍ତା କରିବେ ବୋଲି ଜଣାପଡ଼ିଛି।  କଶ୍ମୀରରେ ହିଂସା ନିୟନ୍ତ୍ରଣ ପାଇଁ ବିଏସ୍‌ଏଫ୍‌ ଦାୟିତ୍ୱ ନେବାପରେ ଏହାକୁ ବିରୋଧ କରିବା ପାଇଁ ମଧ୍ୟ କେତେକ ଗୋଷ୍ଠୀ ସଜବାଜ ହେଉଥିବାରୁ ଏହାକୁ ଦୃଢ଼ତାର ସହ ମୁକାବିଲା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି କହିଛନ୍ତି ଯେ କିଶୋର ଓ ଯୁବକମାନଙ୍କ ଢ଼ାଲ କରି କିଛି ଲୋକ ହିଂସା ଭିଆଉଛନ୍ତି।